ଏକପାଦୀ ଜୀବନ

ପୃ୍ଥିବୀର ପୋଥିରେ ମୁଁ, କବିତାର ଧାଡ଼ି, ଜୀବନ ମୋ ଆଉକାହା ରକତର କାଳି। ଏକପାଦୀ ଜୀବନ ମୋ ଏକ୍ ତାରା ଭଳି, ଗୋଟିଏ ପାଦରେ ବୁଲେ, ଏ ଗଳି ସେ ଗଳି।

ପୃଥିବୀର ପୋଥିରେ ମୁଁ, କବିତାର ଧାଡ଼ି

ଜୀବନ ମୋ ଆଉକାହା ରକତର କାଳି।

ଏକପାଦୀ ଜୀବନ ମୋ ଏକ୍ ତାରା ଭଳି

ଗୋଟିଏ ପାଦରେ ବୁଲେ, ଏ ଗଳି ସେ ଗଳି।


ଗୋଟିଏ ତାରରେ ସିନା ବନ୍ଧା ଏକ୍ ତାରା

ଛୁଇଁଦେଲେ ଅନେଶତ ସୁରର ପସରା

ସେଇ ତାରେ ଗଣ୍ଠିପକା ଜୀବନ ମୋହର

ତାର ଛିଣ୍ଡିଗଲେ ଏଠି କିଏ ବା କାହାର !

ସୁରରେ ଗଢ଼ିଲି ଯେଉଁ ଦୁଇଟି ପିତୁଳି

ଜଣେ ଦିଶେ ମୋ ଭଳି, ଜଣେ ତମ ଭଳି।

ଏକପାଦୀ ଜୀବନ ମୋ ଏକ୍ ତାରା ଭଳି

ଗୋଟିଏ ପାଦରେ ବୁଲେ, ଏ ଗଳି ସେ ଗଳି।


ପିଲାଦିନ, ଯଉବନ, ଜରା, ମରଣରେ

ଜଣାପଡ଼େ ନାହିଁ ସିନା ଏ ଜୀବନ ସରେ

ପକ୍ଷୀର ଜୀବନ ତୋର, ଏ ସଂସାର ଜାଲ

ଅଠାକାଣ୍ଡିଆରେ ପରା ଜୀବନ ଜଞ୍ଜାଳ

ଅଭାବ ଝାମୁନିଆଁରେ ଗଲାବେଳେ ଜଳି

ଦୂରରୁ କୋଉଠୁ ଶୁଭେ ଆଶାର କାକଳୀ।

ଏକପାଦୀ ଜୀବନ ମୋ ଏକ୍ ତାରା ଭଳି

ଗୋଟିଏ ପାଦରେ ବୁଲେ, ଏ ଗଳି ସେ ଗଳି।

Leave a comment