ପିଟର ସୋରିୟାନୋ, ଏପରି ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ଯିଏ ବସ୍ତୁ ତିଆରି କରନ୍ତି ନାହିଁ

ପିଟର ସୋରିୟାନୋ, ଆଜିର ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଭାସ୍କର ଓ ଚିତ୍ରଶିଳ୍ପୀ । ଆଧୁନିକ ଭାସ୍କର୍ୟ କ୍ଷେତ୍ରରେ ଅନେକ ନୂଆ ପ୍ରୟୋଗ କରିଥିବା ସୋରିୟାନୋଙ୍କ କଳାକୃତି ସମ୍ପର୍କରେ ଏକ ସମୀକ୍ଷା ପ୍ରସ୍ତୁତ କରିଛନ୍ତି ଦିଲ୍ଲୀରେ ରହୁଥିବା ପ୍ରଖ୍ୟାତ ଚିତ୍ରଶିଳ୍ପୀ ଓ କଳା ସମୀକ୍ଷକ ବିଭୁ ପଟ୍ଟନାୟକ ।
ଫଟୋ: ପିଟରସୋରିୟାନୋଡଟକମ

“ଚିତ୍ରାଙ୍କନ ହେଉଛି ଏକ ବାହନ ସଦୃଶ ଯହିଁରେ ମୁଁ ବିଭିନ୍ନ ସ୍ତରରେ ନିଜକୁ ସ୍ଥାନୀତ କରିବା ପାଇଁ ବ୍ୟବହାର କରେ: ଶାରୀରିକ, ରୂପକ (metaphorical) ଏବଂ ମାନସିକ ।“ - ପିଟର ସୋରିୟାନୋ, ୨୦୧୨.

ପିଟର ସୋରିୟାନୋ ଜଣେ ଫ୍ରାଙ୍କୋ-ଆମେରିକୀୟ ଆବଷ୍ଟ୍ରାକ୍ଟ ଚିତ୍ରଶିଳ୍ପୀ ଯିଏକି ୧୯୫୯ ମସିହାରେ ଫିଲିପାଇନ୍ସର ରାଜଧାନୀ ମନୀଲାଠାରେ ଜନ୍ମ ଗ୍ରହଣ କରିଥିଲେ । ସେଇ ମନୀଲାଠାରେ, ତାଙ୍କ ଜେଜେବାପା ଆନ୍ଦ୍ରେସ୍ ସୋରିୟାନୋ ଜଣେ ବିଶିଷ୍ଟ ଶିଳ୍ପପତି ଓ ଜଣେ ବୀର ଯୋଦ୍ଧାଭାବେ ପରିଚିତ । ପିଟର ସୋରିୟାନୋ ୧୯୮୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପଦାର୍ପଣ କରି ମାସାଚ୍ୟୁସେଟ୍ସଠାରେ ଅବସ୍ଥିତ କେମ୍ବ୍ରିଜର ହାର୍ଭାଡ୍ କଲେଜରୁ କଳା ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ସେହି ବର୍ଷ ସେ ମେନି ସ୍ଥିତ ସ୍କୋହେଗାନ ସ୍କୁଲ ଅଫ୍ ପେଣ୍ଚିଂ ଏଣ୍ଡ୍ ସ୍କଲ୍ପଚରରେ ରେସିଡେନ୍ସି ଶେଷ କରିଥିଲେ । ସେ କୁହନ୍ତି ଯେ, ଅଳ୍ପ ବୟସରୁ ହିଁ ତାଙ୍କ ଅଙ୍କଲ୍ ଫର୍ନାଣ୍ଡୋ ଜୋବେଲ୍ ଦି ଆୟାଲା ୱାଇ ମୋଣ୍ଟୋଜୋଙ୍କଠାରୁ ସେ ଚିତ୍ରଶିକ୍ଷା ଗ୍ରହଣ କରିଥିଲେ । ଅଙ୍କଲ୍ ଫର୍ନାଣ୍ଡୋ ଏମ. ଜୋବେଲ୍ ହେଉଛନ୍ତି ଜଣେ ପ୍ରତିଷ୍ଠିତ ସ୍ପାନିଶ୍-ଫିଲିପିନୋ ଆବଷ୍ଟ୍ରାକ୍ଟ ଚିତ୍ରଶିଳ୍ପୀ।


ସୋରିୟାନୋ ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ ସୁଦ୍ଧା, ତାଙ୍କର ବର୍ତ୍ତମାନର କଳାକୃତିଗୁଡ଼ିକ ମୁଖ୍ୟତଃ ଟୁ-ଡିମେନ୍ସନାଲ୍ ବା ଦୁଇପ୍ରସ୍ତ ବିଶିଷ୍ଟ । ଯୁକ୍ତରାଷ୍ଟ୍ର ଆମେରିକାର ପନବସ୍କଟ୍, ମେନି ଏବଂ ନ୍ୟୁୟର୍କ, ଦୁଇଟି ଯାଗାରେ ତାଙ୍କର ଷ୍ଟୁଡିଓ ରହିଛି । ତାଙ୍କ ପତ୍ନୀ ନିନା ମଙ୍କ୍ ହେଉଛନ୍ତି ଜଣେ କାନାଡ଼ିଆନ୍-ଆମେରିକୀୟ ସାମ୍ବାଦିକା ଓ ଲେଖିକା । ସେ ସପତ୍ନୀକ ନିଜର ଗୋଟେ ଟାଉନହାଉସରେ ବାସ କରନ୍ତି। 

୧୯୯୦ ଦଶକରେ ସୋରିୟାନୋ ପଲିଷ୍ଟର ରେଜିନ ବ୍ୟବହାର କରି ବଡ଼ ବଡ଼ ବାୟୋମୋର୍ଫିକ୍ ଫାଇବରଗ୍ଲାସ୍ ଭାସ୍କର୍ଯ୍ୟମାନ ପ୍ରସ୍ତୁତ କରି ବିଶ୍ୱବ୍ୟାପୀ ମାନ୍ୟତା ପାଇଥିଲେ । ତାଙ୍କର ପ୍ରାଥମିକ କାମଗୁଡ଼ିକ ସହଜ ଓ ହାଲୁକା ସ୍ୱଭାବର ଏବଂ ପିଲାମାନଙ୍କ ଖେଳନାକୁ ମନେ ପକାଉଥିବା ପରି ପ୍ରତୀତ ହେଉଥିଲା ବେଳେ ତାଙ୍କର ପରବର୍ତ୍ତୀ ଭାସ୍କର୍ଯ୍ୟଗୁଡ଼ିକ ଅଧିକ “ବିବ୍ରତ ବା ବ୍ୟଗ୍ର” ମନେହୁଏ । ୨୦୦୦ ଦଶକର ମଧ୍ୟଭାଗରେ, ଫ୍ରାନ୍ସର ଇନ୍ଦ୍ରେ-ଏ-ଲୁଆ ର ସାଚ୍ ଠାରେ ଥିବା ଅଟ୍ଟାଲିଏଇ କୋଲ୍ଡ‌‌ରରେ ଛଅ ମାସ ରହଣି ସମୟରେ ସେ ଆଲୁମିନିଅମ୍ ଟ୍ୟୁବ୍, ଷ୍ଟିଲ୍ କେବଲ୍, ଏବଂ ସ୍ପ୍ରେ ପେଣ୍ଟ୍ ବ୍ୟବହାର କରି କାନ୍ଥରେ ଇନଷ୍ଟଲେଶନ୍ କରିବା ଆରମ୍ଭ କରିଥିଲେ। “ଆର୍ଟ୍ ଇନ୍ ଅମେରିକା”ର ଜଣେ ସମ୍ପାଦକ ତଥା କଳା ସମାଲୋଚକ ରାଫାୟେଲ୍ ରୁବିନଷ୍ଟାଇନ୍ ଏହି କଳାକୃତିଗୁଡ଼ିକୁ ଲକ୍ଷ୍ୟ କରି “ଅସ୍ଥାୟୀ ବା ସାମୟିକ ଚିତ୍ରକଳା” ବୋଲି ଆଖ୍ୟାନ କରି ଉଦାହରଣ ସ୍ୱରୂପ କହିଛନ୍ତି, ଯାହା ନିହାତି ଅବିଚାରିତ ଭାବରେ, ତରବରିଆ ଢଙ୍ଗରେ ଅଙ୍କା, ପରୀକ୍ଷାମୂଳକ ଭାବରେ କରାଯାଇଥିବା, ଅସମାପ୍ତ ଭଳି ଦେଖାଯାଏ । ୨୦୧୨ ମସିହାରୁ, ଆକ୍ରିଲିକ୍ ଏବଂ ସ୍ପ୍ରେ ପେଣ୍ଟରେ ନିର୍ମିତ ଗ୍ରାଫିଟି କାନ୍ଥ ଚିତ୍ର ଭଳି ପ୍ରତୀତ ହେଉଥିବା କାମଗୁଡ଼ିକ ମୁଖ୍ୟତଃ ବୃହତ ଆକାର ବିଶିଷ୍ଟ ଥିଲା, ଏହା ଲିଖିତ ନିର୍ଦ୍ଦେଶ ଆଧାରରେ ଏବଂ ତତ୍ସମନ୍ଧୀୟ ଚିତ୍ରାଙ୍କନଗୁଡ଼ିକ ପରସ୍ତ ଦିଆ ଜାପାନୀ କାଗଜମାନଙ୍କରେ ପ୍ରସ୍ତୁତ କରାଯାଇଥିଲା । “ସରଳ ଭାବରେ କହିବାକୁ ଗଲେ, ସୋରିୟାନୋ ଏପରି ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ଯିଏ ବସ୍ତୁ ତିଆରି କରନ୍ତି ନାହିଁ”, ବୋଲି କବି ତଥା କଳା ସମାଲୋଚକ ଜନ୍ ୟାଉ ଲେଖିଛନ୍ତି।

ସୋରିୟାନୋଙ୍କ କଳାକୃତି ମୂଳତଃ ଅଙ୍ଗଭଙ୍ଗୀପୂର୍ଣ୍ଣ (gestural) ଏବଂ ଜ୍ୟାମିତିକ, ଚିହ୍ନ ଓ ସ୍ୱରଲିପିର ଏକ ଗ୍ରାଫିକ ଅଭିଧାନ ଦ୍ୱାରା ପ୍ରଭାବିତ। ତାଙ୍କ କଳାକୃତି ତାଙ୍କ ପାରିପାର୍ଶ୍ୱିକ ଦୃଶ୍ୟ ଦ୍ୱାରା ଅନୁପ୍ରାଣିତ, ଉଦାହରଣ ସ୍ୱରୁପ: ତାଙ୍କ ମେନି ଷ୍ଟୁଡିଓ ସାମ୍ନାରେ ପ୍ରବାହିତ ଏକ ଜୁଆର ନଦୀ ବାଗଡ୍ୟୁସ୍ । ସେ ସ୍ୱିଜରଲ୍ୟାଣ୍ଡର ଉନବିଂଶ ଶତାବ୍ଦୀର ପ୍ରାକୃତିକ ଦୃଶ୍ୟ, ପ୍ରାଗୈତିହାସିକ ଗୁମ୍ଫା ଚିତ୍ର ଏବଂ ଉକିୟୋ-ଏ ପାଇଁ କାଗଜରେ ଅଙ୍କା ଜାପାନୀ ଚିତ୍ରାଙ୍କନ ଆଦି ଦ୍ୱାରା ଅନୁପ୍ରେରିତ ।

Leave a comment