ସମ୍ବଲପୁରକୁ ଛବିରେ ଆଙ୍କିଥିବା ଜଣେ ଅଜଣା ଚିତ୍ରଶିଳ୍ପୀ

ଫଟୋଗ୍ରାଫିର ବ୍ୟବହାର ହେବା ଆଗରୁ ଇଂରେଜ ଓ ଅନ୍ୟ ୟୁରୋପୀୟମାନେ ଭାରତକୁ ଏମିତି ତନ୍ନତନ୍ନ କରି ଡକ୍ୟୁମେଣ୍ଟ କରିଛନ୍ତି । ବିଦେଶୀ ଆଖିରେ ଭାରତ ସେମାନଙ୍କୁ ଅଲଗା ଲାଗିଛି । ସେଇ ଅଲଗା ଦୃଶ୍ୟମାନଙ୍କୁ ଛବିରେ ବାନ୍ଧି ପକାଇବାର ପ୍ରୟାସରୁ କମ୍ପାନୀ ସ୍କୁଲ ଛବିର ଆରମ୍ଭ ହେଇଛି । ମିନିଏଚର ଆଙ୍କୁଥିବା ଭାରତୀୟ ଚିତ୍ରଶିଳ୍ପୀମାନେ ଇଉରୋପୀୟ ସାଜ ସରଞ୍ଜାମ ଓ ଧାରା - ଧାରଣାରେ ବିଦେଶୀଙ୍କ ଦୃଷ୍ଟିକୋଣରୁ ଛବି ସବୁ ଆଙ୍କିଛନ୍ତି ।

ଭାରତରେ କମ୍ପାନୀ ଛବି ବିଷୟରେ ପଢ଼ାପଢ଼ି କଲାବେଳକୁ ମୋର ବିଶେଷ ଆଗ୍ରହ ଜନ୍ମିଥିଲା ଜାଣିବାକୁ ଯେ, ସେସବୁ ଛବି ଭିତରକୁ ଓଡ଼ିଶା କେତେ ଭାବରେ ଆସିଛି ? କୋଉ କୋଉ କମ୍ପାନୀ ଛବି ଆଙ୍କୁଥିବା ଚିତ୍ରକର ଓଡ଼ିଶାକୁ ଆସିଛନ୍ତି ଓ ଓଡ଼ିଶାକୁ ଆଙ୍କିଛନ୍ତି ? ଖୋଜାଖୋଜିରୁ କିଛି ଛବି ଓ ସାମାନ୍ୟ ସୂଚନା ଅବଶ୍ୟ ମିଳିଲା । ଏଯାବତ୍ ନାମ ଅଜଣା ସେ ଶିଳ୍ପୀ ଜଣକ ହେଲେ ୱାଲଟର୍ ଗିଲବର୍ଟ (Walter Raleigh Gilbert, ୧୭୮୫ - ୧୮୫୩)ଙ୍କ ସାଙ୍ଗରେ ବୁଲି ବୁଲି ସାହେବଙ୍କ ବରାଦରେ ଛବି ଆଙ୍କୁଥିଲେ । ସେତେବେଳେ କିଛି ଚିତ୍ରପ୍ରିୟ ଇଂରେଜମାନେ ଭାରତ ଓ ତା’ର ବିଭବକୁ ଛବିରେ ରୂପ ଦେବା ପାଇଁ ଚିତ୍ରକରମାନଙ୍କୁ ସାଙ୍ଗରେ ଧରି ବୁଲୁଥା’ନ୍ତି । ଗିଲବର୍ଟ ୧୮୦୧ରେ ବେଙ୍ଗଲ ନେଟିଭ୍ ଇନଫାଣ୍ଟ୍ରିରେ କାମ ଆରମ୍ଭ କରିଥିଲେ ।


ଗିଲବର୍ଟ ୧୮୧୪ରେ ଇସାବେଲା ରୋଜ ନାମକ ଭଦ୍ରମହିଳାଙ୍କୁ ବିବାହ କରିଥିଲେ । ଇସାବେଲାଙ୍କ ଭଉଣୀ ଏଲିଜା ଜଣେ ସୌଖିନ ଚିତ୍ରଶିଳ୍ପୀ ଓ ବ୍ରିଟିଶ ପ୍ରଶାସକ ଚାର୍ଲସ୍ ଡି ଓୟେଲିଙ୍କୁ ବିବାହ କଲେ । ଇସାବେଲା ରୋଜ ଓ ଏଲିଜା ଦୁଇ ଭଉଣୀ ୧୮୧୩ ରୁ ୧୮୨୩ ପର୍ଯ୍ୟନ୍ତ ଗଭର୍ଣ୍ଣର ଜେନେରାଲ ଥିବା ଲର୍ଡ ହେଷ୍ଟିଙ୍ଗସ୍ ଙ୍କ ପତ୍ନୀ ଫ୍ଲୋରା ହେଷ୍ଟିଙ୍ଗସ୍ ଙ୍କ ସଂପର୍କୀୟା ଭଉଣୀ ହେବେ । ହେଷ୍ଟିଙ୍ଗସ୍ ଦମ୍ପତି ସେମାନଙ୍କ ଭାରତ ଭ୍ରମଣରେ ଚିତ୍ରଶିଳ୍ପୀ ସୀତାରାମଙ୍କୁ ସାଙ୍ଗରେ ଧରିଥିଲେ । ସେଇ ଭାରତ ବୁଲାରେ ସେତେବେଳେ ସୀତାରାମ ପୁରା ଦଶଟି ଆଲବମ୍ ପ୍ରସ୍ତୁତ କରିଥିଲେ । ହେଷ୍ଟିଙ୍ଗସ୍ ଦମ୍ପତି କାନପୁରରେ ପହଞ୍ଚିଲା ବେଳକୁ ଗିଲବର୍ଟ ସେଇଠି କାମ କରୁଥା’ନ୍ତି ।  ସେଇଠି ସୀତାରାମ ଓ ଗିଲବର୍ଟଙ୍କର ପରିଚୟ ହେଇଛି ।

ପରେ ଗିଲବର୍ଟ କଲିକତା ଆସିଲାପରେ ସେ ସୀତାରାମ ଓ ଅନ୍ୟ କମ୍ପାନୀ ଚିତ୍ରଶିଳ୍ପୀମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ମିଶିଛନ୍ତି । ଗିଲବର୍ଟ ୧୮୨୫ରୁ ୧୮୨୭ ପର୍ଯ୍ୟନ୍ତ ଦକ୍ଷିଣ ପୂର୍ବ ଫ୍ରଣ୍ଟାୟାରର ରାଜନୈତିକ ଏଜେଣ୍ଟ ଭାବରେ ଫ୍ରଣ୍ଟାୟାରର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁରରେ ଅବସ୍ଥାନ କରୁଥିଲେ । ସମ୍ବଲପୁର ଆସିଲା ବେଳକୁ ଗିଲବର୍ଟ ସାଙ୍ଗରେ ଧରି ଆସିଥିବା ଶିଳ୍ପୀ ଜଣକ ମୁଖ୍ୟତଃ ସୀତାରାମଙ୍କୁ ଅନୁସରଣ କରି  ଛବି ଆଙ୍କୁଥାନ୍ତି । ହୁଏତ ସୀତାରାମଙ୍କ ସୁପାରିସ୍ ରେ ଗିଲବର୍ଟ ସେ ଚିତ୍ରକରଙ୍କୁ ସାଙ୍ଗରେ ଧରି ଆସିଥାଇ ପାରିଥାନ୍ତି । ଗିଲବର୍ଟଙ୍କ ସମ୍ବଲପୁରରେ ଅବସ୍ଥାନ କରିଥିବା ସମୟରେ ତାଙ୍କ ଚିତ୍ରକର ଆଙ୍କିଥିବା ଛବିମାନଙ୍କ ମଧ୍ୟରୁ ପନ୍ଦରଟି ଛବି ଏବେ ବ୍ରିଟିଶ୍ ଲାଇବ୍ରେରୀରେ ଅଛି ଓ ସାତୋଟି ଛବି ଭିକ୍ଟୋରିଆ - ଆଲବର୍ଟ ମ୍ୟୁଜିୟମ୍ ରେ ସଂରକ୍ଷିତ ଅଛି ।

କମ୍ପାନୀ ଶୈଳୀରେ ଅଙ୍କିତ ଛବିମାନଙ୍କ ମଧ୍ୟରେ ସୀତାରାମଙ୍କ ଛବିର ସ୍ୱାତନ୍ତ୍ର୍ୟତା ରହିଛି । ଅନୁମାନ କରାଯାଏ, ସୀତାରାମ ସିଧାସଳଖ କିଛି ବିଦେଶୀ ଶିଳ୍ପୀମାନଙ୍କ ସମ୍ପର୍କରେ ଆସିଥିଲେ ଓ ନିଜର କଳା-କୌଶଳରେ ଉନ୍ନତି ଆଣିଥିଲେ । ସୀତାରାମ ମୁର୍ଶିଦାବାଦର ଲୋକ ଓ କଲିକତାରେ ସେ ଉଇଲିୟମ ଡାନିଏଲ୍, ଥୋମାସ୍, ଜର୍ଜ ଚିନ୍ନେରି ଓ ଉଇଲିୟମ୍ ହୋଜେସ୍ ଙ୍କ ଜଳରଙ୍ଗର ଛବି ଓ ଏନଗ୍ରାଭିଙ୍ଗ ଦ୍ୱାରା ପ୍ରଭାବିତ ଥିଲେ । ତେଣୁ ସୀତାରାମଙ୍କ ଛବିରେ ୟୁରୋପୀୟ ଜଳବର୍ଣ୍ଣର ବିନ୍ୟାସ ଓ ଭୂଦୃଶ୍ୟ ବର୍ଣ୍ଣନରେ ଅନୁପାତ ଏବଂ ପରିପ୍ରେକ୍ଷିତା ଚମତ୍କାର ଥିଲା। ସୀତାରାମଙ୍କ ଛବି ପରି ପ୍ରାୟ ଅନ୍ୟ କମ୍ପାନୀ ଶିଳ୍ପୀମାନେ ଛବି ଆଙ୍କିନାହାନ୍ତି । ଗିଲବର୍ଟଙ୍କ ଚିତ୍ରଶିଳ୍ପୀ କିନ୍ତୁ ସୀତାରାମଙ୍କ ଛବିରୁ ବେଶ୍ ପ୍ରଭାବିତ ହୋଇଛନ୍ତି ଓ ପ୍ରାୟ ସେମିତି ହିଁ ଆଙ୍କିଛନ୍ତି । ସେ ନିଶ୍ଚୟ କଲିକତାରେ ସୀତାରାମଙ୍କ ନିକଟ ପରିସରର ସଦସ୍ୟ ଥିଲେ ଓ ଯେତେଦୂର ଅନୁମାନ କରାଯାଏ ସେ ପ୍ରଥମରୁ ମୁର୍ଶିଦାବାଦ ଶୈଳୀରେ ହିଁ ଛବି ଅଙ୍କା ଶିଖିଥିଲେ । ସୀତାରାମଙ୍କ ଛବିରେ ଥିବା ଗୋଲାପି ଓ ବାଦାମୀ ରଙ୍ଗର ବିପରୀତରେ ସେ ନୀଳ ଓ ହଳଦିଆ ରଙ୍ଗ ବ୍ୟବାହାର କରିଛନ୍ତି । ଯଦିଓ ଜଳରଙ୍ଗ ବ୍ୟବହାରର କାଇଦା ସେ ସୀତାରାମଙ୍କ ପରି ହିଁ କରିଛନ୍ତି । ସୀତାରାମଙ୍କ ପରି ସେ କାଗଜ ଉପରେ ହାଲକା ତୂଳୀ ଚାଳନା କରିଛନ୍ତି ଓ ଛବିକୁ ଏରିଅଲ୍ ଭ୍ୟୁ ପରସ୍ପେକ୍ଟିଭ୍ ରୁ ବି ଅଙ୍କନ କରିଛନ୍ତି । କିଛି ଛବି ଅତି ତଳୁ ବସି ଦେଖିଲା ଭଳି ବି ଆଙ୍କିଛନ୍ତି । ମହାନଦୀ ତଟରେ ଥିବା ଗିଲବର୍ଟଙ୍କ ବଙ୍ଗଳା ଓ ସମ୍ବଲପର ଦୁର୍ଗ ସେଇ ଲୋ ପଏଣ୍ଟ ଅଫ ଭ୍ୟୁ ରୁ ଅଙ୍କିତ । ମହାନଦୀର ପଥୁରିଆ ତଟରୁ  ଗିଲବର୍ଟଙ୍କ ବଙ୍ଗଳା ଖଣ୍ଡେ ଦୂରରୁ ଦୃଶ୍ୟମାନ । ସେମିତି ଅନ୍ୟ ଛବିରେ ଅଛି ମହାନଦୀର ପାଣି ଭିତରର ପଥର ଓ ଦୂରରେ ଥିବା ପର୍ବତ ଶ୍ରେଣୀ, ଆକାଶରେ ହାଲକା ମେଘ ଏବଂ ନଦୀ ପଟରୁ ଆଂଶିକ ଦୃଶ୍ୟମାନ ଦୁର୍ଗର ବିଶାଳ ମଜଭୂତ ପ୍ରାଚୀର ।

ସେଦିନର ସମ୍ବଲପୁର ରାଜପ୍ରାସାଦ କେମିତି ଦିଶୁଥିଲା ତାହା ଆଜି ଆମେ ସେଇ ନାମ ଅଜଣା ଚିତ୍ରଶିଳ୍ପୀ ଓ ଗିଲବର୍ଟଙ୍କ ଯୋଗୁଁ ଦେଖିପାରୁଛେ । ରାଜପ୍ରାସାଦର ଛବିରେ ଗୋଟେ ହାତୀ ଉପରେ ଗିଲବର୍ଟ ବସିଛନ୍ତି । ଶୋଭାଯାତ୍ରାକୁ ଆଗରେ ରହି ଯୁବରାଜ ବାଟ କଢେ଼ଇ ନେଉଛନ୍ତି । କମ୍ପାନୀ ଶୈଳୀର ଛବିରେ ଚିତ୍ରକରମାନେ କେବେ କେବେ ତାଙ୍କ ବରାଦକାରୀ ଖାଉନ୍ଦଙ୍କୁ ଛବିରେ ଆଙ୍କି ପକାଉଥିଲେ । ସୀତାରାମ ବି ସେମିତି କରିଛନ୍ତି । ୧୭୯୭ରେ ମରହଟ୍ଟାମାନେ ତତ୍କାଳୀନ ରାଜାଙ୍କୁ ଗାଦିରୁ ତଡ଼ି ଦେଇଥିଲେ କିନ୍ତୁ ୧୮୧୭ରେ ସେଠୁ ମରହଟ୍ଟାଙ୍କୁ ବିତାଡ଼ିତ କରି ଇଂରେଜମାନେ ରାଜାଙ୍କୁ ଗାଦି ଫେରାଇଥିଲେ । ଅନ୍ୟ ଏକ ଛବିରେ ଯୁବରାଜ, ଗିଲବର୍ଟ ଓ ଅନ୍ୟ ୟୁରୋପୀୟମାନେ ରାତିରେ ଗୋଟେ ତମ୍ବୁ ତଳେ ବସି ନୃତ୍ୟ ଗୀତର ମଜା ନେଉଛନ୍ତି । ତମ୍ବୁ ଭିତରେ ଆଲୋକର ଉତ୍ସ ଓ ବାହାରେ ଝାପ୍ସା ଅନ୍ଧାରର ରାତି ସୀତାରାମଙ୍କ ରାତ୍ରୀକାଳୀନ ଛବିମାନଙ୍କ କଥା ମନେ ପକାଇଦିଏ ।

ସାହେବଙ୍କ ବଙ୍ଗଳା, ମହାନଦୀର ପଠାରୁ ସମ୍ବଲପୁର ଦୁର୍ଗ ଓ ରାଜାଙ୍କ ଉଆସ ଛଡ଼ା ସମ୍ବଲପୁରର ଆରାଧ୍ୟା ଦେବୀ ମା’ ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିରର ଛବି ମଧ୍ୟ ସେ ଶିଳ୍ପୀ ସେତେବେଳେ ଆଙ୍କି ଯାଇଛନ୍ତି । ଛବିଟି ଏବର ସମଲେଶ୍ୱରୀ ମନ୍ଦିରର ପରିସର ଏବଂ ଆଖପାଖର ପରିବେଶରୁ ବେଶ୍ ଅଲଗା ଲାଗୁଛି ।


ଫଟୋଗ୍ରାଫିର ବ୍ୟବହାର ହେବା ଆଗରୁ ଇଂରେଜ ଓ ଅନ୍ୟ ୟୁରୋପୀୟମାନେ ଭାରତକୁ ଏମିତି ତନ୍ନ ତନ୍ନ କରି ଡକ୍ୟୁମେଣ୍ଟ କରିଛନ୍ତି । ବିଦେଶୀ ଆଖିରେ ଭାରତ ସେମାନଙ୍କୁ ଅଲଗା ଲାଗିଛି । ସେଇ ଅଲଗା ଦୃଶ୍ୟମାନଙ୍କୁ ଛବିରେ ବାନ୍ଧି ପକାଇବାର ପ୍ରୟାସରୁ କମ୍ପାନୀ ସ୍କୁଲ ଛବିର ଆରମ୍ଭ ହେଇଛି । ମିନିଏଚର ଆଙ୍କୁଥିବା ଭାରତୀୟ ଚିତ୍ରଶିଳ୍ପୀମାନେ ଇଉରୋପୀୟ ସାଜ ସରଞ୍ଜାମ ଓ ଧାରା - ଧାରଣାରେ ବିଦେଶୀଙ୍କ ଦୃଷ୍ଟିକୋଣରୁ ଛବି ସବୁ ଆଙ୍କିଛନ୍ତି । ବିଲାତି ଜଳରଙ୍ଗ ଓ ବିଲାତି କାଗଜ ବି ବ୍ୟବହାର କରିଛନ୍ତି । ଏଇଧାରାର ଅଳ୍ପ କେତୋଟି ଓଡ଼ିଶା ବିଷୟକ ଛବି ମୁଁ ଦେଖିଛି । ସେଥିରୁ ପୁରୀର ଗୋଟେ ଦୁଇଟି ଓ ଭୁବନେଶ୍ୱରର ବୈତାଳୀ ମନ୍ଦିରର ଗୋଟେ ଛବି କଥା ଏବେ ମନେପଡୁଛି । ମୋର ଧାରଣା ଆହୁରି ଏମିତି ଅନେକ ଛବି ନିଶ୍ଚୟ ଥିବ । ହୁଏତ ଠିକ୍ ରେ ଖୋଜିଲେ ମିଳିଯାଇପାରେ । ମିଳିଲେ କିଛି ନହେଲେ ନାହିଁ, ଇଂରେଜ ଉପନିବେଶର ପ୍ରାକ୍ କାଳରେ ଓଡ଼ିଶାର ଭୂଦୃଶ୍ୟ କେମିତି ଥିଲା ଓ ଓଡ଼ିଆ ଲୋକମାନେ କେମିତି ଦିଶୁଥିଲେ ଓ କ’ଣ ବେଶ ପୋଷାକ ପିନ୍ଧୁଥିଲେ ତାହା ଅନ୍ତତଃ ଦେଖିହୁଅନ୍ତା ।

Leave a comment