ବିଶୁ ମହାରଣା

0
odia-poem

ଡ଼କ୍ଟର ସସ୍ମିତା କର

ଥରଟିଏ ତୋତେ ଶୀତଳ ନିଦରେ
ଶୁଆଇ ଦେଲା ପରେ
ସାରା ଆୟୁଷ ମୁଁ ଚେଇଁ ଚେଇଁ ଆଡେଇ ଦେଖିଚି
ଚନ୍ଦ୍ରଭାଗାରେ ପରାସ୍ତ ପରାସ୍ତ ବାଲି
ଗଣି ଦେଖିଚି ସାଗରର
ନୀଳ ନୀଳ ଢେଉ
ଗହ ଗହ ଅନ୍ଧାରୁଆ ବାଦଲ ଫାଙ୍କରେ
ମୁଁ ଅନାଦଲି ଖୋଜିଛି
ଗୋଟେ କଅଁଳିଆ ତାରା
ଝାଉଁ ବଣର ସୁ ସୁ ପବନରେ
ଗୋଟେ ଶ୍ୟାମଳ ବିଶ୍ୱାସ I

ଥରଟିଏ ତୋ ପାଇଁ
ନୀରବ ହେଇଗଲା ପରେ
ମୁଁ ତମାମ ଜୀବନ ବାହୁନି ହେଇଚି
ତୋତେ ହରେଇଦେବାର ଦୁଃଖ
ଚଡି ଆସିଥିବା ଅଜନ୍ମା ପୁଅକୁ
ବାରବର୍ଷ ପରେ ଭେଟି
ଥରଟିଏ ଆଖିପୂରେଇ
ଦେଖି ନ ପାରିବାର
ବିଫଳ ଆଗ୍ରହ
ଫେରିବାକୁ ପ୍ରତିଶୃତି
ଦେଇଆସିଥିବା ପତ୍ନୀକୁ
ସାମ୍ନା ନ କରିପାରିବାର
କୋହଭର୍ତ୍ତି ଛାତି I

ଥରଟିଏ ଆଖି ଖୋଲନ୍ତୁ ତ
ବୁଝାଇ ଦିଅନ୍ତି ବାପ,
ଚୁପ ରହିବାର ମାନେ ନୁହଁ
ବାରଶ ବଢ଼େଇରେ ଦାୟ
କହି ଦିଅନ୍ତି ରଜା ଲାଗି
ମନ୍ଦିର ଗଢିବାର ମାନେ ନୁହଁ
ଛାଡିବାକୁ ହେବ ମୋର
ଘରଦ୍ୱାର ପତ୍ନୀ ପରିବାର
ମୁଁ ବିଶୁ ମହାରଣା
ଧର୍ମପଦ ବାପା
ଖାଲି ମୋର ଲୋଡ଼ା ଯାହା
ଧୂଳିମାଟି ଜୁଡୁବୁଡୁ ଧରମାଟେ
ମିଠା ମିଠା ବାଡ଼ି ବରକୋଳି
ଆଉଗୋଟେ କାଳିଆ କୁକୁର I

ଶିକ୍ଷା ବିଭାଗ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର