ବିଧବା ମା'

ସତ୍ୟାନନ୍ଦ ଭୋଇ, ନୂଆ ପ୍ରଜନ୍ମର ଓଡିଆ କବି । ଗୋଟେ ଚମତ୍କାର ସମ୍ଭାବନା । କବିତାରେ ସାଧାରଣ ମଣିଷର ବେଦନାକୁ ସରଳଭାଷାରେ ଲେଖୁଥିବା ସତ୍ୟାନନ୍ଦଙ୍କ କବିତାର ଆବେଦନ ଶାଣିତ ବର୍ଚ୍ଛା ପରି । କବିତାର ଅନ୍ତର୍ଧ୍ବନି ସିଧା ଛାତିକୁ ଭେଦେ ।

ହାତରୁ ଚୁଡ଼ି ଫୁଟିଗଲା ଦିନୁ

ମା' ହିଁ ସାଜିଲା ବୁଆ ।

 

ଡଳାରେ ମାଟି ବୋହି ସଡ଼କ ତିଆରିଲା

ଓଢଣାକୁ ଅଣ୍ଟାରେ ଭିଡ଼ି ଚରା ଖୋଜିଲା,

ଜହ୍ନକୁ ହାତଠାରି ନିଜେ ଆଁ କରି

ଛୁଆ ପେଟ ପୂରେଇଲା ।

 

ଜନମ କଲା ଛୁଆ 

ଛେଉଣ୍ଡ ଦି' ଟାକୁ ଦେଖି

ନା' ବସା ବଦଳାଇବାର ଡେଣା ବାନ୍ଧି ପାରିଲା

ନା' ସମ୍ଭାଳି ପାରିଲା 

ଦେଢଶୁର,ଜେଠାଣୀମାନଙ୍କ ଦହଗଞ୍ଜ ।

 

ଭାଗମାପର ଜମି ଉପରେ

ଦେଢର ଆଖି ପକାଇଲେ ବି

ମା' ମନ ବୁଝେ,

ବୁଝିବା ମାନେ କ'ଣ ଯେ ?

ଛାତିତଳେ ନିଆଁ ଥୋପେ ଧୁ - ଧୁ ଜଳେ

ତା' କୋହମିଶା ମୁହଁ କହେ

ହାତେ ଚୁଡ଼ି ଦି' ପଟ ଥିଲେ ସିନା

ଝଣ୍ ଝାଣ୍ ଶବ୍ଦ ଟିକେ ବାଜେ,

 ମା' ପ୍ରତି ଅଧରାତି ତୋଫାଜହ୍ନ

ସୁନାଫୁଲିଆ ତାରା ପୁଞ୍ଜରୁ

ସୀମନ୍ତର ହଜିଲା ସିନ୍ଦୁର ଟୋପାକୁ ଖୋଜେ ।

 

ତାଙ୍କୁ ଦେଖି ଘର ପିଛାଳ ଢିଙ୍କିମାନେ

ପାଲଟନ୍ତି ଅଜଗର

କାଗଜ ଡଙ୍ଗାମାନେ ସୁଅ ମଝି କୁମ୍ଭୀର,

 ତଥାପି ପାରି ହେବାକୁ ସେ ପହଁରେ 

ପ୍ରଶାନ୍ତ ମହାସାଗର ।

 

ମା',

ଗୋବର ଘସିପାରେ ମହାପୁରୁ ଶାଳ

ସାତ ତାଳ କୂଅରୁ କାଢି

ଭରିପାରେ କଳସୀରେ ପାଣି

ଉପବାସେ ଗୋଟାଇ ଆଣି ଫଳ ଫୁଲ

ସଯତ୍ନେ ଗୁନ୍ଥିଦିଏ ହାର

ଅଥଚ ଦୀପ ଜାଳି ମୁଣ୍ଡିଆ ମାରିବା ବେଳକୁ

ସେ ମଣିଷଖିଆ ଅସୁରୁଣୀ ।

 

ମା' ଙ୍କୁ ଦାଣ୍ଡରେ ବୁଲିବା ମନା

ଘାଟରେ ଗାଧିବା ମନା

ଦୁଆର ବାଟେ ଠିଆ ହେବା ମନା

କୁଆଡ଼େ ତାଙ୍କୁ ଦେଖି ଯୁଆଡ଼େ ଗଲେ 

ଘଟେ ଦୁର୍ଘଟଣା ।

 

ଅନ୍ତର୍ଦାହରେ 

ତା' ଛାତିର କୋହ,ଆଖିର

ଲୁହ ହେଇ ଝରେ

ନାରୀଟେ ବଞ୍ଚିବା ଶିଖୁ ଶିଖୁ

ବୈଧବ୍ୟର ଓଢଣା ତଳେ

ସାମାଜିକ ଅବ୍ୟବସ୍ଥାର ଚକ୍ରବ୍ୟୁହରେ

ଅହରହ ଘାଣ୍ଟି ହେଇ ମରେ ।


Leave a comment