କବିତା ହେଉଛି ମାନବିକ ଅଭିବ୍ୟକ୍ତିର ସୂକ୍ଷ୍ମତମ ପ୍ରୟୋଗ: ଆଶୁତୋଷ ପରିଡା

ଆଶୁତୋଷ ପରିଡା, ଓଡିଆ କବିତାର ଏକ ପ୍ରଶାନ୍ତ ପ୍ରତିବାଦୀ ସ୍ଵର । ବିଦ୍ରୋହ ଓ ପ୍ରତିବାଦର ସୂକ୍ଷ୍ମତମ ମାନବୀୟ ଅବବୋଧ ତାଙ୍କ କବିତାର ଆତ୍ମା । ସେ ମାଟି ଓ ମଣିଷର କବି । ସେ ବୃତ୍ତିରେ ବୈଜ୍ଞାନିକ, ହେଲେ ପ୍ରବୃତ୍ତିରେ ଜଣେ ଅଙ୍ଗୀକାରବଦ୍ଧ ଶିଳ୍ପୀ । ଓଡିଆ କବିତାରେ ଜୀବନ ଓ ବିପ୍ଳବର ଏହି ଚିର ପ୍ରଶାନ୍ତ କବିଙ୍କ ସହ କଥାବାର୍ତ୍ତା କରିଛନ୍ତି କେଦାର ମିଶ୍ର ।

(ଆଶୁତୋଷ ପରିଡା, ଓଡିଆ କବିତାର ଏକ ପ୍ରଶାନ୍ତ ପ୍ରତିବାଦୀ ସ୍ଵର । ବିଦ୍ରୋହ ଓ ପ୍ରତିବାଦର ସୂକ୍ଷ୍ମତମ ମାନବୀୟ ଅବବୋଧ ତାଙ୍କ କବିତାର ଆତ୍ମା । ସେ ମାଟି ଓ ମଣିଷର କବି । ସେ ବୃତ୍ତିରେ ବୈଜ୍ଞାନିକ, ହେଲେ ପ୍ରବୃତ୍ତିରେ ଜଣେ ଅଙ୍ଗୀକାରବଦ୍ଧ ଶିଳ୍ପୀ । ସେ କବିତା କେବଳ ଲେଖନ୍ତି ନାଇଁ, ଚିତ୍ର ଆଙ୍କନ୍ତି, ଆଲୋଚନା କରନ୍ତି, ସମ୍ପାଦନା ଓ ସଂଗଠନ ସହିତ ତାଙ୍କର ସମ୍ପୃକ୍ତି ରହି ଆସିଛି । ତାଙ୍କ ପ୍ରକାଶିତ କବିତା ସଂକଳନଗୁଡିକ ଭିତରୁ “ଚଣ୍ଡାଳ” ଓଡିଆ କବିତାରେ ଏକ କ୍ରାନ୍ତିର ବାର୍ତ୍ତା ନେଇ ଆସିଥିଲା । ସମ୍ଭବତଃ “ଚଣ୍ଡାଳ” ଥିଲା ଓଡିଆ କବିତାରେ ଦଳିତ ଚେତନାର ପ୍ରଥମ ଆତ୍ମନେପଦୀ । ୧୯୭୨ରେ ତାଙ୍କର ପ୍ରଥମ କବିତା ସଂକଳନ “ଯୁକ୍ତ ଯାତନା” ପ୍ରକାଶିତ ହୋଇଥିଲା । ୧୯୮୭ରେ ତାଙ୍କର ଦ୍ଵିତୀୟ କବିତା ସଂକଳନ “ଇପ୍ସିତ କ୍ରୋଧ” ପାଇଁ ତାଙ୍କୁ ମିଳିଥିଲା ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର । ପରବର୍ତ୍ତୀ ସମୟରେ ତାଙ୍କ ପ୍ରକାଶିତ କବିତା ସଂକଳନଗୁଡିକ ହେଲା  - ଚଣ୍ଡାଳ, ଶବ୍ଦଭେଦୀ, ରକ୍ତବର୍ଣ୍ଣ ବାଲି, ଅଙ୍ଗାର ଗାର, ଲହୁଲୁହାଣ, ଅନ୍ତରାଳ, ଦେଶ ନଥିବା ଲୋକ, ଆକ୍ରାନ୍ତ ଅକ୍ଷର, କଥା ସରିନାହିଁ ଓ ଅପ୍ରସ୍ତୁତ ମୃତ୍ୟୁ । ଓଡିଆ କବିତାରେ ଜୀବନ ଓ ବିପ୍ଳବର ଏହି ଚିର ପ୍ରଶାନ୍ତ କବିଙ୍କ ସହ କଥାବାର୍ତ୍ତା କରିଛନ୍ତି କେଦାର ମିଶ୍ର ।)            

ପ୍ରଶ୍ନ: ମୁଁ ଆପଣଙ୍କୁ ଏମିତି ଗୋଟେ ସମୟରେ ପ୍ରଶ୍ନ ପଚାରୁଛି, ଯେଉଁ ସମୟରେ ମୃତ୍ୟୁ ଓ ମଣିଷ ସଭ୍ୟତାର ସ୍ଵାଧୀନତା ପରଷ୍ପର ବିରୋଧରେ ଠିଆ ହୋଇଛନ୍ତି । କରୋନା ମହାମାରୀ ଜନିତ ମୃତ୍ୟୁଭୟ ଆଗରେ ସାରା ପୃଥିବୀର ମଣିଷ ଆଜି ଆପେଆପେ ନିଜର ସ୍ଵାଧୀନତାକୁ ବଳି ପକାଇ ନିଜକୁ ତାଲା ବନ୍ଦ କରି ରଖିଛନ୍ତି । ଏଇ ଅଦ୍ଭୁତ ସମୟର କବିତା କଣ ହେବା ଉଚିତ ? ଏଇ ସମୟରେ ଗୃହବନ୍ଦୀ କବିର କବିତା ବୋଲି ସତରେ କିଛି ଅଛି କି ?

ଉତ୍ତର: କରୋନା ମହାମାରୀ ଯେ ମାନବ ସମାଜରେ ମଂଜକୁ ଦୋହଲାଇ ଦେଇଛି, ଏଥିରେ କୌଣସି ସନ୍ଦେହ ନାହିଁ । ଏହି ସମୟରେ ଅଭାବନୀୟ ବାସ୍ତବତାକୁ କବିତାରେ ଧରି ରଖିବା ଏତେ ସହଜ ବ୍ୟାପାର ନୁହେଁ । ଆତ୍ମରକ୍ଷା ପାଇଁ ଗୃହବନ୍ଦୀତ୍ୱ ବରଣ କରିଥିବା କବି ପକ୍ଷରେ ଏହା କେତେଦୂର ସମ୍ଭବ, ତାହା କହିବା କଠିନ । ମୋମତରେ ଗୃହବନ୍ଦୀ କବିର କବିତା ବୋଲି କିଛି ନାହିଁ । ମାନସିକ ବନ୍ଦୀତ୍ୱରୁ ମୁକ୍ତ ହୋଇଥିବା କବି ହିଁ ଏହି ମହାସଂକଟକୁ କାବ୍ୟରୂପ ଦେଇପାରିବ ।

ପ୍ରଶ୍ନ: ଆପଣ ସବୁବେଳେ ମଣିଷର ସଂଘର୍ଷ ଓ ସ୍ବାଧିନତାକୁ ନେଇ କବିତା ଲେଖିଛନ୍ତି । ଆଜିର ତାରିଖରେ ଆମ ଲାଗି ସବୁଠୁ ବଡ ସଂଘର୍ଷ କଣ ?

ଉତ୍ତର: କରୋନା ସହିତ ସଂଘର୍ଷ ତ ସ୍ୱାସ୍ଥ୍ୟକର୍ମୀମାନେ ଜାରି ରଖିବେ। ଆଜି କିନ୍ତୁ ତାଠାରୁ ବଡ଼ ସଂଘର୍ଷ ହେଉଛି ଆମ ଦେଶରେ ନିଜର ଜୀବିକା ହରାଇଥିବା କୋଟି କୋଟି ଶ୍ରମିକଙ୍କ ଜୀବନ-ସଂଘର୍ଷ । ସେମାନଙ୍କ ଦାରୁଣ ବିପର୍ଯ୍ୟୟ ଓ କରୁଣ ପଦଯାତ୍ରା ପାଖରେ ଶାସକମାନଙ୍କ ବିବେକାହୀନତା ଓ ଭଦ୍ରସମାଜର ସ୍ୱାର୍ଥପରତା ଅତି ଦୟନୀୟ ଭାବେ ପଦାରେ ପଡିଯାଇଛି ।

ପ୍ରଶ୍ନ: କବିତା ସବୁବେଳେ ସାଧାରଣ ଓ ଅସାଧାରଣ ଭିତରେ ସଞ୍ଚରଣ କରୁଥାଏ । ଆପଣଙ୍କ ଲାଗି ଏ ଦୁଇ ଅବସ୍ଥାର ସହାବସ୍ଥାନ ବା ବିରୋଧ କେମିତି, ସେ ବିଷୟରେ କିଛି କହିବେ କି ?

ଉତ୍ତର: କବିତାର ମୂଳ ଉତ୍ସ ହେଉଛି ବାସ୍ତବତା । କିନ୍ତୁ କାବ୍ୟସୃଜନର ପ୍ରକ୍ରିୟା ଭିତରେ ଏହି ବାସ୍ତବତାର କଳାତ୍ମକ ରୂପାନ୍ତର ଘଟେ । ଏକ ସ୍ଥୂଳ ଅସ୍ତିତ୍ୱର ସ୍ତରରୁ ଉର୍ଦ୍ଧ୍ୱକୁ ଉଠି ମାନବିକ ଚେତନା ସମ୍ପ୍ରସାରିତ ହୁଏ ଓ କବିତା ପାଇଁ ନୂତନ କିଛି ଉପଲବ୍ଧି ଆଣେ । ଅନ୍ୟ ଭାବରେ କହିଲେ ଏହାହିଁ ବୋଧେ ସାଧାରଣ ଓ ଅସାଧାରଣ ଭିତରେ କବିତାର ସଂଚରଣ । ଏହି ଦୁଇ ଅବସ୍ଥା ଭିତରେ ସମ୍ପର୍କ ବେଶ୍ ଜଟିଳ ଓ ଦ୍ୱନ୍ଦ୍ୱାତ୍ମକ । କୌଣସି କାବ୍ୟଭାବନାକୁ ଧରିବାକୁ ଯିବାବେଳେ ଓ ତାକୁ ବ୍ୟକ୍ତ କରିବା ପାଇଁ ଶବ୍ଦ ଖୋଜିବାବେଳେ ମୁଁ ଏହି ଦ୍ୱନ୍ଦ୍ୱକୁ ଅନୁଭବ କରିଛି ଓ କବିତା ଭିତରେ ତାକୁ ସମନ୍ୱିତ କରିବାକୁ ଚେଷ୍ଟା କରିଛି ।

ପ୍ରଶ୍ନ: ଆପଣଙ୍କର ଚଣ୍ଡାଳଉଭୟ ଶ୍ରେଣୀ ଓ ଜାତି ସଙ୍ଘର୍ଷର ପ୍ରତିନିଧି । ସେ ଦୀର୍ଘ କବିତା ଲେଖିବାର ପ୍ରାୟ ୩୦ ବର୍ଷ ପରେ, ଆପଣ ଚଣ୍ଡାଳକୁ ଆଜି କେଉଁଠି ଦେଖୁଛନ୍ତି?

ଉତ୍ତର: ତିରିଶି ବର୍ଷ ତଳେ ଚଣ୍ଡାଳଯେଉଁଠି ଥିଲା ଏବେ ପ୍ରାୟ ସେଇଠି ଅଛି । ନିଜର ଦୁଃଖ ଯନ୍ତ୍ରଣା ଭିତରେ ବି ସେ ଏକ ପ୍ରତିସ୍ପର୍ଦ୍ଧା ନେଇ ଠିଆ ହୋଇଛି । ବର୍ତ୍ତମାନ ସମୟର ଘଟଣାମାନଙ୍କୁ ଲକ୍ଷ୍ୟ କଲେ ଜଣା ପଡ଼ିଯାଉଛି ଯେ ଭାରତୀୟ ସମାଜରେ ଚଣ୍ଡାଳମାନଙ୍କ ପ୍ରତି ରହିଥିବା ମାନସିକତାରେ କୌଣସି ପରିବର୍ତ୍ତନ ଆସିନାହିଁ ବରଂ ସେମାନଙ୍କୁ ଆହୁରି ତଳକୁ ଠେଲିଦେବା ପାଇଁ ପ୍ରୟାସ ହେଉଛି ।

ପ୍ରଶ୍ନ: ଆମ ସମୟର ସବୁ କ୍ଷମତାକେନ୍ଦ୍ର ଓ ବୌଦ୍ଧିକ କେନ୍ଦ୍ର ବାମପନ୍ଥୀ ବିଚାରର ଘୋର ଶତ୍ରୁ । ଆପଣ କିନ୍ତୁ ନିଜକୁ ଜଣେ ନିଷ୍ଠାପର ବାମପନ୍ଥୀ ଓ ପ୍ରଗତିଶୀଳ କବି ଭାବରେ ପରିଚିତି ଦେଇ ଆସିଛନ୍ତି । ସମୟର ପ୍ରତିକୂଳରେ ଏମିତି ଏକ ପରିଚୟକୁ ନେଇ ଆପଣ କେବେ ଡରିଛନ୍ତି କି ?

ଉତ୍ତର: ପ୍ରାୟ ଚାରି ଦଶନ୍ଧି ଧରି ପ୍ରଗତିଶୀଳ କବିତା ରଚନାରେ ମନୋନିବେଶ କରିବା ଭିତରେ ମୋ ମନରେ କେବେହେଲେ କୌଣସି ଡର ଆସିନାହିଁ । ତାହାର ତିନୋଟି କାରଣ ଥାଇପାରେ । ପ୍ରଥମତଃ ମୋ ସାମ୍ନାରେ ଓଡ଼ିଆ ସାହିତ୍ୟରେ ଏକ ଶକ୍ତିଶାଳୀ ପ୍ରଗତିବାଦୀ କାବ୍ୟ ପରମ୍ପରା ରହିଛି । ଦ୍ୱିତୀୟରେ ମୋଦେଶର ସମ୍ବିଧାନ ମୋତେ ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଛି ଓ ତୃତୀୟରେ ମୋସହିତ ମୋର ସମଧର୍ମା ସାହିତ୍ୟିକ ଅଛନ୍ତି । ଯଦି କୌଣସି କାରଣରୁ ଏହି ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ବ୍ୟାହତ ହୁଏ, ତେବେ ତାହା ମୋପାଇଁ ନିଶ୍ଚୟ ଚିନ୍ତାର ବିଷୟ ହେବ ।

ପ୍ରଶ୍ନ: ଓଡିଆ କବିତାରେ ପ୍ରଗତିବାଦର ନୂଆ ଚେହେରା ଆପଣଙ୍କୁ ଦିଶୁଛି କି ?

ଉତ୍ତର: ନିଶ୍ଚୟ ଦିଶୁଛି । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟର ପ୍ରଗତିବାଦୀ କବିତା ମୁଖ୍ୟତଃ ଶ୍ରେଣୀ ସଂଘର୍ଷ ଆଧାରିତ ଥିଲା । ସର୍ବହରାର ମୁକ୍ତି ପାଇଁ ଅନେକ କିଛି ସ୍ୱପ୍ନ ଓ ଆହ୍ୱାନ ଥିଲା। ପରେ ବିଶ୍ୱରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ଓ ଉଦାରବାଦୀ ଅର୍ଥନୀତିର ପ୍ରଚଳନ ପ୍ରଗତିବାଦୀ କବି ପାଇଁ ନୂତନ ଆହ୍ୱାନ ସୃଷ୍ଟି କଲା । ଭାରତୀୟ ପ୍ରେକ୍ଷାପଟ୍ଟରେ ଶୋଷଣ ବିରୋଧୀ ସଂଗ୍ରାମକୁ କବି କମ୍ ସ୍ୱପ୍ନପ୍ରବଣ ଓ ଅଧିକ ବାସ୍ତବବାଦୀ ଦୃଷ୍ଟିରେ ଦେଖିଲା । ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଯେଉଁ ନୂଆ କବିମାନେ ପ୍ରଗତିଶୀଳତାର ପରିସରକୁ ଆସିଲେ ସେମାନେ ନୂତନ ଭଙ୍ଗୀରେ ନିଜର ବିରୋଧ, ପ୍ରତିବାଦ ଓ ବୈପ୍ଲବିକ ଅଭିପ୍ରାୟ ବ୍ୟକ୍ତ କଲେ ଓ କରୁଛନ୍ତି ।

ପ୍ରଶ୍ନ: କବିତା ଏକ ରାଜନୈତିକ କଳା ନା ଏହା ସଂପୂର୍ଣ୍ଣ ଭାବରେ ଏକ ଅଣରାଜନୈତିକ କୌଶଳ। ଆପଣଙ୍କ କବିତାରେ ଆପଣଙ୍କର ରାଜନୀତି ଅତ୍ୟନ୍ତ ସ୍ପଷ୍ଟ । ଏହା କବିତାର କଳାକୁ କ୍ଷୁଣ୍ଣ କରିପାରେ କି ?

ଉତ୍ତର: ମୋମତରେ କବିତା ଆଦୌ ଏକ କୌଶଳ ନୁହେଁ । ଏହା କବିର ସ୍ୱାଭାବିକ ଅଭିବ୍ୟକ୍ତି । କୌଶଳ ହୋଇଗଲେ କବିତା କୃତ୍ରିମ ହୋଇଯିବ ଓ ତାଭିତରକୁ ଚାତୁର୍ଯ୍ୟ ବି ପଶିଯିବ । କବିତା ଏକ କଳା କିନ୍ତୁ ଏହା କେବେ ବି ରାଜନୈତିକ କଳା ନୁହେଁ । ରାଜନୈତିକ କଳାର ଉଦ୍ଦେଶ୍ୟ ହେଉଛି ଭୋଟ୍ ପାଇବା ଓ କ୍ଷମତାରେ ରହିବା । କବିତାର ଅଭିପ୍ରାୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । କବିତାର ବିଷୟବସ୍ତୁରେ ରାଜନୀତି ରହିପାରେ । କିନ୍ତୁ ଏହି ରାଜନୀତିର ଯଦି ମାନବୀକରଣ ଘଟେ, ତେବେ ଏହା କବିତାର କଳାତ୍ମତାକୁ କ୍ଷୁଣ୍ଣ କରିପାରିବ ନାହିଁ ।

ପ୍ରଶ୍ନ: ଲୋକଙ୍କ ପାଇଁ କବିତାର କଥା କହିବା ବେଳେ ଆଧୁନିକ କବିତାରେ ଆମେ ଯେଉଁ ଛନ୍ଦ ଓ ଶୈଳୀ ବ୍ୟବହାର କରୁଛେ, ତାହା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରତିବନ୍ଧକ ବୋଲି ଆପଣ କେବେ ଭାବିଛନ୍ତି କି ?

ଉତ୍ତର: ଆଧୁନିକ କବିତାର ଛନ୍ଦ ଓ ଶୈଳୀ ସାଧାରଣ ଲୋକଙ୍କ ଅବବୋଧର ବାହାରେ । ଏହାର ଅର୍ଥ ନୁହେଁ ଲୋକମାନଙ୍କ ଭିତରେ ନାନ୍ଦନିକ ଚେତନା ନାହିଁ । ସରଳ ଗୀତି କବିତା ଓ ସଂଗୀତ ସେମାନେ ଗ୍ରହଣ କରିବେ । କିନ୍ତୁ ଆଧୁନିକ କବିତାର ଭାଷା ଓ ଶୈଳୀର ପରିବର୍ତ୍ତନ ନ ଆସିଲେ ଓ ଲୋକଙ୍କ ଅବବୋଧର ସ୍ତର ଉପରକୁ ନ ଉଠିଲେ, କବିତା ସେମାନଙ୍କ ପାଖରେ ପହଞ୍ଚି ପାରିବ ନାହିଁ ।

ପ୍ରଶ୍ନ: ଆଜିର ସମୟରେ କବିତା ଲାଗି ସତରେ ଜାଗା ଅଛି କି ନା ଆମେ କବିତାକୁ ଏକ ସୌଖୀନ କଳା ଭାବି ସେ ବିଷୟରେ ବିଶେଷ କିଛି ନ ଭାବିବା ଠିକ ହେବ କି ?

ଉତ୍ତର:  କବିତା ପାଇଁ ସବୁ କାଳରେ ଜାଗା ରହିଆସିଛି । କାରଣ କବିତା ହେଉଛି ମଣିଷର ଅନ୍ତରାତ୍ମାର ଉଚ୍ଚାରଣ । ଆଦିମ କାଳରୁ ଏହା ସମୂହର ସ୍ୱର ଭାବେ ନିଜକୁ ପ୍ରତିପାଦିତ କରିଆସିଛି । ତେଣୁ କବିତା ଏକ ସୌଖୀନ କଳା ନୁହେଁ । କବିତା ରଚନା ଏକ ନିଷ୍ଠାପର ଓ କଷ୍ଟସାଧ୍ୟ ବ୍ୟାପାର । ମୋମତରେ କବିତା ହେଉଛି ମାନବିକ ଅଭିବ୍ୟକ୍ତିର ସୂକ୍ଷ୍ମତମ ପ୍ରୟୋଗ । ମଣିଷ ସମାଜ ପାଇଁ ଏହାର ପ୍ରାସଙ୍ଗିକତା ସବୁବେଳେ ରହିଛି ଓ ରହିବ ।

ପ୍ରଶ୍ନ:  ଓଡିଆ କବିତାର ନୂଆ ପିଢି ଯେଉଁ କବିତା ଲେଖୁଛନ୍ତି, ସେଥିରେ ଆପଣ କିଛି ସମ୍ଭାବନା ଦେଖୁଛନ୍ତି କି ? ସେମାନଙ୍କ କବିତା ପୁରୁଣାର ପୁନରାବୃତ୍ତି ନା ସେଥିରେ ନୂଆ ସମୟର ପଦଚିହ୍ନ କିଛି ରହିଛି ?

ଉତ୍ତର:  ନୂଆ ପିଢିର କବିମାନଙ୍କ ଭିତରେ ମୁଁ ଯଥେଷ୍ଟ ସମ୍ଭାବନା ଦେଖୁଛି । ସେମାନେ ଅତୀତର ଆଧୁନିକତାବାଦୀ କବିତାରେ ଥିବା ବ୍ୟକ୍ତିବାଦ, ବିଚ୍ଛିନ୍ନତାବୋଧ ଓ ଦୁର୍ବେଧ୍ୟତାରୁ ମୁକ୍ତ । ସେମାନଙ୍କ କବିତା ଅଧିକ ସମାଜମନସ୍କ ଓ ସ୍ଥିତାବସ୍ଥାକୁ ବିରୋଧ କରିବାକୁ ପଶ୍ଚାତ୍‌ପଦ ନୁହେଁ । ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ କବିତାର ଭାଷା ଓ ଶୈଳୀରେ ଯେଉଁ ପରିବର୍ତ୍ତନ ଆବଶ୍ୟକ, ନୂଆ ପିଢିର କବିତାରେ ବାକ୍‌ରୀତିର ନୂତନ ପ୍ରୟୋଗ, ସେପରି ସମ୍ଭାବନାକୁ ଦୃଢ କରୁଛି ।

Leave a comment