ମହାମାରୀ ସମୟରେ ସାଇବର ନିରାପତ୍ତା କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଏହି କରୋନାଭାଇରସ୍ ମହାମାରୀ ସମୟରେ ସାଇବର ନିରାପତ୍ତା କାହିଁକି ଗୋଟିଏ ଚିନ୍ତାର ବିଷୟ ଆସନ୍ତୁ ଜାଣିବା |
ଆମେ ସମସ୍ତେ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ଵ ହେବ କରୋନା ସହ ଲଢେଇ ଜାରି ରଖିଛୁ । ଏଥିପାଇଁ ସମସ୍ତେ କରୋନାକୁ ନେଇ ସତର୍କତା ଅବଲମ୍ବନ କରୁଛେ । ଏହି ସମୟରେ ଆମେ ପ୍ରାୟତଃ ଏକପ୍ରକାର ଘରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହୋଇଛୁ । ଏହି ମହାମାରୀର ବ୍ୟାପକତା ପ୍ରାୟ ସମସ୍ତଙ୍କୁ ଯଥା ଶୀଘ୍ର କାମ କରିବାର ନୂତନ ପନ୍ଥା ଅନ୍ଵେଷଣ କରିବାକୁ ଏକପ୍ରକାର ବାଧ୍ୟ କରିଦେଇଛି । ଏହି ମହାମାରୀ ଫଳରେ କର୍ମରେ ନିଯୋଜିତ ଥିବା କର୍ମୀମାନଙ୍କୁ ନିରନ୍ତର କାର୍ଯ୍ୟ ଯୋଗାଇଦେବା ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କ ପାଇଁ ଏକ ଆହ୍ଵାନ ହୋଇଛି । ଏହି ସମୟରେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଓ୍ବାର୍କ ଫ୍ରମ୍ ହୋମ୍ ର ସୁବିଧା ପ୍ରଦାନ କରିଛନ୍ତି । କେବଳ ବହୁରାଷ୍ଟ୍ରୀୟ କମ୍ପାନୀ ନୁହନ୍ତି ବହୁ କମ୍ପାନୀ ଏପରିକି ସରକାରୀ କାର୍ଯ୍ୟ ମଧ୍ୟ ଏହିପରି ସମ୍ପାଦିତ ହେଉଛି । ତେବେ ଏପରି ସମୟରେ ଘରୁ ରହି କାର୍ଯ୍ୟ କରିବାକୁ ସମସ୍ତେ ବାଧ୍ୟ ହୋଇଛନ୍ତି । ଏଥିପାଇଁ ପ୍ରାୟ ସମସ୍ତେ ୱାଇଫାଇ ଡାଟା କିମ୍ବା ନିଜ ଡାଟାର ବ୍ୟବହାର କରୁଛନ୍ତି । ତେବେ ଘରୁ ରହି ଅଫିସ କାମ କରିବା ସମୟରେ ସେମାନେ ବହୁ ସମୟରେ ସାଇବର ଠକାମୀର ଶିକାର ହେଉଛନ୍ତି । ବହୁରାଷ୍ଟ୍ରୀୟ କମ୍ପାନୀରେ ଯେପରି ସୁରକ୍ଷା କବଚ ଭିତରେ ରହିଥାଏ ତାହା ଘରୋଇ ପରିବେଶରେ ସମ୍ଭବ ହୋଇ ନ ଥାଏ । ଏହି ପରିସ୍ଥିତି ହ୍ଯ଼ାକରମାନଙ୍କୁ ବେଶ ସୁହାଇବା ସହିତ ଏମାନେ ବହୁ ଲୋକଙ୍କୁ ନିଜ ଜାଲରେ ଫସାଇ ବହୁତ ହଇରାଣ ହରକତ କରିବା ସହ ବିଭିନ୍ନ ଉପାୟରେ ତଥ୍ୟ ସବୁ ଚୋରି କରୁଛନ୍ତି ।

ଆଜିର ସମୟରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ରେ ସୁବିଧା ମିଳୁଥିବାବେଳେ ସାଇବର୍‌ ଆଟାକ୍‌ର ବିପଦ ମଧ୍ୟ ବେଶ୍‌ ବଢିବାରେ ଲାଗିଛି । ସାଇବର ସୁରକ୍ଷାରେ ଅନଧିକାର ପ୍ରବେଶ ବୃଦ୍ଧିହେତୁ ସାଇବର ସିକ୍ୟୁରିଟିର ଚାହିଦା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ।

ବର୍ତ୍ତମାନ ସବୁଆଡେ ସାଇବର ଠକେଇ ବୃଦ୍ଧି ପାଉଥିବାରୁ ସମସ୍ତ ବ୍ୟକ୍ତି ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ଯେପରି କେହି ମଧ୍ୟ କାହାର ବ୍ୟକ୍ତିଗତ ତଥ୍ୟ ନେଇ ପାରିବେ ନାହିଁ । ଏଥିନିମନ୍ତେ ସାଇବର ସିକ୍ୟୁରିଟି ଜରୁରୀ ।

ତେବେ ସାଇବର ସିକ୍ଯୁରିଟିର ଅର୍ଥ କଣ ? ସରଳ ଭାଷାରେ କହିବାକୁ ଗଲେ ଗୋଟିଏ ନେଟୱର୍କ ଭିତରେ ଥିବା ସମସ୍ତ କମ୍ପ୍ୟୁଟରକୁ ସୁରକ୍ଷା ପ୍ରଦାନ କରିବା । ଏହି ନେଟୱାର୍କରେ ବ୍ୟବହୃତ ହେଉଥିବା ହାର୍ଡୱେର, ସଫ୍ଟୱେର କୁ କୌଣସି ବିପଦ ବା ଚୋରିରୁ ରକ୍ଷା କରିବା ଓ ଏହି ସବୁ କମ୍ପ୍ୟୁଟର ଗୁଡିକରେ ଗଚ୍ଛିତ ଥିବା ତଥ୍ୟକୁ ସୁରକ୍ଷିତ କରିବା ପାଇଁ ବ୍ୟବହାର ହେଉଥିବା ବିଭିନ୍ନ କୌଶଳକୁ ଆମେ ସାଇବର ସିକ୍ୟୁରିଟି କହିଥାଉ ।

ମହାମାରୀ କରୋନା ଆସିଲା ପରେ ଏବେ ସମସ୍ତେ ୱର୍କ ଫ୍ରମ ହୋମ କରୁଥିବାରୁ ସାଇବର  ସିକ୍ୟୁରିଟିର ଗୁରୁତ୍ଵ ଛୋଟ ବଡ କମ୍ପାନୀ ଗଡିକ ପାଇଁ ବଢିଯାଇଛି । କରୋନା ହେବା ଦ୍ଵାରା ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକ ତାଙ୍କ କର୍ମୀମାନଙ୍କୁ ୱର୍କ ଫ୍ରମ ହୋମର ସୁବିଧା ଉପଲବ୍ଧ କରାଇଲେ । ଏହି ଘଡିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟ କରିବା ସମୟରେ କମ୍ପାନୀରେ କାର୍ଯ୍ୟ କରିବାକୁ ଦରକାର ହେଉଥିବା ଅନେକ ଗୋପନୀୟ ତଥ୍ୟ ଯେପରିକି ନିଜର ୟୁଜର ଆଇଡି ଏବଂ ପାସ୍‌ୱାର୍ଡକୁ କମ ସୁରକ୍ଷିତ ଥିବା ଇଣ୍ଟରନେଟ୍‌ ବ୍ୟବହାର କରି ନିଜର କାର୍ଯ୍ୟ ସମ୍ପାଦନ କଲେ । ଯାହା ଦ୍ୱାରା ହ୍ୟାକରମାନେ ଏସବୁ ତଥ୍ୟକୁ ଅନାୟାସରେ ହାସଲ କଲେ ଏବଂ ପ୍ରତିବଦଳରେ ମୋଟା ଅଙ୍କର ଅର୍ଥ ଦାବି କରିବାକୁ ଲାଗିଲେ ଯାହା କମ୍ପାନୀ ମାନଙ୍କର ମୁଣ୍ଡବ୍ୟଥାର କାରଣ ହେଲା ।
ଅପରପକ୍ଷରେ କରୋନା ପାଇଁ ସରକାର ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଆଦିର ପ୍ରଚଳନ କରିବା ସହିତ ସାମାଜିକ ଦୂରତ୍ଵକୁ ବାଧ୍ୟତାମୂଳକ କଲେ । ଏହାର ଫଳସ୍ୱରୂପ ଅନଲାଇନ୍‌ରେ କାରବାର ବଢିବାରେ ଲାଗିଲା । କାମ କରିବା ହେଉ ଅବା କାହା ସହ ସାକ୍ଷାତ ସବୁ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ହେଲା ଏବଂ ଏହାର ଫାଇଦା ନେଲେ ହ୍ୟାକରମାନେ । ସେମାନେ ୱେବସାଇଟରୁ ତଥ୍ୟ ଚୋରି କରି ବଜାରରେ ବିକ୍ରି କରିବା ସହ ଗ୍ରାହକମାନଙ୍କୁ ଠକିବାରେ ଲାଗିଲେ । ଫଳସ୍ଵରୂପ ଅନେକ ଗ୍ରାହକ ନିଜର ତଥ୍ୟ ସବୁ ଦେବା ସହ ନିଜର ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ଦେଇଦେଲେ ଏବଂ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ସବୁ କଟିଯାଇଥିଲା । ଏନେଇ ସେମାନେ ସାଇବର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସେତେ ସୁଫଳ ପାଇପାରିନାହାନ୍ତି । ଅନେକ ଜାଗାରେ ନିଜର ଟଙ୍କାର ଏଭଳି ଅଭିନବ ଉପାୟରେ ଲୁଟ ଯୋଗୁଁ ଅନେକ ଲୋକ ମାନସିକ ସନ୍ତୁଳନ ହରାଇ ବସିଲେ ଏବଂ ଅନେକ ଆତ୍ମହତ୍ୟା ଭଳି ପଥ ଆପଣାଇଲେ ।

କରୋନା ଯୋଗୁଁ ଅନେକ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରି ସେଥିରେ ଆସୁଥିବା ଲୋଭନୀୟ ବିଜ୍ଞାପନ ଏବଂ ଇ-ମେଲର ଶିକାର ମଧ୍ୟ ହେଲେ । ଯଦିଓ ସମସ୍ତେ ଭାବୁଛନ୍ତି ଯେ ୱର୍କ ଫ୍ରମ ହୋମ ର ଅନେକ ଫାଇଦା ଅଛି କିନ୍ତୁ ସାଇବର ସିକ୍ୟୁରିଟି ବ୍ୟବହାର ନ କରିବା ଯୋଗୁଁ ମଧ୍ୟ ଲୋକଙ୍କ ପାଇଁ ଅନେକ ମୂଲ୍ୟ ଦେବାକୁ ପଡିଛି ଓ ଆଗକୁ ଯଦି ଏହା ଉପରେ ବିହିତ ପଦକ୍ଷେପ ନ ନିଆଯିବ ତେବେ ଅନେକ ମୂଲ୍ୟ ଦେବାକୁ ମଧ୍ୟ ପଡିବ ।

ତେଣୁ ସେ ଘର ହେଉ କି ଅଫିସ ସବୁଠି ସାଇବର ସିକ୍ଯୁରିଟି ନିୟମର ସଠିକ ଅନୁପାଳନ କରିବା ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ହୋଇପଡିଛି । ଏହିଭଳି ମହାମାରୀ ଆମ ସମସ୍ତଙ୍କୁ ଇଣ୍ଟରନେଟ୍‌ର ଅପବ୍ଯବହାରରୁ ଅନେକ ଶିକ୍ଷା ଦେଇଛି ଏବଂ ପରୋକ୍ଷରେ ସାଇବର ସିକ୍ଯୁରିଟି କେତେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରତ୍ଯେକଟି ଇଣ୍ଟରନେଟ୍‌ ବ୍ୟବହାରକାରୀ ମାନଙ୍କୁ ଚେତେଇ ଦେଇଛି ।

Leave a comment