ଅସ୍ତାଦ ଦେବୁ ଓ ଜୀବନମଞ୍ଚରେ ଚକାଭଉଁରୀ ଖେଳ

ଭାରତୀୟ ନୃତ୍ୟକଳାରେ ମଞ୍ଚର ଅବଧାରଣାକୁ ଅସ୍ତାଦ ଦେବୁ ପୂରାପୂରି ଭାଙ୍ଗି ଦେଇଥିଲେ । ତାଙ୍କ ଲାଗି ଆଧୁନିକ ପ୍ରସେନିୟମ ରଙ୍ଗମଞ୍ଚ ଏକ ପ୍ରକାର ବାଧକ ଥିଲା । ଅନେକ ସମୟରେ ସେ ମଞ୍ଚ ବାହାରେ ହିଁ ନିଜର ମଞ୍ଚ ଗଢୁଥିଲେ। ଅସ୍ତାଦ ମଞ୍ଚର କେଉଁ ଦିଗରୁ, କେମିତି ପ୍ରବେଶ କରିବେ, ସେକଥା ଆଦୌ କହିହେବ ନାହିଁ ।
ଫଟୋ: ଓଡିଶା ଡାନ୍ସ ଏକାଡେମି, ଭୁବନେଶ୍ୱର

ଏମିତି କୌଣସି ଜାଗା ନାହିଁ ଯାହାକୁ 

ମୁଁ ମୋର ଘର ବୋଲି କହିପାରିବି 

ମୁଁ ଏ ପୃଥିବୀର ନାଗରିକ 

ମୋର କୌଣସି ଠିକଣା ନାହିଁ

ମୁଁ ଏ ଗ୍ରହରେ ପରିବ୍ରାଜକ ମାତ୍ର 

ମୁଁ କେବଳ ଏ ପୃଥିବୀ ବାଟ ଦେଇ ଯାଉଛି 

କେବଳ ଏହି ଆଶାରେ ଯେ 

ଏଠି କେହିଜଣେ ହୁଏତ ମୋର ବନ୍ଧୁ ମୋତେ ମିଳି ଯାଇପାରେ । 

ନିଜ ଜୀବନ ବିଷୟରେ କହିବାକୁ ଯାଇ ପ୍ରାୟ କୋଡିଏ ବର୍ଷ ତଳେ ଏମିତି କିଛି ଲେଖିଥିଲେ ଅସ୍ତାଦ ଦେବୁ। ଯେଉଁମାନେ ସମକାଳୀନ ଭାରତୀୟ ନୃତ୍ୟକଳା ବିଷୟରେ ଜାଣନ୍ତି, ସେମାନଙ୍କ ପାଇଁ ଅସ୍ତାଦ ଦେବୁ, ଏକ ବିରଳ ବିସ୍ମୟ । ଭାରତୀୟ ନୃତ୍ୟକଳାରେ ଅନେକ କିଛି ନୂଆ ସୃଜନ କରିବା, ଅନେକ ପୁରୁଣାକୁ ଭାଙ୍ଗି ତାରି ଭିତରୁ ନୂଆ ସମୟର ସମ୍ଭାବନା ଖୋଜିବା ଏବଂ ନୃତ୍ୟ ଭିତରେ କବିତା, ଚିତ୍ରକଳା, ସ୍ଥାପତ୍ୟ, ଲୋକ ଜୀବନ, ଦର୍ଶନ ଓ ସାମାଜିକ ପରିବର୍ତ୍ତନର ବାର୍ତ୍ତାକୁ ଏକାଠି କରିପାରିବାର ଏକ ଅଦ୍ଭୁତ କଳା ଅସ୍ତାଦ ଦେବୁଙ୍କୁ ଜଣାଥିଲା । ଗତ ବର୍ଷ ୯, ଡିସେମ୍ବର ଦିନ ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହେଲା । ମରିବା ପର୍ୟନ୍ତ ମଞ୍ଚର ମହାନାୟକ ଥିଲେ ସେ । ଏକଦା, ବିଶ୍ଵର ଅନ୍ୟତମ ମହାନ ନୃତ୍ୟାଙ୍ଗନା ମାର୍ଥା ଗ୍ରାହାମ କହିଥିଲେ- “ମୁଁ ଯେଉଁଠି ଠିଆ ହୁଏ, ମଞ୍ଚର କେନ୍ଦ୍ର ସେଇଟା ହିଁ”। ଏ ଉକ୍ତି ଅସ୍ତାଦ ଦେବୁଙ୍କ ପାଇଁ ବି ପ୍ରଯୁଜ୍ୟ । ସେ ଯେଉଁଠି ଠିଆ ହୁଅନ୍ତି, ତାହା ହିଁ ମଞ୍ଚ। 

ଭାରତୀୟ ନୃତ୍ୟକଳାରେ ମଞ୍ଚର ଅବଧାରଣାକୁ ଅସ୍ତାଦ ଦେବୁ ପୂରାପୂରି ଭାଙ୍ଗି ଦେଇଥିଲେ । ତାଙ୍କ ଲାଗି ଆଧୁନିକ ପ୍ରସେନିୟମ ରଙ୍ଗମଞ୍ଚ ଏକ ପ୍ରକାର ବାଧକ ଥିଲା । ଅନେକ ସମୟରେ ସେ ମଞ୍ଚ ବାହାରେ ହିଁ ନିଜର ମଞ୍ଚ ଗଢୁଥିଲେ । ଅସ୍ତାଦ ମଞ୍ଚର କେଉଁ ଦିଗରୁ, କେମିତି ପ୍ରବେଶ କରିବେ, ସେକଥା ଆଦୌ କହିହେବ ନାହିଁ । ଅନେକ ସମୟରେ ସେ ବା ତାଙ୍କର ନୃତ୍ୟଶିଳ୍ପୀ ଦର୍ଶକ ଗ୍ୟାଲେରିରୁ ଉଠି ଆସିପାରନ୍ତି। ପାରମ୍ପରିକ ନୃତ୍ୟଶିଳ୍ପୀମାନେ ମଞ୍ଚର କେନ୍ଦ୍ରରେ ନିଜ ନୃତ୍ୟ ପରିବେଷଣ କରିବାକୁ ଚାହାନ୍ତି। ଅସ୍ତାଦ କିନ୍ତୁ ସବୁବେଳେ ମଞ୍ଚ କୋଣରେ ନିଜକୁ ରଖନ୍ତି । ଦର୍ଶକଙ୍କ ସହିତ ଭାବ ବିନିମୟ କରିବାର ଏକ ପ୍ରଭାବଶାଳୀ କୌଶଳ ତାଙ୍କୁ ଜଣାଥିଲା। 


ଏମିତି ଦେଖିଲେ ଅସ୍ତାଦ ଦେବୁ ଆମ ସମୟର ସବୁଠୁ ଅଧିକ ବୌଦ୍ଧିକ ଓ ଦାର୍ଶନିକ ନୃତ୍ୟଶିଳ୍ପୀ । ତାଙ୍କର ନୃତ୍ୟଶୈଳୀରେ ଟେକ୍ନିକ ତୁଳନାରେ ବିଚାରର ପ୍ରାଧାନ୍ୟ ବେଶି । ସେ ମନ ଓ ମସ୍ତିସ୍କର ଶିଳ୍ପୀ । ଆଧୁନିକ ନୃତ୍ୟକଳାରେ ସେ ମାର୍ଥା ଗ୍ରାହାମ ସ୍କୁଲର ଛାତ୍ର । ହେଲେ ଭାରତୀୟ ଭାବରେ ସେ ସମାନ ଭାବରେ କଥକ, କଥକଲି, ମଣିପୁରୀ, ଭରତନାଟ୍ୟମ୍, ଥାଂତା ଏବଂ ପୁଂଚୋଳମ ନୃତ୍ୟର ମଧ୍ୟ ଛାତ୍ର । ଏହା ସହିତ ଚୀନର ପ୍ରାଚୀନ ନୃତ୍ୟକଳା, ଜାପାନର ନୃତ୍ୟନାଟକ “କାବୁକୀ” ଇତ୍ୟାଦିର ପ୍ରଭାବ ତାଙ୍କ ନୃତ୍ୟ ଉପରେ ରହିଥିଲା । 

ଜଣେ ନୃତ୍ୟଶିଳ୍ପୀ ଭାବରେ ସାରା ପୃଥିବୀର ନାଚ ଓ ନାଟକ ସହିତ ତାଙ୍କର ସମ୍ପର୍କ ରହିଥିଲା । ନାଟକ ସହିତ ନାଚକୁ ଯୋଡିବା, ଲୋକକଳା ସହିତ ପୃଥିବୀର ସର୍ବୋତ୍କୃଷ୍ଟ ନୃତ୍ୟଶୈଳୀର ସଙ୍ଗମ ରଚନା କରିବାର ଦୁଃସାହସ ତାଙ୍କର ଥିଲା । ଅସ୍ତାଦ ଦେବୁ ଏକାସାଙ୍ଗରେ ଧୃପଦୀ (କ୍ଲାସିକାଲ) ଏବଂ କସ୍ମୋପଲିଟାନ ହେବାର ସାମର୍ଥ୍ୟ ରଖିଥିଲେ । ୧୯୪୭ ରେ ଗୁଜରାଟର ନବସାରୀରେ ତାଙ୍କର ଜନ୍ମ । ପିଲାଦିନ କଟିଛି ଜାମସେଦପୁରରେ । କଲେଜ ଜୀବନ ମୁମ୍ବାଇରେ । ଗୁରୁ ପ୍ରହ୍ଳାଦ ଦାସଙ୍କ ଠାରୁ କଥକ ଓ ଗୁରୁ ଇକେ ପାନିକରଙ୍କ ପାଖରୁ କଥକଲି ଶିଖିଛନ୍ତି । ଜର୍ମାନୀର ପ୍ରସିଦ୍ଧ ନୃତ୍ୟ ଓ ନାଟ୍ୟଶିଳ୍ପୀ ପିନା ବଶଙ୍କ ସହ କାମ କରିଛନ୍ତି । ରଙ୍ଗମଞ୍ଚରେ ସୁନୀଲ ସାଂବାଗ ଓ ସତ୍ୟଦେବ ଦୁବେଙ୍କ ସହିତ ଅନେକ ନୂଆ ପ୍ରୟୋଗ କରିଛନ୍ତି । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଧୃପଦ ଗାୟନ ଶୈଳୀକୁ ନିଜ ନୃତ୍ୟରେ ସେ ଏକ ଭିନ୍ନ ଅର୍ଥ ଦେଇଛନ୍ତି । ଗୁଣ୍ଡେଚା ଭାଇଙ୍କର (ଉମାକାନ୍ତ ଓ ରମାକାନ୍ତ ଗୁଣ୍ଡେଚା) ଧୃପଦୀ ଗାୟନର ଅତ୍ୟନ୍ତ ନିଷ୍ଠାପର ଗାୟକୀ ସହିତ ନିଜ ନୃତ୍ୟର ନୂଆ ଆବିଷ୍କାର ସେ କରିଛନ୍ତି । 

ସାରା ପୃଥିବୀ ବୁଲିଛନ୍ତି । ପୃଥିବୀ ସହିତ ଭାରତର ନୃତ୍ୟକଳାର ଏକ ସମ୍ବାଦ ତିଆରି କରିଛନ୍ତି । ପ୍ରାଚୀନ ଏବଂ ସମକାଳୀନ କବିତାକୁ ନେଇ ଅସ୍ତାଦ ଅନେକ ଯାଦୁକାରୀ ନୃତ୍ୟ ରଚନା କରିଛନ୍ତି । ଧୃପଦୀ ଶୈଳୀରେ ହିନ୍ଦୀ କବିତାର ପ୍ରଗତିବାଦୀ କବି ମୁକ୍ତିବୋଧଙ୍କର କବିତା “ଲକଡି କା ରାବଣ”, ଗୁରୁଦେବ ରବୀନ୍ଦ୍ରନାଥଙ୍କର ଅନେକ କବିତା, ଅମୀର ଖୁସ୍ରୋ ଏବଂ ଗାଲିବଙ୍କର କବିତା, ଏମିତି ଅନେକ ସମକାଳୀନ କବିତାକୁ ସେ ନୂଆ ରୂପ ଦେଇଛନ୍ତି । ଗାନ୍ଧୀଙ୍କ ବିଚାର ଓ ଦର୍ଶନକୁ ନେଇ ତାଙ୍କ ନୃତ୍ୟ ରଚନା ଏକ ଭିନ୍ନ ପ୍ରଭାବ ସୃଷ୍ଟି କରିଥିଲା । 

ଜଣେ ଶିଳ୍ପୀ ଭାବରେ ସେ ବହୁ ଅଦ୍ଭୁତ ସମ୍ଭାବନା ଖୋଜିଛନ୍ତି । ଦୀର୍ଘ ବର୍ଷ ଧରି ଭିନ୍ନକ୍ଷମ ବଧିର ଶିଳ୍ପୀମାନଙ୍କୁ ନେଇ ସେ ଚମତ୍କାର ନୃତ୍ୟ ସର୍ଜନା କରିଛନ୍ତି । ତାଙ୍କର ଶିଳ୍ପୀ ଓ ସହଯୋଗୀମାନେ ପ୍ରାୟତଃ ଭିନ୍ନ ପୃଥିବୀରୁ ଆସିଥାନ୍ତି । ସେମାନେ ଭିନ୍ନକ୍ଷମ କିମ୍ବା ସମାଜ ପରିତ୍ୟକ୍ତ । ଗତ କିଛି ବର୍ଷ ଧରି “ସଲାମ ବାଲକ ଟ୍ରଷ୍ଟ” ଦ୍ଵାରା ରାସ୍ତାରେ ପରିତ୍ୟକ୍ତ ଶିଶୁମାନଙ୍କୁ ନେଇ ସେ ନିଜର ନୃତ୍ୟ ରଚନା କରୁଥିଲେ । 

ନୃତ୍ୟଶିଳ୍ପୀ ଅନେକ ଆସନ୍ତି ଓ ଯାଆନ୍ତି। ଅନେକ ପୁରସ୍କାର ମିଳେ ଓ ଲୋକ ତାଙ୍କୁ ଭୁଲିଯାନ୍ତି । ହେଲେ ଅସ୍ତାଦ ଦେବୁ, ନୃତ୍ୟକୁ ନେଇ ଗୋଟେ ନୂଆ ଦୁନିଆ ନିର୍ମାଣ କରିଥିଲେ । ସେ ଦୁନିଆ ତାଙ୍କର “ଚକ୍କର” ପରି । ଅସ୍ତାଦଙ୍କ ନୃତ୍ୟରେ “ଚକ୍କର”ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋତେ ଲାଗେ ସେ ଯେମିତି ତାଙ୍କ ନୃତ୍ୟରେ ଈଶ୍ବରଙ୍କ ସହିତ ଏକ ଚକାଭଉଁରୀ ଖେଳ ଖେଳୁଛନ୍ତି ।                     


Leave a comment