ଶିକ୍ଷକ ମୁଁ

0

ଶିକ୍ଷକ ମୁଁ ………….

ଚାହିଁ ନାହିଁ ମାନ କେବେ ଲୋଡ଼ିନାହିଁ ସନମାନ,
ପାଇଥାଏ ବେଳେ ପୁଣି ଆକ୍ଷେପ ଓ ଅପମାନ ।
ରଖିନାହିଁ ମୁଁ ଆଶା କାହିଁ ପାଇବି ପ୍ରଶଂସା ବୋଲି,
କରିଯାଏ କର୍ମ ପୁଣି କର୍ତ୍ତବ୍ୟର ବାହୁମେଲି ।
ଆବିଳତା ରାଗରୋଷ ରଖିନାହିଁ ରଖିବିନି,
ପାଏ ଯାହା ଧରିନିଏ ଏଇ ମୋ ପାଉଣା ଜାଣି ।
ତଥାପି ମୁଁ ଓହରିନି କର୍ତ୍ତବ୍ୟରୁ ତିଳେ ହେଲେ,
ନିଜ କଥା ଭାବିଲିନି ଭାବିହସେ ବେଳେ ବେଳେ ।
ଶିକ୍ଷକ ମୁଁ- ଶିକ୍ଷକତା-ମୋର ସର୍ବସ୍ୱ-ସଞ୍ଚୟ,
ଜ୍ଞାନପୁତ୍ର-ପୁତ୍ରୀ ହେଲେ ପୁଞ୍ଜି ଆଉ ପରିଚୟ ।
ଜାହିର୍ କରିନି କେବେ ଶକ୍ତି ଅବା କ୍ଷମତାର,
କାହିିଁକି ନା ଭାବିନିଏ ଶିକ୍ଷକତା ଧର୍ମ ମୋର ।
ଶିକ୍ଷକର ଜୀବନଟା ଶୁଣିବା-ସହିବା ପାଇଁ,
କହିବା ମହତ ନୁହେଁ ଶିଖନ୍ତୁ ଭଉଣୀଭାଇ ।
ଶିକ୍ଷକ ଭାଇ-ଭଉଣୀଙ୍କୁ ଏଇ ମୋର ନିବେଦନ,
ପ୍ରଶଂସାରେ ଆଖିରଖି କରିବନି କର୍ମମାନ ।
ପିଲାଙ୍କ ମଙ୍ଗଳ ପାଇଁ ଦେଇଥିବି କେତେ ଗାଳି,
ଧରିବନି ପିଲାମାନେ ମା’ଗାଳି ଦାଣ୍ଡଧୂଳି ।
ଆନନେ୍ଦ ସହିଛି କେତେ ତୁମ ଅଳି ଅରଦଳୀ,
ଆଜିଦିନେ ଭୁଲିଯାଅ ଏଇ ମୋର ଶେଷ ଅଳି ।
ପ୍ରଭୁଙ୍କ ଅଶିଷେ ପୂରିଥାଉ ସଭିଙ୍କ ଅଞ୍ଜଳୀ,
କୃତୀ ଛାତ୍ର-ଛାତ୍ରୀ ମୋର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।

ଶ୍ରୀମତୀ ଉଷାରାଣୀ ରଥ,
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ