ଯଦି ମୁଁ ମରିଯାଏ ଆଜି

ନିଜ ମୃତ୍ୟୁକୁ ନେଇ ବହୁ କବି କବିତା ଲେଖିଛନ୍ତି । ସବୁ ମୃତ୍ୟୁ ଜୀବନର ଶେଷ ନୁହେଁ । ଅନେକ ସମୟରେ ମୃତ୍ୟୁ ଜୀବନର ଉତ୍ସବ ମନେ ହୋଇଛି କବିତାରେ । ଭାରତ ମାଝୀ ନିଜ ଜନ୍ମଦିନରେ ମୃତ୍ୟୁକୁ ନେଇ ଏକ କବିତା ଲେଖନ୍ତି । ତେବେ ଏ କବିତାରେ ଜୀବନ, ରାଜନୀତି ଓ ପ୍ରତିବାଦର ଏକ ବିଚିତ୍ର ରସାୟନ ରହିଛି । ସବୁଠୁ ବଡକଥା ହେଉଛି, ନିଜେ ନିଜକୁ କଟାକ୍ଷ କରିବାର ଦୁଃସାହସରୁ ଏ କବିତାର ଜନ୍ମ ।

ଆପଣଙ୍କ ଏତେ ଖେଳକୁ ଅରାଜି,

ଯଦି ମୁଁ ମରିଯାଏ ବି ଆଜି ।

ମଂଦିରକୁ ପଠେଇନି ଇଟା, ଦେଇନି ଚାଂଦା

ହଁ, ମୁଁ ଦେଶଦ୍ରୋହୀ-ପିଲା,

ଚାଷୀମରା ପ୍ରପଂଚ ବେଳେ

ଆପଣଂକ କଛା ଭିଡିବା ପ୍ରପଂଚ କରିଚି

ହଁ, ମୁଁ "ଟୁକୁରା ଟୁକୁରା ଗ୍ୟାଂଗ୍-ବାଲା" !

                                    

ଆପଣଂକ ଇତିହାସ ପଢିବାକୁ ମନା କରି ଦେଇଚି

ହଁ, ମୁଁ ଅଜ୍ଞାନ,

ଝିଅବୋହୂଂକ ପିଂଧାଓଢା ବାବଦ ଜାତି-ସମର୍ପିତ ବାର୍ତାକୁ ବିରୋଧ କରିଚି,

ହଁ, ମୁଁ ଅନାର୍ଯ୍ୟ, ଅର୍ବାଚୀନ !

 

ସଂବିଧାନକୁ ସୂର୍ପଣଖା ମଣି

ତା'ର ନାକ କାନ କାଟିଲା ବେଳେ

ଆପଣଂକୁ ଖିଜେଇଚି, କାନ ମୋଡିଚି

ହଁ, ମୁଁ ଅପାଂକ୍ତେୟ, ପାଜି,

ମନେରଖିବ, ଯଦି ମୁଁ ମରିଯାଏ ଆଜି !

 

ପରଦାରା ହରଣ କରିଚି

ପୁରୁଷୋତ୍ତମ ହବାର ନାଇଁ,

ଦେହ ପରେ ଦେହ ଖୋଜିଚି

ଅପ୍ରାକୃତ ଲୀଳାମୂର୍ତ ବୁଝିବି ବା କାଇଁ ?

ମିଛ କହିଚି, ମିତ୍ରଦ୍ରୋହୀ ହେଇଚି

ମଣିଷ ହେବାର ଅଛି,

ହେଲେ ସତର ବୋକଚା ବୋହିଚି।

 

ଶୁଣନ୍ତୁ, ବ୍ରାହ୍ମଣ କି ଦଳିତ ନୁହେଁ

ମଣିଷ ହେଇ ମରିବାକୁ ରାଜି,

ଯଦି ମୁଁ ମରିଯାଏ ଆଜି।

 

ଆପଣଂକ ଥାକଥାକ ବିଂବବାଲୀ କବିତା ଉପରେ

ରଖିପାରିନି ମତ,

ଆପଣଂକ ଗଦାଗଦା ଚିଂତାର ଚର୍ବି ପୋଡି

ଫୁଟାଇଚି ଭାତ।

ଆପଣଂକ ଲୋଭର ଲାଭ ବଢିବାର ଦେଖିଚି,

ହସିଚି, ମୋ ପ୍ରତିବାଦ ଯେତେବେଳେ ଆପଣଂକୁ କାଂଦ ଭଳି ଲାଗିଚି।

 

ହେଲେ ଯଦି ମୁଁ ମରିଯାଏ ଆଜି,

ମନେରଖିବେ ମଣିଷଟେ ଥିଲା

ଯିଏ ଆପଣଂକ ସହ ମାରିପାରୁଥିଲା ବାଜି !

 

Leave a comment