ବିରୋଧୀ

କାହାକୁ ଆଖିବୁଜି ସମର୍ଥନ କରିବାର ଅର୍ଥ ଯେମିତି କାହାର ଦାସତ୍ୱ ସ୍ୱୀକାର କରିନେବା ସେହିଭଳି କାହାକୁ ବିରୋଧ କରିବାକୁ ଯାଇ ତାହାର ଭଲ, ମନ୍ଦ ଉଭୟ କାର୍ଯ୍ୟକୁ ବିନା କୌଣସି ଯୁକ୍ତିରେ ବିରୋଧ କରିବା ମଧ୍ୟ ନିତ୍ୟାନ୍ତ ନିନ୍ଦନୀୟ ।

ପିଲାଦିନୁ ଆମେ ପଢିଆସିଛୁ ସମର୍ଥନର ବିପରୀତ ଶବ୍ଦ ବିରୋଧ । ଏହି ଦୁଇଟିଯାକ ଶବ୍ଦ ନିଜସ୍ଵ ଗୁରୁତ୍ୱ ବହନ କରନ୍ତି । ଆମକୁ କେବେ ଆମ ଶିକ୍ଷକ, ଶିକ୍ଷୟିତ୍ରୀ ଶିଖେଇନଥିଲେ ଯେ ସମର୍ଥନ କରିବା ଏକ ଖୁବ୍ ସୁନ୍ଦର କଥା ଓ ବିରୋଧକରିବା ଏକ ନିହାତି ବାଜେ କଥା । ବରଂ କେବେ କେବେ କେହି ଅନ୍ୟାୟ କଲେ ଆମେ ଯଦି ବିରୋଧ ନକରନ୍ତି ତେବେ ଆମକୁ ମଧ୍ୟ କୁହାଯାଉଥିଲା, "ତୁମେ ଅନ୍ୟାୟକୁ ବିରୋଧ ନକରି ଅନ୍ୟାୟ କରିଛ" । ତେଣୁ ଅନ୍ୟାୟ, ଅବିଚାର କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ପଦ, ପଦବୀ, ବୟସ ନିର୍ବିଶେଷରେ ବିରୋଧ କରିବାକୁ ଆମକୁ ପିଲାଦିନରୁ ଶିକ୍ଷା ଦିଆଯାଇଛି ।

ବେଳେବେଳେ କୌଣସି ଏକ ପରିବାରର ମୁରୁବି ଯଦି କିଛି ଭୁଲ ନିଷ୍ପତ୍ତି ନିଅନ୍ତି ସେତେବେଳେ ପରିବାରର ଅନ୍ୟ ସଦସ୍ୟମାନଙ୍କ ମନରେ ବିଦ୍ରୋହ ଜାତ ହୁଏ, ସେମାନେ ସେ ନିଷ୍ପତ୍ତିକୁ ବିରୋଧ କରନ୍ତି । ସଦସ୍ୟମାନେ ନିଜ ନିଜ ପକ୍ଷ ରଖନ୍ତି l ଘରର ମୁରବୀ ସଦସ୍ୟମାନଙ୍କ କଥା ଶୁଣନ୍ତି, ନିଜର ଭୁଲକୁ ମଧ୍ୟ ହୃଦୟଙ୍ଗମ କରି ନିଷ୍ପତ୍ତି ବଦଳାଇ ଦିଅନ୍ତି । ଏଠି କେବେ ହେଲେ ମଧ୍ୟ ବିରୋଧୀଙ୍କୁ ଆକ୍ଷେପ କରାଯାଏ ନାହିଁ, କୌଣସି ପ୍ରକାର ଦଣ୍ଡ ଦିଆଯାଏ ନାହିଁ କିମ୍ବା ଅପମାନିତ କରାଯାଏ ନାହିଁ ।

ଏତ ଗଲା ଘର କଥା । ପରିବାର ଭଳି ଆମ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଯେବେ ବି କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଦ୍ୱାରା ଭୁଲ ବଶତଃ ହେଉ ବା ଜାଣତରେ ହେଉ କୌଣସି ପ୍ରକାର ଅନ୍ୟାୟ, ଅନୀତି ହୁଏ ସେତେବେଳେ ଏହି ବିରୋଧୀମାନେ ହିଁ ନ୍ୟାୟ ପାଇଁ ବିଦ୍ରୋହ କରନ୍ତି ।

ସମାଜରେ ଭଲକୁ ସମର୍ଥନ କରିବା ପାଇଁ ସମର୍ଥକଙ୍କର ଯେତିକି ଆବଶ୍ୟକତା ଅଛି ଭୁଲକୁ ବିରୋଧ କରିବା ପାଇଁ ବିରୋଧୀଙ୍କର ମଧ୍ୟ ସେତିକି ଆବଶ୍ୟକତା ରହିଛି । ସେହିଭାବେ ଦେଖିଲେ ଆମ ଦେଶର ସରକାର ଓ ସମସ୍ତ ନୂତନ ସରକାରୀ ନୀତି ନିୟମରେ ଦେଖା ଦେଉଥିବା ତ୍ରୁଟିକୁ ବିରୋଧ କରିବାପାଇଁ ବିରୋଧୀ ଦଳଙ୍କର ନିତ୍ୟାନ୍ତ ଆବଶ୍ୟକତା ରହିଛି । ପରିବାରରେ ଯେମିତି ପରିବାରର ଭୁଲ ତ୍ରୁଟିକୁ ବିଚାର କରିବା ପାଇଁ ସଦସ୍ୟମାନଙ୍କର ସାମାନ୍ୟ ବିରୋଧ ନରହିଲେ ପରିବାରର ମୁରବୀଙ୍କ ଛୋଟ ଭୁଲ ନିଷ୍ପତ୍ତିଟିଏର କୁପରିଣତି ପୁରା ପରିବାରକୁ ଭୋଗିବାକୁ ପଡେ, ସେହିଭଳି ଦେଶରେ ବିରୋଧୀ ନରହିଲେ ସରକାରୀ ଦଳର ଗୋଟିଏ ଗୋଟିଏ ଭୁଲ ନିଷ୍ପତ୍ତିର କୁପରିଣାମ ସମଗ୍ର ଦେଶକୁ ଭୋଗିବାକୁ ପଡେ । ଦେଶରେ ବିରୋଧୀ ନରହିଲେ ସରକାରଙ୍କର ମନମୁଖୀ ଶାସନ ଚାଲିବ ଓ ତାହା ଆମକୁ ରାଜତନ୍ତ୍ର ଆଡ଼କୁ ନେଇଯିବ ଓ ଧୀରେ ଧୀରେ ଦେଶର ଶାସନ ବ୍ୟବସ୍ଥା ଏକଛତ୍ରବାଦୀ ଶାସନ ବ୍ୟବସ୍ଥାରେ ପରିଣତ ହୋଇଯିବ।

ରାଜତନ୍ତ୍ର ସମୟରେ ରାଜ୍ୟରେ କେବଳ ରାଜାଙ୍କର ସମର୍ଥକମାନେ ରହିବାର ସୁଯୋଗ ପାଉଥିଲେ । ବିରୋଧୀ ମାନଙ୍କୁ ରାଜଦ୍ରୋହୀ କହି ବନ୍ଦୀ କରି କାରାଗାରରେ ରଖାଯାଉଥିଲା ନଚେତ ରାଜ୍ୟାନ୍ତର କରିଦିଆ ଯାଉଥିଲା । ତେଣୁ ପ୍ରଜାମାନେ ଶାସ୍ତି ପାଇବା ଭୟରେ ରାଜାଙ୍କର ସମସ୍ତ ଅନ୍ୟାୟ, ଅବିଚାରକୁ ସମର୍ଥନ ଦେଉଥିଲେ ।

ରାଜତନ୍ତ୍ରର ଯବନିକା ପଡ଼ିଲା । ଶୋଷଣ, ଅତ୍ୟାଚାରର ଯୁଗ ଶେଷ ହୋଇଗଲା । ଗଣତନ୍ତ୍ର ପ୍ରତିଷ୍ଠା ହେଲା । ଦେଶର ପ୍ରତ୍ୟେକ ନାଗରିକ ନିଜର ଗଣତାନ୍ତ୍ରିକ ଅଧିକାର ପାଇଲେ । ଅନ୍ୟାୟକୁ ମୁକ୍ତ କଣ୍ଠରେ ବିରୋଧ କରିପାରିଲେ । ଆମ ଶାସନ ବ୍ୟବସ୍ଥାରେ ବିରୋଧୀ ଦଳ ରହିଲେ ସରକାରଙ୍କ ଭୁଲ, ତ୍ରୁଟିକୁ ସମାଲୋଚନା କରି ଶାସନ ବ୍ୟବସ୍ଥାରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ । ଶାସନ ବ୍ୟବସ୍ଥାରେ ବିରୋଧୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ ।

କୁହାଯାଏ ଦେଶର ଶାସନ ବ୍ୟବସ୍ଥାରେ ବିରୋଧୀ ଦଳ ସରକାରଙ୍କ ଆଖି ସଦୃଶ୍ୟ । କାରଣ ସରକାର ଯେତେବେଳେ କୌଣସି ନୂତନ ବିଲ୍ ତିଆରି କରନ୍ତି ସେତେବେଳେ ଏହି ବିରୋଧୀମାନେ ହିଁ ସେହି ବିଲ୍ ଦ୍ୱାରା ଜନତାଙ୍କର କେତେ କ୍ଷତି ବା ଲାଭ ହେବ ତାହା ବିଚାର କରି ସରକାରଙ୍କ ନୂତନ ଆଇନରେ ଥିବା ତ୍ରୁଟିକୁ ଦର୍ଶାଇ ଦିଅନ୍ତି । ସରକାରଙ୍କୁ ଯେତେବେଳେ ଅନୁଭବ ହୁଏ ତାଙ୍କର ନୂତନ ଆଇନ ଦ୍ୱାରା ଜନତା ଉପକୃତ ହେବେନାହିଁ, ସେତେବେଳେ ସରକାର ତାଙ୍କ ଆଇନ ପ୍ରତ୍ୟାହାର କରିନିଅନ୍ତି ବା ଆଇନରେ ଜନତାଙ୍କ ଲାଭାନୁଯାୟୀ ପରିବର୍ତ୍ତନ କରିଦିଅନ୍ତି । ତେଣୁ ଆମ ଦେଶର ଶାସକ ଦଳ ଯେତିକି ଦକ୍ଷ ହେବା ଜରୁରୀ, ବିରୋଧୀ ଦଳ ମଧ୍ୟ ସେତିକି ଶକ୍ତିଶାଳୀ ହେବା ଆବଶ୍ୟକ ।

କିନ୍ତୁ ବର୍ତ୍ତମାନ ଦେଖାଯାଉଛି ସରକାରୀ ବ୍ୟବସ୍ଥାରେ ରାଜତନ୍ତ୍ର ର ସମୟ ଭଳି କେବଳ ସମର୍ଥକଙ୍କର ହିଁ ଆବଶ୍ୟକତା ରହୁଛି । ସରକାରଙ୍କୁ ସମର୍ଥନ କରିବା ହିଁ ରାଷ୍ଟ୍ରପ୍ରେମ, ଦେଶପ୍ରେମ ଭାବେ ବିଚାର କରାଯାଉଛି ଓ ବିରୋଧ କରିବାକୁ ଦେଶଦ୍ରୋହ ଭାବେ ବିବେଚନା କରାଯାଉଛି । ଅବଶ୍ୟ ଜନତାଙ୍କ ମଙ୍ଗଳରେ ସରକାରଙ୍କ ସମସ୍ତ ଉତ୍ତମ, ଶୃଙ୍ଖଳିତ ଶାସନ ବ୍ୟବସ୍ଥାକୁ ସମର୍ଥନ କରିବା ଓ ପ୍ରଶଂସା କରିବା ଜଣେ ପ୍ରକୃତ ଦେଶପ୍ରେମୀ ନାଗରିକର କର୍ତ୍ତବ୍ୟ l କିନ୍ତୁ ଯେତେବେଳେ ସରକାରଙ୍କର କୌଣସି ନୂତନ ଆଇନ ଦ୍ୱାରା ଜନତାଙ୍କର ଲାଭ ବଦଳରେ କ୍ଷତି ହେଉଛି ସେଠି ସରକାରଙ୍କୁ ସମର୍ଥନ କରିବାର ଅର୍ଥ ନିଶ୍ଚିତ ରୂପେ ଦେଶଦ୍ରୋହ ।

ବର୍ତ୍ତମାନ ଦେଖାଯାଉଛି ଯିଏ ସରକାରଙ୍କର କୌଣସି ଭୁଲ ବା ଅନ୍ୟାୟ କାର୍ଯ୍ୟକଳାପକୁ ନିଜର ଲେଖା ମାଧ୍ୟମରେ ବା କୌଣସି ବି ମିଡ଼ିଆ ମାଧ୍ୟମରେ ସମାଲୋଚନା କରୁଛନ୍ତି ତାଙ୍କୁ ଦେଶଦ୍ରୋହୀ କହି ଦେଶ ଛାଡି ଚାଲିଯିବାକୁ ଧମକ ଦିଆଯାଉଛି । କିଛି ଏମିତି ସରକାରୀ ବିରୋଧୀମାନଙ୍କ ନାଁରେ ଅଭିଯୋଗ ଅଣାଯାଇ ସେମାନଙ୍କୁ ଗିରଫ କରି ଅନେକ ଦିନ ଯାଏଁ ଜେଲରେ ରଖାଯାଇଛି । ଦେଶର ପ୍ରତ୍ୟେକ ନାଗରିକ ନିଜ ମୁକ୍ତ ବିଚାରରୁ କ୍ଷାନ୍ତ ରହି ସରକାରଙ୍କ ମନମୁଖୀ ଶାସନକୁ ସମର୍ଥନ କରନ୍ତୁ ବୋଲି ଏକ ପ୍ରକାର ବାଧ୍ୟ କରାଯାଉଛି ।

ଯେମିତି ରାଜା ନିଜର ସିଂହାସନକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀଙ୍କୁ ସାବାଡ଼ କରୁଥିଲେ କଠୋର ଦଣ୍ଡ ଦେଇ, ସେହିଭଳି ଏବେ ଶାସକ ଗୋଷ୍ଠୀ ନିଜର ସ୍ୱାର୍ଥ ପାଇଁ, ନିଜର ଗାଦିକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀ ଶୂନ୍ୟ ଶାସନ ଚଳେଇବାକୁ ପ୍ରୟାସ କରୁଛନ୍ତି । ଦେଶର ଆଇନ ବ୍ୟବସ୍ଥା, ଗଣମାଧ୍ୟମ ସବୁକିଛିକୁ ସରକାର ନିଜ କବ୍ଜାରେ ରଖିବାର ଉଦ୍ୟମ ମଧ୍ୟ କରୁଛନ୍ତି ।

ଭୁଲକୁ ବିରୋଧ କରିବା ସଭିଙ୍କ ଦ୍ୱାରା ହୁଏ ନାହିଁ । ଯିଏ ଭୁଲ - ଠିକ ଜାଣିପାରନ୍ତି ସେହି ବୁଦ୍ଧିମାନ ଲୋକମାନେ ହିଁ ସମାଲୋଚନା କରିପାରନ୍ତି ଓ ଜନତାଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ନିଜର ସ୍ୱର ଉଠାନ୍ତି । କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଦେଶଦ୍ରୋହ ଅଭିଯୋଗରେ ଗିରଫ ହେବା ଭୟରେ ବିରୋଧ କରିବାକୁ କ୍ଷମତା ରଖୁଥିବା ଅନେକ ବୁଦ୍ଧିଜୀବୀମାନେ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି । ଦେଶର ମଙ୍ଗଳ ପାଇଁ ଏହା କୌଣସି ପ୍ରକାରେ ଏକ ଭଲ ସୂଚନା ନୁହେଁ । ଏହିଭଳି ଅବସ୍ଥା ବଳବତ୍ତର ରହିଲେ ଦେଶର ଗଣତନ୍ତ୍ରରୁ ଗଣଙ୍କର ସମସ୍ତ ଅଧିକାର ଛିନ୍ନ ହୋଇଯିବ ।

ଏବେ ବିରୋଧୀ ଶବ୍ଦ ଏକ ଅପମାନ ସୂଚକ ଶବ୍ଦରେ ପରିଣତ ହୋଇଯାଇଛି । ସରକାରଙ୍କୁ ସମାଲୋଚନା ଓ ବିରୋଧ କରୁଥିବା ଲୋକଙ୍କୁ ନାନାଦି କୁତ୍ସିତ ଭାଷାରେ ଗାଳିଗୁଲଜ କରାଯାଉଛି । ଦେଶରେ ବର୍ତ୍ତମାନର ଏକ ପ୍ରମୁଖ ମାଧ୍ୟମ 'ସାମାଜିକ ଗଣମାଧ୍ୟମ' ଉପରେ ନିୟନ୍ତ୍ରଣ ଆଣି ବିରୋଧୀଙ୍କ ସ୍ୱରକୁ ଦବେଇବାକୁ ସରକାରଙ୍କର ଉଦ୍ୟମ ଜାରିରହିଛି ।

ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ ମିଡିଆକୁ ସରକାରଙ୍କ ନିୟନ୍ତ୍ରଣରେ ରଖାଯାଇ ସରକାରଙ୍କର ଗୁଣଗାନର ପ୍ରଚାର, ପ୍ରସାର ମାଧ୍ୟମ କରାଯାଇଛି ।

ବିରୋଧୀ ଦଳର କାର୍ଯ୍ୟ ହେଲା ସରକାରଙ୍କୁ ମନମୁଖୀ ହେବାରୁ ରକ୍ଷା କରିବା l ସରକାରଙ୍କର ଏକ ପ୍ରତିଛବି, ପ୍ରଶଂସନୀୟ ହେଉ ବା ନିନ୍ଦନୀୟ ତାହା ଜନତାଙ୍କ ସାମ୍ନାକୁ ଆଣିବା l ତେଣୁ ବିରୋଧୀଙ୍କର ସମାଲୋଚନାର ଭୟରେ ସରକାର ସର୍ବଦା ନିଜର ଭୁଲ, ତ୍ରୁଟି ଉପରେ ତୀକ୍ଷ୍ଣ ନଜର ରଖି ଜନତାଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ଉଦ୍ୟମ କରନ୍ତି l କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ବିରୋଧୀଙ୍କୁ ଖୁବ ବେଶି ଅପମାନିତ କରିବା ଓ ସେମାନଙ୍କ ଉପରେ ରାଷ୍ଟ୍ରଦ୍ରୋହର ଆରୋପ ଲଗାଇବା ଦ୍ୱାରା ସରକାର ନିଜେ ହିଁ ରାଷ୍ଟ୍ରର ଅମଙ୍ଗଳ କରୁଛନ୍ତି ।

କାହାକୁ ଆଖିବୁଜି ସମର୍ଥନ କରିବାର ଅର୍ଥ ଯେମିତି କାହାର ଦାସତ୍ୱ ସ୍ୱୀକାର କରିନେବା ସେହିଭଳି କାହାକୁ ବିରୋଧ କରିବାକୁ ଯାଇ ତାହାର ଭଲ, ମନ୍ଦ ଉଭୟ କାର୍ଯ୍ୟକୁ ବିନା କୌଣସି ଯୁକ୍ତିରେ ବିରୋଧ କରିବା ମଧ୍ୟ ନିତ୍ୟାନ୍ତ ନିନ୍ଦନୀୟ ।

ଆମ ଜନ୍ମର ବହୁ ପୂର୍ବରୁ ବିଦେଶୀ ଶକ୍ତି ବିରୁଦ୍ଧରେ ଅନେକ ବିରୋଧୀ ଲଢ଼େଇ କରି ଆମକୁ ସ୍ୱାଧୀନତା ଭଳି ଏକ ଅମୂଲ୍ୟ ଉପହାର ଦେଇଯାଇଛନ୍ତି । ସେତେବେଳେ ଯଦି ସେହି ବିରୋଧୀମାନେ ଦେଶଦ୍ରୋହୀର ଅପମାନକୁ ଭୟକରି, ଲାଠିମାଡ଼ ଓ କାରାଗାରକୁ ଡରି ବିରୋଧ କରି ନଥାନ୍ତେ, ଆମେ ଏକ ସ୍ୱାଧୀନ ଦେଶରେ ଜନ୍ମ ନେବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତେ । ସେହି ବିରୋଧୀମାନେ ଯେଉଁ ତାଙ୍କର ତାଜା ରକ୍ତରେ ତାଙ୍କ ଉତ୍ତର ପିଢ଼ିର ଭବିଷ୍ୟତ ଲେଖିଯାଇଥିଲେ ତାହାକୁ ଆମେ ଲିଭିଯିବାକୁ ଦେବା ନାହିଁ । ବିରୋଧ କରିବାଟାକୁ ଯେତେ ନିନ୍ଦା କରାଯାଉ ପଛେ ସରକାରଙ୍କ ଦ୍ୱାରା ଯଦି କେବେ ଆମ ଦେଶବାସୀଙ୍କର କୌଣସି ଏକ ବଡ଼ କ୍ଷତି ହେଉଛି ଆମେ ନିଶ୍ଚୟ ବିରୋଧୀ ସାଜିବା । ଚାଲନ୍ତୁ ଦେଶରୁ ବିରୋଧୀଙ୍କ ସଂଖ୍ୟା ଶୂନ୍ୟ ହୋଇଯିବା ଆଗରୁ ଆମେ ସଚେତନ ହୋଇଯିବା ।

Leave a comment