ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ଆନ୍ତୋନୀଓ ନୁଗୁଏରା ପେସୋଆ (୧୩ ଜୁନ, ୧୮୮୮- ୩୦ ନଭେମ୍ବର, ୧୯୩୫) ପର୍ତ୍ତୁଗାଲରେ ଜନ୍ମ ହୋଇଥିବା କବି।

କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି ? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର ଅଂଶ ଗୋଟେ କବିକୁ ଗଢିଥାଏ ? କବିର ଗୋଟିଏ ରୂପ ନା ସେ ବହୁରୂପୀ ? ସେ ଗୋଟିଏ ନାମ ନା ତାର ବହୁନାମ ? କବିର ଗୋଟିଏ ମୁହଁ ଓ ଅନେକ ଅନେକ ମୁଖା ବୋଲି ଭାବନ୍ତୁ ନାଇଁ । କବିର ସତସତିକା ଅନେକ ମୁହଁ । କାଗଜ ବା କନାରେ ତିଆରି ମୁଖା କବିକୁ ସାଜେ ନାହିଁ । ତାର ସବୁ ମୁହଁ ରକ୍ତମାଂସ ଓ ମାଂସପେଶୀରେ ଗଢା । ବୈଦିକ ସୂକ୍ତର ସହସ୍ର ଶୀର୍ଷ ପୁରୁଷ, ଯାହାର ହଜାର ମୁହଁ, ହଜାର ଆଖି ଓ ହଜାର ହଜାର ହାତ ଗୋଡ, ସେ କବିର । କବିର ଏପ୍ରକାର ପରିକଳ୍ପନାକୁ ସାମାଜିକ ବାସ୍ତବତାରେ ବିଶ୍ଵାସ କରୁଥିବା ଚିନ୍ତକମାନେ ପ୍ରତ୍ୟାଖ୍ୟାନ କରନ୍ତି । ହେଲେ ଫର୍ଣ୍ଣାଣ୍ଡୋ ପେସୋଆ ନାମକ ପର୍ତ୍ତୁଗାଲର ଜଣେ କବିଙ୍କ ବିଷୟରେ ଜାଣିଲା ପରେ ଆମେ ସ୍ଵୀକାର କରିବାକୁ ବାଧ୍ୟ ଯେ, କବି ଭିତରେ ଗୋଟିଏ ନୁହଁ, ବରଂ ବହୁ ନାମ ଓ ବହୁ ରୂପର ଅସ୍ତିତ୍ଵ ରହିଛି । ଆମେ କବିର ବହୁ ନାମ ଓ ବହୁ ରୂପକୁ ସ୍ଵୀକାର କରିବାକୁ ବାଧ୍ୟ ।

ଫର୍ଣ୍ଣାଣ୍ଡୋ ଆନ୍ତୋନୀଓ ନୁଗୁଏରା ପେସୋଆ (୧୩ ଜୁନ, ୧୮୮୮ - ୩୦ ନଭେମ୍ବର, ୧୯୩୫) ପର୍ତ୍ତୁଗାଲରେ ଜନ୍ମ ହୋଇଥିବା କବି । ପିଲାଦିନ ଓ ପାଠପଢା କିନ୍ତୁ ଦକ୍ଷିଣ ଆଫ୍ରିକାରେ । ଲେଖିଛନ୍ତି ଇଂରାଜୀ ଓ ପର୍ତ୍ତୁଗିଜ, ଉଭୟ ଭାଷାରେ । ଜୀବନକାଳରେ ତାଙ୍କର ବହି ବିଶେଷ ବାହାରି ନଥିଲା । ମୂଳତଃ ପତ୍ରପତ୍ରିକାରେ ତାଙ୍କ କବିତା ସବୁ ପ୍ରକାଶିତ ହୋଇ ଅସଙ୍କଳିତ ଅବସ୍ଥାରେ ପଡିଥିଲା । ତାପରେ ପେସୋଆ ଜଣେ କବି ନଥିଲେ, ସେ ଭିନ୍ନ ଭିନ୍ନ ନାଁ ନେଇ ଭିନ୍ନ ଭିନ୍ନ ଭାବ ଓ ଶୈଳୀର କବିତା ଲେଖୁଥିଲେ । ତାଙ୍କ ବ୍ୟକ୍ତିତ୍ବ ଗୋଟେ ବହୁରୂପୀ କବିର ବ୍ୟକ୍ତିତ୍ବ । କୁହାଯାଏ, ସେ କୋଡିଏରୁ ଅଧିକ ନାଁ ବ୍ୟବହାର କରି କବିତା ଲେଖିଛନ୍ତି । ତେବେ ଛଦ୍ମନାମ ରଖି କବିତା ଲେଖିବା ଓ ପ୍ରତି ନାମକୁ ଗୋଟେ ଭିନ୍ନ ବ୍ୟକ୍ତିତ୍ବ ଭାବରେ ବ୍ୟବହାର କରିବା, ଦୁଇଟି ଭିନ୍ନ କଥା । ପେସୋଆଙ୍କ କବି ପୁରୁଷଟି ବହୁ ଅବତାର ଗ୍ରହଣ କରିବାରେ ସମର୍ଥ ଥିଲା । ସେ ନିଜେ ନିଜକୁ ଭିନ୍ନ ଭିନ୍ନ କବି ଭାବରେ ଉପସ୍ଥାପିତ କରୁଥିଲେ । ତାଙ୍କର ବହୁ ନାମ ଭିତରୁ ଚାରୋଟି ନାମର ଚର୍ଚ୍ଚା ବେଶ ହୋଇଥାଏ ।

ପ୍ରଥମ ନାମଟି ଫର୍ଣ୍ଣାଣ୍ଡୋ ପେସୋଆ । ଏହା ତାଙ୍କର ଅସଲ ପରିଚୟ । ତେବେ ବାକି ପରିଚୟକୁ ନକଲ ବୋଲି ମଧ୍ୟ ଆମେ କହିପାରିବା ନାହିଁ । ପ୍ରତି କାବ୍ୟପୁରୁଷକୁ ନିର୍ମାଣ କଲାବେଳେ ସେ  ଅତ୍ୟନ୍ତ ସଚେତନ ଭାବରେ କବିର ପରିଚୟ ଓ ତାର ସାମାଜିକ ପୃଷ୍ଠଭୂମି ମଧ୍ୟ ନିର୍ମାଣ କରୁଥିଲେ । ପେସୋଆ ଭାବରେ ତାଙ୍କର ପର୍ତ୍ତୁଗିଜ ଓ ଆଫ୍ରିକାର ଜନଜୀବନ ସହ ସମ୍ପର୍କ କବିତାରେ ଆସୁଥିଲା । ତାଙ୍କର ଦ୍ଵିତୀୟ ନାମ ଥିଲା ଆଲବର୍ତ୍ତୋ ସିଏରୋ । ଆଲବର୍ତ୍ତୋ ଜଣେ ଗ୍ରାମୀଣ-ନିରକ୍ଷର କବି, ହେଲେ ତାଙ୍କ ଭିତରେ ଉଚ୍ଚତର ଚେତନାର ସମ୍ଭାବନା ଅଛି । ଏଇ ନାଁରେ କବିତା ଲେଖିଲା ବେଳେ ପେସୋଆ ସଂପୂର୍ଣ୍ଣ ଭାବରେ ଗ୍ରାମୀଣ ଓ ଅପାଠୁଆ ଜୀବନର ଉଚ୍ଚତର ଚେତନା କଥା କହିଛନ୍ତି । ଏଠି କାବ୍ୟଚିନ୍ତାଟି ଦିବ୍ୟ ହୋଇଥିବାବେଳେ ଅଭିବ୍ୟକ୍ତି ଅତ୍ୟନ୍ତ ଲୌକିକ। ଧର୍ମ, ଦର୍ଶନ ଓ ପ୍ରକୃତିକୁ ନେଇ ସେ ଏଇ ନାଁରେ ଅତ୍ୟନ୍ତ ସରଳ କବିତା ସବୁ ଲେଖିଛନ୍ତି ।

ତାଙ୍କର ତୃତୀୟ ନାମଟି ବେଶି ଚର୍ଚ୍ଚିତ ଓ ପରିଚିତ। ରିକାର୍ଡୋ ରେଇସ, ବୃତ୍ତିରେ ଜଣେ ଡାକ୍ତର, ଯିଏ କବିତାର କଳା ଓ ପରମ୍ପରା ବିଷୟରେ ବେଶ ସଚେତନ । ଏଇ ନାଁରେ କବିତା ଲେଖିଲାବେଳେ ପେସୋଆଙ୍କ କାବ୍ୟଶୈଳୀ ଅତ୍ୟନ୍ତ ମାର୍ଜିତ ଓ ତାଙ୍କ କବିତାରେ ଏକ ଭିନ୍ନ ଅଭିରୁଚି ଆସୁଛି । ଏ କବି ଆଲବର୍ତ୍ତୋଙ୍କ ପରି ସରଳ ନୁହନ୍ତି । ୟାଙ୍କ କବିତାରେ ବୌଦ୍ଧିକ ମନ୍ଥନ ଅଛି। କବିତା ରଚନାର କୌଶଳ ଓ ବୁଦ୍ଧିମତ୍ତା ଅଛି । ଚତୁର୍ଥ କବି ଜଣକ ଆହୁରି ଭିନ୍ନ । ତାଙ୍କ ନାମ ଆଲଭାରୋ ଡି କ୍ୟାମ୍ପସ । ଏ କବି ବୃତ୍ତିରେ ଜଣେ ନାଭାଲ ଇଞ୍ଜିନିଅର । ଅତ୍ୟନ୍ତ ଦୁଃସାହସୀ ଓ ସମୁଦ୍ରରେ ବିପଜ୍ଜନକ ଯାତ୍ରା ଏହାଙ୍କର ସଉକ । ଏ କବି ୱାଲ୍ଟ  ହ୍ଵିଟମ୍ୟାନଙ୍କ କବିତା ଦ୍ଵାରା ପ୍ରଭାବିତ । ୟାଙ୍କ କବିତାରେ ଦୁଃସାହସୀ ସୈନିକର ଚିତ୍ର ରହିଛି । ଏଇ ଚାରୋଟି ନାମ ବ୍ୟତୀତ ଆହୁରି ଅନେକ ନାମ ନେଇ ପେସୋଆ କବିତା ଲେଖିଛନ୍ତି ।

ଓଡିଆ କବିତାରେ ବା ଭାରତୀୟ କବିତାରେ ଏମିତି ଛଦ୍ମ ନାମ ନେଇ ବହୁ କବି କବିତା ଲେଖିଛନ୍ତି । ହେଲେ କାବ୍ୟ ବ୍ୟକ୍ତିତ୍ବର ସଂପୂର୍ଣ୍ଣ ନବନିର୍ମାଣ ଓ ଅନେକ ସ୍ଥଳରେ ସଂପୂର୍ଣ୍ଣ ପରସ୍ପର ବିରୋଧୀ ବ୍ୟକ୍ତିତ୍ବକୁ ଗୋଟିଏ ସତ୍ତାରେ ଏକୀଭୂତ କରିପାରିବାର ଅଦ୍ଭୁତ କଳା କେବଳ ପେସୋଆଙ୍କ ପାଖରେ ରହିଥିଲା । ଉଭୟ ଗଦ୍ୟ ଓ କବିତାରେ ପେସୋଆଙ୍କର ବିଚକ୍ଷଣ ଦକ୍ଷତା । ଅତି ସରଳ, ହେଲେ ଗଭୀର ଅନୁଭବର କବିତା । ଜଣେ କବି ଯେ ବହୁ କବିଙ୍କର ଜୀବନକୁ ଏକାଠି ବଞ୍ଚିପାରେ ଓ ଭିନ୍ନ ଭିନ୍ନ ଭାବରେ କବିତା ଲେଖିପାରେ, ପେସୋଆ ତାର ଏକ ବିରଳ ଉଦାହରଣ ହୋଇ ରହିଛନ୍ତି ।

Leave a comment