ହିରଣ୍ମୟ ବାରିକ୍
ସିମୁଳିଆ, ବାଲେଶ୍ବର

ଦିନସାରା କରି କାମ, ନ ଥାଏ ଜୀବନ, ଗରମ ର ସେ ନିଷ୍ଠୁର ତାତି
ପାଣି ଓ ଖରା ଗଛ କୁ ଯେମିତି, ଲୋକଙ୍କ ପାଇଁ ଥିଲା, ସେ ଆଶାଭରା ଜହ୍ନରାତି ।।

ଖୋଲା ଆକାଶକୁ ଖୋଲା ପଦା, ଚାରିପାଖେ ଥାଏ ଗଛ
ଗାଁ ର ଲୋକ, ଦେହେ ପ୍ରାଣ ପାଇଁ, ଆସନ୍ତି ଏଠାକୁ ,ନ ଭାବି ଆଗ ପଛ ।।

ଗ୍ରୀଷ୍ମଦିନ ର ଦାରୁଣ ପ୍ରଭାବ, ନ ଥିଲା, ସେ ଜହ୍ନ ରାତି ସାରା
ମନେ ଖୁସି ଦେଇ, ଆହା କି ସୁନ୍ଦର ଦିଶେ, ସେ ଚନ୍ଦ୍ର ଆଉ ତାରା ।।

ବାପା ଆଉ ମୁଁ, ଯାଉ ପ୍ରତିଦିନ, ନ ଥାଏ ପ୍ରଶ୍ନ କଦବା
ଗୋଟିଏ ଶେଯରେ, ଉପରକୁ କରିମୁହଁ, ଶୋଇ ଥାଉ ଅଧା ଅଧା ।।

ଜହ୍ନ ଓ ତାରା, ନ କରି ହେଳା, ଦେଇଥାନ୍ତି ନିଜ ଆଲୋକ
ଶୀତଳ ପବନେ, ଶୋଇଥାଉ ଆମେ, ନ ପଡୁଥାଏ ଆମ ପଲକ ।।

ପାଖେ ସୋଇ ବାପା, ଭିନ୍ନ ରକମର, କହୁଥିଲେ ବହୁ କଥା
ଭଲଲାଗେ ଶୁଣିବାକୁ ଓ ଶୁଣିଥିଲି ମୁହିଁ, ଦେଇକରି ମୋ ମଥା ।।

ଥିଲି ଅତି ଛୋଟ,ବୁଦ୍ଧି ଓ ଶରୀରେ, ନଥିଲା କିଛି ମୋର ଉଚ୍ଚ ସପନ
ଅର୍ଥ ଭଳି ଜ୍ଞାନ, ହେଉଥିଲା ଅର୍ଜନ, ଲାଗୁଛିସତେ ପଡୁଥିଲା ନୂଆକିରଣ ।।

ଥାଏ ଜହ୍ନ ତାରା, ଥାଏ ସେ ଆକାଶ,ନଥାଏ ତାର ସୀମା
ଅସଂଖ୍ୟ ଭାବନା, ଆସୁଥାଏ ମନେ, କରୁଥାନ୍ତି ନିଜ ଅକ୍ଷେ ପରିକ୍ରମା ।।

ବାଜଇ ବାଦ, ଶୁଭେ ଶବଦ, ସତେକି ମଳୟ ପବନ, ଗାଉଛି ମଧୁର ଗୀତ
ବେଳେବେଳେ ଧରି ରୂପ, ଶରୀରକୁ କରି ସ୍ତବ୍ଧ, ପ୍ରଳୟ ପବନ, କରିଥାଏ ଅସହ୍ୟ ଶୀତ ।।

ଉପରକୁ କରି ମୁହଁ, ଅସୀମ ଆକାଶ, ଲାଗୁଥିଲା ସତେ ଅର୍ଧଗୋଲକ
ହୃଦବୋଧ ହୁଏ ତାରଘର ଭଳି, ଦେଖୁଥିଲି ତାରା, ଜହ୍ନ ଥିଲା ଅଭିଭାବକ ।।

ଆକାଶରେ ଥାଏ, ଜହ୍ନ ଓ ତାରା, ଥାଏ ଗୁରୁ ଶିଷ୍ୟର ସମ୍ପର୍କ
ପୃଥିବୀ ଉପରେ, ଶୋଇଥିଲେ ଯୋଡ଼ା, ଗୁରୁ ଶିଷ୍ୟର ଦର୍ଶକ ।।

ସଂଖ୍ୟାରେ ଯେ ସାତ, ସପ୍ତର୍ଷିମଣ୍ଡଳ, ଦୁନିଆକୁ କରିଥାଏ ଏକ ପ୍ରଶ୍ନବାକ୍ୟ
ଭାବୁଥିଲି ଏହା କିପରି ସମ୍ଭବ, ମାତ୍ର ଏହା ହେଉଛି, ମହଜାଗତିକ ଦୃଶ୍ୟ ।।

ଦିନ ରେ ନହେଉ, ହଉ ପଛେ ଛୋଟ, କିରଣ ଦେଇ ତାରା ଥାଏ କର୍ମତତ୍ପର
ସଂସାରକୁ ଶିକ୍ଷା ଦେଇ, କହୁଥାଏ ସେ ଯେ, ସମୟ ପାଇଲେ କର ଉପକାର ।।

ଆସୁନାହାନ୍ତି ଲୋକ, ହୋଇଯାଇଛନ୍ତି ବ୍ୟସ୍ତ, ନାହିଁ ଆଉ ସେ କଥାବାର୍ତ୍ତା
ଇଛାହୁଏ ଭାରି, ଖୋଜେ ମୁଁ ସେଦିନ, ଖୋଜିଲେ ବି ମିଳେନାହିଁ ତାର ସତ୍ତାପତ୍ତା ।।

ମନେପଡୁଅଛି, ସେ ଜହ୍ନ ରାତି, ଅଭୁଲା ସେ ପିଲାଦିନ କାହାଣୀ
ଆଶାକରୁଅଛି, ମନେରହୁ ମୋର, ସେ ରାତିର ଚିରହରିତ୍ ଚାହାଣୀ ।।

ଖାଲି ପଡ଼ିଅଛି, ଆଜି ସେ ପଡିଆ, ଏକା ଅଛି ସୁଶୀଳ ଜ୍ୟୋତ୍ସ୍ନା ରାତି
ମୁଖ୍ୟବସ୍ତୁ ସାଜି, ଲାଖିଅଛି ସ୍ମୃତି, ପାରିବିକି ଭୁଲି, ଅତୀତର ସେ ଅନୁଭୂତି ।।