ଆସିନଥିବା ଗୋଟେ ଚିଠିର କିୟଦଂଶ

ଭାବିନିଅ ଯେ ଏ ଦିନ ସବୁ ଅସରନ୍ତି ଅନିଦ୍ରା ରାତିଟିଏ, ଭାବିନିଅ ଯେ ମୋ ସହ ଦେଖା, ମିଳାମିଶା, ହସଖୁସି ଆଉ ପ୍ରେମ କେଇଟି ମୁହୂର୍ତ୍ତ ପାଇଁ ଆଖି ଲାଗିଯିବା ଯାହା
ପୁରୁଣା ଚିଠି, ୱିକି କମନ୍ସ

ଏ ଦିନ ସବୁ, ଦିନ ନୁହଁନ୍ତି ଜମା। 


ଭାବିନିଅ ଯେ ଏ ଦିନ ସବୁ

ଅସରନ୍ତି ଅନିଦ୍ରା ରାତିଟିଏ, ଭାବିନିଅ ଯେ

ମୋ ସହ ଦେଖା, ମିଳାମିଶା, ହସଖୁସି ଆଉ ପ୍ରେମ

କେଇଟି ମୁହୂର୍ତ୍ତ ପାଇଁ ଆଖି ଲାଗିଯିବା ଯାହା, 

ଭାବିନିଅ ଯେ ସୁନ୍ଦର ହେଲେ ବି 

ସରିଯାଉଥିବା ସ୍ବପ୍ନଟିଏ ମୁଁ

ଏଇ କେଇଟି ଆଖି ଲାଗିଯିବା ମୁହୂର୍ତ୍ତରେ, 

ଭାବିନିଅ ଆଉ ପାହାନ୍ତିଆ ପହରୁ ଉଠି

ଭୁଲିଯାଅ ମତେ।


ମତେ ଲେଖିବାକୁ ଚେଷ୍ଟା କରନି

କବିତାରେ କି ଗପରେ, ଧରି ରଖିବାକୁ 

ଚେଷ୍ଟା କରନି ପେନସିଲ କି ତୂଳୀ ମୂନରେ, 

ତମକୁ ତ ସେମିତି ବି ଚିତ୍ର-ଫିତ୍ର ଆସେନାହିଁ! 


ଭାବିନିଅ ଯେ ମୁଁ ଖାଲି ତମ ଗଲା ରାତିର

ବହଳିଆ ଅନ୍ଧାରର ଗାଲିଚା ଉପରେ 

କେଇ ଟୋପା କାକର,

ସକାଳୁ ସକାଳୁ ଯେଉଁ ସୂର୍ଯ୍ୟକିରଣ ଆସିବ 

ତମ ଝରକା ଫାଙ୍କ ଦେଇ ଆଉ ମୁହଁରେ ତୁମର

ତିଆରି କରିବ ଖରା ଆଉ ଛାଇର ଜ୍ୟାମିତିକ ଚିତ୍ର ସବୁ,

ସେଥିରେ ମୁଁ ନଥିବି। ମୁଁ ନଥିବି ଧୀମା ତମ ଅଳସ ଭାଙ୍ଗିବାରେ,

ନଥିବି ତମ ଗୋଲଡ଼ ଫ୍ଲେକ୍ ଆଉ ଚା'ର ଧୂଆଁରେ, ନଥିବି

କିଛି ଗୋଟେ ଖୋଜୁଥିବା ପରି ଅନ୍ୟମନସ୍କତାରେ ତୁମର, 

ନଥିବି କାନ୍ଧର ବୋଝରେ ନଇଁଯାଇଥିବା ସ୍କୁଲ ପିଲାର 

ମେରୁଦଣ୍ଡ ପ୍ରତି ତୁମ ସମବେଦନାରେ, ନଥିବି ମୁଁ 

ଅଣଓସାରିଆ ଗହଳି ରାସ୍ତା ସେପଟେ ଠିଆ ହେଇ 

ସିଗନାଲକୁ ଚାହୁଁଥିବା ତୁମ ଆତୁର ଆଖିରେ, ନଥିବି ମୁଁ...

ଛାଡ଼! ନଥିବି ମୁଁ। ବୁଝୁଚ ତ? 


ତୁମେ ଯଦି ବୁଲିଯାଅ କୁତୁବମୀନାର କି ତାଜମହଲ, 

ନଥିବି ମୁଁ। ତୁମେ ଯଦି ହଜ ଖାସରେ ମାଜେଣ୍ଟା ଲାଇନ ଛାଡ଼ି

ୟେଲୋ ଲାଇନ ଧର କି ମାଜେଣ୍ଟା ଲାଇନରେ ହିଁ ବସି ଚାଲିଯାଅ

ନାଁ ମନେନଥିବା ଶେଷ ମେଟ୍ରୋ ଷ୍ଟେସନ ଯାଏଁ, ନଥିବି ମୁଁ। ତୁମେ ଯଦି

କୁଆଡ଼େ ନଯାଇ ବସିରୁହ ନିଜ ଓଜନିଆ ଏକାକୀପଣକୁ ନେଇ, 

ନଥିବି ମୁଁ। ତୁମେ ଯଦି ବେସୁରା କଣ୍ଠରେ ଗାଅ

ଜଗଜିତ ଆଉ ଚିତ୍ରାଙ୍କର ଗୀତ, 'କିଆ ହେ ପ୍ୟାର୍ ଜିସେ

ହମ ନେ ଜିନ୍ଦଗୀ କୀ ତରହ, ୱ ଆଶନା ଭୀ ମିଲା ହମସେ 

ଅଜନବୀ କୀ ତରହ', ନଥିବି ମୁଁ ଶୁଣିବାକୁ।

ନଥିବି ମୁଁ ତୁମ ଅନିଦ୍ରା ରାତିମାନଙ୍କରେ କଡ଼ରେ ତୁମର,

ଶୋଇନଥିବି ଶାନ୍ତିରେ ଯେ ତୁମେ ଦେଖିବ ମୁରୁକି ହସିଦେବ, 

ଆଉଁସି ଦେବିନି ମୁଣ୍ଡ ଯେ ଶୋଇପଡ଼ିବ ତୁମେ, 

ନଥିବି ମୁଁ। 

ଦେଖ, ଏ ଚିଠିକୁ ସାରିବାର କିଛି ବାଟ ନାହିଁ, 

ଏ ଏମିତି ଲମ୍ବିଥିବ ତୁମ ଅନିଦ୍ରା ରାତି ଯେମିତି, 

ଖାଲି ଏତିକି କଥା, ଯେ କେବେ ଦିନେ ସରିଯିବ ଏ ରାତି, 

(ମୁଁ ଜାଣିନି ସରିବ କି ନାହିଁ)

ଅନ୍ତତଃ ଏଇଆ ସାନ୍ତ୍ୱନା ଦିଅ ନିଜକୁ 

ଆଉ ମତେ ଭୁଲିଯାଅ। 


Leave a comment