ଇଂଟର୍ଣ୍ଣାଲ ପ୍ରୋବ୍ଲେମ

ଏଇ କଫି ନିଶାରେ ଆଜି ମିସିଙ୍ଗ ରିପୋର୍ଟ ଦେଖି ପାରିନି । କିଛି ନିଉଜ୍ ମିସ୍ ହେଇଥିଲେ କଥା ସରିଲା । କମ୍ପ୍ୟୁଟର୍ ଅନ୍ କଲି । ମେସେଜ ସୋ କଲା । ଡିଉ ଟୁ ଇଂଟର୍ଣ୍ଣାଲ ପ୍ରୋବ୍ଲେମ ୟୌର ଡିଭାଇସ ଇଜ ସୋଇଙ୍ଗ ସମ୍ ଏରର୍ ଟୁ ରିଡ଼ ଦ ଡାଟା ।

କିଛିଦିନ ହେଲା ଖୁବବ୍ୟସ୍ତ ଥିଲି । କମ୍ ପଡୁଥିଲା ଦିନର 24 ଘଣ୍ଟା । ଭୁଲିଯାଇଥିଲି ନିଜକୁ । ଆଜି ସକାଳୁ ଉଠିଲି, ଭାବିଲି ନିଜ ପାଇଁ ଘଣ୍ଟାଏ ଦେବା ଉଚିତ । ପୁଣି ଅପରାହ୍ନ ୪ରୁ ଆରମ୍ଭ ହୋଇଯିବ ପେଶା । କମ୍ପ୍ୟୁଟରର କୀବୋର୍ଡ୍ ରେ ଟିକ୍ ଟିକ୍ । ଘଡ଼ିଏ ବି ଫୁରସତ ନଥିବ ପାଖ ବେଞ୍ଚରେ ବସିଥିବା ସେ ସୁନ୍ଦରୀ ଫୁଲେଇ ଝିଅଟିକୁ ଦଣ୍ଡେ ଅନେଇବାକୁ ।

ତା ବାଁ ହାତର ମଝି ଆଙ୍ଗୁଳିରେ ଥିବ ଗୋଟେ ମୁଦି, ଡାହାଣ ହାତର ଅନାମିକା ଆଙ୍ଗୁଳିରେ ଆଉ ଗୋଟେ ମୁଦି । ସେ ଅବିରତ ଘୁରାଉଥିବ ଡାହାଣ ହାତର ମୁଦିକୁ, ବାଁ ହାତରେ । ମୋତେ ଦେଖିବାକୁ ଇଚ୍ଛାହୁଏ ସେଇ ମୁଦିକୁ, ମୁଦି ଘୁରେଇବାର ଶୈଳୀକୁ ବାରମ୍ବାର । ଏଇ ବାହାନାରେ ତାକୁ ବି ଦେଖିଥାଏ ଥରକୁ ଥର । ଏଣେ ଅନାଉଥାଏ କମ୍ପ୍ୟୁଟରରେ ଥିବା ସମୟ ସୂଚକକୁ । ସାରିବାକୁ ହେବ ନିର୍ଦ୍ଦିଷ୍ଟ ସମୟରେ ପାଠ ।

ଭାବିଲି ସକାଳୁ ଘଡ଼ିଏ ବୁଲିଆସେ । ନିରୁଦ୍ଦିଷ୍ଟ ଭାବରେ । ଯୁଆଡେ ଇଛା । ଏମିତିରେ ତ ବେଳେବେଳେ ମୁଁ ବାହାରିଯାଇଥାଏ ଗୋଟାଏ କାମରେ କିନ୍ତୁ ମୋତେ ଜଣାନଥାଏ ମୁଁ ଯାଉଛି କୁଆଡେ ? ଅଧାବାଟରେ ଗାଡ଼ି ଠିଆକରି ଭାବେ । ଆଖପାଖ ଦୋକାନର ସାଇନ ବୋର୍ଡ କୁ ଦେଖେ । ବୁଝେ କେଉଁଠି ଅଛି ମୁଁ ଏଇନା, କୁଆଡେ ମୋର ଗନ୍ତବ୍ୟ ।

ତେବେ ଆଜି ମୋର ଗନ୍ତବ୍ୟ ସ୍ଥିର ନଥିଲା, ତେଣୁ ଆରମ୍ଭରୁ ହିଁ ମୁଁ ସ୍ଥିର ଥିଲି । ନଥିଲି ତରତର ।  ଛୁଟାଇଲି ବାଇକ୍ । 

ଆଗ କାରଗିଲ ରୋଡ଼ ଦେଇ ଯାଉଛି । ଭାବିଲି ଏୟାରପୋର୍ଟ ଛକରୁ ଘେରାଏ ବୁଲି ଆସିବି । ସେଇ ଛକରେ ଭଲ ମିଠା ମିଳେ । ମିଳେ ବି ଭଲ ସୁରଭି ପାନ । ଟିକିଏ ରିହାତିରେ ମିଳେ ସିଗାରେଟ । ମିଳେ ଛନ୍ ଛନିଆ ଶାଗ, ମିଳେ କଖାରୁ ଫୁଲ ।

ମନେ ପଡ଼ିଲା । ରୁଜୁଲ । ରୁଜୁଲ କାଲି ମୋ ନାଟକ ଦେଖିସାରି ମେସେଜ କରିଥିଲା । ଆଜି ସକାଳେ ମୋ ସହ କଫି ପିଇବ କହିଥିଲା । ସକାଳୁ ଉଠି ଆଗ ଆସିଯିବ । ୟୁନିଟ ୬ରେ ଥିବା କଫି ହାଉସକୁ । ମିଶିକି କଫି ପିଇବା । ଆମେ ଦୁଇଜଣ । ସକାଳ ବେଳା ବେଶୀ ଗହଳି ନଥିବ । ଆସିବ । ଆସିବ ନା  ??

ସେଇ ମେସେଜ ଆଜି ମୋର ଏଇ ନିରୁଦ୍ଦିଷ୍ଟତାର କାରଣ କି ? କେଜାଣି । ଉଦ୍ଭଟ ଶବ୍ଦକରି ଏକ ରେଲଗାଡି ପାସ୍ କଲା । ଏଇ ଲକଡାଉନ୍ ପରେ ରେଲଗାଡିର ଛୁକ୍ ଛୁକ୍ ଶବ୍ଦ ବି ଉଦ୍ଭଟ ଲାଗିଲାଣି । ଆଗରେ ଗୋଟେ ବଂକାଣି ଅଛି । ଗତକାଲି ନାଟକ ପୂର୍ବରୁ ଗଲାବେଳେ ତରତର ଥିଲି । ଠିକ୍ ସେଇ ବଙ୍କାଣି ନିକଟରେ ସାମ୍ନାରୁ ରଙ୍ଗ୍ ୱେ ରେ ଆସୁଥିବା ଏକ କାର ମୋତେ ଧକ୍କା ମରିଥାନ୍ତା । ଅଳ୍ପକେ ବଂଚି ଯାଇଥିଲି । ମୋ ମୋଟରସାଇକେଲ୍ ଗ୍ୟାରେଜକୁ ଯାଇଥାନ୍ତା ଆଉ ମୁଁ ମେଡିକାଲକୁ ।

ସ୍ଲୋ କରି ଗାଡି ଚଳାଉ ଚଳାଉ ଦେଖିଲି ଆଗରେ କିଛି ଲୋକ ଠିଆ ହୋଇଛନ୍ତି । ସାମ୍ବାଦିକତାର ଆଖି ଅଟକିଗଲା କିଛି ଅଘଟଣକୁ ଭାବି । ସତରେ କେହି ଜଣେ କାର ଚାଳକ ଜଣେ ସ୍କୁଟି ଚାଳକକୁ ଧକ୍କା ଦେଇ ଫେରାର ହେଇଯାଇଥିଲା । ଦୁର୍ଘଟଣା ସାମାନ୍ୟ ଥିଲା । ଧୀରେ ଧୀରେ ସଭିଏଁ ଅପସରି ଗଲେ । ମୁଁ ନିକଟସ୍ଥ ଦୋକାନରୁ ଯୋଡ଼ିଏ ସିଗାରେଟ କିଣିଲି । ଠିଆ ହୋଇ ଗୋଟିଏକୁ ଅଗ୍ନିସଂଯୋଗ କଲି । ସନ୍ଧାନୀ ଆଖି ଦୁଇଟି ସେଇ ସ୍କୁଟି ଚାଳକ ଯୁବକ ଉପରେ ଥାଏ ।

ଦୋକାନ ଓ ସେ ଯୁବକର ବସିବା ସ୍ଥାନ ଭିତରେ ଦୂରତା ସାମାନ୍ୟ ଥିଲା । ସେ ଯୁବକ ଜଣକ ସାମାନ୍ୟ ଅସ୍ଥିର ଥିଲା । ଅଚାନକ ନିକଟସ୍ଥ ବସ୍ତିରୁ କିଛି ପିଲା ଆସିଲେ । ଯୁବକଙ୍କ ସହ କଥା ହେଲେ । ଯୁବକଙ୍କ ଆଖିରେ କଷ୍ଟ ଓ ଅସହଜ ଭାବ ଥିଲା । ପାଣି ବୋଲି ବୋଧହୁଏ କହିଲେ । ଗୋଟିଏ ବସ୍ତି ପିଲା ଦୌଡ଼ିଗଲା । ମୁଁ ଭାବିନେଲି, ସେ ପିଲାଟି ପାଣି ଆଣିବାକୁ ନିଶ୍ଚେ ଯାଇଥିବ । ପାଖ ଦୋକାନରେ ତ ପାଣି ନାହିଁ । ମୁଁ ମୋ ବାଇକ୍ ର ଡିକି ଅଣ୍ଡାଳିଲି । ଅଧା ବୋତଲ ପାଣି ଥିଲା । ବୋତଲ ଧରି ସେଇ ଯୁବକ ନିକଟକୁ ଚାଲିଲି । 

ଫେରି ଆସିଥିଲା ପିଲାଟି । ହାତରେ ନିଜ ଘରୁ ଆଣିଥିବା ପୁରୁଣା ବୋତଲରେ ପାଣି । ବଢାଇଦେଲା ଯୁବକଙ୍କ ହାତକୁ । ସାର୍ ପିଅନ୍ତୁ । ଆରେ ସାର୍ କଣ ଆମ ଘର ପାଣି ପିଇବେ । ତୁ ଗୋଟେ ବୋତଲ କିଣିକି ଆଣି ପାରିଲୁନି । ଅନ୍ୟ ଏକ ଛୁଆ କହିଲା । ପାଣି ଆଣିଥିବା ପିଲାଟି କିଛି କହିପାରିଲାନି । ନିଜକୁ ବୋକା କିମ୍ବା ଅସହାୟ ମଣିଲା । ସାମାନ୍ୟ ନଜର ଆଢୁଆଳରେ ମୁଁ ଠିଆ ହୋଇଥାଏ । ଯୁବକଟି ପିଲା ହାତରୁ ପାଣି ବୋତଲ ନେଲା । କିଛି ପାଣିରେ ମୁହଁ ହାତ ଧୋଇଲା । ଅବଶିଷ୍ଟ ପାଣି ଢକଢକ କରି ପିଇଲା । ପିଲାଟି ହାତକୁ ବୋତଲ ବଢାଇଦେଇ ଟିକେ ହସିଲା । ପକେଟରୁ ଶହେ ଟଙ୍କିଆ ନୋଟ କାଢି ପିଲାଙ୍କ ହାତକୁ ବଢ଼େଇଦେଲା । ପିଲାଏ ଲାଜ କରୁଥିଲେ । ନେଉ ନଥିଲେ । ଯୁବକଟି ସେମାନଙ୍କୁ ବଡ଼ ଭାଇ ପରି କୋଳେଇନେଲା । ଚକୋଲେଟ ଖାଇବାପାଇଁ ନିଅ ବୋଲି କହିଲା । କାଲି ଆସିବି ମିଶିକି କ୍ରିକେଟ ଖେଳିବା । ଏୟା କହି ସେ ସ୍କୁଟି ଷ୍ଟାର୍ଟ କରି ଚାଲିଗଲା ।

ପିଲାଏ ଫେରିଗଲେ। ମୁଁ ମୋ ପାଣି ବୋତଲକୁ ଧରି ବାଇକ ନିକଟକୁ ଆସିଲି । ଆଉ ଗୋଟିଏ ସିଗାରେଟ ଲଗାଇଲି । ବୋତଲକୁ ଡିକିରେ ରଖିଲି । ପକେଟରୁ ମୋବାଇଲ ବାହାର କଲି ।  ଡାଟା ଅନ କରୁକରୁ ଟିଂ ଟିଂ ଶବ୍ଦ ଶୁଭାଗଲା । ରୁଜୁଲର ଚାରିଟି ମିସ୍ କଲ୍ ଥିଲା । ଏ ଭିତରେ ମୋବାଇଲ ରିଂ ହେବା ମୁଁ ଜାଣିପାରିନି । 

ସରି । ଆସିପାରୁନି । ଖରାପ ଭାବିବନି । ଇଂଟର୍ଣ୍ଣାଲ ପ୍ରୋବ୍ଲେମ । ଦେହ ଭଲ ଲାଗୁନି । ପୁଣି କେବେ । ଆଉଥରେ ।

ହୁଁ, ଭଲ ବାହାନା ।

ଲେଖିଲି । ଠିକ ଅଛି । ମୋତେ ମିଛ କହିବା ଦରକାର ନାହିଁ । 

ମୁଁ ଯେ ତୁମର..

କିଛି ବି ତ ନୁହେଁ ।

ସଂଗେ ସଂଗେ ସେପଟୁ ରିପ୍ଲାଇ ଦେଲା, ତୁମେ ଆମ କଷ୍ଟ ବୁଝି ପାରିବନି !!!

ମୁଁ ଭାବିଲି । ମୋ କଷ୍ଟ କଉ ତୁମେ ବୁଝୁଛକି ? ଡିକିରୁ ପାଣି ବୋତଲ ବାହାରକରି ପାଣି ପିଇଲି । ସିଧା ରୁମକୁ ଫେରିଲି । ଏଇ କଫି ନିଶାରେ ଆଜି ମିସିଙ୍ଗ ରିପୋର୍ଟ ଦେଖିପାରିନି । କିଛି ନିଉଜ୍ ମିସ୍ ହେଇଥିଲେ କଥା ସରିଲା । କମ୍ପ୍ୟୁଟର୍ ଅନ କଲି । ମେସେଜ ସୋ କଲା । ଡିଉ ଟୁ ଇଂଟର୍ଣ୍ଣାଲ ପ୍ରୋବ୍ଲେମ ୟୌର ଡିଭାଇସ ଇଜ ସୋଇଙ୍ଗ ସମ୍ ଏରର୍ ଟୁ ରିଡ଼ ଦ ଡାଟା ।

Leave a comment