ପ୍ରଜ୍ଞା ପାରମିତା ମହାନ୍ତି
ମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,
ପୁରୀ, ଓଡିଶା

ଭାରତ ବର୍ଷର ଉତ୍କଳ ପ୍ରଦେଶେ
ବାଲେଶ୍ଵର ଜିଲ୍ଲା ମଧ୍ୟେ
ଅବସ୍ଥିତ ଥିଲା ଆମ ବିଦ୍ୟାଳୟ
ନେଇ ଛାତ୍ରଛାତ୍ରୀ ବୃନ୍ଦେ |୧|

ଥିଲୁ ଆମେ ଦିନେ ଏଇ ବିଦ୍ୟାଳୟେ
ହୋଇ ଏକ ଅନ୍ତେବାସୀ
ସାଙ୍ଗସାଥି ମେଳେ କଟୁଥିଲା ଦିନ
ହସଖୁସିରେ ଯେ ଭାସି |୨|

ପ୍ରଭାତ ପ୍ରହରୁ ରାତ୍ରେ ନିଦ୍ରା ଯାଏଁ
ସବୁ ଥିଲା ଶୃଙ୍ଖଳିତ
ଛୁଟି ଦିନ ଅବା କାର୍ଯ ବ୍ୟସ୍ତ ଦିନ
ସବୁ ତ ଚିରାଚରିତ |୩|

ବିଦ୍ୟାଅଧ୍ୟୟନ ଯୋଗ ଓ ବ୍ୟାୟାମ
ଅବା ଗଠନ ଚରିତ୍ର
ନିଃସ୍ଵାର୍ଥପରତା ପରୋପକାରିତା
ଥିଲା ଜୀବନର ବ୍ରତ |୪|

ଶ୍ରବଣ-ପଠନ ଭ୍ରମଣ-ଦର୍ଶନ
କାର୍ଯକ୍ରମ ମନୋହରା
ଆହୁରି ବହୁତ ଘଟଣା ରହିଛି
ସ୍ମୃତି ସେ ଯେ ଅପାସୋରା |୫|

ଏହାଛଡା ଅନ୍ୟ ସାଂସ୍କୃତିକ କାର୍ଯେ
ବିଦ୍ୟାଳୟରେ ପାଳନ
ସକ୍ରିୟ ଭାବରେ ଜଡିତ ରହି ଯେ
କରୁଥିଲୁ ମନୋରଞ୍ଜନ |୬|

ସେବେକାର ଯୁଗେ ପୁଅଝିଅ ମଧ୍ୟେ
ନ ଥିଲା ଯେ ବିଷମତା
ଭାବିଲେ ଏବେ ମୁଁ ଲାଗୁଛି ସତେ ତ
ବଡ ଆଚମ୍ବିତ କଥା |୭|

ପୁଣ୍ୟବନ୍ତ ସେ ଯେ ଗୁରୁଜୀ-ଗୁରୁମା
ଥିଲେ ଏହି ବିଦ୍ୟାଳୟେ
ନିଶ୍ଚିନ୍ତ ମନରେ ବିତୁଥିଲା ଦିନ
ରହି ଅଭୟ ଆଶ୍ରୟେ |୮|

କୁଆଡେ ଗଲା ସେ ସୁଖର ସମୟ
କୁଆଡେ ଗଲା ସେ ଦିନ
ଭାବିଲେ ମନରେ ପୁଲକ ଜାଗଇ
ଆନମନା ହୁଏ ମନ |୯|

ଚାହୁଁ ଚାହୁଁ ଆଜି ସମୟ ସ୍ରୋତରେ
ପଚିଶି ବର୍ଷ ସେ ଗତ
ଛାତ୍ରଛାତ୍ରୀ ତାର କେଉଁଠି କୁଆଡେ
ଯେ ଯାହା ଅବସ୍ଥାପିତ |୧୦|

ଘଟଣା ବହୁଳ ଏବେକା ଜୀବନେ
କିଛି ତ ପଡୁନି ମନେ
କୈଶୋରର ସେଇ ସ୍ଵର୍ଣାଭ ମୂହୁର୍ତ୍ତେ
ପାଦ ରହି ଯାଏ କ୍ଷଣେ |୧୧|

ଧନ୍ୟ ଅଟେ ସେ ଯେ ମୋର ବିଦ୍ୟାଲୟ
ଜବାହର ନବୋଦୟ
ଈଶ୍ଵରଙ୍କ ପାଶେ ଏତିକି କାମନା
ହେଉ ସେ ମହିମାମୟ |୧୨|

ନଥିଲା କେବଳ ଜ୍ଞାନର ଭଣ୍ଡାର
ଅବା ଏକ ଅନୁଷ୍ଠାନ
ସାଧନାର ପୀଠ, ସିଦ୍ଧ କଳ୍ପବଟ,
ଥିଲା ସରଗ ସମାନ |୧୩|