ଯାହା କହି ପାରିଲି ନାହିଁ ତୁମକୁ

ତୁମେ ଗୋଟେ ଗପର ଆରମ୍ଭରେ ଛିଡା ହୋଇଥାଅ କେତେ ଚିହ୍ନା ଚିହ୍ନା ଲାଗେ ତୁମ ସ୍ଵର କେତେ ଚିହ୍ନା ଲାଗେ ତୁମ ମୁହଁ ମୁଁ କଥାର ଖିଅ ଯୋଡେ

ଯାହା କହିପାରିଲି ନାହିଁ ତୁମକୁ

ଏଇ ମୋ ଓଠରୁ ଗୀତ ହୋଇ ବହିଗଲା

ନଈ ପାଣିଠୁ ବି ମିଠା ଓ ମଧୁର। 


ଫୁଲର କେଶର ରଙ୍ଗର ଥିଲା ମୋ ଭଲପାଇବା

ଆଉ ତୁମ ପ୍ରେମ ସତେ କି ବର୍ଷାର ରାଗିଣୀ ରୁଣଝୁନ ରୁଣଝୁନ

ଆଖିରେ ଥିଲା ଗ୍ରୀଷ୍ମ ଦିପହରର ଶୋଷ

ଛାତି ଭିତରେ ଥିଲା ମୋର ଅନେକ ଯନ୍ତ୍ରଣାର ହାହୁତାଶ

ଅନେକ କୋଳାହଳ। 


କେଉଁଠି ହଜେଇ ଦେଲି ଶବ୍ଦ ସବୁ ଜାଣେନି

ଅଜବ ଗୋଟେ ଖାଁ ଖାଁ ଶୂନ୍ୟତା ମୋତେ ଘାରେ

କହିବି କହିବି ହୋଇ କହିପାରେନି।

ତୁମେ ଗୋଟେ ଗପର ଆରମ୍ଭରେ ଛିଡା ହୋଇଥାଅ

କେତେ ଚିହ୍ନା ଚିହ୍ନା ଲାଗେ ତୁମ ସ୍ଵର

କେତେ ଚିହ୍ନା ଲାଗେ ତୁମ ମୁହଁ

ମୁଁ କଥାର ଖିଅ ଯୋଡେ

ସହଜ ହୁଅନ୍ତି ମୁହୂର୍ତ୍ତ ସବୁ

ତଥାପି ଥାଏ ଆଙ୍ଗୁଳିଏ ଦୂରତ୍ଵ

ମୁଁ କହିପାରେନି ପୁଣି

ମୋ କଥା ସବୁ ଥର ପରି ଅଣନିଃଶ୍ବାସୀ ବିଭକ୍ତ। 


ବିରହିଣୀ ପକ୍ଷୀ ପରି ହେଲେ ଗାଇ ପାରନ୍ତି ଗୀତ

ଦେଖେଇ ପାରନ୍ତି ତୁମକୁ ମୋ ଛାତି ତଳର କ୍ଷତ

ଦୁଃଖ ଯେତେ, ତୁମେ ନଥିଲା ବେଳର ।


Leave a comment