
ମୋ କବିତାରୁ ପଡିଗଲା ସେ ଘୋଡା
ଏବଂ ସେ ପବିତ୍ର ସ୍ତ୍ରୀ ଲୋକମାନେ
ଯେଉଁମାନେ ରହିଥିଲେ ଯୀଶୁଖ୍ରୀଷ୍ଟଙ୍କ ସାଙ୍ଗରେ
ସେମାନେ ପ୍ରଜାପତି ଓ ଶିଶିରରେ ଭିଜି
ନାଚୁଥିଲେ କ୍ରିସାନ୍ଥମମ ଫୁଲ ଉପରେ ।
ଆମେ ସେଇ ଅନୁପସ୍ଥିତ ଦୁଇ ଜଣ
ତମେ ଓ ମୁଁ, ସେଇ ଅନୁପସ୍ଥିତ ଦୁଇ ଜଣ ।
ହଳେ ସଫେଦ କପୋତ
ଗପୁଥାନ୍ତି ଓକ ଗଛ ଡାଳରେ ।
ନା, ପ୍ରେମ ନୁହେଁ
ମୁଁ କିନ୍ତୁ ଭଲପାଏ ପ୍ରାଚୀନ ପ୍ରେମକବିତାକୁ
ଯେଉଁଥିରେ ଅସୁସ୍ଥ ଜହ୍ନକୁ
ସୁରକ୍ଷିତ ରଖି ହେଉଥିଲା ଆକାଶୀ ଧୂଆଁରୁ ।
ମୁଁ ଆକ୍ରମଣ କରେ ଓ ପଛଘୁଞ୍ଛା ବି ଦିଏ
ଯେମିତି ଗୋଟେ ଭାଓଲିନ ରାଗର ମଧ୍ୟାନ୍ତରରେ
ଯେତେବେଳେ ମୁଁ ପହଞ୍ଚି ଆସୁଥାଏ ମୋର
ସମୟର ଭୂଗୋଳରେ
ମୁଁ ଦୂରେଇଯାଏ ମୋର ସମୟରୁ ।
ମୁଁ ଜାଣେ, ଆଧୁନିକ ସମୟର ଭାଷାରେ
ଆମେ ଯାହାକୁ ଭଲପାଉ
ତାର ଉତ୍ସବ ପାଳିବାକୁ ଜାଗା ନାଇଁ
କାରଣ ଯାହା ହେବ ବୋଲି ଆମେ ଭାବୁଛୁ
ସେସବୁ କେବେ ଦିନେ ଥିଲା ମାତ୍ର ।
ମୋ କବିତା ସହିତ ସେ ଘୋଡା ପଡିକି ଏବେ ରକ୍ତାକ୍ତ
ଆଉ ମୁଁ ବି ରକ୍ତାକ୍ତ ସେ ଘୋଡାର ରକ୍ତରେ ।
----------
ମର୍ମାନୁବାଦ - କେଦାର ମିଶ୍ର