ନିର୍ବୋଧଙ୍କ ଲାଗି ଏକ ଦିନ, ଏପ୍ରିଲ୍ ମାସର ପ୍ରଥମ ଦିବସ

ଇତିହାସ ଦୃଷ୍ଟିରୁ ଏପ୍ରିଲ ର ଏଇ ନିର୍ବୋଧ ମାନଙ୍କର ଦିବସର ସୃଷ୍ଟି ପ୍ରାୟତଃ ଫ୍ରାନ୍ସ ରୁ ଆରମ୍ଭ ହୋଇଥିଲା । ଆରମ୍ଭ ସମୟ ଷୋଡଶ ଶତାବ୍ଦୀ ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ପରେ । ଯେତେବେଳେ ଫ୍ରାନ୍ସରେ ପରିମାର୍ଜିତ ଗ୍ରେଗୋରିଆନ୍ କାଲେଣ୍ଡର ର ପ୍ରଚଳନ ଆରମ୍ଭ ହୋଇଥିଲା ଠିକ୍ ସେତିକି ବେଳେ ଏଇ ବିଚିତ୍ର ଘଟଣା ଘଟିବାରେ ଲାଗିଥିଲା । ଗ୍ରେଗୋରିଆନ ପାଂଜି ଚାଲିବା ଫଳରେ ନୂଆବର୍ଷ ଟି ମାର୍ଚ୍ଚ ମାସ ପଚିଶ ତାରିଖ ବଦଳରେ ଜାନୁଆରୀ ଏକ ତାରିଖ ହୋଇଗଲା ।

ଏବେ ମୋର ବହୁତ ଡର ଏଇ 'ଟେଲ୍ ମି ହ୍ୱାଇ' ଭଳି ଲେଖା ଯାଉଥିବା ବହି-ଶୃଂଖଳାକ ତୁମେ ଯାହା କହିବାକୁ ଚାହୁଁଚ ଆଉ ଯାହା ବୁଝିବାକୁ ଚାହୁଁଚ ତାହାର ସବୁଠାରୁ ସରଳ ଆଉ ସମସ୍ତଙ୍କର ବୁଝିପାରିବା ଭଳି ପୂଣ୍ଣ ଶୁଦ୍ଧ ରୂପଟି ହେଉଛି ଏଇ ଭଳି ଲେଖା । ଆଇନଷ୍ଟାଇନ୍ କହିଥିଲେ, ଯଦି ତମେ ପୃଥିବୀର ଜଟିଳତମ ତତ୍ତ୍ୱଟିକୁ ଗୋଟିଏ ପଂଚମଶ୍ରେଣୀ ପିଲାକୁ ବୁଝାଇ ପାରୁନାହଁ ତେବେ ଧରିନେବାକୁ ହେବ ଯେ ତମେ ନିଜେ ସେଇ ତତ୍ତ୍ୱଟିକୁ ଠିକ୍ ରେ ବୁଝିପାରିନାହଁ । ଏଇ କଥାକୁ ଲେଖିଦେଲି ବୋଲି ଯେ ମୁଁ ସବୁକଥାକୁ ଠିକ୍ ରେ ବୁଝି ନେଇଛି ଆଉ ଲେଖି ଦେଉଛି ତାହା ସତ ବୋଲି ବିଚାରିବା ଠିକ୍ ନୁହଁ । "ଭୀମ ବଳ କୋଏନ୍ତାଙ୍କୁ ଜଣା" ପରି ଆମ ସମସ୍ତଙ୍କର ବଳ ଆମ ସମସ୍ତଙ୍କୁ ଗୋଚର ।

ପୃଥିବୀ ସାରା ଭର୍ତ୍ତି ଜଟିଳ ମଣିଷ । ସରଳ ମଣିଷକୁ ତେଣୁ ଡାୟୋଜେନିସ୍ ଙ୍କ ଭଳି ଖୋଜିବାକୁ ପଡିବ । ସେହି ସରଳ ମଣିଷ ମାନେ ହିଁ ଆମର ପ୍ରଜ୍ଞା କୁ ବିକଶିତ କରିଥାନ୍ତି ।

ଆମେ ଯାହା ଲେଖୁଛୁ ତାହାକୁ ଯେତେ କୁଟିକମ କରି ସଜାଡି ଭବିଷ୍ଯତ ପାଇଁ ରଖିଲେବି ତାହାର ନିୟତି ହେଉଛି, ବ୍ୟବହାର କର ଆଉ ପରିତ୍ୟାଗ କର । ୟୁଜ୍ ଆଣ୍ଡ ଥ୍ରୋ । ମୁଁ ପୃଥିବୀର ଜଣେ ପ୍ରସିଦ୍ଧ ଓ ସଶକ୍ତ କଥାକାରଙ୍କ ନାଁ ନେବି ଯାହାଙ୍କର କାହାଣୀକୁ ଆପଣମାନେ ଫୋପାଡିବା ତ ଦୂରର କଥା ନିଜଠାରୁ ଘଡିଏ ଅନ୍ତର ହେବାକୁ ବି ଦେବେ ନାହିଁ । ସେ ହେଉଛନ୍ତି ରାମକୃଷ୍ଣ ପରମହଂସ ଓ ତାଙ୍କର କାହାଣୀ ର ନାଁ ହେଉଛି "ରାମକୃଷ୍ଣ କଥାମୃତ"।

ନିଜ କଥାକୁ ଅମୃତ କରିପାରିବାର ଦକ୍ଷତା ସେହି ବ୍ୟକ୍ତି ପାଖରେ ଥାଏ  ଯିଏ ସରଳ । ଈର୍ଷା କଲାଭଳି ସରଳ ।

ଟେଲ୍ ମି ହ୍ୱାଇ ରେ ସରଳତା ଜୟଯାତ୍ରା । ଆମ ପାଖରେ ସେମିତି ଦକ୍ଷତା ନଥିବାରୁ ଆମେ ସରଳକୁ ସେମିତି ସରଳ କରିପାରୁନାହୁଁ । ସରଳ କୁ ଜଟିଳ କରିବାରେ ଆମର ସଚରାଚର ପଳାୟନ ଓ ଆନନ୍ଦ । ଆମେ ଗୋଟିଏ କଥା କୁ ସତର୍କ ଥାଉ। କାଳେ ଆମକୁ କିଏ ଅତିସରଳୀକରଣ ଦୋଷରେ ଦୋଷୀ କରିଦେବ, କହିଦେବ ଏଇ ଲେଖାରେ ତତ୍ତ୍ୱ କାହିଁ ? ସେଇଥିପାଇଁ ବିଶିଷ୍ଟ ଲେଖା ଲେଖିବାକୁ ହେଲେ ନିଜ ଲେଖାରେ ଟିକିଏ "ଗୁଁ" ପୂରେଇବାକୁ ପଡେ ।

ଏତେ କଥା ଆଜି କାହିଁକି ?ଏତେ ସରଳ ସରଳ ରଟନା ହେଉଛି କ'ଣ ନିଜ ଅପାରଗତାକୁ ଲୁଚାଇବା ପାଇଁ  ?

ଆଜି ଏପ୍ରିଲ୍ ମାସ ର ପ୍ରଥମ ଦିନ । ଏହାକୁ ଏପ୍ରିଲ୍ ର ନିର୍ବୋଧ ମାନଙ୍କ ଦିନ ବୋଲି କୁହାଯାଏ । ସମସ୍ତେ ଆଜି ଦିନରେ ଥଟ୍ଟା ମଜା କରନ୍ତି । ଆଜି ସାମାଜିକ ଗଣମାଧ୍ୟମ ରେ ମଜା କଥାର ଫୁଆରା ଛୁଟେ । ସବୁ ମଜାକଥାର ରସାୟନ ହେଉଛି କହିବାର ଭାଷା ଓ ଭଂଗୀକୁ ବାଦ୍ ଦେଇ ଉପସ୍ଥିତ ହେଉଥିବା ଦୁଇଟି ଚରିତ୍ର, ଗୋଟିଏ ବୁଦ୍ଧିମାନ ଯିଏ ମଜା କଥାର କର୍ତ୍ତା ଓ କଥକ ଏବଂ ଅନ୍ୟଟି ନିର୍ବୋଧ ଯିଏ ମଜାକଥାଟିର କାରଣ ଓ ବାହକ । ଏହି ଦୁଇ "ଗୁପୀ ଗାଏନ୍ ଆଉ ବାଘା ବାଏନ୍" ଙ୍କୁ ନେଇ ଆମକୁ ମଜାକଥାର ହୀରକ ରାଜାର ଦେଶକୁ ଯିବାକୁ ହେଉଥାଏ ।

ମଜାକଥାର ଏଇ ଦୁଇ ଚରିତ୍ର ବୁଦ୍ଧିମାନ ଓ ନିର୍ବୋଧ କହିବାକୁ ଗଲେ ସମସ୍ତ ସରଳତାର ପ୍ରତିଭୂ । ସେମାନଙ୍କର ଉଦ୍ଦେଶ୍ୟ ଆନନ୍ଦ ବିତରଣ । ସେହିଦୃଷ୍ଟିରୁ ଆଜି ଏପ୍ରିଲ୍ ମାସର ପ୍ରଥମ ଦିନ, ସରଳତାର ଜୟଗାନର ଦିନ ଓ ଆନନ୍ଦର ଦିନ ।

ଏପ୍ରିଲ୍ ମାସର ପ୍ରଥମ ଦିନର ସରଳତା ଆଉ ଆନନ୍ଦର ଯାତ୍ରା ପୁରାଣରୁ ଇତିହାସ ଯାଏଁ ବିସ୍ତୃତ ।

ପୁରାଣରେ କିଛି ନିର୍ବୋଧ ସୁଲଭ କାର୍ଯ୍ଯକଳାପ କୁ ଏପ୍ରିଲ୍ ମାସର ପ୍ରଥମ ଦିନର ନିର୍ବୋଧ ମାନଙ୍କ ସହ ଯୋଡାଯାଇଅଛି । ଏଇ ତାଲିକାରେ ପ୍ରଥମେ ଆସିବେ "ନୋଆ"। ନୋଆ ଈଶ୍ବରଙ୍କ ପ୍ରିୟପାତ୍ର । ଈଶ୍ବରଙ୍କର ଆଦେଶରେ ମହାପ୍ରଳୟରୁ ସମସ୍ତ ସ୍ଥାବର ଜଙ୍ଗମ ମାନଙ୍କୁ ସୁରକ୍ଷିତ କରି ପ୍ରଳୟୋପରାନ୍ତ ପୃଥ୍ୱୀର ନୂତନ ସୃଜନ କରିବା ଉଦ୍ଦେଶ୍ଯ ରେ ସେ ଏକ ସୁବୃହତ ନୌକା ନିର୍ମାଣ କରିଥିଲେ । ଆମେ ନିଜ ଘରେ ବିହନ ଯତ୍ନରେ ରଖିବା ଭଳି ପରବର୍ତ୍ତୀ ପୃଥ୍ୱୀର ସମସ୍ତ ସୃଜକ ମାନେ ତାହା ଭିତରେ ସୁରକ୍ଷିତ ରହି ମହାପ୍ରଳୟକୁ ଅତିକ୍ରମ କରୁଥିଲେ । ସେଇ ବିଖ୍ୟାତ ନୌକା-ନିର୍ମାଣକାରୀ ନୋଆ ମହାପ୍ରଳୟ ସମୟରେ ଗୋଟିଏ ମଜାକଥା ଭଳି ନିର୍ବୋଧ କାମ କରିଥିଲେ । ନୌକାରୁ ଗୋଟିଏ କପୋତକୁ ଉଡାଇଦେଇଥିଲେ । ସେତେବେଳେ ମହାପ୍ରଳୟ, ଚାରିଆଡେ ଜଳ ଆଉ ଜଳ । କପୋତଟି ଭୂମୀଖଣ୍ଡେ ପାଇବ କେଉଁଠୁ ?  ସେ ଶେଷରେ ଫେରି ଆସିଥିଲା ନୌକାକୁ।

ନୋଆଙ୍କ ନିର୍ବୋଧ ସୁଲଭ ଏଇ ହସ କଥାର ଏକ ମାତ୍ର ପ୍ରାପକ ହେଉଛନ୍ତି ସ୍ୱୟଂ ଈଶ୍ବର । ଆମକୁ ହସ ମାଡୁ ବା ନମାଡୁ ଈଶ୍ବର ହସି ପାରନ୍ତି ବୋଲି ଆମର ବିଶ୍ବାସ ।

ପରବର୍ତ୍ତୀ ଦୈବିକ ନିର୍ବୋଧତା ହେଉଛି ରୋମାନ ମାନଙ୍କର କୃଷିର ଦେବୀ ସେରେସ୍ ଙ୍କୁ ନେଇ । ସେରେସ୍ ଙ୍କ କନ୍ୟା ଙ୍କୁ ପାତାଳର ଦେବତା ପ୍ଲୁଟୋ ଅପହରଣ କରି ନେଇଥିଲେ । ନିଜ କନ୍ୟାକୁ ଖୋଜି ବାହାର କରିବା ପାଇଁ ସେରେସ୍ ପାତାଳକୁ ଯାତ୍ରା କରିଥିଲେ । ପାତାଳଜଗତକୁ କୃଷିର ଦେବୀଙ୍କ ପ୍ରବେଶ ଏକ ପ୍ରକାର ନିର୍ବୋଧତା । ଏହା ଏପ୍ରିଲ୍ ର ମଜାକଥା ସହିତ ବି ଯୋଡି ହୋଇଗଲା ।

ଏହା ବ୍ୟତୀତ ଯୀଶୁଙ୍କର କୃତ୍ରିମ-ବିଚାର କରାଯାଇ ତାହାକୁ ଏକ ପ୍ରହସନ ରୂପରେ ଖ୍ରୀଷ୍ଟିଆନ୍ ଜଗତରେ ଦେଖାଯାଉଥିଲା ଏଇ ସମୟରେ । ଯୀଶୁଙ୍କ ଯନ୍ତ୍ରଣାଦାୟକ ମୂହୁର୍ତ୍ତ ସମସ୍ତଙ୍କର ହୃଦୟରେ ଭକ୍ତିର ଆସ୍ଥାନ ନିର୍ମାଣ କରିବାରେ ସହାୟକ ହେଉଥିଲା ।

ଇତିହାସ ଦୃଷ୍ଟିରୁ ଏପ୍ରିଲ ର ଏଇ ନିର୍ବୋଧ ମାନଙ୍କର ଦିବସର ସୃଷ୍ଟି ପ୍ରାୟତଃ ଫ୍ରାନ୍ସ ରୁ ଆରମ୍ଭ ହୋଇଥିଲା । ଆରମ୍ଭ ସମୟ ଷୋଡଶ ଶତାବ୍ଦୀ ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ପରେ । ଯେତେବେଳେ ଫ୍ରାନ୍ସରେ ପରିମାର୍ଜିତ ଗ୍ରେଗୋରିଆନ୍ କାଲେଣ୍ଡର ର ପ୍ରଚଳନ ଆରମ୍ଭ ହୋଇଥିଲା ଠିକ୍ ସେତିକି ବେଳେ ଏଇ ବିଚିତ୍ର ଘଟଣା ଘଟିବାରେ ଲାଗିଥିଲା। ଗ୍ରେଗୋରିଆନ ପାଂଜି ଚାଲିବା ଫଳରେ ନୂଆବର୍ଷ ଟି ମାର୍ଚ୍ଚ ମାସ ପଚିଶ ତାରିଖ ବଦଳରେ ଜାନୁଆରୀ ଏକ ତାରିଖ ହୋଇଗଲା। ଉଦାହାରଣ ସ୍ୱରୂପ  ଯଦି ଜଣକୁ କୁହାଯିବ ଯେ ଆସନ୍ତାକାଲି ଡ଼ିସେମ୍ବର ଛଅ ତାରିଖ ଆଉ ସେଇ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଚାଲିବ ତେବେ ପ୍ରଥମେ ସମସ୍ତଙ୍କୁ ତାରିଖ ଆଉ ଘଟଣା ମନେ ରଖିବାରେ ଅସୁବିଧା ନିଶ୍ଚୟ ହେବ । ଠିକ୍ ମାର୍ଚ୍ଚ ମାସ ପଚିଶ ତାରିଖକୁ ଜାନୁଆରୀ ମାସ ଏକ ତାରିଖ ବୋଲି ମାନିନେବାର ସ୍ୱାଭାବିକତା ସେତେବେଳେ ନଥିଲା ଫ୍ରାନ୍ସ ରେ ।

ଫ୍ରାନ୍ସର ସେହି କାଲେଣ୍ଡର ପରିବର୍ତ୍ତନ ଜନୀତ ଅସୁବିଧା ଅନେକ ମଜାକଥାର ଜନ୍ମ ଦେଲା । ଭୁଲବଶତଃ କେହି କେହି ମାର୍ଚ୍ଚ ପଚିଶ ଦିନ ବି ନବବର୍ଷ ପାଳନର ଆୟୋଜନ କରି ହାସ୍ୟାସ୍ପଦ ହେଉଥିଲେ । ସେମାନଙ୍କୁ "ଏପ୍ରିଲ୍ ର ମାଛ" ବା ପୁଆସଁ ଦି ଆଭ୍ରିଲ୍ (poissons d'Avril) ବୋଲି କୁହାଯାଉଥିଲା । କାରଣ ମାଛଟିଏ ହେଉଛି ନିର୍ବୋଧ । ସେ ଅତି ସହଜରେ ବୁଦ୍ଧିମାନ ଲୋକର ଥୋପରେ ପଡିଥାଏ ।

କଥାରେ ଅଛି, ଫ୍ରାନ୍ସ ଛିଙ୍କିଲେ ସମଗ୍ର ଇଉରୋପକୁ ଜ୍ୱର ହୋଇଯାଏ । ଫ୍ରାନ୍ସରୁ ଏପ୍ରିଲ୍ ର ନିର୍ବୋଧ ମାନେ ଇଂଲିଶ ଚାନେଲ୍ ଅତିକ୍ରମ କରି ଇଉରୋପକୁ ଏକ ଚଳଣୀ ହିସାବରେ ପହଂଚିବାକୁ ପାଖାପାଖି ଦୁଇଶହ ବର୍ଷ ଲାଗିଗଲା । ଅର୍ଥାତ ପ୍ରାୟ ଅଷ୍ଟାଦଶ ଶତାବ୍ଦୀ ବେଳକୁ ସମଗ୍ର ଇଉରୋପରେ ଏପ୍ରିଲ ପ୍ରଥମର ନିର୍ବୋଧ ମାନେ ପହଂଚି ସାରିଥିଲେ।ଇଉରୋପରୁ ସେମାନେ ବିଶ୍ୱମୟ ହୋଇଗଲେ ।

ଇଉରୋପରେ ସେମାନେ ଆଉ ଏପ୍ରିଲ୍ ର ନିର୍ବୋଧ ନଥିଲେ । ସେମାନେ ଏବେ ପୂରା ନିର୍ବୋଧ ଦିନଟିକୁ କୁହାଗଲା ଏବେ, ଅଲ୍ ଫୁଲ୍ସ ଡେ।

ଏପ୍ରିଲ୍ ର ଏହି ପ୍ରଥମ ଦିନର ନିର୍ବୋଧ ଙ୍କ ମାର୍ଫତରେ ଆମେ ସରଳତା ଓ ଆନନ୍ଦର ଜୟଗାନ କରିବା । ଏଇ ଦିନଟି ଆମକୁ ବିନମ୍ରତାର ସହ ବଂଚିବାକୁ ଶିକ୍ଷା ଦେଉଛି ।

ନିର୍ବୋଧ ବୋଲି ଆମେ ଯାହାକୁ କହୁ ସେ ପ୍ରକୃତରେ ବିନୟୀ । ଆବଶ୍ଯକତା ଠାରୁ ଅଧିକ ପରିମାଣରେ ବିନୟୀ ।

ଗ୍ରୀକ୍ ମାନଙ୍କର ବିଶ୍ୱାସ ଅନୁସାରେ ଏପ୍ରିଲ ର ସୃଷ୍ଟି 

ଲାଟିନ୍ ଶବ୍ଦ "ଏପେରିରେ" ରୁ ଯାହାର ଅର୍ଥ ହେଉଛି ବସନ୍ତର ପ୍ରବେଶ ।

ଏପ୍ରିଲ୍ ଏକ ନିଷ୍ଠୁରତମ ମାସ ବୋଲି କବିବାଣୀ ବିଶ୍ୱ ପ୍ରସିଦ୍ଧ ହୋଇଥିବା ବେଳେ ଆମ କବି ଗୁରୁପ୍ରସାଦ ଏହି ସମାନ ଏପ୍ରିଲ୍ ରେ ମେଘର ସଂଭାବନା ଆଉ "ଏ ବର୍ଷାରେ ଆଶା ଅଛି ଆଶ୍ୱାସନା ଅଛି" ବୋଲି ସୁନ୍ଦର ଧାଡିଟିଏ ଉପହାର ଦେଇଛନ୍ତି।

ଆଶା ଆଉ ଆଶ୍ୱାସନାକୁ ନେଇ ଆମେ ଆମର ଛୋଟ ଛୋଟ ପାଦରେ ଆଗେଇ ଚାଲିଛୁ ଏକ ବୃହତ ପଦପାତର ସ୍ୱପ୍ନ ସହ।

ବସନ୍ତ ପ୍ରବେଶର ଏଇ ଆନନ୍ଦମୟ ମୁହୂର୍ତ୍ତ ରେ 

କଳାବିଦ୍ୟାର ଚରମ ଉତ୍କର୍ଷ ର ରାଜ୍ୟ ଉତ୍କଳର ଅଧିବାସୀ, ସାହସ ଶୌର୍ଯ୍ୟ ର ପ୍ରତିରୂପ କଳିଙ୍ଗବାସୀ ତଥା ସମସ୍ତ ପ୍ରକାର ଧର୍ମ ଜାତି ଏବଂ ବୈଷମ୍ଯ ତଥା ସମସ୍ତ ପ୍ରକାର ର ବିଭେଦର ଉର୍ଦ୍ଧ୍ବ ରେ ସହାବସ୍ଥାନ କରୁଥିବା ଏକ ଉଜ୍ଜ୍ୱଳ ଏକକ ଓଡିଶାର ଅଧିବାସୀ ହିସାବରେ ମୋର ଗର୍ବ ଆଉ ଆନନ୍ଦ ମୋଭଳି ଅନ୍ୟ ସମସ୍ତଙ୍କର ସହିତ ଭାଗ କରି ନେଉଛି ।

ଆଜି ଦିନଟି ମୋର । ମୋ ରାଜ୍ୟର । ମୋ ପାଇଁ ଆଜି ସବୁ ସଂଗୀତ ସବୁଜ ସଂଗୀତ।

ମୋ ମୁଣ୍ଡରେ ଓଡିଆର ସ୍ୱରୂପଟିଏ ଆଗ ବସା ବାଂଧିଲେ ସିନା ମୁଁ ଚାରିଆଡେ ଓଡିଶା କୁ ଦେଖି ପାରିବି । ସେଇଥିପାଇଁ ଯୋଗକୁ ଆଜିଭଳି ଦିନରେ ବହୁ ଆଗରୁ ଜନ୍ମିଥିଲେ ଜଣେ ମହାନ ଦାର୍ଶନିକ । ସେ ଯାହା କହିଥିଲେ ତାହାକୁ ସରଳ ଭାବରେ କହିଲେ ତାହା ଏମିତି ହେବ:

ମୁଁ ଭାବିଲି ବୋଲି ଦେଖିପାରିଲି ମୁଁ।ଆଇ ଥିଙ୍କ୍ ଦେଆରଫୋର୍ ଆଇ ଆମ୍ ।

ସେହି ଦାର୍ଶନିକ ଜଣକ ଅବିକଳ କହିଛନ୍ତି, ମୁଁ ପ୍ରଶ୍ନ (ସଂଦେହ) କରେ ,ସେଇଥିପାଇଁ ଚିନ୍ତା କରେ, ମୋ ଚିନ୍ତନ ହିଁ ମୋର ଅସ୍ତିତ୍ୱ।

ସେ ରେନେ ଡେକାର୍ତ୍ତେ।

ତାଙ୍କର ଜନ୍ମଦିନ ସହିତ ଆମ ନିଜ ଦିନଟିର ସଂଯୋଗର ପ୍ରତୀକାତ୍ମକତାକୁ ନିଜ ବାଟରେ ବୁଝିବାକୁ ଆମେ ଚେଷ୍ଟା କରିବା ଉଚିତ।

ବଂଦେ ଉତ୍କଳ ଜନନୀ।

(ଆଜିର ଶେଷରେ ବଂଧନୀ ଟିଏ । ଏହି ବନ୍ଧନୀରେ କୌଣସି ସୁଖର କଥା ନାହିଁ ।

ଆଉ ଏକ ବିଶ୍ବାସ ଅନୁସାରେ ଏପ୍ରିଲ୍ ମାସ ଟିର ନାମକରଣ ହୋଇଛି ଜଣେ ଦେବୀଙ୍କର ନାଁ ଅନୁସାରେ । ସେ ଦେବୀ ହେଉଛନ୍ତି ଏପ୍ରିଲିସ୍ ।

ଏପ୍ରିଲିସ୍ ହେଉଛନ୍ତି ରୋମାନ ମାନଙ୍କର ଦୁର୍ଭାଗ୍ଯ ର ଦେବୀ ।

ଆମର ସମସ୍ତ ଦୁର୍ଭାଗ୍ୟର ଦେବୀ ମାନେ ବନ୍ଧନୀ ଭିତରେ ରହିଥାନ୍ତୁ ସବୁଦିନ।)


Leave a comment