o360-poem-mother

କିଏ ଆରମ୍ଭିଲା ଅମୃତ ବୋଳା ଏ
‘ବୋଉ’ ଶବ୍ଦ ପୁଣି ‘ବୋଉର’ ଡାକ
‘ବୋଉ’ ‘ବୋଉ’ ଡାକି ଘରେ ପଶିଗଲେ
ମିଳାଇ ଯାଏ ତ ସକଳ ଦୁଃଖ (୧)

‘ବୋଉ’ ମୁହଁ ଦେଖି ଘରୁ ବାହାରିଲେ
ସବୁ କାର୍ଯ୍ୟ ଶୁଭ ଶୁଭହିଁ ହୁଏ,
ଚାହିଁ ବସିଥାଏ ବାଟକୁ ଆମର
କେହି ଆଉ ତା’ର ସରିତ ନୁହେଁ (୨)

ଯେଉଁ ଆଡେ ଯାଉ ଘରକୁ ଫେରିଲେ
‘ବୋଉ’ ଜାଣିପାରେ ମନର ଭୋକ,
‘ବୋଉ’ ପାଶେ ଥିଲେ ଲାଗଇ ଆମକୁ
ଲୋଡା ନାହିଁ କେଉଁ ସରଗ ସୁଖ (୩)

ସାରା ଜଗତରେ ମଧୁର ଅଟଇ
‘ବୋଉ’ ଶବ୍ଦ ସିନା ଅମୃତ ମୟ,
ବୋଉଠୁଁ ମହାନ୍‌ କେହିନାହିଁ ପୁଣି
ଅଲୌକିକ ଆଉ ସବୁଠୁଁ ଶ୍ରେୟ (୪)

‘ବୋଉ’ ସଙ୍ଗେ କେହି ତୁଳନୀୟ ନୁହେଁ
ସେ ଶବ୍ଦ ଅଟଇ ପରିପୂରକ,
‘ବୋଉର’ ମହତ୍ତ୍ଵ ହେବନାହିଁ ବୁଝି
ସେ ପରା ସୃଷ୍ଟିର ମୂଳ ଏକକ (୫)

‘ବୋଉ’ ଯେ ଆମର ବହୁମୁଖୀ ଶବ୍ଦ
ତା’ ବିନା ଲାଗଇ ସବୁହିଁ ମିଛ,
ଧନ-ମାନ-ଯଶ ଆକଳନ କଲେ
ତା’ ପାଖରେ ସିନା ସର୍ବସ୍ଵ ତୁଚ୍ଛ (୬)

ଅଦ୍ୱିତୀୟ ଶବ୍ଦ ବୋଉ ଯେ ଅଟଇ
ବଖାଣିବାକୁ ମୁଁ ପାଉନି ଭାଷା,
କେଉଁ ଛନ୍ଦ ଆଉ କେଉଁ ରୂପେ ପୁଣି
ବର୍ଣ୍ଣନ କରିବି ନାହିଁ ଭରସା (୭)

ମମତା ମୟୀ ମୋ ଚିରହାସ ମୟୀ
ସରଗୁଁ ଆଶୀଷ ଦିଅ ଅଜାଡି,
ଆଉ ଏ ଜନମେ ଲୋଡା ନାହିଁ କିଛି
ଶେଷ ଜୀବନକୁ ଦିଅ ସଜାଡି (୮)

ଶ୍ରୀମତୀ ଉଷାରାଣୀ ରଥ,
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ