ଚିତ୍ତ ଭାଇଙ୍କର ବିକଳ୍ପ ପ୍ରୟାସ

ଚିତ୍ତ ଭାଇଙ୍କର ଆମକୁ ଆମ ସୀମିତ ପରିସୀମାର ଉଦ୍ଧ୍ୱର୍କୁ ଉଠେଇ ଆଣିବାର ଏଇ ପ୍ରୟାସଟି ବାକ୍ସ ବାହାରର କଥାଟିଏ ନିଶ୍ଚୟ । ଏମିତି କେତେ ନା କେତେ କାର୍ଯ୍ୟକ୍ରମ, ଅବସର, ଅନୁଷ୍ଠାନ ସେ କରିଯାଇଛନ୍ତି । କେତେ ନା କେତେ ବହି ଲେଖିଯାଇଛନ୍ତି, ଅନୁବାଦ କରିଯାଇଛନ୍ତି । କିଛି ବି ଗତାନୁଗତିକ ନୁହେଁ, କେଉଁଟା ବି ମେନ୍ ଷ୍ଟ୍ରିମ୍ ବା ମୂଖ୍ୟ ସ୍ରୋତର କଥା ନୁହେଁ । ସବୁକିଛି ବାକ୍ସ ବାହାରର କଥା..ବିକଳ୍ପ ପ୍ରୟାସ ।
ଫଟୋ ଶ୍ରେୟ: ସୁମିତ୍ରା ପାଢୀ

ଛୋଟିଆ ପାହାଡ଼ଟିଏ, ତା’ ସାମ୍ନାରେ ଦି’ତାଲାର ଛୋଟ ଘରଟିଏ । ଉପର ତାଲାରେ ଝରକା କବାଟ ନଥିବା ଗୋଟିଏ ମାତ୍ର ହଲ୍ । ସେଇ ହଲ୍ ରେ ଆମେ ଷାଠିଏ, ସତୁରୀ ଜଣ ପିଲା ଓ ଦଶ-ବାର ଜଣ ଶିକ୍ଷକ ବସିଥାଉ । ଉଦ୍ଦେଶ୍ୟ ‘ନୂଆ କିଛି ଜାଣିବା, ନୂଆ ବାଗରେ ଜାଣିବା ।’ ସେଥର ବୌଦ୍ଧ ଜିଲ୍ଲାରେ ଏକାଠି ହୋଇଥାଉ ଆମେ । ଚାଲିଥାଏ ଶିବିର । ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ଏହି ଶିବିରଟିର ଉଦ୍ଦେଶ୍ୟ ଓ କାର୍ଯ୍ୟର ପରିସର ଥିଲା ଖୁବ୍ ବ୍ୟାପକ । ଯୁବ ଛାତ୍ରଛାତ୍ରୀଙ୍କର ଜାଣିବାର ଅସରନ୍ତି ଆଗ୍ରହକୁ ପୁରା କରିବା ପାଇଁ ଓ ତାଙ୍କ ଆଗରେ ବିଶାଳ ବିଶ୍ୱକୁ ଦେଖିବା ପାଇଁ ଗବାକ୍ଷଟିଏ ଖୋଲିଦେବା ଲାଗି ଏମିତି ଏକ ଶିବିରର ଆୟୋଜନ କରିବା ଥିଲା ଚିତ୍ତ ଭାଇଙ୍କର ପରିକଳ୍ପନା ।

ସେଦିନ ଶିବିରର ସକାଳ ବେଳା ଆମ ସାମ୍ନାରେ ବ୍ରହ୍ମାନନ୍ଦ ସ୍ୱାଇଁ ଆସି ଠିଆ ହେଲେ । ହାତରେ କେବଳ ଚକ୍ କେତୋଟି ଓ ପୋଷ୍ଟକାର୍ଡଠୁ ବି ଛୋଟ ଆକାରର କାଗଜ ମେଞ୍ଚାଏ । କାଗଜ ଗୁଡିକୁ ଆମକୁ ବାଣ୍ଟି ଦିଆଗଲା । କାଗଜ ଉପରେ ଲେଖା ହୋଇଥାଏ, ‘ଥିଙ୍କ୍ ଆଉଟ୍ ସାଇଡ୍ ଦ ବକ୍ସ’ । ତା ତଳକୁ ତିନୋଟି ଧାଡ଼ିରେ ତିନୋଟି ଲେଖାଏଁ କରି ନଅଟି ବିନ୍ଦୁ ଥାଏ । କାଗଜର ନିମ୍ନ  ଭାଗରେ “ହାତ ନ ଉଠାଇ ଚାରୋଟି ସିଧାଗାର ଥରେ ଲେଖାଏଁ ଟାଣିବା ଭିତରେ ସବୁ ବିନ୍ଦୁ ଛୁଇଁବାକୁ ହେବ” ବୋଲି କୁହାଯାଇଥାଏ । ଆମେ ସମସ୍ତେ ପନ୍ଦର କୋଡ଼ିଏ ମିନିଟ୍ ଯାଏ ବହୁତ ଟାଣି ଘୋଷାରି ହୋଇ ନଅଟି ବିନ୍ଦୁକୁ ଯୋଡ଼ି ଗାର ଟାଣିବାରେ ଲାଗିପଡ଼ିଲୁ । ଯେତେ ଯାହା ଉପାୟ କଲେ ବି ଶେଷକୁ ଗୋଟିଏ ବିନ୍ଦୁ ବଳି ପଡୁଥାଏ, ଛୁଇଁ ହେଉନଥାଏ । ତାପରେ ଆହୁରି ଅନେକ ନୂଆ ନୂଆ ପ୍ରଶ୍ନୋତ୍ତର ଭିତରେ ଆମେ ବିନ୍ଦୁ ସମସ୍ୟାଟିକୁ ପଛରେ ରଖି ଆଗେଇ ଚାଲିଲୁ । କିନ୍ତୁ ସମୟ ସରିବା ଆଗରୁ ପୁଣିଥରେ ସମସ୍ତେ ସେଇଠି ଅଟକିଲୁ । ଖାତା, ପେନସିଲ୍, ରବର ଧରି ହାତ ନଉଠାଇ ଭିନ୍ନ ଭିନ୍ନ ଚିତ୍ର ଆଙ୍କି ଚାଲିଲୁ ବିନ୍ଦୁ ଯୋଡ଼ିବାକୁ । ମୋ ଖାତା ତ ନୂଆ କରି ଗାର କାଟି ଶିଖୁଥିବା ଗୋଟେ କୁନି ପିଲାର ଖାତା ପରି ଚିତ୍ର ବିଚିତ୍ର ଦିଶୁଥାଏ । ଶେଷରେ ପଛଆଡୁ କେହି ଜଣେ “ହୋଇଗଲା” ବୋଲି କହିଲାରୁ ତାକୁ ସାମ୍ନାକୁ ଆସି କଳାପଟାରେ ବିନ୍ଦୁ ଯୋଡ଼ି ସମସ୍ତଙ୍କୁ ଦେଖାଇ ଦେବାକୁ କୁହାଗଲା । ସେ ଦୁଇଟି ଗାରକୁ ଟିକିଏ ଟିକିଏ ବିନ୍ଦୁ ବାହାରକୁ ଟାଣି ଦେଲା ଯେ ଥରକରେ ହୋଇଗଲା ଚିତ୍ରଟି । ପିଲାଟି ସପ୍ତମ ଶ୍ରେଣୀର । ସେଇ ଘରଟି ଭିତରେ ତାଠାରୁ ବଡ଼ ଶ୍ରେଣୀର ପିଲା, ଅନେକ ଗଣିତ ଓ ବିଜ୍ଞାନ ଶିକ୍ଷକ ସମେତ ସେଇ ବିଦ୍ୟାଳୟରୁ ପଢ଼ିସାରି ଏବେ ମେଡ଼ିକାଲ, ଇଞ୍ଜିନିୟରିଂ ପଢୁଥିବା ଛାତ୍ର ମଧ୍ୟ ଥିଲେ । କିନ୍ତୁ ପ୍ରଶ୍ନଟିର ଏତେ ସରଳ ସମାଧାନ ସେ କରିଦେବାର ଦେଖି ଆମେ ଅବାକ୍ ହୋଇଗଲୁ । ଭାବିଲୁ ଏତେ ସହଜ! ଭାଇ କହିଲେ, “ମୁଁ ତ ତୁମକୁ ବିନ୍ଦୁ ବାହାରକୁ ଯିବାକୁ ମନାକରିନି” । ସତରେ, କେତେ ମୂର୍ଖ ଆମେ । ଉପରେ ହିଁ ତ ଲେଖାଥିଲା, ‘ବାକ୍ସ ବାହାରକୁ ଯାଇ ଚିନ୍ତାକର’ ବୋଲି । ଉତ୍ତରଟି ପ୍ରଶ୍ନ ଭିତରେ ହିଁ ଲୁଚି ରହିଥିଲା । ତଥାପି ଆମର ବୋଧଗମ୍ୟତାର ଦକ୍ଷତାଟି ଏତେ ତୀବ୍ର ଯେ ଆମେ ବୁଝିପାରିଲୁନି! ଆମ ଭିତରେ ଅନେକେ କିନ୍ତୁ ଜୀବନ ସାରା ଗଣିତ ପରୀକ୍ଷାରେ ଶହେରୁ ଶହେ ନମ୍ବର ରଖିଥିଲୁ (ଶହେରୁ ଶହେ ରଖିବା ତେଣୁ ଜ୍ଞାନର ପରିମାପକ ନୁହେଁ ନିଶ୍ଚୟ)! 

ଅନେକ ସମୟରେ ଆମେ ନିଜେ ହିଁ ନିଜ ପାଇଁ  ଅନେକଗୁଡ଼ାଏ ନିୟମ ତିଆରି କରିପକାଉ । ମନକୁ ବି ଟିକେ ଅବସର ଦେଉନା ବିସ୍ତୃତ ହୋଇ ଭାବିବାର । ଗାର ଡେଇଁ, ଘର ଡେଉଁ  ଯାଇପାରୁନା । ନିଜର ଚିରାଚରିତ ଦୁନିଆର ପ୍ରଥାକୁ, ନିୟମ ସମୂହକୁ ଏରୁଣ୍ଡି କରି ଭିତରେ ହିଁ ରହିଯାଉ । ଅଥଚ ଏରୁଣ୍ଡି ବାହାରକୁ ଚାଲିଗଲେ ହିଁ ସୀମାହୀନ ବିସ୍ତୃତି... ସବୁ କଥାର ସହଜ ସରଳ ସମାଧାନ... ଅପାରଗତାରୁ ମୁକ୍ତି... କିଛି କରିପାରିବାର ଆତ୍ମବିଶ୍ୱାସ... । 

ଏ ସ୍ୱପ୍ନ ଥିଲା ଶିକ୍ଷକ, ଶିକ୍ଷାବିତ୍, ଚିନ୍ତାନାୟକ, ଗବେଷକ, ସମାଲୋଚକ, ବିଦ୍ୱାନ, ବାଗ୍ମୀ, ମନସ୍ତତ୍ତ୍ୱବିତ୍ ଓ ଓଡ଼ିଆ ସାହିତ୍ୟର ପ୍ରଥିତ ଯଶା ପ୍ରାବନ୍ଧିକ ଓ ଅନୁବାଦକ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କର, ଯିଏ ଆମ ସମସ୍ତଙ୍କ ପାଖରେ ଚିତ୍ତ ଭାଇ ନାଁରେ ଜଣାଶୁଣା । ଏମିତି ଶିବିରଟିଏ ତେର, ଚଉଦ, ପନ୍ଦର ବର୍ଷର ପିଲାଙ୍କୁ ନେଇ ଓଡ଼ିଶାର ବିଭିନ୍ନ ଗାଁ, ସହର ମାନଙ୍କରେ ପ୍ରାୟ ତିରିଶ ବର୍ଷ ଧରି ହୋଇ ଆସୁଛି । କାର୍ଯ୍ୟକ୍ରମର ନାଁ “ସୁହୃତ୍ ଛାତ୍ର ଶ୍ରମ ଶିବିର” । ଉଦ୍ଦେଶ୍ୟ ସହରର ଚାକଚକ୍ୟରେ ବୁଡ଼ିଥିବା ପିଲାମାନେ ଗାଁ ଦେଖିବେ, ବୁଝିବେ ଓ ଗାଁର ପିଲାଏ ସହରକୁ । କେଉଁଠି ବିଜୁଳି ନାହିଁ, ପାଣି ପାଇପ୍ ନାହିଁ, ଘରର କବାଟ ଝରକା ନାହିଁ ତ ଆଉ କେଉଁଠି ରହିବା ଯୋଗ୍ୟ ଘରଟିଏ ବି ନାହିଁ, ତଥାପି ଖୁସି ସମସ୍ତେ । ବହି ଭିତରେ ବୁଡ଼ି ରହି ଦେଶ, ଦୁନିଆ ବିଷୟରେ ଜାଣି ପାରୁନଥିବା ପିଲାମାନେ ଅନେକ ତଥ୍ୟ ଏହି ପାଞ୍ଚ ଦିନରେ ପାଇବେ ବୋଲି ଲକ୍ଷ୍ୟଥିଲା । ବାଧ୍ୟବାଧକତାରେ ପାଠ ପଢ଼ିବାର ଧାରାରୁ ମୁକୁଳି ଆସି ନୂଆ କିଛି ଜାଣିବାର ଆଗ୍ରହ ଭିତରେ ହଜି ଯିବେ, ‘ନିଜେ କରୁ କରୁ ଶିଖିବେ; ଖାଲି ଦେଖି, ପଢ଼ି କି ଶୁଣିକରି ନୁହେଁ’ ବୋଲି ଇଚ୍ଛାଥିଲା ।

ଏହି ଶିବିର ପଛରେ ଚିତ୍ତ ଭାଇଙ୍କର ଉଦ୍ଦେଶ୍ୟ ଥିଲା; “ବିଦ୍ୟାଳୟ ଭିତରେ ବର୍ଷସାରା ରହୁଥିବା ପିଲାଟି ଦୁନିଆକୁ ଜାଣିବାର ସୁଯୋଗଟିଏ ପାଇବ । ସାରା ଓଡ଼ିଶାର ପିଲାମାନଙ୍କ ଭିତରେ ଯେଉଁ ନୂଆ ସମ୍ପର୍କର ଡୋରଟିଏ ଯୋଡ଼ିବ, ତା’ ଦ୍ୱାରା ଭାବ ଓ ଜ୍ଞାନର ଆଦାନ ପ୍ରଦାନ ହେବ । ଶିକ୍ଷାର ବିଭିନ୍ନ ପଦ୍ଧତି, ସବୁଆଡେ଼ ପୁଣି ଭିନ୍ନ । ତେଣୁ ସେସବୁ ସହିତ ଏକ ହେବା ଭିତରେ ବିଭିନ୍ନ ଭାଷା, ଖାଦ୍ୟପେୟ, ସଂସ୍କୃତି, ଚଳଣୀ, ବେଶ ପୋଷାକ ଓ ଆଞ୍ଚଳିକ ତଥ୍ୟ ଆଦି ଜାଣିବାର ଅବସର ମିଳିବ । ସମସ୍ତେ ଏହି ଆପଣାର ପରିବେଶଟି ଭିତରେ ରହି ସାଙ୍ଗ ହୋଇ କାମ କରିବା ଭିତରେ ନିଜର ବୋଲି ମନେ ହେବେ । ଗୋଟିଏ ପରିବାରର ସଦସ୍ୟ ବନିଯିବେ । ପରିବାରରୁ ଗ୍ରାମ, ଗ୍ରାମରୁ ଜିଲ୍ଲା ହୋଇ ରାଜ୍ୟ, ଦେଶ, ପୃଥିବୀକୁ ଜାଣିବା ଭିତରେ ସମାଜବିଜ୍ଞାନର ମୂଳଦୁଆଟିଏ ପଡ଼ିବ । ‘ବସୁଧୈବ କୁଟୁମ୍ବକମ୍’ର ସତ୍ୟତା ଅନୁଭୂତ ହେବ । ନୂତନତା ଆଡ଼କୁ ଅଗ୍ରସର ହେବାର କେତେ ନା କେତେ ବାଟ ଖୋଲିଯିବ । ଯେଉଁଠି ଶିବିରଟି ହେବ ସେଇ ଗାଁର ପିଲାମାନଙ୍କ ଘରେ ଯାଇ ସମସ୍ତେ ଭାଗ ଭାଗ ହୋଇ ରହିବେ । ଏହାଦ୍ୱାରା ପିଲାଟିଏର ଆଉ ଗୋଟେ ପିଲା ସହ ସମ୍ପର୍କ ହେବା ସହ ନୂଆ ପରିବାର ସହ ଏକାତ୍ମ ହେବା, ଅନ୍ୟକୁ ଆପଣେଇ ନେଇପାରିବା ଓ ଅନ୍ୟର ଅବସ୍ଥା ବୁଝିବାର ସାମର୍ଥ୍ୟ ମଧ୍ୟ ଆସିବ । ସାରା ପୃଥିବୀରେ ଚାଲୁଥିବା ବିଭିନ୍ନ ପରୀକ୍ଷା ନିରୀକ୍ଷା ଓ ଆହ୍ୱାନଗୁଡ଼ିକ ପିଲାଏ ସହଜରେ ଜାଣିବେ । କେବଳ ବହିର ପରୀକ୍ଷଣ ନୁହେଁ ଲୋକାଭିମୁଖି ବିଜ୍ଞାନକୁ ସରଳ ଢଙ୍ଗରେ ପିଲାଙ୍କ ସାମ୍ନାରେ ଉପସ୍ଥାପନା କରାଯିବ ।” 


ଅସୁସ୍ଥ ହେବା ପରେ ବି ଚିତ୍ତ ଭାଇ ଉପସ୍ଥିତ ରହୁଥିଲେ ପ୍ରତିବର୍ଷର କାର୍ଯ୍ୟକ୍ରମରେ । ତାଙ୍କ ସହ ଶିବିରରେ ଯୋଗଦେବାର ଶେଷ ଅନୁଭୂତି ମୋର ଖୋର୍ଦ୍ଧା କାଇପଦରରେ । ଶିବିରରେ ସକାଳର କାର୍ଯ୍ୟକ୍ରମ ଆରମ୍ଭ ହେଉଥିଲା ରବୀନ୍ଦ୍ର ସଙ୍ଗୀତ, କି ସୁନ୍ଦର ଆହା, ମଙ୍ଗଳେ ଅଇଲା ଉଷା ପରି ବର୍ଣ୍ଣବୋଧ ଓ ସାହିତ୍ୟ ବହିରେ ଥିବା ଅନେକ ପୁରୁଣା ଗୀତରୁ । ଗୀତ ଗାଇ ସାରି ପାଖ ନଈ, ପାହାଡ଼, ଜଙ୍ଗଲ କି ଝରଣା କୂଳକୁ ନହେଲେ ଗାଁ ଭିତରକୁ ଯାଉଥିଲୁ ଚାଲିବାକୁ । ତାପରେ କ’ଣ ଟିକିଏ ଖାଇଦେଇ କାମ କରିବାକୁ ବାହାରିଯାଉ । ସକାଳର ଚାଲିବା ଓ ଶ୍ରମଦାନରେ ପରସ୍ପରକୁ ଜାଣିବାକୁ ଓ ସାଙ୍ଗ ହେବାକୁ ସମୟ ମିଳିଯାଏ  । ଏସବୁ ସକାଳର କାର୍ଯ୍ୟକ୍ରମ ବ୍ୟତୀତ ଦିନସାରା ତିନୋଟି ଦୁଇ ଘଣ୍ଟିଆ ଅଧିବେଶନ ଥାଏ । ଯେଉଁଥିରେ କେତେବେଳେ ହାତ ପାହାନ୍ତାରେ ମିଳୁଥିବା ଜିନିଷଗୁଡ଼ିକୁ ବ୍ୟବହାର କରି ବିଜ୍ଞାନର ପରୀକ୍ଷା ନିରୀକ୍ଷା କରିବା ଶିଖୁ ତ, କେତେବେଳେ କୌତୁକ ଗଣିତର କୌଶଳ ଅବା କେତେବେଳେ ନୂଆ ନୂଆ ହାତ କାମ ତିଆରି । ଅଧିବେଶନ ସରୁ ସରୁ ଅପରାହ୍ନର ଖେଳ । ସନ୍ଧ୍ୟାର କାର୍ଯ୍ୟକ୍ରମରେ ପ୍ରତିଦିନ ନୂଆ ନୂଆ କାମ । କେଉଁଦିନ ଆଶୁଭାଷଣ ତ କେଉଁ ଦିନ ‘ମାଆ’, ‘ଗାଆଁ’ ପରି ନିର୍ଦ୍ଧିଷ୍ଟ ଶବ୍ଦକୁ ନେଇ ଆକ୍ଟିଭିଟି । କେଉଁଦିନ ପହଳି, ଗୀତ, ଲେଖକ ଆଦି ବିଷୟରେ କୁଇଜ ତ କେଉଁଦିନ ପିଲାଙ୍କ ମନ ପସନ୍ଦର କାହାଣୀ ଓ ଅନୁଭୂତି କୁହା । କୁମାର ପୁନେଇଁ ଦିନ କିନ୍ତୁ ସବୁଥର ଅନ୍ତାକ୍ଷରୀ ହୁଏ । ଫୁଲ ବଉଳବେଣୀ ଠୁ ଆରମ୍ଭ କରି ଆ ଜହ୍ନମାମୁଁ ପରି ଆବେଗକୁ ଛୁଇଁ ଯାଉଥିବା ଗୀତର ସ୍ୱର ଲମ୍ବି ଯାଏ । ସବା ଶେଷରେ ଥାଏ ନାଚ, ଗୀତ ଓ ଅଭିନୟର କାର୍ଯ୍ୟକ୍ରମ । ସେଇଠି ନୂଆ ନୂଆ ସାଙ୍ଗ ହୋଇଥିବା ପିଲାଙ୍କ ସହ ମିଶି କ’ଣ ଗୋଟିଏ ତିଆରି ହୋଇ ଯାଇଥାଏ ଦ୍ୱିପହରେ ବିଶ୍ରାମ ପାଇଁ ମିଳୁଥିବା ସମୟରେ । ତାକୁ ହିଁ ପରିବେଷଣ କରାଯାଏ ରାତିରେ ।

ସବୁ କଥା ସବୁ କାର୍ଯ୍ୟକ୍ରମ ଭିତରେ କ’ଣ ଟିକେ ଭିନ୍ନତା ଥାଏ । କିଛି ଟିକେ ନୂତନତାର ଛୁଆଁ ଥାଏ । ଥାଏ ନିଆରା ମଜା । ଗୀତ ଗାଇବା ହୁଏ କିନ୍ତୁ ଜୀବନର ବାସ୍ନା ଭରିରହିଥାଏ ଗୀତର ପ୍ରତିଟି ଧାଡ଼ିରେ । ଚାଲିବା ହୁଏ କିନ୍ତୁ ସାଙ୍ଗ ତିଆରିବାର ଓ ନୂଆ ଜାଗା ଦେଖିବାର ଆକର୍ଷଣ ଭରି ରହିଥାଏ । ବିଜ୍ଞାନର ପରୀକ୍ଷା ନିରୀକ୍ଷା ହୁଏ କିନ୍ତୁ ଫୋପଡ଼ା ଯାଉଥିବା ଜିନିଷକୁ କେମିତି ବ୍ୟବହାର କରି ହେବ ତାହା ଆବିଷ୍କାର କରିବାର ଉତ୍ସାହ ଥାଏ । ଗଣିତର କୌଶଳ ବି ଶିଖାହୁଏ କିନ୍ତୁ ନୂଆ କୌଶଳଟିଏ କିଏ ତିଆରି କରିପାରୁଛିର ଉଦ୍ବେଗ ଭରି ରହିଥାଏ । ଗୀତ, ନାଚ, ଅଭିନୟ ହୁଏ କିନ୍ତୁ ସମସ୍ତଙ୍କ ଭିତରେ ଓ ସମସ୍ତଙ୍କୁ ନେଇ କାମ କରିବାବେଳେ ନିଜ ସମ୍ଭାବନାକୁ ଚିହ୍ନି ପାରିବାର ଆନନ୍ଦ ଥାଏ । ସେଥିପାଇଁ ନୂଆ ଲାଗେ, ନିଆରା ଲାଗେ, ଖୁସି ଲାଗେ । 

ଚିତ୍ତ ଭାଇଙ୍କର ଆମକୁ ଆମ ସୀମିତ ପରିସୀମାର ଉଦ୍ଧ୍ୱର୍କୁ ଉଠେଇ ଆଣିବାର ଏଇ ପ୍ରୟାସଟି ବାକ୍ସ ବାହାରର କଥାଟିଏ ନିଶ୍ଚୟ । ଏମିତି କେତେ ନା କେତେ କାର୍ଯ୍ୟକ୍ରମ, ଅବସର, ଅନୁଷ୍ଠାନ ସେ କରିଯାଇଛନ୍ତି । କେତେ ନା କେତେ ବହି ଲେଖିଯାଇଛନ୍ତି, ଅନୁବାଦ କରିଯାଇଛନ୍ତି । କିଛି ବି ଗତାନୁଗତିକ ନୁହେଁ, କେଉଁଟା ବି ମେନ୍ ଷ୍ଟ୍ରିମ୍ ବା ମୂଖ୍ୟ ସ୍ରୋତର କଥା ନୁହେଁ । ସବୁକିଛି ବାକ୍ସ ବାହାରର କଥା..ବିକଳ୍ପ ପ୍ରୟାସ । ଆଉ ଏମିତି ଚିନ୍ତା ଚିତ୍ତ ଭାଇଙ୍କ ପରି ମଣିଷମାନେ ହିଁ କରିପାରନ୍ତି ।


Leave a comment