ଫେମିନାଇନ୍

ଫେମିନାଇନ୍ ର ଅର୍ଥ ଅବଳା, ଦୂର୍ବଳା ହୋଇ ରହିବା - ଏମିତି ଚିନ୍ତାଧାରା ବଦଳେଇବାକୁ ପଡ଼ିବ |

ଲେଡିଜ୍ ସାଇକେଲ୍, ଲେଡିଜ୍ ବାଇକ୍, ଲେଡିଜ୍ ବ୍ୟାଗ୍, ଲେଡିଜ୍ ଜୋତା/ଚପଲ୍, ଲେଡିଜ୍ ଛତା ଇତ୍ୟାଦି ଇତ୍ୟାଦି ଉପକରଣ କ'ଣ ନିହାତି ସୁକ୍ଷ୍ମ ହେବା ଦରକାର? ସେସବୁ ଜିନିଷର ନାଁ ପୂର୍ବରୁ ଲେଡିଜ୍, ଜେଣ୍ଟ୍ସ୍ ର ଟ୍ୟାଗ ଉଠେଇ ଦେଇ ଏକପ୍ରକାର କରିଦେଲେ ଅସୁବିଧା କେଉଁଠି ରହୁଛି? ପୁଅମାନେ ଲେଡିଜ୍ ବ୍ୟାଗ୍ ପରି ବ୍ୟାଗ୍ ଟେ ବ୍ୟବହାର କଲେ କାହିଁକି ଲଜ୍ଜ୍ୟା ବୋଧ କରନ୍ତି ? 

ପୁଅ, ଝିଅ, ବୟସ୍କ, ଅଳ୍ପ ବୟସ୍କ ପ୍ରାୟ ତ ସମସ୍ତେ ନିଜ ନିଜ ସୁବିଧା ଅନୁସାରେ ସ୍କୁଟି, ମୋଟର ବାଇକ୍ ବ୍ୟବହାର କରୁଛନ୍ତି | କିନ୍ତୁ ସ୍କୁଟିର ପରିଚୟ, ତାହା ଏକ ଝିଅଙ୍କ ଗାଡି | ପୁଅମାନେ ଯେମିତି କଲେଜ୍ ପଢିବା ଆରମ୍ଭ କଲେ ବାଇକ୍ ଡିମାଣ୍ଡ୍ କରୁଛନ୍ତି, ଝିଅମାନେ ମଧ୍ୟ କରନ୍ତୁ | ପ୍ରଥମେ ବଡ଼ ବାଇକଟେ ଚଲେଇବାକୁ ଚେଷ୍ଟା କରନ୍ତୁ | ସ୍କୁଟି ଝିଅଙ୍କ ଗାଡି ବୋଲି ପରିଚୟ ନ ପାଉ |

ପୋଷାକ ବି ସେମିତି | ଯେଉଁ ଲୋକ କହୁଛି ତା'କୁ ଶାଢ଼ି ଭଲ ଲାଗେ, ଆଜିକାଲିକା ଜିନ୍ସ ଟପ୍ସ ପିନ୍ଧା ଝିଅ ତା'କୁ ପସନ୍ଦ ନୁହେଁ, ସେ ନିଜେ ପିନ୍ଧିକରି ବୁଲୁ | ଯାହାକୁ ଯାହା ପସନ୍ଦ ଓ ଯେଉଁଥିରେ ଯିଏ ଆରାମ୍ ଅନୁଭବ କରେ ସେ ସେହି ଅନୁସାରେ ପୋଷାକ ପିନ୍ଧୁ |  

'ଝିଅମାନଙ୍କ କାମ ଏଇଟା, ପୁଅଙ୍କ କାମ ସେଇଟା', ଏମିତି କଥା ପୁରୁଣା କାଳିଆ ହୋଇଗଲାଣି  | ଏସବୁ ଆଉ ଏବେ ଚାଲୁନି | ପୁଅ ଓ ଝିଅ ସବୁକାମ ଏକାଠି କରିପାରୁଛନ୍ତି | ଏଇସବୁ କଥା କ'ଣ ସତ କି? ସେଦିନ ରାତିରେ ସେ ଝିଅଟି ଏକା ଫେରୁଥିବା ବେଳେ କାହିଁ କେଉଁଠି ତ ମହିଳା ଟ୍ରକ୍ ଡ୍ରାଇଭରଙ୍କୁ ରାସ୍ତାରେ ଭେଟିଲା ନାହିଁ? ସେଦିନ ବର୍ଷା ରାତିରେ ଭିଜି ଭିଜି ଫେରୁଥିବା ଝିଅଟି ବଜାର ଉପରେ କେଉଁଠି ମହିଳା ଅଟୋବାଲିଙ୍କୁ ତ ଖୋଜି ପାଇଲା ନାହିଁ | ସେଦିନ ସେହି ନିରୋଳା ରାସ୍ତାରେ ଠିଆ ହୋଇଥିବା ଫାଙ୍କା ବସ୍ ଭିତରେ ସେ ତ କାହିଁ ଭେଟିଲାନି ମହିଳା କଣ୍ଡକ୍ଟର୍, ହେଲ୍ପର୍ କିମ୍ବା ମହିଳା କ୍ଲିନିର୍ ଙ୍କୁ ? ଝିଅମାନେ ବି ଅଟୋ, ବସ୍, ଟ୍ରେନ୍ ଚଲେଇଲେଣି | କିନ୍ତୁ ସେମାନଙ୍କ ସଂଖ୍ୟା ବହୁତ କମ୍ | ରାତି ବେଶି ହୋଇଥିଲେ ତ କେବେ କେହି ସେମିତି ଚାଳିକାଙ୍କୁ ରାସ୍ତାରେ ଭେଟନ୍ତିନି | ତା' ଛଡା ସେମିତି ଗାଡି ଚଲେଇବା କାମ ଫେମିନାଇନ୍ ନୁହେଁ, ମାସ୍କୁଲାଇନ୍ ବୋଲି ଲୋକଙ୍କ ଧାରଣା | ଝିଅମାନେ ତ ଫେମିନାଇନ୍ ହେବାକୁ ଚାହାଁନ୍ତି, ସେମାନେ ନିଜେ ନିଜକୁ ଦୂର୍ବଳ କହିବାକୁ ପସନ୍ଦ କରନ୍ତି | ଫେମିନାଇନ୍ ର ଅର୍ଥ ଅବଳା, ଦୂର୍ବଳା ହୋଇ ରହିବା - ଏମିତି ଚିନ୍ତାଧାରା ବଦଳେଇବାକୁ ପଡ଼ିବ |

ଝିଅମାନେ ଖୁବ୍ ଶକ୍ତିଶାଳୀ | ଗୋଟେ ଛୋଟ ଝିଅ ତା'ର ଶୈଶବସ୍ଥାରେ ଯେତେବେଳେ ତା' ସମବୟସର ପୁଅ ସହ ଖେଳୁଥାଏ, ସେମାନେ ଝଗଡା ଲାଗିଲେ, ମାରପିଟ୍ ହେଲେ ଝିଅଟି ଅନେକଥର ଜିତିଯିବାର ନଜରକୁ ଆସେ | କିନ୍ତୁ ପରବର୍ତ୍ତୀ ସମୟରେ ସେହି ଝିଅ ବଡ଼ ହୋଇ ପ୍ରତିଥର, ପ୍ରତ୍ୟେକ ସ୍ଥାନରେ ନିଜକୁ ଦୂର୍ବଳ ବୋଲି ପ୍ରମାଣିତ କରେ | ପ୍ରତିଥର ଲଢ଼ିବା ଆଗରୁ ହାର୍ ମାନିନିଏ | କାହିଁକି? କାରଣ ସେ ସମାଜରୁ ଶିଖେ, ଝିଅମାନେ ଫୁଲପରି କୋମଳ, ସେମାନେ ଲଢ଼ିପାରନ୍ତିନି | 

ଛୋଟବେଳୁ ଯେମିତି ପୁଅଙ୍କୁ କୁହାଯାଏ, "ବାପାଙ୍କ ଗାଡିଟା ଘୁଞ୍ଚେଇଦେ", "ଧାନବସ୍ତା ଉଠେଇ ଆଣେ", "ଓଜନିଆ ଲୁହା ଜିନିଷଟା ଟେକିନେ", "ଖଟ ଘୁଞ୍ଚେଇବାରେ ସାହାଯ୍ୟ କର୍" ଇତ୍ୟାଦି ଝିଅଙ୍କୁ କୁହାଯିବା କ୍ଵଚିତ୍ ଶୁଣାଯାଏ | ଝିଅମାନେ  ଶୁଣନ୍ତି "ପାଣି ଗ୍ଲାସଟେ ଆଣେ", "ଖାଇବା ବାଢିଦେ", "ବାସନ ଉଠେଇ ନେ", "ଗୋଡ଼ ଘଷିଦେ", "ଝାଡୁ କରିଦେ" ଇତ୍ୟାଦି | ଯେହେତୁ ସେମାନଙ୍କ ଶାରୀରିକ ଶକ୍ତିର ସଠିକ ଉପଯୋଗ ହୋଇପାରେନାହିଁ, ଧିରେ ଧିରେ ସେମାନେ ମାନସିକ ଓ ଶାରୀରିକ କ୍ଷେତ୍ରରେ ନିଜକୁ ଦୂର୍ବଳ ମନେକରି ସତକୁ ସତ ଦୂର୍ବଳ ହୋଇଯାଆନ୍ତି | 

ଝିଅମାନେ କସରତ କରନ୍ତୁ, ଉପାସ, ବ୍ରତ, ପ୍ରାର୍ଥନା ଛାଡ଼ି ଜୁଡୋ, କରାଟେ ଶିଖନ୍ତୁ | 'ଝିଅଟେ ପାରିବନି' ପରି ନକାରାତ୍ମକ କଥାକୁ ବେଖାତିର କରନ୍ତୁ | କୋମଳ ରହିବା ଯଦି ଆକର୍ଷକ ଓ ତାହାହିଁ ଯଦି ସୌନ୍ଦର୍ଯ୍ୟର ପରିଚାୟକ ତେବେ ଉଭୟ ପୁଅ ଓ ଝିଅ ହୃଦୟରୁ କଠୋର ନହୋଇ କୋମଳ ହୁଅନ୍ତୁ | କିନ୍ତୁ ଶାରୀରିକ, ମାନସିକ ସ୍ତରରେ ତ ଉଭୟଙ୍କୁ ଶକ୍ତ ହେବା ନିତାନ୍ତ ଆବଶ୍ୟକ | 

ବନ୍ଦ୍ ହେବା ଦରକାର ପଡ଼ିଲାଣି ସେସବୁ ପ୍ରସାଧନର ବିଜ୍ଞାପନ ଯାହା କୁହେ - 'ଝିଅଙ୍କ ତ୍ୱଚା କୋମଳ, ସେଥିପାଇଁ ସେମାନଙ୍କୁ ଅମୁକ କ୍ରିମ୍ ଲଗେଇବା ଦରକାର' |  ଆକର୍ଷଣୀୟ ଦିଶିବା ପାଇଁ ଲହୁଣୀ ପରି କୋମଳ ତ୍ୱଚା ଦରକାର' ନାହିଁ, ଆତ୍ମରକ୍ଷା ପାଇଁ ଲୁହା ପରି ଶକ୍ତ ହେବା ଆବଶ୍ୟକ | 

ପ୍ରତ୍ୟେକ ଝିଅ ଶକ୍ତ ହୁଅନ୍ତୁ, ଶିକ୍ଷିତ ହୁଅନ୍ତୁ, ଘର ଚାରିକାନ୍ଥକୁ ନିଜର ପୃଥିବୀ ମନେ ନ କରି ବାହାରକୁ ଆସନ୍ତୁ, ରୋଷେଇଶାଳର କୂପମଣ୍ଡୁକତାରୁ ନିଜକୁ ମୁକ୍ତି ଦିଅନ୍ତୁ | ସୂର୍ଯ୍ୟାଲୋକରେ ଯେତିକି ଦମ୍ଭର ସହ ଚାଲନ୍ତି ରାତିର ଅନ୍ଧକାରକୁ ମଧ୍ୟ ସେତିକି ସାହାସିକତାର ସହ ସାମ୍ନା କରନ୍ତୁ | ସବୁ ସ୍ଥାନରେ ପର୍ଯ୍ୟାପ୍ତ ସଂଖ୍ୟାରେ ମହିଳାଙ୍କ ଉପସ୍ଥିତି ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ | 

ସବୁ ଝିଅ ଶକ୍ତିଶାଳୀ ହେଲେ ଫେମିନାଇନ୍ ର ସଜ୍ଞା ବଦଳିଯିବ | ଆଉ କେହି କହିବେନି, "ମୋ ଝିଅ ପୁଅଙ୍କ ପରି ସାହସୀ” ବରଂ କହିବେ, "ମୋ ଝିଅଟା ଝିଅପରି ଝିଅଟେ ହୋଇଛି" |


Leave a comment