ପ୍ରଜ୍ଞା ପାରମିତା ମହାନ୍ତି
ମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,
ପୁରୀ, ଓଡିଶା

ଏକ ଚେହେରା ବାରମ୍ବାର ମନେପଡେ
ସମୟ ଅସମୟରେ,
ଅସ୍ତବ୍ୟସ୍ତ ଲାଗେ ଭାରି, ମନ ଘାଣ୍ଟି
ହୁଏ, ଆକ୍ତାମାକ୍ତା କରେ |

ଇଛା ହୁଏ ଅଟକି ଯା’ନ୍ତା କି ସମୟ
ଏଇ କିଛି ନିରୋଳାପଣରେ,
କାହା ସ୍ଵପ୍ନର ଆଢୁଆଳରେ,
କାହା ସ୍ପର୍ଶର ପଣତଛାୟାରେ |

ହଜିଯା’ନ୍ତି କି କେଉଁ ଅଫେରା ରାଜ୍ୟର ମାୟାରେ
ଅଦୂରେ, ଦୂରେ, ବହୁ ଦୂରେ |

ମୂର୍ତ୍ତି ନୁହେଁ କେଉଁ ମନ୍ଦିର ବା ମୁଖଶାଳାର,
ଛବି ନୁହେଁ ସେ ବିମ୍ବାଧର ବା ପିକାସୋଙ୍କର,
ପ୍ରତିଫଳନ ନୁହେଁ ମୋ ପ୍ରତିବିମ୍ବର
ପରିଚୟ ଖୋଜେ ମୁଁ ଯାହାର, ଆଜି ଓ ବାରମ୍ବାର |

ଅମୂର୍ତ୍ତ ସେ- ଯା’ର ବ୍ୟାପ୍ତି ଭୂମିରୁ ଭୂମା ଯାଏଁ
ଯା’ର ସ୍ନେହ ଗାଳିରୁ ଚୁମା ଯାଏଁ,
ଯା’ର ସ୍ଥିତି ବାମାରୁ ଭୀମା ଯାଏଁ,
ମୋ ଭାଗ୍ୟର କରିତକର୍ମା ସିଏ
ନିରୁତାପଣର ମାଆଟିଏ |