କପିଳା ବାତ୍ସାୟନ ଓ ଓଡିଶାର ସାଂସ୍କୃତିକ ଇତିହାସ

କପିଳା ବାତ୍ସାୟନ, ଭାରତୀୟ ସାଂସ୍କୃତିକ ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ଏକ ସ୍ମରଣୀୟ ନାମ। ସେ କେବଳ ଇତିହାସର ଗବେଷିକା ନଥିଲେ, ସେ ଥିଲେ ଆଧୁନିକ ଭାରତୀୟ ସାଂସ୍କୃତିକ ଚେତନାର ଅନ୍ୟତମ ନିର୍ମାତା। ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବୁଝିବାରେ ଓ ଲେଖିବାରେ ତାଙ୍କର ଅବଦାନ ଅନନ୍ୟ। ଏ ସମ୍ପର୍କରେ କେଦାର ମିଶ୍ରଙ୍କର ଏକ ବିଶେଷ ଆଲେଖ୍ୟ।

ଏକ ପରିପୂର୍ଣ୍ଣ ଜୀବନ ବଞ୍ଚିବା ପରେ କପିଳା ବାତ୍ସାୟନ ଜଗତରୁ ବିଦାୟ ନେଇଛନ୍ତି। ୯୨ ବର୍ଷର ଦୀର୍ଘ ଜୀବନ ଓ ସାଧନାରେ ସେ ଭାରତ ଇତିହାସରେ ଅନେକ ନୂଆ ଅଧ୍ୟାୟ ଯୋଡିଛନ୍ତି। କେବଳ ଭାରତ ନୁହେଁ, ପୂରା ଏସିଆ ମହାଦେଶର ସାଂସ୍କୃତିକ ଇତିହାସରେ ଅନେକ ନୂଆ ତତ୍ତ୍ଵ ଓ ତଥ୍ୟ ଯୋଡିବାରେ ତାଙ୍କର ଖ୍ୟାତି ରହିଥିଲା। ଭାରତର ସାଂସ୍କୃତିକ ଇତିହାସ, ବିଶେଷକରି ପ୍ରଦର୍ଶନକାରୀ କଳା ଓ ଦୃଶ୍ୟକଳାର ଇତିହାସରେ ତାଙ୍କର ଅବଦାନ ସ୍ଵତନ୍ତ୍ର। ଆନନ୍ଦ କୁମାରସ୍ଵାମୀଙ୍କ ପରେ ଏସିଆ ମହାଦେଶର ସାଂସ୍କୃତିକ ଇତିହାସ ରଚନାରେ ସବୁଠୁ ବଡ ନାମ ନିଶ୍ଚିତ ଭାବରେ କପିଳା ବାତ୍ସାୟନଙ୍କର ଆସିବ। କେହିଜଣେ କହିଛନ୍ତି, କପିଳା ବାତ୍ସାୟନ ହେଉଛନ୍ତି ଭାରତୀୟ ଋଷି ପରମ୍ପରାର ଆଧୁନିକତମ ଆଚାର୍ୟ। ଭାରତୀୟ କଳା, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ, ଲୋକକଳା ଏବଂ ଆଦିବାସୀ କଳା କୁ ଏତେ ଗଭୀର ଭାବରେ ଅନୁଧ୍ୟାନ କରିବା, ସେ ସବୁର ସଂରକ୍ଷଣ ଏବଂ ପ୍ରଦର୍ଶନ କରିବା ଏବଂ ପ୍ରତ୍ୟେକ କଳାର ବୌଦ୍ଧିକ ପକ୍ଷକୁ ଆଲୋକିତ କରିବାର ଅନନ୍ୟ ଦକ୍ଷତା ତାଙ୍କର ରହିଥିଲା। ଭାରତର ସାଂସ୍କୃତିକ ଇତିହାସ ତାଙ୍କ ନାମ ନ ନେଇ କେବେହେଲେ ପୂର୍ଣ୍ଣାଙ୍ଗ ହେବନାହିଁ। 

ଭାରତୀୟ ଓ ଏସୀୟ ସାଂସ୍କୃତିକ ଇତିହାସ ରଚନାର ବିଶାଳ କ୍ଷେତ୍ରକୁ ନ ଯାଇ, କପିଳା ବାତ୍ସାୟନ ଏବଂ ଓଡିଶାର ସାଂସ୍କୃତିକ ଇତିହାସକୁ ନେଇ ଏକ ଛୋଟିଆ ଆଲୋଚନା କରା ଯାଇପାରେ। ଯେତିକି ଗମ୍ଭୀରତା ଓ ନିଷ୍ଠାର ସହିତ ସେ ଓଡିଶାର ସଂସ୍କୃତି ବିଷୟରେ ଲେଖିଛନ୍ତି, ସମାନ ଭାବରେ ଅନ୍ୟାନ୍ୟ ଆଞ୍ଚଳିକ ପରମ୍ପରା କୁ ସେ ଦେଖି-ପରଖି-ଲେଖିଛନ୍ତି। ଓଡିଶାକୁ ନେଇ ତାଙ୍କର ବିଶେଷ ଆଗ୍ରହ ସବୁବେଳେ ରହିଥିଲା। ଯେତେବେଳେ ଇଂରାଜୀ ଭାଷା ସାହିତ୍ୟରେ ଉଚ୍ଚ ଶିକ୍ଷା ସମାପ୍ତ କରି ହଠାତ ଭାରତୀୟ କଳା ଓ ସଂସ୍କୃତି କ୍ଷେତ୍ରରେ କାମ କରିବାକୁ ତାଙ୍କର ଆଗ୍ରହ ଜନ୍ମିଲା, ସେତେବେଳେ ତାଙ୍କୁ ତାଙ୍କର ଗୁରୁ ପ୍ରଫେସର ବାସୁଦେବ ଶରଣ ଅଗ୍ରୱାଲ ଦୁଇଟି ଫଟୋଗ୍ରାଫ ଦେଇଥିଲେ। ସେଥିରୁ ଗୋଟେ ଥିଲା ଖଜୁରାହୋ ମନ୍ଦିର ଗାତ୍ରରେ ରହିଥିବା ମା-ଝିଅଙ୍କ ସ୍ଥାପତ୍ୟ ଓ ଅନ୍ୟଟି ଭୁବନେଶ୍ଵର ସ୍ଥିତ ଏକ ନାୟିକା ମୂର୍ତ୍ତି। ସେଇଠୁ ଓଡିଶାର ସ୍ଥାପତ୍ୟ, ଚିତ୍ରକଳା, ନୃତ୍ୟ, ସଙ୍ଗୀତ, ଲୋକକଳା ଓ ଆଦିବାସୀ ପ୍ରତି ତାଙ୍କର ଆକର୍ଷଣ ବଢିଥିଲା। 

ଗବେଷଣା ପୂର୍ବରୁ କପିଳା ବାତ୍ସାୟନ ନୃତ୍ୟାଙ୍ଗନା ଭାବରେ ବିଧିବଦ୍ଧ ତାଲିମ ନେଇଥିଲେ। କଥକ ଗୁରୁ ଅଛନ ମହାରାଜ ( କିମ୍ବଦନ୍ତୀ ଗୁରୁ ବିରଜୁ ମହାରାଜଙ୍କ ବାପା), ଭରତନାଟ୍ୟମ ଗୁରୁ ମୀନାକ୍ଷୀ ସୁନ୍ଦରମ ପିଲାଇ, ମଣିପୁରୀ ଗୁରୁ ଅମୁବି ସିଂ ଏବଂ ଓଡିଶୀ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷା କରିଥିଲେ। ଶାସ୍ତ୍ରୀୟ ନୃତ୍ୟରେ ତାଙ୍କର ବିଧିବଦ୍ଧ ତାଲିମ ଯୋଗୁଁ ଶାସ୍ତ୍ରୀୟ ସ୍ଥାପତ୍ୟକୁ ବୁଝିବା ତାଙ୍କ ଲାଗି ଅଧିକ ସହଜ ହୋଇଥିଲା। ଓଡିଶାର ମନ୍ଦିରମାନଙ୍କରେ ପ୍ରସ୍ତର ସ୍ଥାପତ୍ୟର ମୂଦ୍ରା, ଭଙ୍ଗୀ, ଚାହାଣୀ ଓ ଛଟା ଦେଖିବା ପୂର୍ବରୁ ଓଡିଶୀ ନୃତ୍ୟରେ ସେ ସବୁର ଜୀବନ୍ତ ପ୍ରୟୋଗ ସେ କରି ସାରିଥିଲେ। ସାଂସ୍କୃତିକ ଇତିହାସ ରଚନା ସମୟରେ କଳାର ପ୍ରୟୋଗ ତଥା ପ୍ରଦର୍ଶନ ଜାଣି ନଥିବାରୁ ଅନେକ କଥା ବୁଝି ହୁଏନାହିଁ । କପିଳାଜୀ ଓଡିଶୀ କଳା ଓ ସ୍ଥାପତ୍ୟର କଥା କହିଲା ବେଳେ, ପ୍ରୟୋଗାତ୍ମକ ଅନୁଭବକୁ ଅତି ସୁନ୍ଦର ଭାବରେ ବ୍ୟବହାର କରିଛନ୍ତି। 

ଓଡିଶୀ ନୃତ୍ୟ ଭାରତ ସରକାରଙ୍କ ଦ୍ଵାରା ଶାସ୍ତ୍ରୀୟ ନୃତ୍ୟ ଭାବରେ ଷାଠିଏ ଦଶକରେ ସ୍ଵୀକୃତି ପାଇଲା। ତା ପୂର୍ବରୁ ଭରତନାଟ୍ୟମ, କଥକ ଇତ୍ୟାଦିକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ସାରିଲାଣି। ପଚାଶ ଦଶକରେ ପ୍ରଖ୍ୟାତ କଳା ସମୀକ୍ଷକ ଚାର୍ଲ୍ସ ଫାବ୍ରିଙ୍କ ପରେ କପିଳା ବାତ୍ସାୟନ ଥିଲେ, ଓଡିଶୀ ନୃତ୍ୟର ପ୍ରଭାବଶାଳୀ ଐତିହାସିକ। ସେ ପ୍ରଥମେ କହିଲେ ଯେ, Odissi may claim to be the earliest dance style on the basis of archeological evidence, the most outstanding being the Rani Gumpha caves of the second century BC in Odisha. ତାଙ୍କ ପରେ ସବୁ ଐତିହାସିକ ସ୍ଵୀକାର କରିଛନ୍ତି ଯେ, ଓଡିଶୀ ନୃତ୍ୟ ନେଉଛି ଭାରତର ସର୍ବ ପୁରାତନ ଶାସ୍ତ୍ରୀୟ ନୃତ୍ୟ। 

ଓଡିଶୀ ନୃତ୍ୟର ଅଧ୍ୟୟନ କଲାବେଳେ ଏହା ସହିତ ଓଡିଶାର ଲୋକନୃତ୍ୟ ଏବଂ ଲୋକ ନାଟକର ପରମ୍ପରାକୁ ସେ ଅତି ପାଖରୁ ଦେଖିଛନ୍ତି। ମାର୍ଗୀ ବା ଶାସ୍ତ୍ରୀୟ ନୃତ୍ୟ ରଚନାରେ ଦେଶୀ ବା ଲୋକ ପରମ୍ପରାର ଅବଦାନକୁ ସେ ସ୍ଵୀକାର କରିଛନ୍ତି। ଓଡିଶାର ଲୋକନୃତ୍ୟ ସମ୍ପର୍କରେ ଗବେଷଣା କରିବାକୁ ସେ ବାରମ୍ବାର ଆସିଛନ୍ତି। ମୟୂରଭଞ୍ଜ ର ଛଉ ଏବଂ ଗଞ୍ଜାମର ବିବିଧ ଲୋକନୃତ୍ୟ ଧାରାକୁ ନେଇ ସେ ଅନେକ ଲେଖିଛନ୍ତି। ୧୯୭୪ ମସିହାରେ ମାଡ୍ରାସ ମ୍ୟୁଜିକ ଏକାଡେମୀଠାରେ ଆୟୋଜିତ ଏକ ସେମିନାରରେ ଛଉ ନୃତ୍ୟକୁ ନେଇ ସେ ଯେଉଁ ନିବନ୍ଧ ଉପସ୍ଥାପନ କରିଥିଲେ, ତାହା ମୋ ମତରେ ଛଉ ନୃତ୍ୟ ଉପରେ ଲେଖା ହୋଇଥିବା ସବୁଠୁ ପ୍ରଭାବଶାଳୀ ରଚନା। ଗଞ୍ଜାମର ପ୍ରଖ୍ୟାତ ଲୋକନୃତ୍ୟ ଗୁରୁ ସ୍ଵର୍ଗତ ଭଗବାନ ସାହୁଙ୍କ ସହିତ କପିଳାଜୀଙ୍କର ଘନିଷ୍ଠ ସହଯୋଗ ରହିଥିଲା। 

ଏହା ସହିତ ଗୀତ ଗୋବିନ୍ଦ ଓ ଏହାର ରଚୟିତା ଶ୍ରୀ ଜୟଦେବଙ୍କ ସମ୍ପର୍କରେ କପିଳା ବାତ୍ସାୟନଙ୍କର ଗବେଷଣା ଅତ୍ୟନ୍ତ ବ୍ୟାପକ। ଶ୍ରୀଗୀତ ଗୋବିନ୍ଦ ହେଉଛି ସଂସ୍କୃତ କବିତା ପରମ୍ପରାର ଏକମାତ୍ର ରଚନା, ଯାହାକି ଭାରତର ପ୍ରତ୍ୟେକ ପ୍ରଦର୍ଶନକାରୀ କଳା ଓ ଦୃଶ୍ୟ କଳାର ପରମ୍ପରାକୁ ପ୍ରଭାବିତ କରିଛି। ଭାରତର ବିବିଧ ଚିତ୍ରକର ପରମ୍ପରାରେ ଗୀତଗୋବିନ୍ଦର ପ୍ରଭାବକୁ ନେଇ ତାଙ୍କର ଅତିକମରେ ୬ ଖଣ୍ଡ ବହି ରହିଛି। ରାଜସ୍ଥାନ, ଆସାମ, ଗୁଜରାଟ, ବିହାର, ହିମାଚଳ ପ୍ରଦେଶ ଇତ୍ୟାଦି ରାଜ୍ୟର ଦେଶୀ ଚିତ୍ର ପରମ୍ପରାରେ ଗୀତ ଗୋବିନ୍ଦର ପ୍ରଭାବକୁ ନେଇ ସେ ବାରମ୍ବାର ଲେଖିଛନ୍ତି। ପ୍ରଦର୍ଶନକାରୀ କଳା, ଯଥା- ସଙ୍ଗୀତ, ନାଟକ ଓ ନୃତ୍ୟରେ ମଧ୍ୟ ଗୀତ ଗୋବିନ୍ଦ ପରିବେଷଣର ବିବିଧ ଧାରା ଉପରେ ତାଙ୍କର ଅନନ୍ୟ ଗବେଷଣା ରହିଛି।

କପିଳା ବାତ୍ସାୟନଙ୍କ ଚିନ୍ତନ, ବିଚାର ଓ ଗବେଷଣା ଏତେ ବ୍ୟାପକ ଯେ, ତାକୁ ଅଳ୍ପରେ ସୂଚନା ଦେବା ସମ୍ଭବ ନୁହେଁ। ବ୍ୟାପକ ସ୍ତରରେ ବିବିଧ ବିଚାର ଓ ଦର୍ଶନକୁ ନେଇ ସେ କାମ କରିଛନ୍ତି। ତାଙ୍କ ତିରୋଧନରେ ଏମିତି ଏକ ଶୂନ୍ୟତା ତିଆରି ହୋଇଛି, ଯାହା ପୂରଣ ହେବା ଆଦୌ ସହଜ ନୁହେଁ।

Leave a comment