ସାର୍ ଡେରିକ୍‌ ୱାଲ୍‌କଟ୍‌; ଜୀବନ ଓ କବିତା

ବିଂଶ ଶତାବ୍ଦୀରେ ବିଶ୍ୱ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ସାହିତ୍ୟିକ ମାନଙ୍କ ମଧ୍ୟରେ ସେଣ୍ଟ୍ ଲୁସିଆର ବିଶିଷ୍ଟ କବି ତଥା ନାଟ୍ୟକାର, ୧୯୯୨ ର ନୋବେଲ ସାହିତ୍ୟ ପୁରସ୍କାର ବିଜେତା ସାର୍ ଡେରିକ୍‌ ଆଲ୍‌ଟନ୍ ୱାଲ୍‌କଟ୍ ଥିଲେ ଅନ୍ୟତମ ସ୍ପର୍ଦ୍ଧିତ ପ୍ରତିଭା। କାରିବିଆନ୍ ଦ୍ୱୀପପୁଞ୍ଜସ୍ଥିତ ସେଣ୍ଟ୍ ଲୁସିଆ ଦେଶର ରାଜଧାନୀ କାଷ୍ଟ୍ରିଜ୍ ସହରରେ ଜାନୁଆରୀ ୨୩, ୧୯୩୦ ରେ ଜନ୍ମଗ୍ରହଣ କରିଥିଲେ।
ଫଟୋ ସୌଜନ୍ୟ: ନୋବେଲ ପୁରସ୍କାର କମିଟି

ବିଂଶ ଶତାବ୍ଦୀରେ ବିଶ୍ୱ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ସାହିତ୍ୟିକ ମାନଙ୍କ ମଧ୍ୟରେ ସେଣ୍ଟ୍ ଲୁସିଆର ବିଶିଷ୍ଟ କବି ତଥା ନାଟ୍ୟକାର, ୧୯୯୨ ର ନୋବେଲ ସାହିତ୍ୟ ପୁରସ୍କାର ବିଜେତା ସାର୍ ଡେରିକ୍‌ ଆଲ୍‌ଟନ୍ ୱାଲ୍‌କଟ୍ ଥିଲେ ଅନ୍ୟତମ ସ୍ପର୍ଦ୍ଧିତ ପ୍ରତିଭା । କାରିବିଆନ୍ ଦ୍ୱୀପପୁଞ୍ଜ ସ୍ଥିତ ସେଣ୍ଟ୍ ଲୁସିଆ ଦେଶର ରାଜଧାନୀ କାଷ୍ଟ୍ରିଜ୍ ସହରରେ ଜାନୁଆରୀ ୨୩, ୧୯୩୦ ରେ ଜନ୍ମଗ୍ରହଣ କରିଥିଲେ । କାରିବିଆନର ପୂର୍ବଭାଗରେ ଥିବା ଦୁଇଶହ ଚାଳିଶ ବର୍ଗ ମାଇଲ ର ଛୋଟ ଦ୍ୱୀପ ସେଣ୍ଟ୍ ଲୁସିଆକୁ ୧୯୭୯ ରେ ସ୍ୱତନ୍ତ୍ର ଦେଶ ଭାବରେ ଘୋଷଣା କରିବା ପୂର୍ବରୁ ୧୬୫ ବର୍ଷ ଧରି ବ୍ରିଟିଶ ସାମ୍ରାଜ୍ୟର ଏକ ସାଧାରଣ ଛାଉଣି ଭାବରେ ଏହା ପରିଗଣିତ ହେଉଥିଲା । ଡେରିକ୍‌ଙ୍କ ପରିବାର ମଧ୍ୟବର୍ଗୀୟ ଥିଲେ ମଧ୍ୟ ସମାଜରେ ତାଙ୍କର ପ୍ରତିଷ୍ଠା ଥିଲା । ତାଙ୍କର ବାପା ସରକାରୀ କର୍ମଚାରୀ ଓ ଚିତ୍ରକାର ଏବଂ ମା ଶିକ୍ଷୟତ୍ରୀ ଥିଲେ । ତାଙ୍କର ଜାଆଁଳା ଭାଇ ରୋଡେରିକ୍ ମଧ୍ୟ ଜଣେ ପ୍ରତିଷ୍ଠିତ ନାଟ୍ୟକାର ଥିଲେ । ସେ ଯେତେବେଳେ ମାତ୍ର ବର୍ଷକର ହୋଇଥିଲେ, ତାଙ୍କ ବାପାଙ୍କର ଦେହାନ୍ତ ଘଟିଲା । ତାଙ୍କ ମା ନିଜର ଶିକ୍ଷକ ଦରମା ସହିତ ସ୍ଥାନୀୟ ଲୋକମାନଙ୍କର କୁର୍ତ୍ତା ସିଲେଇ କରି ନିଜର ଦୁଇ ଜାଆଁଳା ପୁଅ ଓ ଝିଅକୁ ଦେଇଥିବା ମଧ୍ୟବର୍ଗୀୟ ନିତିଦିନିଆ ଜୀବନରେ ଅନ୍ୟାନ୍ୟ ଦରକାରୀ ବସ୍ତୁ ସହିତ କଳା, ସଂଗୀତ ଏବଂ ସାହିତ୍ୟ ମଧ୍ୟ ଥିଲା ।

ତିନି ଦିନ ପରେ ସେଇ ଖବରକାଗଜରେ ଏକ ଉପଦେଶାତ୍ମକ ପ୍ରତ୍ୟୁତ୍ତର ପ୍ରକାଶ ପାଇଲା ଯାହା ଯୁବକବିଙ୍କୁ ଶିକ୍ଷାଦେବା ଛଳରେ ଲେଖାଯାଇଥିଲା । ତାକୁ ଲେଖିଥିଲେ ସେଣ୍ଟ୍‌ ଲୁସିଆର ମୂଖ୍ୟ ରୋମାନ କାଥୋଲିକ ଚର୍ଚ୍ଚର ପାଦ୍ରୀ । ସେଇ ସମୟରେ ଦ୍ୱୀପର ପ୍ରାୟ ନବେ ଭାଗ ଲୋକ ରୋମାନ କାଥୋଲିକ ସମ୍ପ୍ରଦାୟର ଥିଲେ, ୱାଲକଟ୍‌ ପରିବାର ଥିଲେ ମେଥଡିଷ୍ଟ ସଂଖ୍ୟାଲଘୁ ।

ତାଙ୍କୁ ଯେତେବେଳେ ଅଠର ବର୍ଷ, ସେ ତାଙ୍କର ପ୍ରଥମ କବିତା ସଙ୍କଳନ ପ୍ରକାଶକଲେ, ଯେଉଁଥିରେ ତାଙ୍କ କବିତାରେ ହୋମର, ଦାନ୍ତେ, ସେକ୍‌ସପିଅର, ଜୟେସ୍, ଏଲିଅଟ୍ ଏବଂ ପାଉଣ୍ଡଙ୍କ ଛାପ ଦେଖିବାକୁ ମିଳିଲା । କବିତା ବହି ଛାପିବା ପାଇଁ ଦୁଇଶହ ଡଲାର ଖର୍ଚ୍ଚ ଲାଗିବ ବୋଲି ମା‘ଙ୍କୁ କହିଲେ । ମା ଯୋଗାଡକରି ତାଙ୍କୁ ଦେଲେ । କବିତା ବହି ଛପାଗଲା । ଡେରିକ୍ ଘର ଘର ବୁଲି ତାଙ୍କର ବହିକୁ ପଚିଶ ଜଣ ପାଠକଙ୍କୁ ବିକ୍ରୀ କଲେ ଏବଂ ମା‘ଙ୍କୁ ଦୁଇଶହ ଡଲାର ଫେରାଇଦେଲେ । ସେହି ଦିନ ତାଙ୍କ ଜୀବନର ମହତ୍ତ୍ୱାକାଂକ୍ଷା ଓ ସଫଳତାର ନିଅଁ ପଡିଲା । ତାଙ୍କୁ ଯେତେବେଳେ କୋଡିଏ ବର୍ଷ, ତାଙ୍କର ପ୍ରଥମ ନାଟକ “ହେନେରି ଖ୍ରୀଷ୍ଟୋଫେ” ସେଣ୍ଟ୍ ଲୁସିଆ ଆର୍ଟ ଗିଲ୍ଡ୍ ଦ୍ୱାରା କାଷ୍ଟ୍ରିଜ୍ ସହରରେ ମଞ୍ଚସ୍ଥ ହେଲା।

୧୯୪୭ ରେ ସେ ସେଣ୍ଟ୍‌ ମେରିଜ୍ କଲେଜରୁ ଭଲ ନମ୍ବର ରଖି ପାସ କରିଥିଲେ ମଧ୍ୟ ତାଙ୍କୁ ଆଇଲାଣ୍ଡ ସ୍କଲାରସିପ୍ ମିଳି ପାରି ନଥିଲା ଯାହା ମାଧ୍ୟମରେ ଇଂଲଣ୍ଡରେ ଯାଇ ଆଗକୁ ପଢିବାର ତାଙ୍କର ସ୍ୱପ୍ନ ସାକାର ହୋଇ ପାରି ନଥିଲା । ତେଣୁ ସେ ସେଇ ସ୍କୁଲରେ ଶିକ୍ଷକ ଭାବରେ ଯୋଗ ଦେଲେ । ୧୯୫୦ ରେ କଲୋନିଆଲ ଡେଭେଲପମେଣ୍ଟ ଆଣ୍ଡ୍ ୱେଲଫେୟାର ସ୍କଲାରସିପ୍‌ ପାଇ ସେ ଜାମାଇକାର ୟୁନିଭର୍ସିଟି କଲେଜ ଅଫ୍ ୱେଷ୍ଟ ଇଣ୍ଡିଜରେ କଳା ବିଭାଗରେ ଭର୍ତ୍ତି ହେଲେ । ସେହି ବିଶ୍ୱବିଦ୍ୟାଳୟର ସେ ପ୍ରଥମ ସ୍ନାତକ ଥିଲେ ଏବଂ ପରେ ସେହି ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ମଧ୍ୟ ପ୍ରଦାନ କରିଥିଲା ।  ୧୯୫୩ ରେ ବି.ଏ. ପାସ୍ କଲାପରେ ତିନି ବର୍ଷ ପର୍ଯ୍ୟନ୍ତ ସେ ଜାମାଇକାରେ ଶିକ୍ଷକତା କରିବା ସହ ଗୋଟିଏ ସାପ୍ତାହିକ ଖବରକାଗଜରେ କଳା ଓ ସାହିତ୍ୟର ଫିଚର ଲେଖକ ଭାବରେ କାମ କଲେ । ୧୯୫୦ ଦଶକର ଶେଷ ଆଡକୁ ୱେଷ୍ଟ ଇଣ୍ଡିଜ୍ ଫେଡେରେସନ୍ ଉଦଘାଟନ ସମୟରେ ତାଙ୍କୁ “ଡ୍ରମ୍‌ସ ଆଣ୍ଡ୍ କଲର୍ସ” ଶୀର୍ଷକ ଐତିହାସକ ନାଟକ ଲେଖିବା ନିମନ୍ତେ ଦାୟିତ୍ୱ ଦିଆଗଲା । ଏହା ୧୯୫୮ ରେ ପୋର୍ଟ ଅଫ୍ ସ୍ପେନରେ ମଞ୍ଚସ୍ଥ ହେଲା । ଏହି ଅଭିଜ୍ଞତା ତାଙ୍କୁ “ତ୍ରିନିଦାଦ୍ ଥିଏଟର ୱର୍କସପ୍” ନାମରେ ନାଟକ କମ୍ପାନୀ ଖୋଲିବାକୁ ପ୍ରେରଣା ଦେଲା ଏବଂ ସେ ଅନେକ ବହୁଚର୍ଚ୍ଚିତ ନାଟକ ଲେଖିଲେ ଓ ନିର୍ଦ୍ଦେଶନା ଦେଲେ ।

୧୯୬୨ ରେ ଲଣ୍ଡନର ଜୋନାଥନ୍‌ କେପ୍ ପ୍ରକାଶନ ସଂସ୍ଥା ଡେରିକ୍‌ଙ୍କ କବିତା ସଙ୍କଳନ “ଇନ୍ ଏ ଗ୍ରୀନ୍ ନାଇଟ୍: ପୋଏମ୍‌ସ ୧୯୪୮-୧୯୬୦” ପ୍ରକାଶ କଲେ । ତାହା ଥିଲା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ପ୍ରକାଶନ ଯାହା ତାଙ୍କୁ ବିଶ୍ୱ ସାହିତ୍ୟରେ ଲୋକପ୍ରିୟ କରିଥିଲା । ସେ ୧୯୮୦ ପର୍ଯ୍ୟନ୍ତ ସେଇ ପ୍ରକାଶନ ସଂସ୍ଥା ସହ ଜଡିତ ରହିଲେ । ପରେ ଫାବର୍ ଆଣ୍ଡ୍ ଫାବର୍ ତାଙ୍କ ସଙ୍କଳନ ପ୍ରକାଶନର ଦାୟିତ୍ୱ ନେଲା । ପ୍ରଖ୍ୟାତ ଆମେରିକୀୟ କବି ରବର୍ଟ ଲୋୱେଲ୍ ଥରେ ସେଣ୍ଟ୍ ଲୁସିଆ ଯାଇଥିଲେ । ସେଠି ଡେରିକ୍‌ଙ୍କ ସହିତ ତାଙ୍କର ବନ୍ଧୁତା ସ୍ଥାପନ ହେଲା । ସେ ଡେରିକ୍‌ଙ୍କ କବିତା ପଢି ମୁଗ୍ଧ ହେଲେ ଏବଂ କିଛି କବିତା ଆଣି ଆମେରିକୀୟ ପ୍ରକାଶନ ସଂସ୍ଥା ଫରାର, ଷ୍ଟ୍ରେଅସକୁ ଦେଖାଇଲେ ଏବଂ ପ୍ରକାଶ କରିବାକୁ ସୁପାରିଶ କଲେ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହି ପ୍ରକାଶନ ସଂସ୍ଥା ଡେରିକ୍‌ଙ୍କ ଆମେରିକୀୟ ପ୍ରକାଶକ ଭାବେ କାର୍ଯ୍ୟ କରୁଛି । ୧୯୭୬ ରେ ସେ ତ୍ରିନିଦାଦ ଛାଡିବାକୁ ମନସ୍ଥ କଲେ ଏବଂ ଆମେରିକା ଆସିବାକୁ ଚେଷ୍ଟା କଲେ । ସେଇ ସମୟରେ ତାଙ୍କର ଦୁଇଟି ସଫଳ ନାଟକ “ରିମେମ୍ବରାନ୍ସ” ଓ “ପାଣ୍ଟୋମାଇମ୍” କାରିବେଆନର ବିଭିନ୍ନ ସହର ମାନଙ୍କରେ ପ୍ରଦର୍ଶିତ ହୋଇ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ୧୯୮୧ ରେ ବୋଷ୍ଟନ ବିଶ୍ୱବିଦ୍ୟାଳୟ କ୍ରିଏଟିଭ ରାଇଟିଙ୍ଗ ବିଭାଗର ପ୍ରଫେସର ରୂପେ ନିଯୁକ୍ତି ହେବା ପୂର୍ବରୁ ସେ ହାର୍ଭାର୍ଡ ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ଅଳ୍ପ ସମୟ ପାଇଁ ଶିକ୍ଷା ଦାନ କରିଥିଲେ ସେଇ ବର୍ଷ ତାଙ୍କୁ ସମ୍ମାନଜନକ ମ୍ୟାକଆର୍ଥର ଫେଲୋସିପ ମିଳିଲା । ସେ ୨୦୦୭ ରେ ବୋଷ୍ଟନ ବିଶ୍ୱବିଦ୍ୟାଳୟରୁ ଶିକ୍ଷାନିବୃତ୍ତ ହେଲେ।

ଆମେରିକାରେ ତାଙ୍କର ବନ୍ଧୁତା ହେଲା ଦୁଇ ପ୍ରସିଦ୍ଧ କବି – ଦେଶାନ୍ତର ହୋଇଥିବା ସୋଭିଏତ ଋଷୀୟ କବି ଜୋସେଫ ବ୍ରୋଡସ୍କି ଏବଂ ଆୟରଲ୍ୟାଣ୍ଡର ସେମସ୍ ହେନେଙ୍କ ସହିତ – କହିବା ବାହୁଲ୍ୟ ଯେ ଦୁହେଁ ପରେ ନୋବେଲ ସାହିତ୍ୟ ପୁରସ୍କାର ମଧ୍ୟ ପାଇଲେ । ଡେରିକ୍‌ଙ୍କର ଅନେକ ଭଲ କବିତା ବ୍ରୋଡସ୍କିଙ୍କୁ ସମ୍ବୋଧିତ । ୧୯୯୬ ରେ ବ୍ରୋଡସ୍କିଙ୍କ ମୃତ୍ୟୁ ଡେରିକ୍‌ଙ୍କୁ ଭାଙ୍ଗି ଦେଇଥିଲା । ୧୯୮୦ ଦଶକରେ ଡେରିକ୍‌ଙ୍କର ତିନୋଟି ନୂତନ କବିତା ସଙ୍କଳନ ପ୍ରକାଶିତ ହେଲା ଏବଂ ପାଞ୍ଚୋଟି ନୂତନ ନାଟକ ମଞ୍ଚସ୍ଥ ହେଲା । ୧୯୯୦ ଦଶକ ତାଙ୍କୁ କବିତା ଓ ନାଟକରେ କ୍ଷେତ୍ରରେ ନୂତନ ଶିଖରରେ ପହଁଚେଇଲା । ୧୯୯୦ରେ ପ୍ରକାଶିତ ହେଲା ତାଙ୍କ ଲେଖନୀରୁ ଆସିଥିବା ତାଙ୍କ ଜୀବନର ସର୍ବଶ୍ରେଷ୍ଠ କାବ୍ୟ –“ଓମେରସ୍” । ୧୯୯୨ ରେ ରୟାଲ ସେକ୍‌ସପିୟର କମ୍ପାନୀ ତାଙ୍କର ନାଟକ “ଦି ଓଡିସି: ଏ ଷ୍ଟେଜ୍ ଭର୍ସନ୍”କୁ ମଞ୍ଚସ୍ଥ କଲେ । ସେଣ୍ଟ୍‌ ଲୁସିଆର ମହୋତ୍ସବ ଏବଂ ଲୋକ ପରମ୍ପରା ଉପରେ ଭିତ୍ତିକରି ଲେଖାଯାଇଥିବା ଆଧୁନିକ ମହାକାବ୍ୟ “ଓମେରସ୍” ସାରା ବିଶ୍ୱରେ ଆଦୃତ ହେଲା ଏବଂ ଡେରିକ୍‌ଙ୍କୁ ୧୯୯୨ ର ନୋବେଲ ସାହିତ୍ୟ ପୁରସ୍କାର ଆଣିଦେଲା । ହୋମରୀୟ ଶୈଳୀରେ ଲିଖିତ ଓ “ଦି ଇଲିଆଡ୍”ର ମୁଖ୍ୟ ଚରିତ୍ରମାନଙ୍କୁ ଭିତ୍ତିକରି ସେଣ୍ଟ୍‌ ଲୁସିଆର କୈବର୍ତ୍ତ ଆଚିଲ୍‌ର କ୍ରୀତଦାସ ଜାହାଜରେ ଆଫ୍ରିକାରୁ ଆମେରିକା ଯାତ୍ରାର ପରିକଳ୍ପନା ବର୍ଣ୍ଣନା କରାଯାଇଛି ଏହି କାବ୍ୟରେ ସେଣ୍ଟ୍‌ ଲୁସିଆର ଭୌଗୋଳିକ ପରିବେଶ ବ୍ୟତୀତ ବିଶ୍ୱଭ୍ରମଣ ସମୟରେ ବ୍ରୁକଲିନ, ବୋଷ୍ଟନ, ଲିସବନ, ଡବଲିନ, ରୋମ, ଲଣ୍ଡନ ଓ ଟରୋଣ୍ଟୋ ଆଦି ସହରର ଅନୁଭୁତି ମଧ୍ୟ ଏହି କାବ୍ୟରେ ଦର୍ଶାଇଛନ୍ତି । ସେ ଆଫ୍ରିକୀୟ-ଆମେରିକୀୟ ସ୍ୱାଧୀନତା ସଂଗ୍ରାମ, ଗୋରା ଅତ୍ୟାଚାର ଉପରେ ଭିତ୍ତିକରି ଦୁଇଟି କରୁଣ କାହାଣୀକୁ ନେଇ ୧୯୯୩ ରେ ତାଙ୍କର ଆଉ ଦୁଇଟି ନାଟକ ଲୋକପ୍ରିୟ ହେଲା –“ ୱାକର୍ ” ଏବଂ “ଦି ଘୋଷ୍ଟ ଡ୍ୟାନ୍ସ ” ।

ଡେରିକ୍‌ ତାଙ୍କ ବାପାଙ୍କ ପରି ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ପାରଦର୍ଶିତା ଦେଖାଇଥିଲେ । ଗୋଟିଏ ସମୟରେ ସେ ନାଟକ ପରେ କବିତା ବା ଚିତ୍ରାଙ୍କନ ଭିତରୁ ଗୋଟିକୁ ବାଛିବାର ଦ୍ୱନ୍ଦ୍ୱରେ ରହିଥିଲେ । କବିତାରେ ନିଜର ସ୍ଥିତି ସୁଦୃଢ ଥିବାରୁ ସେ କବିତାକୁ ବାଛିଥିଲେ ମଧ୍ୟ ଚିତ୍ରାଙ୍କନକୁ ତ୍ୟାଗ କରିପାରିନଥିଲେ । ତାଙ୍କ କବିତା ସଙ୍କଳନ “ଆନାଦର ଲାଇଫ୍” ଏବଂ “ଟିଏପୋଲୋଜ୍ ହାଉଣ୍ଡ୍” ରେ ଚିତ୍ରାଙ୍କନକୁ ସେ ବିଷୟ ବସ୍ତୁ ଭାବରେ ବ୍ୟବହାର କରିଛନ୍ତି ।

ସେ ଇଂରାଜୀ ଭାଷାକୁ ଭଲ ପାଉଥିଲେ, କିନ୍ତୁ ଇଂରାଜୀ ସଂସ୍କୃତିକୁ ଅସ୍ୱୀକାର କରୁଥିଲେ । ସେଣ୍ଟ ଲୁସିଆର ଛୋଟ ଦ୍ୱୀପରେ ରହି ସମଗ୍ର ବିଶ୍ୱ ତଥା ମାନବଜାତିର କଥା କହୁଥିଲେ, ସେ ସାମ୍ପ୍ରଦାୟିକତା, ଯୁଦ୍ଧ, ହିଂସା ତଥା ଧନସଂପଦର ଅନୁଚିତ ବଣ୍ଟନ ବିରୁଦ୍ଧରେ ତାଙ୍କ କବିତା ଓ ନାଟକ ମାଧ୍ୟମରେ ତୀବ୍ର ସ୍ୱର ଉତ୍ତୋଳନ କରୁଥିଲେ ।  

ଡେରିକ୍‌ଙ୍କ କବିତାରେ ଭାରତୀୟ ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳେ । ତାଙ୍କର ନୋବେଲ ଅଭିଭାଷଣରେ ସେ ତ୍ରିନିଦାଦର ଭାରତୀୟ ସଂପ୍ରଦାୟ ମାନଙ୍କ ଦ୍ୱାରା ପରିବେଷିତ ରାମଲୀଳାକୁ ବିଶେଷ ଭାବରେ ଉପଭୋଗ କରନ୍ତି ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କର କବିତା “ଦି ସାଧୁ ଅଫ୍ କୋଉଭା” ରେ ମଧ୍ୟ ଟାକ୍ସି ଚାଳକ ରାମଲୋଚନ, ଦୀପାବଳୀ, ରାମାୟଣ, ହନୁମାନ ଓ ଉତ୍ତର ପ୍ରଦେଶ ଆଦି ବିଷୟରେ କୁହାଯାଇଛି ।  ଅନ୍ୟ ଏକ କବିତା “ଆଭଏଡ୍”ରେ ସେ ଲକ୍ଷ୍ନୌ ଓ କାନପୁର ସହରର ଉଲ୍ଲେଖ କରିଛନ୍ତି ।

ବ୍ୟକ୍ତିଗତ ଜୀବନରେ ଅନେକ କିଛି ହରେଇବାର ଦୁଃଖ ତାଙ୍କ କବିତାର ଅନ୍ୟ ଏକ ଶୈଳୀ ଭାବରେ ଉତୁରିଛି । ମାତ୍ର ଏକ ବର୍ଷ ବୟସରେ ପିତା, ଜୀବନର ଅପରାହ୍ନରେ ମାତା ଓ ଭ୍ରାତାଙ୍କୁ ହରେଇବା ବ୍ୟତୀତ କେଇଜଣ ଘନିଷ୍ଠ କବି ବନ୍ଧୁଙ୍କୁ ହରେଇବା ତାଙ୍କୁ ମାନସିକ ଆଘାତ ଦେଇଛି । ସେ ଜୀବନରେ ତିନି ଥର ବିବାହ କରିଥିଲେ ମଧ୍ୟ ପ୍ରତିଥର ତାଙ୍କର ଡିଭୋର୍ସ ହୋଇଛି । ଏହି ଘଟଣା ତାଙ୍କର ଜଣେ ଭଲ ପତି ହେବାରେ ପ୍ରଶ୍ନ ଚିହ୍ନ ଆଣିଛି ଯାହା ସେ ଅନେକ କବିତା ମାଧ୍ୟମରେ ନିଜକୁ ବାରମ୍ବାର ପଚାରିଛନ୍ତି । ଜୀବନର ଶେଷ ପଚିଶ ବର୍ଷ ସିଗ୍ରିଦ ନାମା ନାମ୍ନୀ ଜଣେ ଶ୍ୱେତାଙ୍ଗୀ ମହିଳା ତାଙ୍କ ସହ ପାର୍ଟନର ଭାବରେ ରହୁଥିଲେ ।

ମାର୍ଚ୍ଚ ୧୭, ୨୦୧୭, ଶୁକ୍ରବାର ଦିନ ସତାଅଶୀ ବର୍ଷ ବୟସରେ, ତାଙ୍କର ସେଣ୍ଟ୍‌ ଲୁସିଆ ବାସଭବନରେ ଡେରିକ୍‌ ୱାଲ୍‌କଟ୍‌ଙ୍କ ମୃତ୍ୟୁ ଘଟିଲା । ଖବର ଘୋଷଣା କରିବା ମାତ୍ରକେ ସମଗ୍ର ବିଶ୍ୱର ସାହିତ୍ୟ ଜଗତରେ ବିଷାଦର ଛାୟା ଖେଳିଗଲା । ଏହି ଅବସରରେ ନ୍ୟୁୟର୍କରେ ଥିବା ସେଣ୍ଟ୍‌ ଲୁସିଆ ଦୂତାବାସରେ ସାଧାରଣ ଜନତାଙ୍କ ଶ୍ରଦ୍ଧାଞ୍ଜଳି ନିମନ୍ତେ ରଖାଯାଇଥିବା ଶୋକବାର୍ତ୍ତା ପୁସ୍ତିକାରେ ଜାତିସଙ୍ଘରେ ସେଣ୍ଟ୍‌ ଲୁସିଆର ପ୍ରତିନିଧି ମହାମହିମ କସ୍‌ମସ୍‌ ରିଚାର୍ଡସନ ଡେରିକ୍ ୱାଲ୍‌କଟ୍‌ଙ୍କୁ “ପ୍ରଚଣ୍ଡ ପ୍ରତିଭାବାନ ସାହିତ୍ୟିକ ଓ ସେଣ୍ଟ୍‌ ଲୁସିଆ ସଂସ୍କୃତିର ଆଇକନ୍” ବୋଲି ବର୍ଣ୍ଣନାକରି ଲେଖିଲେ, “ବିଶ୍ୱର ଜଣେ ବିଶିଷ୍ଟ କବି ତଥା ନାଟ୍ୟକାର, ୧୯୯୨ ର ନୋବେଲ ସାହିତ୍ୟ ବିଜେତା, ପ୍ରଫେସର ସାର୍ ଡେରିକ୍ ୱାଲ୍‌କଟ୍‌ଙ୍କ କାବ୍ୟ ପରମ୍ପରା ଆଗାମୀ ଅନେକ ପିଢିଙ୍କୁ ଗଭୀରଭାବେ ପ୍ରଭାବିତ କରିରଖିବ ।

୭୪୬୪ ୱିଜ୍‌ଡମ୍ ଲେନ୍
ଡବ୍‌ଲିନ୍, ୱାହିଓ ୪୩୦୧୬
ଯୁକ୍ତରାଷ୍ଟ୍ର ଆମେରିକା


Leave a comment