ଗଛମାନେ କଣ କହିଲେ ତମକୁ

ଜସିଂତା କେର୍କେଟା, ଆଦିବାସୀ ସମାଜରୁ ଆସିଥିବା ହିନ୍ଦୀ ସାହିତ୍ୟର ତରୁଣ ପ୍ରଜନ୍ମରେ ଏକ ବ୍ୟତିକ୍ରମୀ ଓ ଶକ୍ତିଶାଳୀ ସ୍ଵର । ଝାଡ଼ଖଣ୍ଡରେ ଜନ୍ମ ହୋଇଥିବା ଜସିଂତା ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଆଦିବାସୀ ଜୀବନକୁ ବେଶ ପାଖରୁ ଦେଖିଛନ୍ତି । ତାଙ୍କ କବିତାରେ ଭାରତୀୟ ଆଦିବାସୀ ସ୍ଵର ଏକ ବ୍ୟତିକ୍ରମୀ ଭାବ-ବଳୟ ତିଆରି କରିଛି । ଜସିଂତା କେର୍କେଟାଙ୍କ ହିନ୍ଦୀ କବିତାର ଏକ ଓଡ଼ିଆ ରୂପାନ୍ତର ।

ମୂଳ ହିନ୍ଦୀ - ଜସିଂତା କେର୍କେଟା

ଓଡ଼ିଆ ଅନୁବାଦ - ନିଖିଳେଶ ମିଶ୍ର


ଗଛମାନେ ତମକୁ

କହିଲେ ନାଇଁ ଯେ ଗଛ ଲଗାଅ,

ସେମାନେ ଖାଲି କହିଲେ

ଯେ ତାଙ୍କ ଭାଗର ମାଟି ଟିକକ ଛାଡ଼ିଦିଅ ତାଙ୍କୁ

ଯୋଉଠି ସେମାନେ ଉଧେଇ ପାରିବେ

ଯେମିତି ଉଧେଇବା କଥା ତାଙ୍କର ।

କିନ୍ତୁ ତମେ ମାଡ଼ି ବସିଲ ତାଙ୍କ ମାଟି ଟିକକ

ଆଉ ସେଇଠୁ ସ୍ଲୋଗାନ୍ ଦେଲ,

"ଗଛ ଲଗାଅ, ପୃଥିବୀ ବଞ୍ଚାଅ"

 

ବଞ୍ଚି ରହିବା ପାଇଁ

ଯୋଉ ପବନ ଏବେ ପ୍ରଶ୍ବାସରେ ନଉଚ ତମେ

ସେତକ ବି ଭାରି କଷ୍ଟେମଷ୍ଟେ

ନିଃଶ୍ଵାସରେ ଛାଡ଼ିବା ଅଭ୍ୟାସ କରୁଚ ।

ଗଛମାନଙ୍କ ଭାଗର ମାଟି

ଗଛମାନଙ୍କ ପାଇଁ ଛାଡ଼ିଦବା

କଣ ହେଇପାରିବ ତମ ଦେଇ ?


Leave a comment