ଅଧିକରୁ ଅଧିକ ଆଦିବାସୀ ଓ ଶ୍ରମଜୀବି ମଣିଷ ଓଡିଆ ସାହିତ୍ୟ ଲେଖନ୍ତୁ: ଜଗଦୀଶ ମହାନ୍ତି

“ସମ୍ବର୍ତ୍ତକ” ପତ୍ରିକାର ୧୯୮୨ ପୂଜା ସଂଖ୍ୟାରୁ ଜଗଦୀଶ ମହାନ୍ତିଙ୍କ ଏ ଲେଖାଟି ଆମ କଥା ସାହିତ୍ୟ ଆଗରେ ଆଜି ମଧ୍ୟ ଏକ ଆହ୍ଵାନ ହୋଇ ଠିଆ ହୋଇଛି ।

(ଓଡିଆ କଥା ସାହିତ୍ୟର ଅନ୍ୟତମ ଧାରା ପ୍ରବର୍ତ୍ତକ ଶିଳ୍ପୀ ଜଗଦୀଶ ମହାନ୍ତି  (ଫେବୃଆରି ୧୭, ୧୯୫୧ - ଡିସେମ୍ବର ୨୯, ୨୦୧୩) ଏକଦା ବ୍ରଜରାଜନଗରରୁ ପ୍ରକାଶ କରୁଥିଲେ ଏକ ସାହିତ୍ୟ ପତ୍ରିକା “ସମ୍ବର୍ତ୍ତକ” । ୧୯୮୨ ମସିହାରେ ଅଳ୍ପ କେତୋଟି ସଂଖ୍ୟା ପ୍ରକାଶ ପାଇଥିବା ଏହି ପତ୍ରିକା ଓଡିଆ ସାହିତ୍ୟରେ ଏକ ବୌଦ୍ଧିକ ମନ୍ଥନର ଭୂମି ତିଆରି କରିଥିଲା । ଏହି ପତ୍ରିକାର ଔପଚାରିକ ସମ୍ପାଦନା ଦାୟିତ୍ଵ ମହେନ୍ଦ୍ର ମିଶ୍ରଙ୍କ ହାତରେ ରହିଥିବା ବେଳେ ସମୁଦାୟ ପତ୍ରିକାଟିରେ ଜଗଦୀଶ ମହାନ୍ତିଙ୍କ ଛାପ ବାରି ହୋଇ ପଡୁଥିଲା । ଏହି ପତ୍ରିକାର “ଶେଷ ପୃଷ୍ଠା” ରେ ଜଗଦୀଶ ମହାନ୍ତିଙ୍କ ଯେଉଁ ବିଚାର ଆମେ ୩୯ ବର୍ଷ ତଳେ ଦେଖିଥିଲୁ, ସେ ବିଚାର ଆଜି ବି ପ୍ରାସଙ୍ଗିକ । “ସମ୍ବର୍ତ୍ତକ” ପତ୍ରିକାର ୧୯୮୨ ପୂଜା ସଂଖ୍ୟାରୁ ଜଗଦୀଶ ମହାନ୍ତିଙ୍କ ଏ ଲେଖାଟି ଆମ କଥା ସାହିତ୍ୟ ଆଗରେ ଆଜି ମଧ୍ୟ ଏକ ଆହ୍ଵାନ ହୋଇ ଠିଆ ହୋଇଛି । – ସମ୍ପାଦକ)

କୋଇଲାଖଣି ଉପରେ ପ୍ରଥମ ଓଡ଼ିଆ ଗଳ୍ପ ଲେଖିଥିଲେ ଶ୍ରୀ ମଙ୍ଗଳୁ ଚରଣ ବିଶ୍ୱାଳ, ଷଷ୍ଠ ଦଶକରେ, ଗଳ୍ପର ନାଁ ଥିଲା “ଅଗ୍ନି ସମ୍ଭବା” । ତା’ପରଠୁ ଆଜି ଯାଏଁ ବୋଧେ ଚାରି ପାଞ୍ଚଟା ଓଡ଼ିଆ ଗଳ୍ପ ଲେଖାଯାଇଛି କୋଇଲା ଖଣି ଉପରେ । ଓଡ଼ିଶାର ବିସ୍ତୀର୍ଣ୍ଣ ଅଞ୍ଚଳରେ ଅଛି କୋଇଲା ଖଣି ଅଥଚ ଓଡ଼ିଆ ଗଳ୍ପରେ କୋଇଲାଖଣି ଆସେନା । କେନ୍ଦୁପତ୍ର ତୋଳାଳୀଙ୍କ ଜୀବନଯାପନ, ଦୁଃଖଦୁର୍ଦ୍ଦଶା ବିଷୟରେ ଖବରକାଗଜରେ, ବିଧାନସଭାରେ ପାଟିତୁଣ୍ଡ ହୁଏ, ମନ୍ତ୍ରିମଣ୍ଡଳ ଭାଙ୍ଗିପଡ଼େ ଅଥଚ ଓଡ଼ିଆ ଗଳ୍ପରେ କେନ୍ଦୁପତ୍ର ତୋଳାଳୀମାନେ ଆସନ୍ତି ନାହିଁ । କଲିକତାରେ ଗୋଟେ ସର୍ବଭାରତୀୟ ସାହିତ୍ୟ ସଭାରେ ଜଣେ ବଙ୍ଗାଳୀ ସମାଲୋଚକ ମୋତେ ପ୍ରଶ୍ନ କରିଥିଲେ, “ଓଡ଼ିଶାର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଘେରି ରହିଛି  ସମୁଦ୍ର । ସେ ନୋଳିଆମାନେ ଆପଣଙ୍କ ଗଳ୍ପରେ କେତେ ପରିମାଣରେ ଆସିଛନ୍ତି ?” ମୁଁ ଖୁବ୍ ଅସହାୟ ବୋଧ କଲି ତାଙ୍କ ପ୍ରଶ୍ନରେ । ଆମର ଓଡ଼ିଆ ଗଳ୍ପରେ ସମୁଦ୍ର ଥିଲେ ବି ନୋଳିଆଙ୍କ ଜୀବନ ଚିତ୍ର ନାହିଁ । ଏତେ ବଡ ଓଡ଼ିଆ ସାହିତ୍ୟ, ଅଥଚ ଦେଖନ୍ତୁ “ସାମୁଦ୍ରିକ” ଛଡା ଆଉ ଗୋଟେ ବି ଉପନ୍ୟାସ  ନାହିଁ ନୋଳିଆଙ୍କ ଜୀବନ ଉପରେ ।

ଓଡ଼ିଆ ଗାଳ୍ପିକମାନେ ସାଧାରଣତଃ ସହରବାସୀ, ଅଧିକାଂଶ ବୁଦ୍ଧିଜୀବୀ, ଅଧ୍ୟାପକ, କ୍ଲର୍କ କିମ୍ବା ବଡ ଅଫିସର । ଓଡ଼ିଆ ଗଳ୍ପକୁ ଇଂଜିନିୟର, ଡାକ୍ତର, ସୈନ୍ୟବାହିନୀର ଲୋକବାକ, ବିମାନଚାଳକ, ସନ୍ନ୍ୟାସୀ, ଆଦିବାସୀ ଯୁବକ କିମ୍ବା ବିଭିନ୍ନ ସମ୍ପ୍ରଦାୟରୁ ଗାଳ୍ପିକ ଆଗେଇ ଆସିନାହାନ୍ତି । ଅଧିକାଂଶ ଓଡ଼ିଆ ଗାଳ୍ପିକ ସହରୀ ମଧ୍ୟବିତ୍ତ ବୁଦ୍ଧିଜୀବୀ ସମ୍ପ୍ରଦାୟର ଓ ସେମାନେ ତାଙ୍କରି ଆଖିରେ ଅନେଇଛନ୍ତି ଗଳ୍ପର ଚରିତ୍ରମାନଙ୍କୁ, ତେଣୁ ବୋଧେ ଓଡ଼ିଆ ଗଳ୍ପର ଏ ଦୁର୍ଦ୍ଦଶା । କିନ୍ତୁ ଏଇଥିପାଇଁ, ବର୍ତ୍ତମାନ ଗଳ୍ପ ଲେଖୁଥିବା ଓଡ଼ିଆ ଗାଳ୍ପିକଙ୍କୁ  ଦୋଷ ଦେଇ ହେବନି । କାରଣ, ପ୍ରତିଟି ଗାଳ୍ପିକ ହିଁ ନିଜର ଅନୁଭୂତି ଲବ୍ଧ ଅଭିଜ୍ଞତାକୁ ମୂଳଧନ କରି ଗଳ୍ପ ଲେଖିବେ । ତେଣୁ ଆଦୌ ଜଙ୍ଗଲ ଦେଖି ନଥିବା, ସହରରେ ମଧ୍ୟବିତ୍ତ ଜୀବନଯାପନ କରୁଥିବା ଗାଳ୍ପିକକୁ ଯଦି କେନ୍ଦୁପୁତ୍ର ତୋଳାଳୀଙ୍କ ଜୀବନ ଉପରେ ଗପ ଲେଖିବାକୁ କୁହାଯାଏ, ତେବେ ଗାଳ୍ପିକଙ୍କ ପ୍ରତି ବୋଧେ ଅବିଚାର ହିଁ କରାଯିବ । 

ଏ ବିଷୟରେ ଚୀନ୍ ଦେଶରେ ପ୍ରଚଳିତ ଲୋକକଥାର କାହାଣୀଟେ ଉଲ୍ଲେଖ କରାଯାଇପାରେ । ଚୀନ୍ ଦେଶର ଜଣେ ସମ୍ରାଟ ଥରେ ଗୋଟେ ଚିତ୍ର ପ୍ରତିଯୋଗିତା କଲେ । ପ୍ରତିଯୋଗିତା ପାଇଁ ଦେଶ ବିଦେଶରୁ ବହୁତ ଚିତ୍ରକାର ଆସିଲେ । ପ୍ରତିଯୋଗିତା ଆରମ୍ଭ ହେଲା । ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ଗୋଟେ କୁକୁଡାର ଚିତ୍ର । ବିଭିନ୍ନ ଚିତ୍ରକାର କୁକୁଡା ଚିତ୍ର ଆଙ୍କିଲେ । ସେସବୁ ଚିତ୍ର ଦେଖି ସମ୍ରାଟ ଥ‘ ହୋଇଗଲେ । ସବୁ ଚିତ୍ର ହିଁ ଦେଖିଲେ ମନେ ହେବ ସତେ ଯେମିତି ଚିତ୍ର ନୁହଁ, ଅସଲ କୁକୁଡାଟି ଥୁଆ ହୋଇଛି । ଏତେ ଚିତ୍ର ଭିତରୁ ଶ୍ରେଷ୍ଠ କୁକୁଡାର ଚିତ୍ର କେଉଁଟାକୁ ବାଛିବେ, ସମ୍ରାଟ୍ ଠିକ୍ କରିପାରିଲେ ନାହିଁ । ଶେଷରେ, ସେଇ ଦେଶର ଜଣେ ବୁଢା ଚିତ୍ରକାରକୁ ଡାକି ବିଚାରକ ହେବାକୁ କହିଲେ । ବୁଢା ଚିତ୍ରକାର, ଚିତ୍ର ସବୁକୁ ଗୋଟେ ଘର ଭିତରକୁ ନେଇଗଲା ଓ ଗୋଟେ ଜୀଅନ୍ତା କୁକୁଡା ନେଇ ଘର ଭିତରକୁ ପଶିଗଲା ଓ ବେଶ୍ କିଛିକ୍ଷଣ ପରେ ବାହାରି ଆସି କହିଲା: ସମ୍ରାଟ ! ଏସବୁ ଚିତ୍ର ଭିତରୁ କୌଣସି ବି ଚିତ୍ର କୁକୁଡାର ନୁହେଁ ।

ସମ୍ରାଟ ତ ଆଶ୍ଚର୍ଯ୍ୟ ହୋଇଗଲେ । କ’ଣ କହୁଛନ୍ତି ବିଚାରକ । ଏତେ ବଢିଆ ଚିତ୍ର ସବୁ, ଦେଶ ବିଦେଶର ପ୍ରସିଦ୍ଧ ଚିତ୍ରକାରଙ୍କ ଚିତ୍ର ଏସବୁ, ଦେଖିଲେ ମନହେବ ଅସଲି କୁକୁଡା ଭଳି, ଅଥଚ ଏ ଚିତ୍ରକାର କହୁଛନ୍ତି ଏ ସବୁ କୁକୁଡାର ଚିତ୍ର ହିଁ ନୁହେଁ। ବିଚାରକ ସେ ବୁଢା ଚିତ୍ରକାର ପୁଣି ଥରେ ଦୃପ୍ତ ଗଳାରେ ଘୋଷଣା କଲେ । ନା, ଏସବୁ ଆଦୌ କୁକୁଡାର ଚିତ୍ର ନୁହେଁ । ଏସବୁ ଯଦି କୁକୁଡାର ଚିତ୍ର ହୋଇଥା’ନ୍ତା, ଏଇ ଜୀବନ୍ତ କୁକୁଡାଟି ସେସବୁ ଦେଖି ନିଜ ଜାତିଭାଇ ଭିତରୁ ଜଣେ ସେଇ ଚିତ୍ର ଭିତରେ ଅଛି ବୋଲି ଭାବି ଚିତ୍କାର କରନ୍ତା । କିନ୍ତୁ କୁକୁଡାଟି ବି ବୁଝିପାରିଲା ଯେ ଏସବୁ ଚିତ୍ର, ଏସବୁ ଭେଜାଲ, ଏସବୁ ସାଙ୍ଗରେ ବାସ୍ତବତାର କୌଣସି ସଂପର୍କ ନାହିଁ ।

ବିଚାରକ ସେ ବୁଢା ଚିତ୍ରକାରଟି କହିଲେ: ସମ୍ରାଟ, କୌଣସି ଗୋଟେ ଚିତ୍ର କେବଳ ବାହ୍ୟିକ ଅନୁମେଳନ ହିଁ ନୁହେଁ ବରଂ ଆନ୍ତରିକ ପ୍ରତିଫଳନ ହେବା କଥା । କୁକୁଡାର ଭିତରଟା ନ ବୁଝି କୁକୁଡାର ବାହାର ପଟର ଚିତ୍ର ଆଙ୍କିଦେଲେ ସେଇଟା କୁକୁଡା ହୋଇଯାଏନା । ଏସବୁ କୁକୁଡାର ବାହ୍ୟିକ ଅନୁମେଳନ ହୋଇପାରେ କିନ୍ତୁ କୁକୁଡାର ଚିତ୍ର ଆଦୌ ନୁହେଁ । 

ସମ୍ରାଟ କହିଲେ: ବେଶ୍‌, ତୁମେ ତେବେ କୁକୁଡାର ଚିତ୍ରଟେ ଆଙ୍କି ଦେଖେଇ ଦିଅ, ଆନ୍ତରିକ ପ୍ରତିଫଳନ କେମିତି ହେବା କଥା ଦେଖେଇ ଦିଅ ।

ବୁଢା ଚିତ୍ରକାରଟି କହିଲା: ସମ୍ରାଟ, ତା’ ପାଇଁ ମୋତେ ତିନି ବର୍ଷ ସମୟ ଦରକାର ।

ସମ୍ରାଟ କହିଲେ: ତିନି ବର୍ଷ ? ସମ୍ରାଟ ଆଶ୍ଚର୍ଯ୍ୟ ହୋଇଗଲେ । ତିନି ବର୍ଷ ସମୟ ନେବ ତୁମେ ମାତ୍ର ଗୋଟେ କୁକୁଡାର ଚିତ୍ର ଆଙ୍କିବାକୁ ? ବାଇଶି ଦିନରେ ଅଣ୍ଡା ଫୁଟି କୁକୁଡା ଚିଆଁ ହୁଏ, ଆଉ ତୁମେ ତିନି ବର୍ଷ ସମୟ ନେବ ?

ବୁଢା ଚିତ୍ରକାରଟି କହିଲା: ଭଗବାନ ସିନା ବାଇଶି ଦିନରେ ଅଣ୍ଡାରୁ କୁକୁଡା ବନେଇ ପାରୁଥିବେ, ମୁଁ ତ ମଣିଷଟେ, ଭଗବାନ ନୁହେଁ ।  ମୋତେ ତ କୁକୁଡା ହୋଇ ବଞ୍ଚିବାକୁ ପଡିବ, କୁକୁଡାମାନଙ୍କୁ ଜାଣିବାକୁ ତିନି ବର୍ଷ ସମୟ ତ ଖୁବ୍ କମ୍ ପଡିବ । ତା’ଠୁ ବେଶି ସମୟ ଦରକାର ହୋଇପାରେ କୁକୁଡାମାନଙ୍କୁ ବୁଝିବାକୁ ।

ସମ୍ରାଟ୍ ବୁଢା ଚିତ୍ରକାରଙ୍କୁ ଅନୁମତି ଦେଲେ । ବୁଢା ଚିତ୍ରକାର ଜଙ୍ଗଲ ଭିତରେ ଗୋଟେ କୁକୁଡା ଫାର୍ମ କରି ସେଇଠି ରହିଲା । ଲୋକବାକ କେହି ନାହିଁ, ଜଙ୍ଗଲ ଭିତରେ କୁକୁଡାଙ୍କ ଭିଡରେ ଏକୁଟିଆ ବୁଢାଟେ । କେହି ଲୋକବାକ ପହଞ୍ଚିଲେ ବୁଢା ବିରକ୍ତ ହେଉଥିଲା: କିଆଁ ଆସିଛ  ଏଠିକୁ ? ତୁମେ ଆସିଲେ କେତେ କ୍ଷତି ହେଉଛି ତମେ ବୁଝିପାରିବନି । କୁକୁଡାମାନେ ବୁଝିଯିବେ ଯେ ମୁଁ କୁକୁଡା ନୁହେଁ, ମଣିଷଟେ । ମୁଁ ତାଙ୍କ ଭିତରୁ ଜଣେ ବୋଲି ସେମାନେ ନ ଭାବିଲେ କେମିତି ତାଙ୍କୁ ମୁଁ ବୁଝିପାରିବି । ତୁମେ ଚାଲିଯାଅ । ତିନି ବର୍ଷ ପରେ ମୁଁ ମଣିଷ ହେବି, ଏବେ କୁକୁଡା ହୋଇଯାଇଛି ।

ଲୋକେ ଭାବିଲେ, ବୁଢା ଚିତ୍ରକର ପାଗଳ ହୋଇଯାଇଛି । କିଛିଦିନ ରାଜଧାନୀରେ ଘମାଘୋଟ ଆଲୋଚନା ହେଲା । ତା’ପରେ ଲୋକେ ଭୁଲିଗଲେ । ସମ୍ରାଟ ବି ପାଶୋରି ଦେଇ ରାଜକାର୍ଯ୍ୟରେ ବୁଡ଼ିଗଲେ । ଏମିତି ଭାବରେ  ତିନି ବର୍ଷ ବିତିଲା । ହଠାତ୍ ଦିନେ ବୁଢା ଚିତ୍ରକାର ପହଞ୍ଚିଗଲା ରାଜ ଦରବାରରେ । କହିଲା: ସମ୍ରାଟ, ମୋର ସାଧନା ସଫଳ ହୋଇଛି ବୋଲି ମୋର ଆଶା । ମୁଁ ବୋଧେ ଏବେ କୁକୁଡାର ଚିତ୍ର ଆଙ୍କି ଦେଇପାରିବି ।

ସମ୍ରାଟ୍‌ଙ୍କ ଆଦେଶରେ କ୍ୟାନ୍‌ଭାସ୍‌, ତୂଳୀ ଆସିଲା । ବୁଢା ଚିତ୍ରକାରଟି କେତୋଟି ଗାର ଟାଣି ଦେଇ କହିଲା: ଦେଖନ୍ତୁ ସମ୍ରାଟ - ଏଇଟା ହେଉଛି କୁକୁଡାର ଚିତ୍ର, ଅସଲି କୁକୁଡାର ଚିତ୍ର ।

ସମ୍ରାଟ ଚିତ୍ରଟି ଦେଖି ରାଗିଗଲେ । ଏ କ’ଣ ଥଟ୍ଟା ଚାଲିଛି ? ଏତେ ବଡ ବଡ ଚିତ୍ରକାରମାନେ ଆସି କୁକୁଡାର ଚିତ୍ର ଆଙ୍କିଲେ, ଦେଖିଲେ ମନେହେବ ଅସଲି କୁକୁଡା ବୋଲି ଅଥଚ ଏ ବୁଢା ଚିତ୍ରକାର କହିଲା ସେସବୁ କୁକୁଡାର ଚିତ୍ର ନୁହେଁ । ଆଉ ନିଜେ ତିନିବର୍ଷ ପରେ ଆସି କେତୋଟି ଗାର ଟାଣି ଦେଇ କହୁଛି ଏସବୁ ଅସଲି କୁକୁଡାର ଚିତ୍ର ।

ବୁଢା ଚିତ୍ରକାରଟି କହିଲା: ସମ୍ରାଟ, ଆପଣ ଗୋଟେ ଜୀଅନ୍ତା କୁକୁଡା ଆଣି ଦିଅନ୍ତୁ, ସେ ହିଁ ପ୍ରମାଣ କରିଦେବ ଏଇଟା ଅସଲି କୁକୁଡାର ଚିତ୍ର କି ନୁହେଁ ।

ସମ୍ରାଟଙ୍କ ଆଦେଶରେ ଗୋଟେ ଜୀଅନ୍ତା କୁକୁଡା ଆସିଲା । ତାକୁ ଏଇ ଚିତ୍ରଟା ସାମ୍ନାରେ ଛାଡିଦେଲା ମାତ୍ରେ କୁକୁଡାଟି ଯୁଦ୍ଧ ଭୂମିକାରେ ଡାକରା ଦେଇ, ଦେହ ଫୁଲେଇ, ପ୍ରତିଦ୍ୱନ୍ଦ୍ୱୀ ସାମ୍ନାରେ ଠିଆ ହେଲା ଭଳି ଚିତ୍ର ସାମ୍ନାରେ ଠିଆ ହେଲା ।

ବୁଢା ଚିତ୍ରକରଟି କହିଲା: ଦେଖନ୍ତୁ ସମ୍ରାଟ, ଯେଉଁ ଚିତ୍ରକୁ ଆପଣ କେତୋଟି ଗାର କହୁଥିଲେ, ସେଇଟାକୁ କୁକୁଡା ନିଜର ଚିତ୍ର ବୋଲି ଜାଣି ପାରିଲା, ଅଥଚ ଯେଉଁଟାକୁ ଆପଣ କୁକୁଡାର ଚିତ୍ର କହୁଥିଲେ, ସେ ଆଡକୁ ସେ ନଜର ବି ଦେଲାନି, କୁକୁଡାର ଜୀବନର ଏଇ ବିଭିନ୍ନ ଡାଇମେନ୍‌ସେନ୍ ମୁଁ ଶିଖିଲି ତାଙ୍କ ସାଙ୍ଗରେ ତିନି ବର୍ଷ ରହି । ମୁଁ ଯଦି ତିନି ବର୍ଷ କୁକୁଡା ହୋଇ ନ ବଞ୍ଚିଥା’ନ୍ତି, ବୋଧେ କୁକୁଡାର ଚିତ୍ର ଆଙ୍କି ପାରି ନ ଥା’ନ୍ତି ।

ତେଣୁ ପାଠକେ, ଓଡ଼ିଶାର ସହରାଞ୍ଚଳରେ ବୁଦ୍ଧିଜୀବୀ ଗାଳ୍ପିକଙ୍କ ପାଖରୁ ନୋଳିଆ ଜୀବନର, ଆଦିବାସୀ ଜୀବନର ଚିତ୍ର ଚାହିଁବା କ’ଣ ଠିକ୍ ହେବ ? ବରଂ ଆମର ଆଶା କରିବା ଉଚିତ୍ ଏଇ ନୋଳିଆ ସମ୍ପ୍ରଦାୟରୁ, ଆଦିବାସୀ ସମ୍ପ୍ରଦାୟରୁ ଯେମିତି ଗାଳ୍ପିକ ବାହାରି ଆସି ଓଡ଼ିଆ ଗଳ୍ପ ଉପନ୍ୟାସରେ ସେମାନଙ୍କର ସମ୍ପ୍ରଦାୟର ଜୀବନ ଚିତ୍ର ଦିଅନ୍ତି । ଏଇ ପ୍ରସଙ୍ଗରେ ଅସମୀୟା ସାହିତ୍ୟରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଉପନ୍ୟାସ 'ରଂ ମିଲିର ହାଁ ହି’ ଉପନ୍ୟାସଟି କଥା ନିଆଯାଇପାରେ । ଏଇ ଉପନ୍ୟାସର ଲେଖକ ‘ରଂ ବଂ ତେରଂ’ ଆସାମର ଗୋଟେ ଆଦିବାସୀ ସମ୍ପ୍ରଦାୟର ତରୁଣ ଅଧ୍ୟାପକ ।  ନିଜ ସମ୍ପ୍ରଦାୟ ବିଷୟରେ ନିଜ ଦୃଷ୍ଟିକୋଣରୁ ସେ ଉପନ୍ୟାସ ଲେଖିଛନ୍ତି । ଆମ ଓଡ଼ିଆ ସାହିତ୍ୟରେ ଗୋପୀବାବୁମାନେ ଆଦିବାସୀଙ୍କ ଜୀବନ କାହାଣୀ କହନ୍ତି, ଆଦିବାସୀ ଗାଳ୍ପିକଟିଏ ବାହାରି ଆସନ୍ତି ନାହିଁ ।

ଓଡ଼ିଆ ସାହିତ୍ୟରେ ଆଦିବାସୀ ଲେଖକମାନେ ବି କେବେ ନିଜ ସମ୍ପ୍ରଦାୟକୁ ନେଇ ଗପ ଲେଖିବା କଥା ଭାବି ନାହାନ୍ତି । ହାଡ଼ିବନ୍ଧୁ ମିର୍ଦ୍ଧା, ସରୋଜ କୁମାର ଟପ୍ପୋ ପ୍ରମୁଖ ସାହିତ୍ୟିକମାନେ ଚାହିଁଲେ ନିଜ ନିଜ ସମ୍ପ୍ରଦାୟର ବିଚ୍ଛିନ୍ନତା, ଛିନ୍ନମୂଳ ନିଃସଙ୍ଗତା କଥା, ସେମାନଙ୍କ ଯନ୍ତ୍ରଣା, ଅସହାୟତା କଥା କହିପାରନ୍ତେ । ଆଜି ଅଣ ଆଦିବାସୀ ଲେଖକମାନଙ୍କ ଆଖିରେ ଆଦିବାସୀ ଲୋକଟି ରକ୍ତମାଂସର ମଣିଷ ନ ହୋଇ, ମୂର୍ଖ ନିଷ୍ପେସିତ ଯନ୍ତ୍ରବିଶେଷ ହିଁ ହୋଇଥାଏ ଓ ତା’ ଭିତରେ କେବଳ ମାର୍କ୍ସବାଦୀ ଆଦର୍ଶର ପ୍ରତିଫଳନ ହିଁ ଲେଖକ ଦେଖିଥାନ୍ତି । ପ୍ରକୃତ ମଣିଷଟି ସେମାନଙ୍କ ଲେଖନୀ ମୂନରୁ ଫୁଟି ଉଠେନି । ଆମେ ଓଡ଼ିଆ ଗଳ୍ପରେ ପ୍ରକୃତ ଆଦିବାସୀ, ପ୍ରକୃତ ନୋଳିଆ, ପ୍ରକୃତ କେନ୍ଦୁପତ୍ର ତୋଳାଳୀ ମଣିଷଟିର ଅସଲ ଚିତ୍ର ପାଇବା ଯଦି ସେଇ ସମ୍ପ୍ରଦାୟ ଭିତରୁ ଗାଳ୍ପିକମାନେ ଉଠିଆସନ୍ତି । 

Leave a comment