ତପନ କୁମାର ବାରିକଙ୍କର ପ୍ରଥମ କବିତା ବହି - କେଇ ଫର୍ଦ୍ଦ ଜହ୍ନରାତି

କବିତା ବହିରେ ଏପରି ଅନେକ କବିତା ଅଛି ଯାହା ଆପଣଙ୍କୁ ଥ.. କରିଦେବ, ଧାଡ଼ିଏ ପଢ଼ି ଆପଣ ଘଡ଼ିଏ ଭାବି ବସିବେ । କିଏ ଜଣେ ଅତୀତର କୋରଣୀରେ କୋରିଦେବ ଆପଣଙ୍କ ଛାତିକୁ ।
ପ୍ରକାଶକ: ବର୍ଷା ପବ୍ଲିକେସନ୍ସ , ଭୁବନେଶ୍ୱର
ମୂଲ୍ୟ: ୧୦୫
ପୃଷ୍ଠା: ୧୦୮

ଚଳନ୍ତି ସମୟର ଅନେକ କବିଙ୍କର ଅନେକ କବିତା ଆପଣମାନେ ପଢ଼ିଥିବେ, ହେଲେ ତପନ କୁମାର ବାରିକଙ୍କର ସଦ୍ୟ ପ୍ରକାଶିତ ପ୍ରଥମ କବିତା ପୁସ୍ତକ "କେଇ ଫର୍ଦ୍ଦ ଜହ୍ନରାତି" କୁ ପଢ଼ିବା ପରେ ଆପଣଙ୍କ ଭିତରେ ଏକ ଅଦ୍ଭୁତ ରୋମାଞ୍ଚ / ଶିହରଣ ଖେଳିଯିବ । ଆପଣମାନଙ୍କୁ କଦାପି ଅନୁଭବ ହେବନାହିଁ ଯେ ଏହା ଜଣେ ଲେଖକଙ୍କର ପ୍ରଥମ କବିତା ପୁସ୍ତକ ବୋଲି । ମନରେ ଦୋ ଦୋ ପାଞ୍ଚ ହୋଇ ଯଦି "ହଁ ମ, କବିର ପ୍ରଥମ ବହି ଭଲ ହୋଇଥିବ କି ନାହିଁ" ଭାବି ଯଦି ଆଡ଼େଇ ଦିଅନ୍ତି, ତେବେ କବିତା ବହିକୁ ନୁହେଁ ବରଂ ଜୀବନର ଆକାଶରେ ଘୋଟିଥିବା ମେଘକୁ ଆଡ଼େଇ ଉଇଁ ଆସୁଥିବା ଜହ୍ନକୁ ଆଡ଼େଇ ଦଉଛନ୍ତି ବୋଲି ଧରି ନିଆଯାଇପାରେ । 

(କବିତା - "ଈଶ୍ବର" - କେତେଦିନୁ ବାପାଙ୍କର ଚିଠି ବି ନଥିଲା / ଏଇମିତି ବର୍ଷାଦିନ ଚୁଲିମୁଣ୍ଡ ଓଦା ସନ୍ତସନ୍ତ/ ଅମାରର ଶେଷ ଧାନ ପୁନେଇଁରୁ ସରି ସାରିଥିଲା / ଆମ ପାଖେ ଖାଲି ଯାହା ବୋଉ ବୋଲି ଈଶ୍ବରଟେ ଥିଲା) 

(କବିତା - "ଶାଳଗ୍ରାମ" -  ଆମେ କେବେ ଦେଖିନାହୁଁ ବାପାମାନେ କାନ୍ଦିବାର / ଦାୟିତ୍ୱର ଝାଳଭିଜା ଫୁଲ୍ ସାର୍ଟ ତଳେ / ହୃଦୟଟେ ଧିରେଧିରେ ଶାଳଗ୍ରାମ ପାଲଟିଯିବାର ।) 

(କବିତା - "କାନଫୁଲ" - ସେ ବରଷ ଧାନବିକା ପଇସାରେ / ବୋଉ ପାଇଁ ବାପା ହଳେ କାନଫୁଲ କିଣି ଦେଇଥିଲେ / ସୂର୍ଯାସ୍ତର ଶେଷ ଖରା ହୋଇ / ଏବେ ତାହା ଲଟକିଛି ବୋଉର ସେ ଅସହାୟ ଆଖି ଆଉ ଅଗଣାରେ ଶୁଖୁଥିବା ସଫେଦ୍ ଶାଢ଼ୀରେ) 

(କବିତା - "ଭ୍ରମ" - କାଗଜ ଠୁଙ୍ଗାରେ ବଳି ପଡ଼ିଥିଲା ଆଉ କିଛି ବାଦାମ ଓ ପ୍ରେମ / ଆମ ଗାଁ ଯାତ୍ରା ପରଦିନ ମାମୁଁ ଘରୁ ଯେବେ ଫେରିଗଲ / ବୁଝିହେଲା ଜୀବନର କିଛି କିଛି ଫଗୁଣ ବି ହୋଇପାରେ ଭ୍ରମ !) 

(କବିତା - "ଖରାବେଳ" - ଖରାବେଳ ପ୍ରେମିକାର ଚିଠି / ବେଳେବେଳେ ସରେନା ଯେମିତି) 

(କବିତା :- "ସ୍ୱପ୍ନ" - ଜୋତା ତାଙ୍କ ବଦଳିନି ଆଉ ହଁ, ପ୍ରାୟ ତିନି ବର୍ଷ ହେଲା / ବାପାଙ୍କର ନିଜ ପାଇଁ କିଛି ସ୍ୱପ୍ନ / ପାଦତଳ ସୋଲ୍ ପରି ଧୀରେଧୀରେ ଘୋରି ହୋଇଗଲା !) 

(କବିତା - "ଶ୍ରମିକ" - ମୋ ହାଡ଼ର କଲମରେ ଲେଖା ହୋଇଛି ତୁମ ପାରିଲାପଣର ଇତିହାସ / ମୁଁ ଶ୍ରମିକ ବୋଲି ତ ଏତେ ରୋମାଣ୍ଟିକ ଦିଶେ ତୁମ ଆପାର୍ଟମେଣ୍ଟରୁ ଆକାଶ !) 

କବିତା ବହିରେ ଏପରି ଅନେକ କବିତା ଅଛି ଯାହା ଆପଣଙ୍କୁ ଥ.. କରିଦେବ, ଧାଡ଼ିଏ ପଢ଼ି ଆପଣ ଘଡ଼ିଏ ଭାବି ବସିବେ । କିଏ ଜଣେ ଅତୀତର କୋରଣୀରେ କୋରିଦେବ ଆପଣଙ୍କ ଛାତିକୁ । ବର୍ଷ ବର୍ଷ ହେଲା ଜମାଟ ବାନ୍ଧି ରହିଥିବା ସମୟରୁ ବୋହିଯିବ ପୂଜ, ନସି, ନାଳ... ଆହାଃ ଦରଜ ବି ଏତେ ମଧୁର ଲାଗେ ଅନୁଭବ କରିବ ଆପଣଙ୍କ ଆଗାମୀ ସକାଳ । ବାପାଙ୍କୁ ନେଇ, ବୋଉକୁ ନେଇ, ଗାଁକୁ ନେଇ, ଜହ୍ନକୁ ନେଇ, ପ୍ରେମକୁ ନେଇ... କହିବାକୁ ଗଲେ ଜୀବନ ଯେଉଁଠି ଯେଉଁଠି ଛୁଇଁଛି ସେ ସବୁର ଲହୁ ଲୁହାଣ ଓ ମହୁ ମୁହାଣ ମୂହୁର୍ତ୍ତକୁ ନେଇ ଗଢ଼ା ଏହି ବହିଟି । କେମିତି ଅଳ୍ପ ଶବ୍ଦରେ ବହୁତ କଥା କହିହୁଏ ତାର ଜ୍ୱଳନ୍ତ ଉଦାହରଣ ତପନ କୁମାର ବାରିକଙ୍କର ସଦ୍ଯ ପ୍ରକାଶିତ ପ୍ରଥମ କବିତା ପୁସ୍ତକ "କେଇ ଫର୍ଦ୍ଦ ଜହ୍ନରାତି" ।

Leave a comment