କବିତା

ସମକାଳର ଭାରତୀୟ କବିତାରେ ଭାରତ ମାଝୀ ଏକ ଦୁର୍ଦ୍ଦାନ୍ତ ସ୍ଵର । ଯେ କୌଣସି ରୁକ୍ଷ ବାସ୍ତବତାକୁ କବିତାରେ ରୂପାନ୍ତରିତ କରିପାରିବାର କୁହୁକ ଭାରତଙ୍କ କଲମରେ ରହିଛି । ସେ ସାମାଜିକ ବାସ୍ତବତାର ନିଚ୍ଛକ ରୂପକାର, ହେଲେ ବାସ୍ତବତାର ଏକ ନିଆରା କଳାକର୍ମର ସେ ଆବିଷ୍କାରକ ।

ଆଜିର ସକାଳ

ଟ୍ରାନ୍ସପରେଣ୍ଟ ଗ୍ଲାସ୍ ଭଳି ଝଲସୁଚି,

ତୁମ ପେଡିକିଓର୍ କରା ପାଦରେ

ଅଳତା ଭଲ ଲାଗୁଛି,

ନାଇଁରେ, ୟେ କବିତା ହେବ ନାହିଁ

କବି କହୁଛି!


ମା'ର ନୂଆଁଖାଇ ଶାଢୀ କିଣିପାରିନି,

ଭଉଣୀର ମାଟ୍ରିକ୍ ପରୀକ୍ଷା ଫି' ଦେଇନି,

ଜମିର ଘାସବଛା ହୋଇନି,

ଏ ବର୍ଷ ଦେବୀଗୁଡି ଆମ୍ବଗଛରେ ବଉଳ ଆସିନି ତ

ବର୍ଷା ହେବନି,

ହାୟରେ, ୟେ ବି କବିତା ହେବନି!


କବିତା, ଦସ୍ୟୁକୁ କେମିତି କବି କରେ

କବିକୁ ଦସ୍ୟୁ କରିପାରେନି,

ହାୟରେ, ୟେ ବି ତ କବିତା ହେବନି!!


କବିତାରେ ଜହ୍ନ, ନଈ, ଆକାଶ, ଝରଣା,

କବିତାରେ ମୃତ୍ୟୁଚିନ୍ତା, ବୈଷ୍ଣବୀୟ ଚେତନା,

କବିତାରେ ନଷ୍ଟାଲଜିଆ, ପିଲାଦିନ,

କାନ୍ଦ କାନ୍ଦ ପ୍ରେମ,

କବିତାରେ

ସ୍ତବ, ସ୍ତୁତି, ମାଇପି-ବାହୁନା,

କବିତାରେ ରହସ୍ୟ

ଭୁଲ୍ ବୁଝାମଣା-

ଏତକ ହିଁ ଖଣି,

ବାକିସବୁ

କବିତା ନାମକ ଆମଦାନୀ ??


Leave a comment