ପ୍ରବାସୀ ପତ୍ର, ନିଜର ଆୟୁଷରେ ଲେଖା ହୋଇ ରହିଥିବା ମୋର କବିତା

କବିତା ଲେଖିଲା ବେଳେ ମୁଁ ଆଉ ମୁଁ ହୋଇ ନଥାଏ। ନିଜ ଭିତରେ ଛନ୍ଦି ହେଉଥାଏ,ବାରମ୍ବାର ନିଜ ଭିତରେ ବାଟ ଭୁଲୁଥାଏ। କେଜାଣି କଣ ହୁଏ ଭାବ ରାଜ୍ୟରେ ହଜିଲା ପରେ । ବେଳେବେଳେ ଧରା ଦିଅନ୍ତି ନାହିଁ ଶବ୍ଦ। ସେ ନିଶବ୍ଦତାରେ କେଉଁଠି ନା କେଉଁଠି କବିତାର କ୍ଷୀଣଧାର ଟିଏ ବହୁଥାଏ।

ଯେତେବେଳେ ଏକାକୀତ୍ଵ ଘାରେ, ଲାଗେ ଗୋଟେ ଅଦ୍ଭୁତ ଶୂନ୍ୟତା ମୋତେ ଆଚ୍ଛାଦିତ କରି କି ଅଛି, ଗୋଟିଏ ବି ଶବ୍ଦ ନାହି ମୋ ପାଖରେ, ସେଇ ଶୂନ୍ୟତା- ନିଃସଙ୍ଗତା କୁ ରୂପ ଦେବାକୁ ଆପେ ଆପେ ଯାହା ଲେଖି ହେଇଯାଏ ସେତକ ହିଁ କବିତା । କବିତା ଆଉ କ'ଣ କି? ଶୂନ୍ୟତା, ଅଭାବବୋଧ, ବିରହ, ବିଷାଦ ଓ ପ୍ରେମର ଏକ ଫେଣ୍ଟାଫେଣ୍ଟି କକଟେଲ। କବିତା ଲେଖିଲାବେଳେ ମୁଁ ଆଉ ମୁଁ ହୋଇ ନଥାଏ। ନିଜ ଭିତରେ ଛନ୍ଦି ହେଉଥାଏ, ବାରମ୍ବାର ନିଜ ଭିତରେ ବାଟ ଭୁଲୁଥାଏ।  କେଜାଣି କଣ ହୁଏ ଭାବ ରାଜ୍ୟରେ ହଜିଲା ପରେ । ବେଳେବେଳେ ଧରା ଦିଅନ୍ତି ନାହିଁ ଶବ୍ଦ। ସେ ନିଶବ୍ଦତାରେ କେଉଁଠି ନା କେଉଁଠି କବିତାର କ୍ଷୀଣଧାର ଟିଏ ବହୁଥାଏ। ମୁଁ କିନ୍ତୁ ଆକ୍ତା ମାକ୍ତା ହୋଇଯାଉଥାଏ।  ଏଇ ମତେ ଛୁଉଁ ମତେ ଛୁଉଁ ଖେଳରେ ବେଦମ ହୁଏ ମୁଁ। ସତେ ଯେମିତି ମୁଁ ପ୍ରେମରେ ପଡିଛି। ବାତୁଳି ରାଧା ମୁଁ। ମୋତେ କବିତା ଘାରୁଛି। ହଜେଇ ଦେଉଛି ମୁଁ ନିଜକୁ।  ଏଇ କ୍ଷଣରେ ନିଜକୁ  ହଜାଇ ଆର କ୍ଷଣରେ କବିତା ଭିତରେ ନିଜକୁ ପାଉଛି। ଏଥିପାଇଁ ମୁଁ କହେ କବିତା ଲେଖିବା ଯାହା ପ୍ରେମରେ ପଡିବା ସେଇ ଏକା କଥା।

କବିତାକୁ ଖୋଜିଲା ବେଳେ ଆନେକ ସମୟରେ କବିତା ଧରା ଦିଏନି।  ପୁଣି ଅଚାନକ କବିତାକୁ ଭେଟେ ଭିନ୍ନ ସମୟରେ, ପ୍ରାୟ ଯେତେବେଳେ ମୁଁ ପ୍ରସ୍ତୁତ ନଥାଏ।  କେବେ ରାଜରାସ୍ତା ଉପରେ ପ୍ରଚଣ୍ଡ ହାଡଭଙ୍ଗା ଶୀତରେ ନିଶା ଖାଇତା ଠେଲା ଗାଡିରେ ଆବୁରୁଜାବୁରୁ ଜମା କରି, ଲକ୍ଷ୍ୟହୀନ ଭାବରେ ଯାଉଥିବା ଅଘରୀ ଲୋକର ବେପରୁଆ ଓ ଜୀବନ ପ୍ରତି ବିତସ୍ପୃହ ଆଖିରେ ମୋତେ କବିତା ଦେଖାଯାଏ।  କେବେ ଛକରେ ଛିଡା ତରୁଣ ତରୁଣୀଙ୍କ ବ୍ୟସ୍ତ ଚାହାଣୀରେ ଯେମିତି ଖୁବ ଗୋଟେ ଜଲଦିରେ ଅଛନ୍ତି ସେମାନେ, ପୁଣି କେବେ ପ୍ରଜାପତି ପରି ଉଡି ବୁଲୁଥିବା କୁନି କୁନି ଛୁଆଙ୍କ ଖିଲ ଖିଲ ହସରେ, କେବେ ବସ ଭିଡରେ, ରେଷ୍ଟୁରାଣ୍ଟର ମନ ଖୋଲା ହସରେ, କେବେ ପ୍ରେମୀ ଯୁଗଳଙ୍କ ଚୁମ୍ବନରେ। କବିତା ଆସେ କେତେ ରୂପରେ, କାହା ଉଦାସ ଆଖିରେ ତ କାହା ସ୍ଵପ୍ନିଳ ଅଖିରେ ହଠାତ ମିଳିଯାଏ କବିତା। 

ମୁଁ ଜାଣେନି କୋଉଠି କବିତା ନଥାଏ! ଜୀବନର ସଂଘର୍ଷଠୁ ଆରମ୍ଭ କରି ଦାରିଦ୍ର୍ୟ ଲୁହ ଲହୁ ଓ ଉତ୍ସବ, ସବୁ ତ କବିତା! ପ୍ରେମରେ ଖାଲି କବିତା ଆସେ ଭାବିବାଟା ନିହାତି ଭୁଲ।  ହଁ, ପ୍ରେମରେ ଥିଲାବେଳେ ଜୀବନ କବିତା କବିତା ଲାଗେ। ଅବଶ୍ୟ କେହି ପଚାରିପାରେ ମୁଁ କାହିଁକି ଏତେ ପ୍ରେମ କବିତା ଲେଖେ? ଯଦି ଜୀବନରେ କେବଳ ପ୍ରେମ ନୁହେଁ ଆଉ ଅନେକ କିଛି ଥାଏ. ତା ହେଲେ କବିତାରେ ଏତେ ପ୍ରେମ କାହିଁକି? ଏ ପ୍ରଶ୍ନର ଉତ୍ତରରେ ମୁଁ କହିପାରେ, ସେ ଜୀବନ କି ଜୀବନ ସତରେ ଯେଉଁଠି ପ୍ରେମ ନଥାଏ।  ଜୀବନର ସଂଘର୍ଷରେ, ହାର ବା ଜିତରେ, ବିରହରେ, ଲୁହରେ, ଜ୍ଵଳନରେ, ପାଇବା, ହରେଇବା ହସ କାନ୍ଦ ଶୂନ୍ୟପଣରେ ସବୁ ଭିତରେ ପ୍ରେମ ଇ ଫୁଟୁଥାଏ। ପ୍ରିୟ କବି ଅବତାର ସିଂ ସାନ୍ଧୁ “ପାଶ”ଙ୍କ ଭଷାରେ

,'प्यार करना और लड़ सकना 

जीने पर ईमान ले आना 

मेरी दोस्त, यही होता है

 धूप की तरह धरती पर खिल जाना 

और फिर आलिंगन में सिमट जाना 

बारूद की तरह भड़क उठना 

और चारों दिशाओं में गुंज जाना – 

जीने का यही सलीका होता है।' 

(ପ୍ରେମ କରିବା ଓ ସଂଘର୍ଷ କରିବା 

ଜୀବନର ଇମାନ ସାଉଁଟିବା

ପ୍ରିୟ ବନ୍ଧୁ, ଏହା ହିଁ ହେଉଛି 

ଖରା ଭଳି ବସୁଧା ଉପରେ ଫୁଟିଯିବା 

ଆଲିଙ୍ଗନରେ ମିଶିଯିବା

ଓ ବାରୁଦ ଭଳି ଫୁଟି ଯାଇ 

ଚାରିଦିଗରେ ଚମକି ଯିବା

ସେଇ ତ ଜୀବନ ଜିଇବା। ) 

ସତ ନୁହେଁ କି? ପ୍ରେମ ବିନା ସବୁ ନିରର୍ଥକ। ଯିଏ ପ୍ରେମକୁ ବୁଝିଛି ସେ ଜୀବନକୁ ବୁଝିଛି। ଜୀବନ ଆଉ କ'ଣ- ଗୋଟିଏ ପ୍ରେମ କବିତା ଇ ତ! ଯେତେବେଳେ ଜୀବନର ରାସ୍ତାରେ ଅଟକି ଯାଇଛି, ସେତେବେଳେ  କବିତାର ସାହାରା ଖୋଜିଛି।  କବିତା ଦମ୍ଭ ଦେଇଛି ଏକା ଚାଲିବାକୁ।  ଯେବେ ଦୁଃଖ ରୋଗ ଶୋକରେ ମୁଁ ଯନ୍ତ୍ରଣା ପାଇଛି ସେବେ କବିତା ଇ ଦେଇଛି ମୋତେ ଧୈର୍ଯ୍ୟ।  ମା ପରି କୋଳକୁ ଆଉଜେଇ ନେଇଛି।  ବନ୍ଧୁ ପରି ମୋ ଦୁଃଖ ବାଣ୍ଟିଛି । ମୋ ମମତାର ଗୋଟେ ରୂପ ବି ମୋ କବିତା।  କବିତା ମୋ ସନ୍ତାନ, ମୋ ସ୍ଵାମୀ, ମୋ ସଖା ଓ ପ୍ରେମିକ। କବିତା ନଥିବାର ମୁହୂର୍ତ ମୋ ଜୀବନରେ ନାହିଁ। 

 ଏମିତି କଣ ହୋଇପାରେ ଜଣେ କବିତାର ପ୍ରଚଣ୍ଡ ପ୍ରେମରେ ଥାଇ ମଧ୍ୟ କବିତା ବିନା ବଞ୍ଚିପାରେ? ନା, ବହୁତ କଷ୍ଟ। ଅସମ୍ଭବ ଲାଗେ ଭାବିଲେ।  ହସିପାରନ୍ତି କେହି କେହି। କେତେ ବା ମୁ ଦେଖିଛି କବିତା ପ୍ରେମରେ ପାଗଳ ମଣିଷଙ୍କୁ? ଠିକ କଥା. କିନ୍ତୁ ମୁଁ ଜାଣେ କବିତା କଣ ମୋ ପାଇଁ । ଦିନେ କବିତା ଲେଖୁନଥିଲି, ଜାଣି ନଥିଲି କେମିତି ଭାଷା ଦିଅନ୍ତି ମନର କଥାକୁ। ଖୁବ ଭଲ ପାଉଥିଲି ଗପ ପଢିବାକୁ। ହଁ ଆଜିବି ଭଲପଏ, ତେବେ ସେବେ ଗପ ଭିତରେ ବି ଯେମିତି କବିତାକୁ ଖୋଜୁଥିଲି। କୋଉଠି ଗୋଟେ କବିତା ଦେଖିଲେ ସେଇଠି ଆଖି ଲାଖିଯାଏ।  କୁନ୍ତଳା କୁମାରୀ ସାବତଙ୍କ କବିତା ‘ଶେଫାଳି ପ୍ରତି' ଯେବେ ପ୍ରଥମ ଥର ପାଇଁ ପଢିଲି ବୋଧେ ସେଇଠି ନିଅଁ ପଡିଲା ମୋ କବିତା ପ୍ରେମର। ସେଇ ଯେ ଆରମ୍ଭ ହେଲା ଏବେ କେବଳ ସାରୁ ନଥିବା ଗୋଟେ ରାସ୍ତାରେ ମୁଁ ଓ କବିତା। ଯେମିତି କବିତା ବିନା ଗତି ନାହିଁ।  ମୁଁ ଜାଣେ ଅନେକ ଜଣାଶୁଣା ବିଶିଷ୍ଟ କବି କବିତା ଲେଖାରୁ ନିଜକୁ ନିବୃତ୍ତ କରିଛନ୍ତି।  ଆଉ କବିତା ଲେଖୁ ନାହାନ୍ତି । ହଠାତ ଉଭେଇ ଯାଇଛନ୍ତି କବିତା ଜଗତରୁ। 

 ହୁଏତ କାଲି ମୋ ଜୀବନରେ ସେହିପରି ଏକ ମୁହୂର୍ତ ଆସିପାରେ ଯେବେ କୌଣସି କାରଣରୁ ମୁଁ ଆଉ କବିତା ଲେଖି ପାରିବିନି କିମ୍ବା କବିତା ଲେଖିବାର ଆଗ୍ରହ ରହିବନି। ଶବ୍ଦ ସବୁ ବାଟ ହଜି ଯେ ଯୁଆଡେ ଚାଲିଯିବେ।  କିନ୍ତୁ ମୁଁ ଜାଣେ , ମୋ ଭିତରେ ତେବେ ବି ବଞ୍ଚି ରହିବ କବିତା।  ଶାନ୍ତ ନଈ ଟିଏ ପରି ବହୁଥିବ, ଝରଣା ପରି ଚଳଚଞ୍ଚଳ ନଥିବ ହୁଏତ। କବିତା ସେବେ ଜୀବନ ପାଲଟି ଯାଇଥିବ ଓ ମୋତେ ବଞ୍ଚେଇ ରଖିଥିବ। କବିତା କାଗଜ କି ମୋବାଇଲ ପରଦାରେ ନୁହଁ, ବରଂ ମୋ ଆୟୁଷରେ ଲେଖା ହୋଇଥିବ।  ହଁ, ସେତିକି ତ ଚାହେଁ. ବାକି ଜୀବନ କାଟିବା ପାଇଁ ସେତିକି ଆଶା ଯଥେଷ୍ଟ ନୁହେଁ କି?


Leave a comment