ହିରଣ୍ମୟ ବାରିକ୍
ସିମୁଳିଆ, ବାଲେଶ୍ବର

ବିନ୍ଦୁ, ସୃଷ୍ଟି ର ସୃଷ୍ଟି
ସ୍ରଷ୍ଟା ବା ସୃଷ୍ଟି, ଏକବିନ୍ଦୁଗାମୀ
ଇଚ୍ଛାର ପ୍ରତ୍ୟେକ
ସ୍ରଷ୍ଟା ର ବିନ୍ଦୁ କ୍ଷୁଦ୍ର ସୃଷ୍ଟି
ଶୂନ୍ୟତା, ଅଜ୍ଞାନତା ଭରା
ପାଥେୟ ଏକ ପଥ ।।

ଦ୍ଵିତୀୟ ସ୍ରଷ୍ଟା,ଅନ୍ୱେଷଣ ପ୍ରୟାସ
ସାଧ୍ୟ ବା ଅସାଧ୍ୟ, ସରଳ ଅନୁଧ୍ୟାନ
ଦର୍ଶାଇ ମାର୍ଗ
ସାଧନା ର ମୁଖ୍ୟ କିଛି ବିନ୍ଦୁ
ଉତ୍ସୁକତା, କୃତଜ୍ଞତା ଭରା
ଅଟନ୍ତି ସୃଷ୍ଟି ନାଥ ।।

ସୃଷ୍ଟି ବିନ୍ଦୁ, ଥିଲା ସମ୍ଭ୍ରାନ୍ତ ଆଶା
ଭେଦ୍ୟ ବା ଅଭେଦ୍ୟ, ପୁନଶ୍ଚ ଇଛୁକ
ଅଗ୍ରସର ମୁଖ
ଧନୁର ତୀର ଏକ ନିର୍ଦ୍ଦିଷ୍ଟ ଦିଗ
ତୀବ୍ରତା, ବ୍ୟାକୁଳତା ଭରା
ଛକ ଥିଲା ଚତୁଷ୍ପଥ ।।

ବିନ୍ଦୁ ସାଧନା, ଏବେ ଚରମ ଉତ୍କର୍ଷ
ଘାତ ବା ପ୍ରତିଘାତ, କୃତ ଅସହାୟ
ବାଧା ପ୍ରମୁଖ
ମାଗିଛି ସୃଷ୍ଟିନାଥର ସହାୟ
ବ୍ୟଗ୍ରତା, ଅଧିରତା ଭରା
ମାର୍ଗ ବିଚ୍ୟୁତ ଆଜି ବିପଥ ।।

ବୋଧ କରୁଅଛି ସେ,ଖୋଲିବ ବନ୍ଧନ
ସୁଗମ ବା ଦୁର୍ଗମ, ଚାଲିବ ବହୁଦୂର
ସାଫଲ୍ୟ ବାଣ
ଅସ୍ତିତ୍ବ ବିନ୍ଦୁରେ ଲୀନ
ପ୍ରଫୁଲ୍ଲତା, ମାନ୍ୟତା ଭରା
ସାଜିବ ପୁଷ୍ପ ସୁପଥ ।।

କିଛି ଦିନର କାହାଣୀ, ପରେ ଶେଷବିନ୍ଦୁ
ଅଳ୍ପ ବା ଅନେକ, ପାର୍ଥିବ ଆନନ୍ଦ
ନିରଳସ ଜୀବନ
ଭାବି କର୍ତ୍ତବ୍ୟ ରେ ମଗ୍ନ
ତତ୍ପରତା, ମାନବତା ଭରା
ରହିବ ଇଚ୍ଛା ମନ୍ମଥ ।।

ଶାନ୍ତିର ସ୍ଥିତି, ମୋକ୍ଷରେ ମନ
ସମ୍ଭାବ୍ୟ ବା ଅସମ୍ଭାବ୍ୟ, ମାୟର ଦୂର
ବିନ୍ଦୁ ମୁଖଦ୍ଵାର
ଜୀବାତ୍ମା ର ଅନ୍ତିମ ଗନ୍ତବ୍ୟ
ସ୍ଥୂଳତା, ସଙ୍କୁଳତା ଭରା
ସୃଷ୍ଟି ନାଥ ଜଗନ୍ନାଥ ।।

ଆତ୍ମା ପରମାତ୍ମା ସଙ୍ଗ, ମାର୍ଗର ଅନ୍ତ
ଆସକ୍ତି ବା ପ୍ରୀତି, ମୋକ୍ଷର ଭାବ
ସଦା ଅହେତୁକ
ଜୀବନ ସମାପ୍ତି ଶେଷ ବିନ୍ଦୁରେ
ସ୍ଵତନ୍ତ୍ରତା, ସତ୍ୟତା ଭରା
ସାଧ୍ୟ ହଉ ବିନ୍ଦୁପଥ ।।