ବିକଳ୍ପ ଶିକ୍ଷାର କେନ୍ଦ୍ର - ଆରୋହୀ

ଆମେ ହୁଏତ ଏହାକୁ ଗୋଟିଏ ବିଦ୍ୟାଳୟ ବୋଲି କହିବା । କିନ୍ତୁ ସେଠାକାର ସମସ୍ତଙ୍କ ପାଇଁ ସେଇଟା ତାଙ୍କର ଜୀବନ, ତାଙ୍କ ବଞ୍ଚିବାର ଜାଗା, ଶିଖିବାର ଜାଗା, ନିଜକୁ ଚିହ୍ନିବାର ଜାଗା, ଆଗକୁ ଯିବାର ଜାଗା । ତେଣୁ ନାଁ ତା’ର ‘ଆରୋହୀ’ ।

ବାଙ୍ଗାଲୋରଠାରୁ ସତୁରୀ କିଲୋମିଟର ଦୂର ତାମିଲନାଡୁର କେଲାମଙ୍ଗଲମ ଗାଁରେ ଯାଇ ପହଞ୍ଚିଲା ବେଳକୁ ସକାଳ ନଅ । ମେଘ ଭର୍ତ୍ତି ଗୁମ୍ସୁମ୍ ଆକାଶ । ଷାଠିଏ, ସତୁରୀ ବେଗରେ ବହୁଥିବା ପବନର ସ୍ତର ସବୁ ଛୁଇଁଛୁଇଁ ଆମେ ପହଞ୍ଚିଲୁ ସେଠି । ବୁଦୁବୁଦିଆ ଜଙ୍ଗଲ ଭର୍ତ୍ତିଥିବା ଗୋଟେ ପାହାଡ଼ ଉପରେ ପାଞ୍ଚ ଏକର ଜାଗା ଘେରାଯାଇଥିବା ଗୋଟିଏ ପରିସର । ଉପରକୁ ଚଢ଼ୁଚଢ଼ୁ ଆଖିରେ ପଡ଼ିଲା ଆମେ ନିତି ଫିଙ୍ଗି ଦେଉଥିବା ଜରି ଓ କୋଲଡ୍ରିଙ୍କସ୍ ପିଇ ନଷ୍ଟ କରୁଥିବା ଖୋଳଗୁଡ଼ିକ ପୁନର୍ବ୍ୟବହାର ହୋଇ ତିଆରି ହୋଇଥିବା ଆଜବେଷ୍ଟର ଘରଟିଏ । ଘରଯାକର କାନ୍ଥରେ ଭରି ରହିଥିଲା ପିଲାଙ୍କର ହାତ ଅଙ୍କା ଛବି ସବୁ । ଚାରି ଆଡ଼କୁ ଦେଖୁଦେଖୁ ପୁଣି ପାହାଡ଼ରେ ଉଠିଚାଲିଲୁ ଶାଳ ଗଛର ଛାଇ ତଳେତଳେ । ଗଛମାନଙ୍କ ଫାଙ୍କରେ ଦିଶୁଥାଏ ଦୋତାଲା ଘରଟିଏ । ପାଖରେ ପହଞ୍ଚି ଦେଖିଲୁ ଆମେ ଫିଙ୍ଗି ଦେଉଥିବା କାଚ ବୋତଲ ସବୁକୁ ସଂଗ୍ରହ କରି ବ୍ୟବହାର କରାଯାଇଛି ଅନେକ ଜାଗାରେ । କାରଣ କ’ଣ ବୁଝି ପାରିଲୁନି । ଭିତରେ ଯାଇ କୌଣସି ସ୍ଥାନରେ ଫ୍ୟାନ୍ ନ ଥିବା ଦେଖି ବୁଝିଗଲୁ ଯେ ଘରଟି ଥଣ୍ଡା ରହିବା ପାଇଁ ଏକ ଭିନ୍ନ ଶୈଳୀରେ ତିଆରି ହୋଇଛି । ମୋଟା ମୋଟା କାଚ ବୋତଲକୁ ପାରେଇ ଆଲୁଅର ରଙ୍ଗୀନ ଛିଟା ସାଙ୍ଗକୁ କାଚର ମୁହଁ ଦେଇ ବାହାରି ଯାଉଥିବା ପବନର ମଧୁର ମୂର୍ଚ୍ଛନା ଶୁଣାଯାଉଥାଏ । ଆମ ସହ ଟ୍ରେନରେ ଆସିଥିବା (ପ୍ରତି ସୋମବାର ବାଙ୍ଗାଲୋରରୁ କିଛି ପିଲା ଆସନ୍ତି ଓ ଶନିବାର ଦିନ ଫେରନ୍ତି) ପିଲାମାନେ ନିଜ ନିଜ ଜାଗାକୁ ଚାଲିଗଲେ । ସେଠାରେ ଆଗରୁ ଥିବା ଆହୁରି କିଛି ସାଙ୍ଗପିଲାମାନଙ୍କୁ ପାଇଯାଇ ଗପରେ ମାତିଗଲେ । ଆମେ ହୁଏତ ଏହାକୁ ଗୋଟିଏ ବିଦ୍ୟାଳୟ ବୋଲି କହିବା । କିନ୍ତୁ ସେଠାକାର ସମସ୍ତଙ୍କ ପାଇଁ ସେଇଟା ତାଙ୍କର ଜୀବନ, ତାଙ୍କ ବଞ୍ଚିବାର ଜାଗା, ଶିଖିବାର ଜାଗା, ନିଜକୁ ଚିହ୍ନିବାର ଜାଗା, ଆଗକୁ ଯିବାର ଜାଗା । ତେଣୁ ନାଁ ତା’ର ‘ଆରୋହୀ ’।

ଦଶ ମିନିଟ୍ ଭିତରେ ଗପସପ ସାରି ବ୍ୟାଗ୍ରୁ ଖାତା ଗୋଟିଏ ଗୋଟିଏ ଧରି ପିଲା ସବୁ ଆସି ଏକାଠି ହୋଇଗଲେ ଗୋଟିଏ ଖାଲି ଜାଗାରେ । କୋଡ଼ିଏ ଜଣ ପିଲା, ତିନି ଜଣ ସାହାଯ୍ୟକାରୀ, ଦୁଇ ଜଣ ଅଭିଭାବକ, ଜର୍ମାନୀର ବର୍ଲିନ୍ରୁ ଏଠାକାର ମୁକ୍ତ ପ୍ରଗତିଶୀଳ ଶିକ୍ଷାର ଅନୁଭୂତି ନେବାକୁ ଆସିଥିବା ଡିର୍କ, ଜୋ ଓ ତାଙ୍କର ପୁଅ, ଝିଅ (ବର୍ଲିନର ଫ୍ରି ସ୍କୁଲ୍ ଯାଉଥିବା) ସାଙ୍ଗକୁ ମୁଁ ଓ ମୋର ସାନ ଭାଇ କୁନି । ସମସ୍ତେ ସପ ପକାଇ ବସିଗଲୁ । ସେଦିନର ବୈଠକକୁ ପରିଚାଳନା କଲା ଛଅ ବର୍ଷର କୁନି ଝିଅଟିଏ । କଳାପଟାରେ ଲେଖିବାକୁ ଥିବା କଥାଗୁଡ଼ିକୁ ଲେଖିପକାଉଥାଏ ୧୦ ବର୍ଷର ପିଲାଟିଏ । ସେଇଟା ଥିଲା ତାଙ୍କର ‘ସାପ୍ତାହିକ ଯୋଜନା ସଭା’ । ଏଠାରେ ସମସ୍ତେ ସାଙ୍ଗରେ ବସି ସପ୍ତାହଟା ଯାକ ନିଜେ କ’ଣ, କେତେବେଳେ, କାହିଁକି, କେମିତି, କେତେ, କାହାଠୁ ଶିଖିବେ ବା କରିବେ ସେହି ବିଷୟରେ ନିଜ ନିଜ ଖାତାରେ ଲେଖିଲେ । ଲେଖି ସାରି ଆବଶ୍ୟକତା ଅନୁସାରେ ପରସ୍ପର ଠାରୁ (ଯଦି କାହା ସହଯୋଗର ଆବଶ୍ୟକତା ଥାଏ କିଛି ଜାଣିବା ଲାଗି) ସମୟ ନେଇ ବାହାରିଗଲେ ନିଜ କାମରେ । କିଏ ଇଣ୍ଟରନେଟ୍ରେ ନିଜ ପ୍ରବନ୍ଧ ଅପଲୋଡ଼ କଲା ତ କିଏ ବହି ପଢ଼ିଲା । କିଏ ହାତରେ କ୍ୟାମେରା ଓ କାନ୍ଧରେ ଟ୍ରାଇପଡ଼୍ ପକାଇ ଫଟୋଗ୍ରାଫି କରିବାକୁ ବାହାରିଗଲା ତ ଆଉ କିଏ କାନ୍ଧରେ ହାତ ତିଆରି ଜାଲ ମୁଣାଟେ ପକାଇ ଜଙ୍ଗଲରୁ ପ୍ରଜାପତି ଧରି ବୁଲିଲା । ଆଉ କେତେ ଜଣ ଦଳ ହୋଇ ବର୍ଲିନରୁ ଆସିଥିବା ଡିର୍କକୁ ଘେରି ବସିଗଲେ । କଥା କ’ଣ ବୁଝିଲା ବେଳକୁ ଜାଣିଲି ଅତିଥିମାନଙ୍କର ମଧ୍ୟ ଯଦି କୌଣସି ବିଷୟରେ ବିଶେଷ ଦକ୍ଷତା ଥାଏ ତେବେ ଯେଉଁ ଶିକ୍ଷାର୍ଥୀ (ପିଲା ବା ବଡ଼ମାନେ) ଚାହିଁବେ ତାହା ଶିଖିପାରିବେ । ଡିର୍କ କମିକ୍ ସ୍କ୍ରିପ୍ଟ ମେକିଙ୍ଗ୍ ରେ ଦକ୍ଷ ଥିଲା । ଅର୍ଥାତ୍ କିଛି ଗୋଟିଏ ବିଷୟକୁ ଉପସ୍ଥାପନା କରିବାକୁ ହାସ୍ୟକର ଚରିତ୍ରମାନଙ୍କର କଥା, ସେମାନଙ୍କର କାର୍ଟୁନ ଚିତ୍ରକୁ ନେଇ ଗପ ବା ନାଟକ ଲେଖିବା କଳାରେ ସେ ଥିଲା ସିଦ୍ଧହସ୍ତ । ତେଣୁ ପିଲାଏ ଓ ଅନୁଷ୍ଠାନର ପରିଚାଳକ ସଭିଏଁ ସେଇ କଳାଟିକୁ ଶିଖିବାକୁ ଘେରି ବସିଥିଲେ ତା ଚାରିପାଖେ । ଏହା ବ୍ୟତୀତ କିଏ ଇଣ୍ଟରନେଟ୍ରୁ ବିଭିନ୍ନ ପଶୁଡାକ୍ତର ଓ କ୍ଳିନିକ୍ର ଠିକଣା ଖୋଜି, ଫୋନ୍ କରି କୋକୋ (ସେଠାରେ ଥିବା ଗୋଟେ କୁକୁର) ର ନ୍ୟୁଟ୍ରିସନ୍ ପାଇଁ ଆବଶ୍ୟକୀୟ ତଥ୍ୟ ଜଣାଇ ଖର୍ଚ୍ଚବାଚ ବୁଝାବୁଝି କରି ସାକ୍ଷାତ୍ ପାଇଁ ସମୟ ନେଲା ତ’ କିଏ ଡୋମ୍ ହାଉସ୍ (ବର୍ତ୍ତୁଳାକାର ଛାତ ଥିବା ଘର ଯାହା କିଛି ବାଉଁଶ ଓ ତାୱା ପରି ଲୁହା ପ୍ଳେଟ ସାହାଯ୍ୟରେ ତିଆରି ହେଉଥିଲା) ପାଇଁ ଥିବା ପ୍ଲେଟ୍ ସବୁକୁ ବାଲି କାଗଜରେ ଘଷି ସଫା କଲା । କିଏ ଡାଇନିଂରୁ ବିସ୍କୁଟ, ଚକୋଲେଟ୍ ଆଦି ନେଇ ଆସି ଛୋଟିଆ ନିକିତିଟିରେ ପକାଇ ଓଜନ ମାପୁମାପୁ ସଂଖ୍ୟା ଓ ଓଜନ ଏକକ ଜାଣିବାର ପ୍ରୟାସ କଲା ତ କେହି ନିଜ ସାଙ୍ଗ ସହ ମିଶି ନାଟକଟିଏ ଲେଖି ତା’ର ଅଭିନୟର ଅଭ୍ୟାସ କଲେ । ଏମିତି ଆହୁରି ଅନେକ ପ୍ରୟାସ; ଏସବୁ ଚାଲିଲା ଦିନ ସାଢେ଼ ତିନିଟା ଯାଏ । ମଝିରେ ସାଢେ଼ ବାରଟାରେ କିଛି ସମୟ ଲାଗି ସମସ୍ତେ ଖାଇବାକୁ ଯାଇଥିଲୁ ଯାହା ।

ଏସବୁ ବାଦ୍ ଆରୋହୀରେ ଦିନସାରା ଅନେକ କାର୍ଯ୍ୟକ୍ରମ ଥାଏ ଯେଉଁଥିରେ ସମସ୍ତେ ଭାଗ ନିଅନ୍ତି। ଯେମିତିକି ସକାଳ ୬.୩୦ ରୁ ୭.୩୦ ପର୍ଯ୍ୟନ୍ତ ହେଉଥିବା ବ୍ୟାୟାମ ବା ଶରୀର ଚର୍ଚ୍ଚା । ବେଳଓଳି ୩.୩୦ ରୁ ୪.୧୫ ଯାଏଁ ହେଉଥିବା କମ୍ୟୁନିଟି ୱାର୍କ; ଯେଉଁଠି ପରିବେଶର ସମସ୍ତ କାର୍ଯ୍ୟକୁ ବିଭିନ୍ନ ଦଳରେ ଭାଗ ହୋଇ କରାଯାଏ । ଭିତରେ ରହୁଥିବା ଓ ପରିବେଶରେ ଉପସ୍ଥିତ ଥିବା ଅତିଥିମାନେ ମଧ୍ୟ ଏଥିରେ ସାମିଲ୍ ହୁଅନ୍ତି । ବେଳଓଳି ୪.୩୦ ରୁ ସନ୍ଧ୍ୟା ୬.୦୦ ଯାଏଁ କମ୍ୟୁନିଟି ସ୍ପୋର୍ଟସ୍ । ସନ୍ଧ୍ୟା ୬.୩୦ ରୁ  ୩.୦୦ ଯାଏ ସଙ୍ଗୀତ ଆସର। ରାତି ଖାଇବା ସାରି ୮.୩୦ ରୁ ୯.୦୦ ଟା ଯାଏ ଥଟ୍ କ୍ଲବ୍ ବା ଡିବେଟ୍ ବା ରିଫ୍ଲେକସନ୍ । ଏଥିରେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ (ପିଲା ନିର୍ବାଚିତ କରିଥିବା) ରେ ଆଲୋଚନା, ନ ହେଲେ ତର୍କ ବା ଦିନସାରା ହୋଇଥିବା କାର୍ଯ୍ୟର ପର୍ଯ୍ୟାଲୋଚନା ହୁଏ ।

ଦିନସାରା ପରିବେଶ କାମ ହେଉ କି ଖେଳ, ନାଚ ହେଉ କି ତର୍କ, ସମସ୍ତେ ଏକାଠି ଥାଆନ୍ତି । ବଡ଼-ସାନ, ପୁଅ-ଝିଅ, ଅଭିଭାବକ-ଅତିଥି, ଗାଇଡ୍-ପିଲା, ମ୍ୟାନେଜିଂ ଟ୍ରଷ୍ଟି ଓ ଟ୍ରଷ୍ଟ ମେମ୍ବର, ସମସ୍ତେ ଏକାଠି ରହିଥା’ନ୍ତି । ସେଦିନ ସନ୍ଧ୍ୟାର ସଙ୍ଗୀତ ଆସର ପାଇଁ ପିଲାଟିଏ ଡିର୍କ ଠାରୁ ବର୍ଲିନ୍ ର ଲୋକଗୀତ ଓ ମୋ ଠାରୁ ସମ୍ବଲପୁରୀ ଗୀତଟିଏ ସଂଗ୍ରହ କରି ନେଇଥାଏ । ସେହି ଗୀତଗୁଡ଼ିକର ଅର୍ଥ, ଆମର ଲୋକ ସଂସ୍କୃତି ବିଷୟରେ ଯାବତୀୟ ତଥ୍ୟ ଡିର୍କ ଓ ମୋ ଠାରୁ ବୁଝିବା ପରେ ଆରମ୍ଭ ହୋଇଗଲା ନାଚ । ସମସ୍ତେ ନାଚୁଥାଆନ୍ତି ତାଳରେ ତାଳ ମିଶାଇ । ଶିଖିବା ଲାଗି କି ଅପୂର୍ବ ଆଗ୍ରହ ପିଲାମାନଙ୍କର ! ବଡ଼ ମାନଙ୍କର ବି ।

ରାତି ସାଢେ଼ ଆଠଟାରେ ଛାତ ଉପରକୁ ଚାଲିଗଲୁ ସମସ୍ତେ ଥଟ୍ କ୍ଲବ୍ ପାଇଁ । ଜୋରରେ ବହୁଥିବା ପବନ ଆମକୁ ଠେଲି ଦେଉଥାଏ ବାରବାର । ଶୀତରେ ଥରାଇ ଦେଉଥାଏ । ତେଣୁ ସମସ୍ତେ କମ୍ବଳ ଅବା ମୋଟା ବେଡ଼ସିଟ୍ ଧରି ଯାଇଥାଆନ୍ତି । ମୁଁ ଏସବୁ କଥା ଜାଣି ନଥାଏ ବୋଲି ସାଙ୍ଗରେ ଘୋଡ଼େଇ ହେବା ଲାଗି କିଛି ବି ନେଇ ନଥିଲି । ମୋ ପାଖରେ ବସିଥିବା ପିଲାଟି ତା’ କମ୍ବଳଟିରୁ ଅଧା ମୋତେ ବଢେ଼ଇ ଦେଲା । ଏଗାର ବର୍ଷର ପିଲାଟିଏ ସେଦିନର ସାନ୍ଧ୍ୟ ଅଧିବେଶନଟିକୁ ପରିଚାଳନା କରୁଥାଏ । ବିଷୟବସ୍ତୁ ଥିଲା ‘ମୁଁ-ଆମେ’। ପିଲାଙ୍କ ଭିତରୁ କେହି ଜଣେ ନିଶ୍ଚୟ ସେଦିନର ସଜେସନ୍ ବୋର୍ଡ଼ରେ ଲେଖିଥିଲା ଏହି ବିଷୟଟିକୁ । ତେଣୁ ସେଦିନ ଦାୟିତ୍ୱରେ ଥିବା ପିଲାଟି ଅନେକ ବିଷୟ ଭିତରୁ ଏଇଟିକୁ ବାଛି ଆମକୁ ବୁଝାଇବାକୁ ଯାଇ କେତୋଟି ଖେଳ ଖେଳାଇଲା ତା’ର ଯୋଜନା ଅନୁସାରେ । ଦୁଇ ତିନୋଟି ଖେଳ ସରିବା ପରେ ଆମେ ଖେଳ ଭିତରେ ଅନୁଭବ କରିଥିବା ‘ଆମେ’ ର ଆବଶ୍ୟକତା, ଖୁସି ହେବାର ଅବସର, ଅଗ୍ରଗତିର ସମ୍ଭାବନା ଓ ‘ମୁଁ’ ର ଶୂନ୍ୟତା, ଅପାରଗତା, ଏକଲାପଣ ଏବଂ ଏଯାବତ୍ ଏସବୁକୁ ନେଇ ଥିବା ନିଜର ଅନୁଭୂତି ବିଷୟରେ ସଭିଏଁ କହିଲୁ । ଶେଷରେ ଦିନସାରାର ସମୀକ୍ଷା କରିବାକୁ ଯାଇ ଜଣଜଣ କରି ପରସ୍ପରକୁ କହିବାକୁ ଥିବା ମତାମତ, କ୍ଷମା, ଅଭିଯୋଗ ଓ ଧନ୍ୟବାଦକୁ ସୁନ୍ଦର ଢଙ୍ଗରେ ନୂଆ ରୂପରେ ଉପସ୍ଥାପନା କଲେ । ଦିନସାରାର ସମସ୍ୟା, ମତାନ୍ତର, ମାନ, ଅଭିମାନ, ଅଭିଯୋଗର ସମାପ୍ତି ଘଟିଲା ସେଇ ମୁହୂର୍ତ୍ତରେ । ସରିଗଲା ଗୋଟିଏ  ଦିନ । ଏଇ ଗୋଟିଏ ଦିନ ଭିତରେ ଶିକ୍ଷା (ବିକଳ୍ପ ଶିକ୍ଷା) ବିଷୟରେ ପଢ଼ିଥିବା ଯାବତୀୟ ବହିର ପ୍ରୟୋଗ ପୃଷ୍ଠାର ଚରିତ୍ର ଓ ପରିବେଶ ଯାହାସବୁ ମୁଁ ପଢ଼ିଥିବା ବେଳେ ଝାପ୍ସା ହୋଇ ମୋ କଳ୍ପନାରେ ଦିଶୁଥିଲେ ଓ ମୋତେ ଆଶ୍ଚର୍ଯ୍ୟ ଚକିତ କରୁଥିଲେ, ଏବେ ସତେ ଯେମିତି ସେମାନେ ମୋ ଆଖି ଆଗରେ ସତସତିଆ ରୂପ ନେଇଗଲେ ବୋଲି ଅନୁଭବ ହେଲା ।

ସେଠାକାର ରହଣୀ ଭିତରେ ଆମେ ତାଙ୍କର ରୋଷେଇ ପରିଚାଳକ ବା କିଚେନ୍ ମ୍ୟାନେଜର୍, ହିସାବରକ୍ଷକ ବା ଆକାଉଣ୍ଟାଣ୍ଟ ଏବଂ ପରିବେଶ ପରିଚାଳକ ବା କ୍ୟାମ୍ପସ୍ ମ୍ୟାନେଜର୍ କୁ ମଧ୍ୟ ଭେଟିଥିଲୁ । ସେମାନଙ୍କର ବୟସ ଯଥାକ୍ରମେ ୧୧, ୧୧ ଏବଂ ୧୩ । ଏମାନଙ୍କର ସବୁଦିନିଆ କାମ ସହ ଆହୁରି ଅନେକ ଦାୟିତ୍ୱ ମଧ୍ୟ ଥିଲା ।

ରୋଷେଇ ପରିଚାଳକର କାମ; ପନିପରିବା, ଫଳମୂଳ, ମସଲାସବୁ କ’ଣ କେଉଁଠୁ କିଣାଯିବ ? ସ୍ୱାସ୍ଥ୍ୟ ପାଇଁ କେତେ କ୍ୟାଲୋରୀ ଓ କେଉଁ ଭିଟାମିନ୍ ସବୁ ଦରକାର ? ଦିଆଯାଉଥିବା ଖାଦ୍ୟରୁ ଆବଶ୍ୟକ ଶକ୍ତି ସମସ୍ତେ ପାଉଛନ୍ତି କି ନାହିଁ ? କେଉଁ ଓଳି କେଉଁ କେଉଁ ତରକାରୀ ହେବ ଓ ତା’ର ପରିମାଣ କେତେ ରହିବ । ଏ ମାସ କେତେ ଟଙ୍କା ଖାଦ୍ୟରେ ଖର୍ଚ୍ଚ ହେବା ଦରକାର । ପରିବେଶରେ ଥିବା ଅତିଥି ଖାଇବେ କି ନାହିଁ, ଏମିତି ଯାବତୀୟ କଥା ।

ହିସାବରକ୍ଷକର କାମ; ମାସିକ /ବାର୍ଷିକ ପଇସା ସଂଗ୍ରହ ବା ଗ୍ରହଣ । କାହାକୁ କେତେ ଦରମା ଦିଆଯିବ ? କେଉଁ ବିଭାଗ ପାଇଁ କେତେ ବଜେଟ୍ ଦରକାର ବା ଦେଇହେବ ? ସଫ୍ଟୱେର୍, ଏକ୍ସେଲ ସିଟ୍ ଓ ଇଣ୍ଟରନେଟ୍ରେ ହିସାବ ଉଠାଇବାଠୁ ଆରମ୍ଭ କରି ଅଡ଼ିଟର୍ କୁ ହିସାବ ପତ୍ର ଦେଖାଇବା ଯାଏଁ ସବୁକଥା ।

ପରିବେଶ ପରିଚାଳକ ପରିବେଶରେ କି କି ଜିନିଷ ଦରକାର ? କେଉଁ ଜାଗାରେ ମରାମତି ହେବା ଦରକାର ? ଦିନ ମଜୁରିଆ ଡାକି କାମ କରେଇବା, ପଇସା ଦେବା ଇତ୍ୟାଦି କଥା ସବୁ ବୁଝେ ।

ସତରେ, ସବୁ କାମ ଏଇ ପିଲାମାନେ ହିଁ ବୁଝନ୍ତି । ତା’ର ଅର୍ଥ ନୁହେଁ ଯେ ନିଜ ଇଚ୍ଛାରେ ସେମାନେ କେବଳ ଯାହା ଇଚ୍ଛା ତାହା କରିଦିଅନ୍ତି । ସେମାନେ ପ୍ରଥମେ ନିଜ ଅନୁସାରେ ଗୋଟିଏ ଯୋଜନା ତିଆରି କରନ୍ତି ଏବଂ ପରେ ସମସ୍ତଙ୍କ ସହମତି ନେବା ପରେ ହିଁ ତାକୁ କାର୍ଯ୍ୟରେ ପରିଣତ କରନ୍ତି ।

ତାଙ୍କ ମତରେ ସାରା ପରିସରଟା ତାଙ୍କ ପାଇଁ ଗୋଟେ ରୋଷେଇଶାଳ, ରେଷ୍ଟୁରାଣ୍ଟ ନୁହେଁ ଯେ ଖାଦ୍ୟ ବରାଦ କଲେ କେହି ଜଣେ ଆସି ଖାଲି ପରୋଷି ଦେବ। ସେଠାରେ ରୋଷେଇଶାଳ ପରି ସବୁ ପ୍ରକାର ଜନିଷ ପତ୍ର ଓ ଯୋଗାଡ଼ଯନ୍ତ୍ରର ବ୍ୟବସ୍ଥା ରହିଛି । ଶିକ୍ଷାର୍ଥୀକୁ ନିଜ ଭୋକ ମେଣ୍ଟାଇବା ପାଇଁ ନିଜ ଧାରାରେ ପରୀକ୍ଷା ନିରୀକ୍ଷା କରି, ନୂଆ ବାଟ ବାହାର କରିବା ଭିତରେ ଶିଖିବା ସହିତ ନିଜ ପାଇଁ ରୋଷେଇ କରିବାକୁ ହୁଏ ।

ଏସବୁ ତ ଗଲା ଗୋଟିଏ ଦିନର କଥା ଓ ବ୍ୟବସ୍ଥା । ଏହା ବ୍ୟତୀତ ଆହୁରି ଅନେକ କଥା ରହିଛି । ଏଇ ଯେମିତି; ଆରୋହୀରେ ପାଞ୍ଚ ବର୍ଷରୁ ଏକୋଇଶ ବର୍ଷ ଯାଏଁ ପିଲା ରହିପାରିବାର ବ୍ୟବସ୍ଥା ରହିଛି । ଅତିଥି, ଅଭିଭାବକ ବା ବାହାରର ଶିକ୍ଷକ ଯେ କେହି ଚାହିଁଲେ ବି କିଛି ଦିନ, କିଛି ମାସ, ସପ୍ତାହ କି ବର୍ଷର ଅଭିଜ୍ଞତା ନେବା ପାଇଁ ସେଠାରେ ଯାଇ ରହିପାରିବେ । ଗୋଟିଏ ସ୍କୁଲ ଭାବେ ତାହା ଜଣାଶୁଣା ନୁହେଁ । କାରଣ, କୌଣସି ସରକାର, ଶିକ୍ଷା ବିଭାଗ ବା ବୋଡର଼୍ (ସି.ବି.ଏସ୍.ଇ, ଆଇ.ଜି.ସି,ଏସ୍.ଇ, ରାଜ୍ୟ) ଦ୍ୱାରା ତାହା ସ୍ୱୀକୃତି ପ୍ରାପ୍ତ ନୁହେଁ । ଏହା କେବଳ ଏକ ଶିଖିବାର ଜାଗା । ଯେଉଁଠି ସମସ୍ତେ ସାଙ୍ଗ ହୋଇ ଶିଖନ୍ତି ।

‘ଆରୋହୀ’ ନିଜସ୍ୱ ଟ୍ରଷ୍ଟ ଦ୍ୱାରା ପରିଚାଳିତ । ସେଠାରେ କୌଣସି ପାଠ୍ୟଖସଡ଼ା କି ପାଠ୍ୟକ୍ରମ ନାହିଁ । କାରଣ ପିଲାମାନେ କ’ଣ, କେତେ, କେତେବେଳେ, କେମିତି ଓ କାହାଠୁ ଶିଖିବାକୁ ଅଛି ଜାଣିଥା’ନ୍ତି ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ । ସେଠାରେ କେହି ଶିକ୍ଷାଦାତା ନାହାନ୍ତି । କାରଣ ବିଭିନ୍ନ ପରିସ୍ଥିତିରୁ ଓ ବିଭିନ୍ନ ଉତ୍ସରୁ କେମିତି ଶିଖିବାକୁ ହେବ ତାହା ପିଲା ନିଜେ ଜାଣିଛି ବୋଲି ସେମାନେ ବୁଝିଛନ୍ତି । ଆରୋହୀ ହୋମ୍ ସ୍କୁଲ୍ ନାଆଁରେ ଜଣାଶୁଣା । କାରଣ ସେମାନେ ଅଣଶିକ୍ଷା ରେ ବିଶ୍ୱାସ କରନ୍ତି । ଏବେ ଚାଲିଥିବା ଶ୍ରେଣୀଗୃହ ଶିକ୍ଷାର ଯେ ଜୀବନ ବଞ୍ଚିବା ପାଇଁ କୌଣସି ଆବଶ୍ୟକତା ନାହିଁ, ତାହା ସେମାନେ ପରୀକ୍ଷା କରି ଦେଖି ସାରିଛନ୍ତି। ତେଣୁ କେବଳ ପିଲା ନିଜେ ଆବଶ୍ୟକତା ଅନୁଭବ କରି ସହଯୋଗ ମାଗିଲେ ହିଁ ସହାୟତା ଯୋଗାଇଦେବା ପାଇଁ ସେଠାରେ ବଡ଼ମାନେ ଅଛନ୍ତି । ସେଠାରେ ବିଷୟ କି ବୟସର କୌଣସି ଶ୍ରେଣୀ ବିଭାଗ ନାହିଁ । କାରଣ “ପିଲାମାନେ ଯେତେବେଳେ ନିଜ ଠାରୁ ଓ ପରସ୍ପର ଠାରୁ ଶିଖି ପାରୁଛନ୍ତି, ସେତେବେଳେ ବୟସ ଅନୁସାରେ ତାଙ୍କୁ ପରସ୍ପର ଠାରୁ ଅଲଗା କରିବା ଦରକାର ନାହିଁ” ବୋଲି ସେମାନେ ଅନୁଭବ କରିଛନ୍ତି । ସେଠାରେ କୌଣସି ପରୀକ୍ଷା ନାହିଁ । କାରଣ “ପିଲାଙ୍କର ନିଜେ ନିଜକୁ ମୂଲ୍ୟାୟନ କରିବାର କ୍ଷମତା ଅଛି” ବୋଲି ସେମାନେ ଜାଣନ୍ତି । ଏତଦ୍ ବ୍ୟତୀତ “ବାହାରର ଫଳାଫଳ ଜାଣି ନିଜର ମୂଲ୍ୟ ସମାଜ ବଜାରରେ ତଉଲିବାକୁ ନୁହେଁ, ଶିଖିବାକୁ ଭଲ ପାଉଥିବାରୁ ହିଁ ଶିଖୁଛନ୍ତି” ବୋଲି ସେମାନେ ସ୍ଥିର ନିଶ୍ଚିତ । ସେଠାରେ ପ୍ରତି ମୁହୂର୍ତ୍ତରେ ଶିଖିବା ଲାଗିରହିଛି । କାରଣ “ପିଲାଏ ନିଜ ଜୀବନଠାରୁ ହିଁ ନିଜ ଜୀବନ ପାଇଁ ଶିଖିବାକୁ ଚାହାଁନ୍ତି ।” ସେଠାରେ ଶିଖିବାର ଧାରାକୁ ସହଜ ନ କରି ସବୁବେଳେ ଗୋଳମାଳିଆ କରାଯାଏ । କାରଣ, “ଖୋଜି ପାଇବାରେ ଯେ କେତେ ଆନନ୍ଦ ଥାଏ” ତାହା ସମସ୍ତେ ଅନୁଭବ କରିଛନ୍ତି । ସେମାନେ ତାଙ୍କର ଶିକ୍ଷାର ଫଳାଫଳ ଉପରେ ଗୋଟିଏ ନିଶ୍ଚିତ ପ୍ରତିଶ୍ରୁତି ଦିଅନ୍ତି । ତାହା ହେଉଛି “ଆତ୍ମ-ଆବିଷ୍କାର” ବା “ନିଜକୁ ଜାଣିବା”। ପିଲାର ସାମର୍ଥ୍ୟ ଓ ସମ୍ଭାବନାର ପରିପୂର୍ଣ୍ଣ ବିକାଶ ସହ ତା’ର ସମ୍ପୂର୍ଣ୍ଣ ଅଗ୍ରଗତି ଓ ସମ୍ପୂର୍ଣ୍ଣ ଜୀବନ ଆଡ଼କୁ “ଆତ୍ମ-ଆବିଷ୍କାର” ହିଁ ଆଗେଇ ନେବ ବୋଲି ସମସ୍ତଙ୍କ ଦୃଢ଼ ବିଶ୍ୱାସ, ଯାହା ତାଙ୍କୁ ସତକୁ ସତ ସେଇ ଦିଗକୁ ନେଇ ଯାଉଛି ।

‘ଆରୋହୀ’ରେ ସେମାନେ ଶିଖିବାର ବାଟକୁ ଆଗ୍ରହଦାୟକ କରିବାରେ ନିଜର ବୁଦ୍ଧି, ଶ୍ରମ କି ସମୟ ନଷ୍ଟ କରନ୍ତି ନାହିଁ । କାରଣ, ସେମାନେ “ଆଗ୍ରହରୁ ହିଁ ଶିଖିବା ଆରମ୍ଭ କରନ୍ତି ।”  ସ୍ୱାଧୀନତା ହିଁ ତାଙ୍କର ମୂଳ ଆଧାର । ସେମାନେ ପ୍ରତି ମୁହୂର୍ତ୍ତରେ ଆରୋହଣ କରିଚାଲିଛନ୍ତି । କାରଣ, ସେମାନେ ତିନି ଶହ ବର୍ଷ ଧରି ଚାଲି ଆସିଥିବା ବିକଳ୍ପ ଶିକ୍ଷାର ପ୍ରୟୋଗରୁ ଶିଖିଛନ୍ତି । ହଜାର ହଜାର ବିକଳ୍ପ ଶିକ୍ଷା ଅନୁଷ୍ଠାନର ଫଳାଫଳରୁ ଆତ୍ମବିଶ୍ୱାସ ପାଇଛନ୍ତି ଏବଂ ଶ୍ରେଷ୍ଠ ବୋଲେଇ ହେବାର ଭୁଲ୍ କରିନାହାଁନ୍ତି । ସମସ୍ତ ଅଭିଭାବକ ସେଠାରେ ପିଲା ଛାଡ଼ିବା ପୂର୍ବର ସେମାନଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ବିଷୟରେ ସମ୍ପୂର୍ଣ୍ଣ ଅବଗତ ହୋଇ ହିଁ ସେଠାକୁ ଆସନ୍ତି । କାରଣ ତାଙ୍କ “ଲକ୍ଷ୍ୟରୁ ଇଞ୍ଚଟିଏ ବି ଏପଟ୍ ସେପଟ୍ ହେବାକୁ ଦିଆଯିବନି” ବୋଲି ସେମାନେ ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ସେଠାରେ କେହି ବି ପିଲାମାନଙ୍କର ସଂଖ୍ୟାକୁ ଗୁରୁତ୍ୱ ଦିଅନ୍ତି ନାହିଁ । କାରଣ, “ନିଜର ଲକ୍ଷ୍ୟକୁ ନେଇ ସ୍ଥିର ନିଶ୍ଚିତ ଥିବା ପିଲାଙ୍କ ପାଇଁ ହିଁ ପରିବେଶଟି ତିଆରି ହୋଇଛି ବୋଲି ସେମାନେ ଜାଣନ୍ତି ।

ସରକାରୀ, ବେସରକାରୀ କି ସମାଜ ବା ଅନ୍ୟ କୌଣସି ଧାରା ସହ ତାଳ ଦେଇ କି ସାଲିସ୍ କରି ସେମାନେ ଚାଲନ୍ତି ନାହିଁ । କାରଣ ତାଙ୍କ “ନିଜସ୍ୱ ଧାରା” କୁ ନେଇ ତାଙ୍କର ସ୍ପଷ୍ଟତା ଅଛି । ସମ୍ଭ୍ରାନ୍ତ ପରିପାଟୀପୂର୍ଣ୍ଣ କରି ସେମାନେ ପରିସରକୁ ନ ଗଢ଼ି ପରିବେଶକୁ ନଷ୍ଟ କରୁଥିବା ଜିନିଷର ପୁନର୍ବ୍ୟବହାର କରି ସବୁକିଛି ତିଆରି କରାଯାଇଛି ସେଠି। କାରଣ; “ପରିବେଶ ସୁରକ୍ଷା ପାଇଁ ଥିବା ନିଜର ଦାୟିତ୍ୱ” କୁ ସେମାନେ ଅନୁଭବ କରିଛନ୍ତି । ବିଦ୍ୟୁତ୍, ମଟର, ପାଣିଟାଙ୍କି ବା ଭୂତଳ ଜଳର ସିଧା ସଳଖ ବ୍ୟବହାର ନ କରି ସେମାନେ ସୌରଶକ୍ତି ଓ ବର୍ଷା ଜଳକୁ ନେଇ ସମସ୍ତ ଆବଶ୍ୟକତା ମେଣ୍ଟାଉଛନ୍ତି । କାରଣ “ଏସବୁ ଅସରନ୍ତି ପ୍ରାକୃତିକ ସମ୍ପଦ ନୁହେଁ, ତେଣୁ ଏହାର ସୁରକ୍ଷା ଆବଶ୍ୟକ” ବୋଲି ସେମାନେ ବୁଝିଛନ୍ତି । ସେମାନେ ଦଶମ କି ଦ୍ୱାଦଶ ପରୀକ୍ଷାର ବ୍ୟବସ୍ଥା ରଖିନାହାନ୍ତି । କାରଣ “ପିଲା ଯଦି ପ୍ରମାଣପତ୍ରର ଆବଶ୍ୟକତା ଜୀବନରେ କେବେ ଅନୁଭବ କରେ ତାହେଲେ ସେ ଯେକୌଣସି ମୁହୂର୍ତ୍ତରେ ଏନ୍.ଆଇ.ଓ.ଏସ୍ (କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ) ବା ଆଇ.ଜି.ସି.ଏସ୍.ଇ ରେ ପରୀକ୍ଷାଟିଏ ଦେଇ ସାଧାରଣ ଶିକ୍ଷା ବ୍ୟବସ୍ଥା ଭିତରକୁ ଫେରିଯିବାର ଉପାୟ ଅଛି” ବୋଲି ସେ ଜାଣିଛନ୍ତି ଓ ପିଲାଙ୍କୁ ଜଣାଇଛନ୍ତି ମଧ୍ୟ । ବିବର୍ତ୍ତନ ସତ୍ୟ ବୋଲି ସେମାନେ ବିଶ୍ୱାସ କରନ୍ତି । କାରଣ ସେମାନେ ସେହି ଦିଗରେ ହିଁ ଆରୋହଣ କରିଚାଲିଛନ୍ତି । ସମ୍ପୂର୍ଣ୍ଣତା ଓ ସମଗ୍ରତାକୁ ନେଇ ସୃଷ୍ଟିରେ ଯେତେଯେତେ କାମ ହୋଇଛି ତାକୁଇ ଭିତ୍ତି କରି ସେ ନିଅଁ ପୋତିଛନ୍ତି । ଏମିତି କେମିତି ହୋଇପାରୁଛି ଭାବି ଆମକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଆମ ପାଖେ ଯାହା ଆଶ୍ଚର୍ଯ୍ୟ ତାଙ୍କ ପାଖେ ତାହା ପ୍ରତି ମୁହୂର୍ତ୍ତର ସତ୍ୟ, ତାଙ୍କର ମୂଳ ଭିତ୍ତି ।

କୁନି ଓ ମୁଁ ପୁରା ସାତ ଦିନ ବିତେଇଲୁ ସେଠି । ତାଙ୍କର ପ୍ରତିଟି କାର୍ଯ୍ୟକୁ ଦେଖିଲୁ, ବୁଝିଲୁ, ଜାଣିଲୁ ଓ ଶିଖିଲୁ । ତାଙ୍କ ବିକଳ୍ପ ଶିକ୍ଷା ପରିବାରର ଗୋଟିଏ ସଦସ୍ୟ ହୋଇ ରହିଲୁ । ବିକଳ୍ପ ଶିକ୍ଷା ନାଁ ରେ ଯାବତୀୟ ସାଧାରଣ କଥା କରି “ଆମେ ସର୍ବୋତ୍ତମ” ବୋଲି ଡେଙ୍ଗୁରା ପିଟୁଥିବା ଓଡ଼ିଶାର କେତେକ ଶିକ୍ଷାନୁଷ୍ଠାନ କେମିତି ଅନିସନ୍ଧିତ୍ସୁ ମାନଙ୍କୁ ଭେଳିକି ଭିତରେ ରଖିଛନ୍ତି ବୁଝିଲୁ । ବୁଝିଲୁ ବି ଚିତ୍ତ ଭାଇଙ୍କ ପରି ଶିକ୍ଷାବିତ୍ ଓ ତାଙ୍କ ଶିକ୍ଷାନୁଭବକୁ କେମିତି ଓ କାହିଁକି ଏମାନେ ବାଆଁରେଇ ଦେଇଛନ୍ତି ର ରହସ୍ୟ । କିନ୍ତୁ ଆରୋହୀ ପରି ଅନୁଷ୍ଠାନମାନେ ଚିତ୍ତ ଭାଇଙ୍କ ପରି ମଣିଷମାନଙ୍କୁ ନଜାଣି ଥିଲେ ବି ତାଙ୍କ ସ୍ୱପ୍ନକୁ ଏମିତି ସାକାର କରୁଥିବେ ଓ ଆମ ପରି ବିକଳ୍ପ ସନ୍ଧାନୀମାନଙ୍କୁ ସବୁବେଳେ ପ୍ରେରଣା ଯୋଗାଉଥିବେ । ବ୍ୟବସ୍ଥା ସହ ଲଢ଼ିବା ପାଇଁ ଆଶା ଓ ବିଶ୍ୱାସ ଦେଉଥିବେ ।

 

 

Leave a comment