o360-poem-orbiting

ପ୍ରଜ୍ଞା ପାରମିତା ମହାନ୍ତି
ମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,
ପୁରୀ, ଓଡିଶା

ଏହା ଚାରିପଟେ କକ୍ଷ ପଥେ ଘୂରିବୁଲୁଛି ଯେ ମୁଁ
ଦିନ-ରାତି-ମାସ-ବର୍ଷ ଧରି ପ୍ରତି ନିୟତ |
ମୋର ଯେ ଅଛି ନିର୍ଦ୍ଦିଷ୍ଟ ପରିସୀମା, ପରିଧି
ଆଉ ଅକ୍ଷପଥ ବି ନିର୍ଦ୍ଧାରିତ |

ଅକ୍ଷାଂଶ, ଦ୍ରାଘିମା ତଥା ମକର-କର୍କଟ କ୍ରାନ୍ତିର ସମଷ୍ଟିଗତ,
ସେଠୁ ହେବାର ନାହିଁ ବିଚ୍ୟୁତ |
ହେଲେ ମୁଁ ହେବି, ସେ ସୌରମଣ୍ଡଳରୁ ନିର୍ବାସିତ |
ଭୋଗିବି ଦଣ୍ଡ ଅଜ୍ଞାତବାସର, ସଙ୍ଗେ ହେଇ ମର୍ମାହତ |

ଘୂରୁଥିବା ଯାଏଁ ଇ ଅଛି ମୋର ଏକ ସଜ୍ଞା ବା ଅସ୍ତିତ୍ଵ |
ହେଉ ପଛେ ଏକ ମଣ୍ଡଳ/ପରିବାରର ସତ୍ୟ |
ଯଦି ବା ମୋର କେତେକ ନିଜର ଉପଗ୍ରହ ବା ସ୍ତାବକ ଅଛନ୍ତି,
ଯଦି ବା ମୋର ନିଜସ୍ଵ ବଳୟ ଅଛି ସୁରକ୍ଷା ପାଇଁ,
ମୁଁ ଯେ ସେ ବ୍ୟାପକତାର ଏକ ଅବିଭକ୍ତ |

ଘୂର୍ଣ୍ଣାୟପ୍ରାୟ ଏକ ଆକର୍ଷଣବଳରେ ମୋହମୁଗ୍ଧ |
ପରିକ୍ରମଣୀୟ, ଅଥଚ ନୁହେଁ ପରିବର୍ତ୍ତନୀୟ-ସ୍ଵୟଂସିଦ୍ଧ |
ଚରୈବତି, ଚରୈବତି, ଚରୈବତିର ମହାମନ୍ତ୍ର |
ସେଠୁ ଖସିଗଲେ ହିଁ ହେବି କେବଳ ଏକ ଶୀତଳ ପିଣ୍ଡ,
ଆହତ, କ୍ଷତାକ୍ତ, ମୃତବତ ଉଲ୍କାପାତ |