
ଏଇ ତୁମେ ଓ ମୁଁ
ଦେଖ ସମୁଦ୍ର ବାଲିରେ ଆମ ପାଦଚିହ୍ନ
ଏଇତ ଧୋଇ ଦେଉଛି ଆମ ପାଦଚିହ୍ନ ସମୁଦ୍ର
ବଡ଼ ଦୁଷ୍ଟ ଏ ସମୁଦ୍ର
ଠିକ ତୁମ ପରି... ନା ?
ଦେଖ, ଏବେ ସମୁଦ୍ର କୋଳରେ ଆମ ପାଦଚିହ୍ନ
ସମୁଦ୍ର ଛାତିରେ ଆକାଶ
ନା ଆକାଶ ଛାତିରେ ସମୁଦ୍ର ?
ଚାଲ, ଆମେ ଆଜି ସମୁଦ୍ର ପାଲଟିଯିବା
ତୁମେ ମିଶିଯିବ ମୋ ଦେହରେ ଆଉ ମୁଁ ତୁମ ଦେହରେ
ହଜିଯିବାରେ ବି ଆନନ୍ଦ ଥାଏ ନା ?
ତାପରେ ତୁମେ ଯିଏ, ମୁଁ ସେ ନୁହେଁ ।
ଦେଖ, ଯଦି ତୁମ ଆଖି ସମୁଦ୍ର ହୁଏ ମୁଁ
ପାଲଟଣା ବୋଇତ ହୋଇ ରହିବି ସେଠି
ଲଙ୍ଗର ପକେଇ
ରଖିବ ମୋତେ ଲୁଚେଇ ?
ଯେମିତି ଛୁଇଁ ପାରିବନି ସମୟର ଝଡ଼ କି ଘୂର୍ଣ୍ଣି
ନା, ସମୁଦ୍ର କାହାର ନୁହଁ, ମୁଁ ଜାଣେ
ସମୁଦ୍ର ଖାଲି ଛଡ଼େଇ ନେଇପାରେ
ଓ ଫେରାଏ ମାତ୍ର ଭଙ୍ଗାରୁଜା ସ୍ଵପ୍ନ ଓ ଟୁକୁରା ଟୁକୁରା ବଳକା ହୃଦୟ ।
ନା, ମୋର ସମୁଦ୍ର ନୁହେଁ, ତୁମର ମୁଁ ନୁହେଁ
ଏଇ ଦେଖ, ସମୁଦ୍ର ପୁଣି ଡାକୁଛି
ଦୋହଲୁଛି ହୃଦୟ ହୁଲିଡଙ୍ଗା ପରି
ସତରେ ମୋତେ ସମୁଦ୍ର ଡାକୁଛି
ନା, ତୁମ ଆଖି ପୁଣିଥରେ ବାଟ ଭୁଲଉଛି !