ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଗସ୍ତ, ଏକ ଐତିହାସିକ ବିବରଣୀ

ଆଜିକୁ ଠିକ୍ ଶହେ ବର୍ଷ ତଳେ, ଆଜିର ଦିନ ଅର୍ଥାତ ୨୩, ମାର୍ଚ୍ଚ, ୧୯୨୧ ରେ ମହାତ୍ମା ଗାନ୍ଧୀ ପ୍ରଥମେ ଓଡ଼ିଶାକୁ ଆସିଥିଲେ । ବାପୁଙ୍କ ପ୍ରଥମ ଗସ୍ତର ସବିଶେଷ ବିବରଣୀ ସେତେବେଳର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ସେହି ସବୁ ସମ୍ବାଦ ଆଧାରରେ ବାପୁଙ୍କ ଗସ୍ତକୁ ନେଇ ଏକ ଐତିହାସିକ ବିବରଣୀ ପ୍ରସ୍ତୁତ କରିଛନ୍ତି ଖ୍ୟାତନାମା ଗବେଷକ ଡ଼. କୈଳାସ ଚନ୍ଦ୍ର ଦାଶ ।
ମାର୍ଚ୍ଚ ୨୩, ୧୯୨୧, କଟକ କାଠଯୋଡ଼ି ନଈବାଲିରେ ଅନୁଷ୍ଠିତ ସଭାରେ ମହାତ୍ମା ଗାନ୍ଧୀ ଓ କସ୍ତୁରବା

ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ଓଡିଶାର ସାମାଜିକ-ରାଜନୈତିକ ଇତିହାସର ଏକ ଅବିସ୍ମରଣୀୟ ଘଟଣା । “ସାପ୍ତାହିକ ଆଶା”ର ୧୯୨୧ ଏପ୍ରିଲ ୪ ସଂଖ୍ୟାରେ ସମ୍ପାଦକୀୟ ମତରେ ତାଙ୍କର ଓଡ଼ିଶା ଆଗମନ ଓଡ଼ିଶା ଓ ଓଡ଼ିଆଙ୍କ ପକ୍ଷେ ଏକ ପ୍ରଧାନ ସୌଭାଗ୍ୟର ବିଷୟ ବୋଲି ସୂଚିତ । ଅସହଯୋଗ ଆନ୍ଦୋଳନର ପ୍ରସାର ହେଉ ବା ନହେଉ, ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ମହାତ୍ମାଙ୍କ ପରି ଜଣେ ପ୍ରତିଭାସମ୍ପନ୍ନ ଓ ପ୍ରଭାବଶାଳୀ ରାଜନୈତକ ନେତାଙ୍କ ଦୃଷ୍ଟି ପଡ଼ିବା ଏକ ବିଶେଷ ଲାଭର କଥା । ଓଡିଶା ଚତୁର୍ଦ୍ଦିଗରେ ଜଳବେଷ୍ଟିତ ଦ୍ୱୀପ ପରି ଭାରତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଥିଲା । ଓଡିଆ ନେତାମାନେ ଭାରତୀୟ ଆନ୍ଦୋଳନମାନଙ୍କରେ ଯୋଗ ଦେଉନଥିଲେ । ଓଡିଆ ସମସ୍ୟାମାନ ମହାଭାରତୀୟ ସମସ୍ୟା ମଧ୍ୟରେ ପରିଗଣିତ ହେଉନଥିଲା । ବୃହତ୍ତର ଓ ଉଚ୍ଚତର ଜାତୀୟତାର ସ୍ପନ୍ଦନ ଓଡ଼ିଶାରେ ଦେଖା ନ ଯିବାରୁ ଭାରତୀୟ ନେତାମାନେ ଓଡ଼ିଶା ଓ ଓଡ଼ିଆ ଲୋକଙ୍କୁ ଅଜ୍ଞାତ ଭାବରେ ଉପେକ୍ଷା କରୁଥିଲେ । ଏପରି ଅବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ଓଡ଼ିଆ ଜାତୀୟତାର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା । ଏ ପର୍ଯ୍ୟନ୍ତ ଓଡ଼ିଶା ଏକ ଭୌଗୋଳିକ ଆୟତନ ହୋଇରହିଥିଲା । ମହାତ୍ମା ଗାନ୍ଧୀଙ୍କ ଆଗମନ ଓଡ଼ିଶାକୁ ଏକ ରାଜନୈତିକ ସତ୍ତା ଦେଇ ପାରିଥିଲା । 

୧୯୨୧ ମାର୍ଚ୍ଚ ମାସ ୨୩ ତାରିଖ ସକାଳରେ କଟକ ଷ୍ଟେସନ୍ ରେ ସସ୍ତ୍ରୀକ ମହାତ୍ମା ପଦାର୍ପଣ କଲେ । ତାଙ୍କ ଆଗମନର ସମ୍ବାଦ ପାଇ ତାଙ୍କର ଅଭ୍ୟର୍ଥନା ନିମନ୍ତେ ଦଶହଜାର ଲୋକ ସମବେତ ହୋଇଥିଲେ । ସସ୍ତ୍ରୀକ ଗାନ୍ଧୀଙ୍କୁ ମଟରରେ ବସାଇ ଶୋଭାଯାତ୍ରା କରାଯାଇଥିଲା । ସଂକୀର୍ତ୍ତନ ଦଳ ଶୋଭାଯାତ୍ରାରେ ମହାତ୍ମାଙ୍କୁ ନେଇ ଉତ୍କଳ ସ୍ୱରାଜ୍ୟାଶ୍ରମରେ ରହିବା ପାଇଁ ପହଞ୍ଚାଇ ଦେଇଥିଲେ । ସେଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ କାଠଯୋଡ଼ି ନଦୀ ବାଲିରେ ୧୦ ହଜାର ଲୋକଙ୍କ ସମାଗମରେ ଏକ ବିରାଟ ସଭାରେ ମହାତ୍ମା ଅସହଯୋଗ ନୀତି, ଲୋକମାନଙ୍କର ଦୂରବସ୍ଥା ଓ କର୍ତ୍ତବ୍ୟ ସମ୍ପର୍କରେ ଦୀର୍ଘ ବକ୍ତୃତା ଦେଇଥିଲେ । ତାପରେ ରାତ୍ର ଆଠ ଘଣ୍ଟା ସମୟରେ ସ୍ୱରାଜ୍ୟାଶ୍ରମରେ ମାରୱାଡ଼ି, ଗୁଜରାଟି ଏବଂ ଅନ୍ୟାନ୍ୟ କେତେକ ବ୍ୟବସାୟୀ ଦଳବଦ୍ଧ ହୋଇ ମହାତ୍ମାଙ୍କ ସହିତ ସାକ୍ଷାତ ଓ କଥୋପକଥନ କରି ଉପଦେଶ ପାଇଥିଲେ । ମାର୍ଚ୍ଚ ୨୪ ତାରିଖ ସକାଳେ ମହାତ୍ମା କଟକରେ କାଦାମ-ଇ-ରସୁଲ ମସଜିଦରେ ଖିଲାଫତ୍‍ ପ୍ରସଂଗରେ ବକ୍ତୃତା ଦେଇ ଉତ୍ସାହିତ କରିଥିଲେ । ଦିନ ଦୁଇ ଘଣ୍ଟା ସମୟରେ ମହାତ୍ମା ବିନୋଦ ବିହାରୀ ମନ୍ଦିରଠାରେ ମହିଳାମାନଙ୍କ ସଭାରେ ସସ୍ତ୍ରୀକ ଯୋଗଦାନ କରି ଭାରତୀୟ ନାରୀ ଜାତିର କର୍ତ୍ତବ୍ୟ ସମ୍ପର୍କରେ ଭାଷଣ ଦେଇଥିଲେ । ସେଦିନ ସନ୍ଧ୍ୟା ୬ ଘଣ୍ଟା ବେଳେ କାଠଯୋଡି ନଦୀବାଲିରେ ପୁନଶ୍ଚ ଏକ ସଭାରେ ଛାତ୍ରମାନଙ୍କୁ ବିଶେଷ ଉପଦେଶ ଦେଇଥିଲେ । ୨୪ ରାତ୍ରରେ ଏକ ପାସେଞ୍ଜର ଗାଡ଼ିରେ ମହାତ୍ମା ଭଦ୍ରକ ଯାତ୍ରା କରିଥିଲେ । ଭଦ୍ରକରେ ପ୍ରାୟ ସାତହଜାର ଲୋକଙ୍କ ସମାଗମରେ ସଭାରେ ମୁସଲମାନମାନଙ୍କୁ ଖିଲାଫତ୍‍ କମିଟି ସ୍ଥାପନ କରିବାକୁ ଉପଦେଶ ଦେଇଥିଲେ । ସେଦିନ ରାତ୍ରରେ ପୁରୀ ଏକ୍ସପ୍ରେସ ଗାଡିରେ ସତ୍ୟବାଦୀ ସାକ୍ଷୀଗୋପାଳ ଯାତ୍ରା କରିଥିଲେ । ମହାତ୍ମା ୨୬ ତାରିଖ ସକାଳେ ୬ ଘଣ୍ଟା ୩୦ ମିନିଟ୍‍ ସମୟରେ ସତ୍ୟବାଦୀ ଷ୍ଟେସନରେ ଉପସ୍ଥିତ ହେଲେ । ସେଠାରେ ସତ୍ୟବାଦୀ ସ୍କୁଲର ଛାତ୍ର ତଥା ଶିକ୍ଷକମାନେ ଏବଂ ୩/୪ ହଜାର ଲୋକ ମହାତ୍ମାଙ୍କ ଅଭ୍ୟର୍ଥନା ନିମନ୍ତେ ଯୋଗଦେଇଥିଲେ । ମହାତ୍ମା ସତ୍ୟବାଦୀ ସ୍କୁଲଗୃହରେ ରହିଥିଲେ । ସକାଳ ଦଶଘଣ୍ଟା ସମୟରେ ଛାତ୍ର ଏବଂ ଶିକ୍ଷକମାନଙ୍କୁ ଉପଦେଶ ଦେଇଥିଲେ । ଅପରାହ୍ନ ୨ଘଣ୍ଟା ବେଳେ ୮/୯ ହଜାର ଲୋକଙ୍କ ଉପସ୍ଥିତିରେ ସେଠାରେ ଏକ ସଭା ହୋଇଥିଲା । ମହାତ୍ମା ଅସହଯୋଗ ନୀତି ସମ୍ପର୍କରେ ସେଠାରେ ଭାଷଣ ଦେଇଥିଲେ । ଦିନ ୩ ଘଣ୍ଟା ୩୦ ମିନିଟ୍‍ ସମୟରେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ରେଳରେ ପୁରୀ ଯାତ୍ରା କରିଥିଲେ । ସେ ୪ ଘଣ୍ଟା ୩୦ ମିନିଟ୍‍ ବେଳେ ପୁରୀ ଷ୍ଟେସନରେ ଉପସ୍ଥିତ ହେଲେ । ତାଙ୍କର ଅଭ୍ୟର୍ଥନା ନିମନ୍ତେ ୬୦/୭୦ ହଜାର ଲୋକ ଜମା ହୋଇଥିଲେ। ସମସ୍ତେ ଶୋଭାଯାତ୍ରା କରି ଜଗନ୍ନାଥ ମନ୍ଦିର ଆଡକୁ ତାଙ୍କୁ ନେଇଗଲେ । ସେତିକିବେଳେ ବଡଦେଉଳରୁ ପୁରୁଣା ଧ୍ୱଜ ଖସି ପଡ଼ିବାରୁ ନୂତନ ଧ୍ୱଜ ସ୍ଥାପନ କରାଯାଇଥିଲା । ମହାତ୍ମା ୬ ଘଣ୍ଟା ୩୦ ମିନିଟ୍‍ ସମୟରେ ସାଗର ତଟବର୍ତ୍ତୀ ତାଙ୍କ ନିମିତ୍ତ ନିର୍ଦ୍ଦିଷ୍ଟ ବସାଗୃହରେ ଉପସ୍ଥିତ ହେଲେ । ୨୭ ତାରିଖ ସକାଳେ ଜଗନ୍ନାଥ ଦର୍ଶନ କରି ଉପରବେଳା ୪ ଘଣ୍ଟାବେଳେ ମହିଳା ସଭାରେ ଯୋଗ ଦେଇଥିଲେ ।  


ପୁରୀ ଦୁର୍ଭିକ୍ଷ ପ୍ରପୀଡିତ ପ୍ରାୟ ୮ ଶତ ଲୋକ ତାଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେମାନଙ୍କର ହାଡମାଳ ଦେଖି ଗଭୀର ଦୁଃଖ ପ୍ରକାଶ କରି ସେମାନଙ୍କର ଖାଇବା ନିମନ୍ତେ ନଗଦ ଏକ ଶତ ଟଙ୍କା ପ୍ରଦାନ କରିଥିଲେ । ସେଦିନ ସନ୍ଧ୍ୟା ଛ‘ ଘଣ୍ଟାବେଳେ ଗୁଣ୍ଡିଚାଘର ନିକଟ ସରଧାବାଲିରେ ଏକ ସାଧାରଣ ସଭାରେ ମହାତ୍ମା ପ୍ରାୟ ଦେଢ ଘଣ୍ଟାକାଳ ସ୍ୱଧର୍ମରକ୍ଷା  ଓ ଅସହଯୋଗ ନୀତି ସମ୍ବନ୍ଧରେ ବକ୍ତୃତା ଦେଇଥିଲେ । ଏହା ଭିନ୍ନ ଜଗନ୍ନାଥ ଦେବଙ୍କ ବ୍ୟବହାର ନିମନ୍ତେ ବିଦେଶୀ ବଦଳରେ ହାତକଟା ସୂତାରେ ପ୍ରସ୍ତୁତ ଦେଶୀ ଖଦି ଲୁଗା ଚଳାଇବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ବ୍ୟବହାର ନିମନ୍ତେ ସେ ନୂଆ ଖଦୀ ଦେବାକୁ ଅଙ୍ଗୀକାର କରିଥିଲେ । ସଭା ଭଙ୍ଗ ପରେ ସେ ପୁରୀ ମହାରାଜାଙ୍କ ସହିତ ଏକାନ୍ତରେ ସାକ୍ଷାତ କରି ଜଗନ୍ନାଥ ଦେବଙ୍କୁ ଦେଶୀ ଖଦୀ ବ୍ୟବହାର କରାଇବା ନିମନ୍ତେ କହିଥିଲେ  । ସେ ମଧ୍ୟ ପୁରୀରେ ସଖିଚାନ୍ଦଙ୍କ ଅନାଥାଶ୍ରମ ଏବଂ ଆଶ୍ରମ ପାଳିତ ବ୍ୟକ୍ତିମାନଙ୍କ ହସ୍ତପ୍ରସ୍ତୁତ ଶିଳ୍ପକାର୍ଯ୍ୟମାନ ଦେଖି ଆନନ୍ଦିତ ହୋଇଥିଲେ । ସେ ୨୭ ତାରିଖ ରାତ୍ରରେ ପୁରୀ ମହାରାଜାଙ୍କ ସାକ୍ଷାତ ପରେ ମୌନବ୍ରତ ଆରମ୍ଭ କଲେ । ସନ୍ଧ୍ୟା ଏକ୍ସପ୍ରେସଗାଡ଼ିରେ ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିଲେ । ଖୋର୍ଦ୍ଧାଠାରୁ ଡାକଗାଡିରେ ବାହାରି ଚିଲିକାର ଶୋଭା ଦର୍ଶନ କଲେ । ସକାଳ ଆଠଘଣ୍ଟା ବେଳେ ବ୍ରହ୍ମପୁର ଷ୍ଟେସନରେ ମହାତ୍ମା ପହଞ୍ଚିଥିଲେ । 

ସେତେବେଳେ କେବଳ ବ୍ରହ୍ମପୁର ନୁହେଁ ଗଂଜାମ ଜ଼ିଲ୍ଲାର ନାନା ସ୍ଥାନର ଓଡିଆ, ତେଲଙ୍ଗା ଓ ମୁସଲମାନ ଜାତିର ପ୍ରାୟ ୩୦ ହଜାର ଲୋକ ଷ୍ଟେସନଠାରେ ସମବେତ ହୋଇଥିଲେ । ମହାତ୍ମାଙ୍କୁ ମଟରରେ ବସାଇ ଶୋଭାଯାତ୍ରା କରି ଆଣି ଓକିଲ ମଧୁସୂଦନ ପାଣିଗ୍ରାହୀଙ୍କ କୋଠିରେ ବିଶ୍ରାମ କରାଇଥିଲେ । ତାଙ୍କୁ ଦେଖିବାକୁ ଲୋକମାନେ ବିଶେଷ ବ୍ୟାକୁଳତା ପ୍ରକାଶ କରିବାରୁ ମହାତ୍ମା କୋଠା ଛାତରେ ଛିଡାହୋଇ ସମସ୍ତଙ୍କ ଆକାଂକ୍ଷା ପୂରଣ କରିଥିଲେ । ତାପରେ ସେ ମୋଟରରେ ବସି ସହର ପରିଦର୍ଶନ କରିଥିଲେ । ଦଶଘଣ୍ଟା ବେଳେ ସେ ଖଲିକୋଟ ଡାଏମଣ୍ଡ୍‍ ଜୁବିଲୀ ଟାଉନ ହଲରେ ଉପସ୍ଥିତ ହୋଇ ସ୍ଥାନୀୟ ମ୍ୟୁନିସିପାଲିଟିର ପ୍ରଦତ୍ତ ଅଭିନନ୍ଦନ ପତ୍ର ଗ୍ରହଣ କରିଥିଲେ । ଉକ୍ତ ଅଭିନନ୍ଦନ ପତ୍ର ଇଂରାଜୀ ବଦଳରେ ଓଡ଼ିଆ ବା ତେଲେଙ୍ଗାରେ ଲିଖିତ ହେବା ଉଚିତ ବୋଲି କହିଥିଲେ । ମହାତ୍ମା ଗାନ୍ଧୀ ଅଭିନନ୍ଦନ ପତ୍ର ଗ୍ରହଣ ପରେ ବସାକୁ ଆସି ଅପରାହ୍ନ ଏକଘଣ୍ଟା ପର୍ଯ୍ୟନ୍ତ ବିଶ୍ରାମ କରିଥିଲେ । ଏକ ଘଣ୍ଟାଠାରୁ ଦୁଇଘଣ୍ଟା ତିରିଶ ମିନିଟ୍‍ ପର୍ଯ୍ୟନ୍ତ ସହରର ଭଦ୍ରବ୍ୟକ୍ତିମାନଙ୍କୁ ସାକ୍ଷାତ ପ୍ରଦାନ ଏବଂ ଦେଶମିଶ୍ରଣ ପ୍ରସଂଗରେ କଥୋପକଥନ, ଦୁଇଘଣ୍ଟା ତିରିଶ ମିନିଟ ଠାରୁ ତିନି ଘଣ୍ଟା ତିରିଶ ମିନିଟ୍‍ ପର୍ଯ୍ୟନ୍ତ ଖିଲାଫତ୍‍ ପ୍ରସଂଗର ଆଲୋଚନା କରିଥିଲେ । ତାପରେ ଟାଉନ ହଲରେ ମହିଳାମାନଙ୍କ ସଭାରେ ଯୋଗଦାନ କରିଥିଲେ । ସନ୍ଧ୍ୟାବେଳେ ସହରର ସୁପ୍ରଶସ୍ତ ବାରାକ୍ସ ପଡିଆରେ ଏକ ବିରାଟ ସଭା ହୋଇଥିଲା । ସଭାରେ ପ୍ରାୟ ୪୦ ହଜାର ଲୋକ ଯୋଗଦାନ କରିଥିଲେ । ଏହି ସଭାରେ ବିଭିନ୍ନ ଚାଷୀଲୋକ ଥିବା ହେତୁ ମହାତ୍ମା ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ଦେଶବାସୀମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ସୁଦୀର୍ଘ ବକ୍ତୃତା ପ୍ରଦାନ କରିଥିଲେ । ଏହି ସଭାରେ ବ୍ରହ୍ମପୁର ଟ୍ରେନିଂ ସ୍କୁଲର ଶିକ୍ଷକ ଦୟାନିଧି ମିଶ୍ର ମାସିକ ୧୨୫ ଟଙ୍କା ବେତନର ମମତା ତ୍ୟାଗ କରି ଅସହଯୋଗ ନୀତି ଅବଲମ୍ବନ କରିବା ସମ୍ବାଦ ବି ଘୋଷିତ ହୋଇଥିଲା । ଏହା ବ୍ୟତୀତ ଏକ ତେଲେଙ୍ଗା ଯୁବକ ୧୦ ହଜାର ଟଙ୍କାର ସମ୍ପତ୍ତି ଏବଂ ଆଉ ଜଣେ ୨୦୦୦ ଟଙ୍କାର ସମ୍ପତ୍ତି ତିଳକ ସ୍ୱରାଜ ଫଣ୍ଡକୁ ଦାନ କରିବାକୁ ସଭାରେ ସ୍ୱୀକାର କରିଥିଲେ । ସଭା ଶେଷ ହେବା ପରେ, ମହାତ୍ମା ରାତ୍ର ଆଠଘଣ୍ଟା ବେଳେ ରେଳରେ ବସି ବିଶାଖାପାଟଣା ଅଭିମୁଖେ ଯାତ୍ରା କଲେ । 

ଗାନ୍ଧୀଙ୍କ ଶୁଭାଗମନ ଉପଲକ୍ଷେ ଓଡ଼ିଶାରେ ସର୍ବତ୍ର ଗୋଟାଏ ଭାରି ଚହଳ ପଡିଯାଇଥିଲା । କେବଳ ଗାନ୍ଧୀଙ୍କୁ ଦେଖିବାପାଇଁ ଲୋକମାନେ ଦାରୁଣ ଗ୍ରୀଷ୍ମକାଳରେ କଷ୍ଟ ପ୍ରତି ଲକ୍ଷ୍ୟ ନ ରଖି ୨୦/୨୫ କୋଷ ପଥ ଅତିକ୍ରମ କରି ଆଗମନ କରିଥିଲେ । ଗାନ୍ଧୀଙ୍କ ପ୍ରତି ଲୋକମାନଙ୍କର ଅଟଳ ଭକ୍ତି ପ୍ରୀତି ନଥିଲେ ଏପରି ବିପୁଳ ଜନ ସମାଗମ ହୋଇନଥାନ୍ତା । ଜନସାଧାରଣଙ୍କ ବିଶ୍ୱାସ ଥିଲା ଯେ ଗାନ୍ଧୀଙ୍କ ଦ୍ୱାରା ଧାନ ଚାଉଳ ପ୍ରଭୃତି ଶସ୍ତା ହେବ, କରପୀଡା ଦୂର ହେବ, ଅତ୍ୟାଚାର ଅବିଚାର ନିବାରିତ ହେବ, ଅଭାବ ଅସୁବିଧା ଅନ୍ତର୍ହିତ ହେବ, ଦେଶରେ ପୁନଶ୍ଚ ରାମରାଜ୍ୟ ଦେଖାହେବ । ଲୋକମାନେ ତାଙ୍କୁ ଦେବତାତୁଲ୍ୟ ଅବତାରବିଶେଷ ବୋଲି ମନେ କରିଥିଲେ । ତାଙ୍କ ପ୍ରତି ଅଲୌକିକ ଶକ୍ତିର ଆରୋପ କରିବାକୁ ଦ୍ୱିଧାବୋଧ କରିନଥିଲେ । ବ୍ରହ୍ମପୁରରେ ବିରାଟ ସଭାଭଂଗ ପରେ ମହାତ୍ମାଙ୍କୁ ସାବଧାନରେ ଜନତାମଧ୍ୟରେ ଅନ୍ଧକାରରେ ନେଇ ମୋଟରରେ ବସାଇ ବସାକୁ ନିଆଯାଇଥିଲା । ମାତ୍ର ଜନତାମଧ୍ୟରେ ପ୍ରଚାରିତ ହେଲା - “ମହାତ୍ମା ସଭାକ୍ଷେତ୍ରରେ ଅନ୍ତର୍ଦ୍ଧାନ ହୋଇଗଲେ ।” ଏହି ସମ୍ବାଦ ଗ୍ରାମାଞ୍ଚଳରେ ପ୍ରସାରିତ ହୋଇଗଲା । ମହାତ୍ମା ବ୍ରହ୍ମପୁର ତ୍ୟାଗକାଳରେ କହିଥିଲେ - “ଦାରିଦ୍ର୍ୟ ଓ ଦୁର୍ଭିକ୍ଷ ପ୍ରପୀଡିତ ଉତ୍କଳ ଦେଶରେ ଘର କରି ଲୋକଙ୍କୁ ସେବା କରିବାକୁ ତାଙ୍କର ଇଚ୍ଛା । କିନ୍ତୁ ଭଗବାନ୍‍ ତାହା କରାଇ ଦେଉନାହାନ୍ତି । ସେ ଉତ୍କଳକୁ ଛାଡି ଯାଉଅଛନ୍ତି ସତ୍ୟ, କିନ୍ତୁ ସେ ତାହାକୁ ଭୁଲିପାରିବେ ନାହିଁ । ଅନ୍ୟ ସମୟରେ ସୁବିଧା ଦେଖିଲେ ସେ ପୁନର୍ବାର ଉତ୍କଳକୁ ଆସିବେ ।” ଦରିଦ୍ରବନ୍ଧୁ ମହାତ୍ମା ଗାନ୍ଧୀଙ୍କର ଏହି ସହାନୁଭୂତି ସୂଚକ ବାଣୀ ଶୁଣି ସେଦିନ ଲୋକମାନେ ଆନନ୍ଦିତ ହୋଇଥିଲେ । 



Leave a comment