ବଟତଲା ଓ ଭାରତୀୟ ପ୍ରକାଶନର ଆଦିକାଳ

ସେତେବେଳେ ଗୋଟିଏ ବରଗଛ ତଳେ ଏ ସବୁ ଛପାଛପି କାମ ଖୋଲା ମେଲାରେ ଚାଲୁଥିଲା । ଯାହାକୁ ବଟତଲା କୁହାଯାଉଥିଲା । ବଟତଲା ର ଅର୍ଥ ହେଲା ବରଗଛର ତଳ । ଉତ୍ତର କଲିକତାର ଚିତ୍ତପୁରର ଏମିତି ଏକ ବିଶାଳ ବରଗଛ ତଳେ ଥିବା ଛାପାଖାନା ମାନଙ୍କରେ କେବଳ ବହି ଛପା ଯାଉନଥିଲା । ସେଇଠି କାଠ ବ୍ଲକରେ ଫର୍ଦିକିଆ କାଗଜରେ ଚିତ୍ର ମଧ୍ୟ ଛପା ଯାଉଥିଲା ।
ବଟତଲା ପ୍ରିଣ୍ଟ, ୱିକି କମନ୍ସ

ଏଇଠି ସ୍ଥାନିତ ଛବିଟି ବେଶ୍ ପୁରୁଣା । ଚିତ୍ରଟି କୌଣସି ଏକ ପୁରୁଣା ବଙ୍ଗ ପତ୍ରିକାରେ ପ୍ରକାଶିତ ଉଡ୍ ବ୍ଲକ ଦ୍ବାରା ଛପା ଯାଇଥିଲା । ଛବିରେ ପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ପବିତ୍ର ସ୍ନାନଯାତ୍ରାର ବର୍ଣ୍ଣନା ରହିଛି । ଛବିଟି ମୋଟାମୋଟି ଦୁଇ ଭାଗରେ ବିଭକ୍ତ । ଉପରାର୍ଦ୍ଧରେ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନ କର୍ମ ଚାଲୁଛି । ତଳାର୍ଦ୍ଧରେ ଅଛନ୍ତି କିଛି ଭକ୍ତ । ଲାଗୁଛି ସ୍ନାନ ଯାତ୍ରାର ଗହଳିରେ ଜଣେ କେହି ଅସୁସ୍ଥ ହୋଇପଡିଛି  ଓ ତା’ର ସେବା ମଧ୍ୟ ଚାଲିଛି । ଅବଶ୍ୟ ଏହା ମଧ୍ୟ ପ୍ରତେ ହେଉଛି ଯେ, ସ୍ନାନଯାତ୍ରା ତା’ ବାଟରେ ଓ ବଡ଼ ଦାଣ୍ଡରେ ଭକ୍ତ ତଥା ଯାତ୍ରୀମାନେ ସେମାନଙ୍କ ବାଟରେ ବ୍ୟସ୍ତ ଅଛନ୍ତି । ଛବିଟିର ତଳକୁ ବଙ୍ଗଳାରେ ଲେଖାଯାଇଛି “ଓ ମା’ କି ହଲୋ ସର୍ଦି ଗର୍ମି ହେଲୋ । ଧାମା ଚାଇ ପେତେ ଚାଇ ।“

କଲିକତାର କଲେଜ ଷ୍ଟ୍ରିଟରେ ବହି ବଜାର ହେବାର ବହୁ ପୂର୍ବରୁ ସେଠାରୁ କିଛି ଦୂରରେ ଥିବା ଚିତ୍ତପୁରରେ ବହି ବଜାରଟି ଥିଲା । ୧୭୭୨ ରୁ ୧୯୧୧ ପର୍ଯ୍ୟନ୍ତ କଲିକତା ଭାରତର ରାଜଧାନୀ ଥିଲା । ମିଶନାରୀମାନେ ହିଁ ପ୍ରଥମେ ସେଠାକୁ ଛାପାକଳ ଆଣିଥିଲେ ଓ ଧୀରେ ଧୀରେ ତାର ଚାହିଦା ବଢିଥିଲା । ଫୋର୍ଟ ୱିଲିୟମ୍ ର ଅପର ପାର୍ଶ୍ଵରେ ଅନେକ ଗୁଡିଏ ପ୍ରେସ୍ ଆରମ୍ଭ ହୋଇଥିଲା । ଏସବୁ ଛାପାକଳ ଅବଶ୍ୟ ମିଶନାରୀ ମାନଙ୍କ ମାଲିକାନାରେ ପରିଚାଳିତ ହେଉଥିଲା । ସେମାନେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ବିଭିନ୍ନ ବୈଷୟିକ ସହାୟତା ସହ ଆବଶ୍ଯକୀୟ ଅନୁବାଦ କାର୍ଯ୍ୟ କରାଉଥିଲେ। ଧୀରେ ଧୀରେ ଏହି ପ୍ରେସମାନଙ୍କ ସହ ସଂପୃକ୍ତ ସ୍ଥାନୀୟ ଲୋକମାନେ ହିଁ ଆପଣା ଆପଣା ଅଭିଜ୍ଞତା ନେଇ ନିଜ ନିଜର ପ୍ରେସ୍‌ ବେପାର ଆରମ୍ଭ କରିଥିଲେ । ଏମିତି ଦେଖିବାକୁ ଗଲେ ଏଇ ସ୍ଥାନୀୟ ଲୋକମାନଙ୍କ ପ୍ରେସ ସ୍ଥାପନା ପରେ ହିଁ ଛପା ବଙ୍ଗଳା ବହି ସବୁ ବଜାରରେ ସହଜରେ ଉପଲବ୍ଧ ହେଲା ।

ଉନବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ବଙ୍ଗଳା ସାହିତ୍ୟକୁ ନେଇ ଯେଉଁ ଲେଖକ ଓ ପାଠକ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା ତା’ ପଛରେ ଥିଲା ଏହି ଛାପାଖାନା ମାନଙ୍କର ଅବଦାନ । 

ସେତେବେଳେ ଗୋଟିଏ ବରଗଛ ତଳେ ଏ ସବୁ ଛପାଛପି କାମ ଖୋଲା ମେଲାରେ ଚାଲୁଥିଲା । ଯାହାକୁ ବଟତଲା କୁହାଯାଉଥିଲା । ବଟତଲା ର ଅର୍ଥ ହେଲା ବରଗଛର ତଳ । ଉତ୍ତର କଲିକତାର ଚିତ୍ତପୁରର ଏମିତି ଏକ ବିଶାଳ ବରଗଛ ତଳେ ଥିବା ଛାପାଖାନା ମାନଙ୍କରେ କେବଳ ବହି ଛପା ଯାଉନଥିଲା । ସେଇଠି କାଠ ବ୍ଲକରେ ଫର୍ଦିକିଆ କାଗଜରେ ଚିତ୍ର ମଧ୍ୟ ଛପା ଯାଉଥିଲା । ବମ୍ବେରେ ରାଜା ରବି ବର୍ମା ଓଲିଓଗ୍ରାଫିରେ ଭାରତୀୟ ଦେବାଦେବୀ ମାନଙ୍କର ଛବି ଛାପିବାର ବହୁ ପୂର୍ବରୁ ଏହି ବଟତଲା ପ୍ରେସ୍‌ରେ ଏପରି ଛବି କାଠ ବ୍ଳକ୍ ରେ ଛପାଯାଉଥିଲା । ତା ଛଡା ପାଞ୍ଜି, ପ୍ରେମ ଉପନ୍ୟାସ, ପାଠ୍ୟ ପୁସ୍ତକ, ପୁରାଣ, ପାମ୍ପଲେଟ୍ ଓ ରହସ୍ୟ ରୋମାଞ୍ଚ କାହାଣୀମାଳା ପ୍ରକାଶିତ ହେଉଥିଲା ।

ଏଠାରୁ ପ୍ରକାଶିତ ପୁସ୍ତକ ଗୁଡ଼ିକ ବେଶ୍ ସଚିତ୍ର ଥିଲା। ବହିର ପ୍ରଚ୍ଛଦ ଓ ଭିତରେ ଅଳଙ୍କରଣ ରହୁଥିଲା । ଏସବୁ ପାଇଁ କାଠ ଖୋଦେଇ ବ୍ଳକର ଆବଶ୍ୟକତା ପଡ଼ୁଥିଲା । ବିଜ୍ଞାପନ ପାଇଁ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସେମାନଙ୍କ ବରାଦ ନେଇ ମଧ୍ୟ ପହଁଚୁଥିଲେ । ସେଥିରେ ଥିଲା ମୁଣ୍ଡ ତେଲ, ଟବାକୋ ଓ ଚା ଆଦି ବିଭିନ୍ନ  ଦ୍ରବ୍ୟ ପାଇଁ ଲେବେଲ୍‌ ଛପାର ବରାଦ । ଗୁରୁତ୍ଵପୂର୍ଣ୍ଣ କଥାଟି ହେଲା ଛପା ପାଇଁ ଆବଶ୍ୟକୀୟ ଉଡ଼୍‌ ବ୍ଲକ୍ ସବୁ ସ୍ଥାନୀୟ ବଣିଆ ଓ ବଢେଇ ମାନେ ସେମାନଙ୍କ ପାରମ୍ପରିକ ହାତ ହତିଆର ଦ୍ୱାରା ପ୍ରସ୍ତୁତ କରୁଥିଲେ । ଏଠାରେ ସ୍ଥାନିତ ଛବିଟିର ଉଡ୍‌ ବ୍ଳକ୍ ପ୍ରସ୍ତୁତକର୍ତ୍ତା ନିଜର ନାମକୁ ମଧ୍ୟ ଖୋଦେଇ କରିଛନ୍ତି । ତାଙ୍କର ନାମ ହେଲା ରାମଧନ ସ୍ଵର୍ଣ୍ଣକାର । ସେ ସମୟରେ ରାମଧନଙ୍କ ପରି ଏନଗ୍ରେଭରମାନଙ୍କର ବେଶ୍ ଚାହିଦା ଥିଲା ।


Leave a comment