ପ୍ରଜ୍ଞା ପାରମିତା ମହାନ୍ତି
ମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,
ପୁରୀ, ଓଡିଶା

ଚାଲ ଫେରିଯିବା, ପୁଣି ଥରେ ସେଠାକୁ
“ନିଡଫେରନ୍ତା”, “ଘରବାହୁଡା”-ଏକାନ୍ତ, ସଙ୍ଗରୋଧ…ଅଥଚ ନିଶ୍ଚିନ୍ତ !
ଥମିଯିବା ଟିକେ…ଅଟକି ଯିବା କିଛି ସମୟ
କାହାଲାଗି ଗଲା ପୁତ୍ର ବାହୁଡି ନଇଲା….ପୁତ୍ର ଏବେ ବାହୁଡି ଆସିଛି ମଥୁରାକୁ

“ବିଶ୍ଵ ଦେଖ ମଧୁମୟରେ” ବର୍ତ୍ତମାନ ବିଶ୍ଵ ଦେଖ ଭୟାବହ
କଣ୍ଟକ କି ପ୍ରତିରୋଧ- ତୋ ଲାଗି ଗୋପଦାଣ୍ଡ ମନା !
‘ହେଜେନବର୍ଗ’ଙ୍କ ଅନିର୍ଦ୍ଦିଷ୍ଟତାରୁ ବି ବଳିଯିବ ଏ ଅଲଙ୍ଘ୍ୟ ସର୍ତ୍ତ –
– ନିୟମ, ସଂଯମ, ସଂଭ୍ରମ ଓ ସପ୍ରେମ !

ମନେପଡୁଛି କେଉଁ ଏକ ଚଳଚ୍ଚିତ୍ରର ନାମ “ଫାର ଫ୍ରମ ଦି ମାଡିଙ୍ଗ କ୍ରାଉଡ”;
ବିଷମସଙ୍କଟ, ସ୍ଥିତି ଗମ୍ଭୀର !
ସହରସାରା ଯେ କରଫ୍ୟୁ
ପରିସ୍ଥିତି ସଙ୍ଗୀନ, ଦୋଦୁଲ୍ୟମାନ !
ଯେପରି ପଚାରୁଛି ଅଯୋଧ୍ୟା କେତେ ବାଟ ?
ନିରୁତ୍ତର, ନୀରବ, ନିଃଶବ୍ବ !

ମାଳିକାର ଭବିଷ୍ୟବାଣୀ ବୋଧହୁଏ-
ସତେ କଣ ପୃଥିବୀ ଧ୍ଵଂସ ଆଡକୁ ଗତିକରୁଛି ?
ସତେ କଣ ଏକ ଯୁଗର ଅବସାନ ଘଟିବାକୁ ଯାଉଛି ?
ପ୍ରଶ୍ନବାଚୀ ? ବିରାଟ ପ୍ରଶ୍ନବାଚୀ ??

ଅପ୍ର|କୃତିକ ଜୀବନଯାତ୍ରାର ଅନ୍ତିମ ପରିଣତି ଯେ ସର୍ବଦା ଭୟଙ୍କର !
ଉପାୟ: ସାମାଜିକ ଦୂରତା ରକ୍ଷା, ଜରୁରୀ ମଧ୍ୟ;
ଯାହାକି ବର୍ତ୍ତମାନର ଗୋଷ୍ଠୀ ସଂଘର୍ଷ, ଦଳଗତ ଆକ୍ରମଣ, ହିଂସାଠୁ ଢେର ପ୍ରଭାବୀ |
ପ୍ର|କୃତିକ ଜୀବନଶୈଳୀ, ମାନସିକତା ଓ ଦୃଷ୍ଟିଭଙ୍ଗୀରେ ସକରାତ୍ମକ ବିଚାର,
କିନ୍ତୁ ମାନବିକତାର ଅବକ୍ଷୟ ନ ଘଟୁ |

କିଛି କ୍ଷଣର ବିରାମ; କିଛି ସମୟର ବିଶ୍ରାମ
ପୁଣି ଥରେ ହସିଉଠୁ ଧରଣୀ,
ଚଳଚଞ୍ଚଳ ହୋଇଉଠୁ ସମଗ୍ର ମାନବଜାତି, ଜୀବଜାତି |
ବସୁଧୈବ କୁଟୁମ୍ବକମ ନୀତିରେ ଜାଗିଉଠୁ ସଂପ୍ରୀତି |
ଲହରାୟିତ ହେଉ ‘ସର୍ବେ ଭବନ୍ତୁ ନିରାମୟଃ’ର ସ୍ତୁତି |