ହିରଣ୍ମୟ ବାରିକ୍
ସିମୁଳିଆ, ବାଲେଶ୍ବର

ସତ୍ୟ ବା ମିଥ୍ୟା,ଅଜ୍ଞାତ ମୁଁ ଯେ, ବାଣୀ ଚମତ୍କାରୀ
ଉଷା ସପନ,ସଂବୃତି ସତ୍ୟ ଜୀବନେ,ସେ କାର୍ଯ୍ୟକାରୀ
ପ୍ରଦୋଷ ସ୍ଥିତି,ଭ୍ରମଣ ମୁଖେ,ମୋ ବାଗ ନଗରୀ
ସହସା ସୁଗନ୍ଧ ମହକ,ମୃଦୁ ବାସ କସ୍ତୁରୀ
ସୌରଭ ପଥେ, ଚାଲିଲି ମୁଁ ସବାରୀ
ଅନୁଭୂତ ସତେ, ସୀତା ହରିଣୀ ମାୟାଧରୀ
ଶେଷ ଗମନ, ସମାସନ୍ନ ଲକ୍ଷ୍ୟ,ଦେଖିଲି କିଶୋରୀ
ନୁହେଁ ସେତ ମାୟା, ପହିଲି ଲୋଚନ, ମୁଁ ଅଧମରୀ
ବଦନ ତା’ର ଶୋଭିତ, ଝଲସି ଉଠେ ସୁନହରୀ
ସତେକି ଦୂର ଫେରନ୍ତା, ସେ ତ୍ରିପୁର ସୁନ୍ଦରୀ
ଆଖି ଥିଲା ଲାଖି, ସୁଆକାର ପ୍ରାଧିକାରୀ
ଅଣାୟତ୍ତ ବିବେକ, ରୂପ ରାଗିଣୀ ଝରଝରୀ
ମୁଗ୍ଧଭରା ଆକୃତି, ଖେଳେ ସ୍ପନ୍ଦନ ଭଉଁରୀ
ମିଷ୍ଠାଭରା ସପନେ,ସତେ ଅବା ପୃଥିବୀ ଅପସରୀ
ନିଘଞ୍ଚ କୁନ୍ତର,ସେ ଦିଗହରା ପଥଚାରୀ
ଦୀର୍ଘ ଶୋଭାନା କୌଷେୟ,ସରୋମ କେଶରୀ
ନେତ୍ର ଗୋଲ୍,ଶ୍ବେତପଟ୍ଟଳ ଚନ୍ଦ୍ରମା ପରୀ
ଆଖିଧାର,ଉଦାନ କାଳିମା ଅଞ୍ଜନ ଭରପୁରୀ
କୃଶ ଭ୍ରୁଲତା,ଗହନ କୋକିଳ ରଙ୍ଗଧାରୀ
ମଜ୍ଜନରତ ମୁଁ, ସତେ ପ୍ରେମଭରା ଗହରୀ
ଓଷ୍ଠ ଧନୁ ପରି, ସଂକୀର୍ଣ୍ଣ କ୍ଷୁଦ୍ରତରୀ
ଗାଢ଼ ଲୋହିତ ଚଞ୍ଚୁକା,ସେ ପିତଶାରୀ
ରକ୍ତପିତ ଅସ୍ତସୁର୍ଯ୍ୟ ପରି,ବାମେ ସୂକ୍ଷ୍ମ ତିଳଧାରୀ
ବିନା ଗ୍ରହଣେ ସୁଚିସ୍ମିତା,ସେ ହସମୁଖଭରୀ
ତନୁକଟି ମଧ୍ୟମ ସେ ମନ କୁମାରୀ
ଶରୀର ଉତ୍ତମ ଆହା ଇଚ୍ଛା ମୟୁରୀ
ଭୌଗଳିକ ନକ୍ସା ବିଶ୍ଳେଷଣ, ଅତୀବ ରସଭରୀ
ବିନା ପଲକେ ଚାହିଁରହିଥିଲି ମୁଁ, ବିଗ୍ରହ ମାଧୁରୀ
ମୋ ମନ ଆକାଶେ ସେ, କରିଛି ଧୀର ଉତରୀ
ମୋ ହୃଦେ କୋଠରୀ, ରଖିଛି କୋମଳ ପାୟରୀ
ଇଚ୍ଛା ଥିଲା ରହିବାକୁ, ତା ରୂପ ପୂଜାରୀ
ସରଳ ନୁହେଁ ଉପମା, ମିଛ ସୈାଦାଗରୀ
ଶାନ୍ତ ମଳୟ ପବନ, ପ୍ରବାହିତ ଉତ୍ତରୀ
ତା ମିଠା ଧ୍ଵନି ଗୀତ, ସଦୃଶ ବାଂସୁରୀ
ସ୍ୱର୍ଗୀୟ ଭାବନା, ନ ଥାଇ ପିଞ୍ଜରାର ଡୋରୀ
ଆସକ୍ତ ଜୀବାତ୍ମା, ଚାହେଁ ହୃଦୟର ପରୀ
ଭାବୁଥିଲି କରିବି ମୋ ନିଜର, ହୋଇଣ ଶିକାରୀ
ଆଖି ମନ ହୃଦୟ ମାଗୁଥିଲେ, ପ୍ରେମର ମଞ୍ଜୁରୀ
ନୁହେଁ ଚିତ୍ରକର,ନୁହେଁ କଳାକାର,ନୁହେଁ ମୁଁ କାରିଗରୀ
ମାନସ ପଟ୍ଟରେ ଆଙ୍କିଛି ତା ଛବି, ବଡ ଯାଦୁଗରୀ
ପରମ ଚିକୀର୍ଷା ଖୋଜିବି ମୁଁ, କାଶ୍ମୀରୀ ଠୁ କନ୍ୟାକୁମାରୀ
ବାସ୍ତବେ ସମ୍ଭବ ବା ଅସମ୍ଭବ, ମାତ୍ର ସାଜିଛୁ ତୁ ସ୍ଵପ୍ନକୁଆଁରୀ