କିଛି ଅଛି

ସେମାନେ ସ୍ଥିର ନିଶ୍ଚିତ ହେଲେ: ଆମେ ଯାହା ଭାବୁଥିଲୁ, ସବୁ ଭୁଲ୍ । ପ୍ରକୃତରେ ଆମ ଭିତରେ 'କିଛି ଅଛି' ଜମାରୁ ହିଁ ନାହିଁ କି ନଥିଲା । ସେମାନେ ପରସ୍ପରକୁ ପଛକରି ଫେରିଲେ ଓ ନିଜେ ନିଜକୁ ସାନ୍ତ୍ବନା ଦେବାରେ ଲାଗିପଡିଲେ - ମଣିଷ ମାତ୍ରକେ ଇ ଭୁଲ୍ । କିଏ ଭୁଲ୍ କରୁନି ଯେ !

ସେମାନେ ଜାଣିନଥିଲେ, ସେମାନଙ୍କ ଭିତରେ 'କିଛି ଅଛି' । ତେଣୁ ସେମାନେ ଉପଭୋଗ କରିପାରୁଥିଲେ ସମ୍ପର୍କକୁ । ଯିଏ ଯାହା ଚାହିଁଲା, ନିଃସଙ୍କୋଚ ଆରଜଣକୁ କହିପାରୁଥିଲା । ଭାବୁନଥିଲା, କଣ ପ୍ରତିକ୍ରିୟା ଘଟୁଥିବ, ଆରଜଣକ ଶୁଣିବା ପରେ ।

ସେମାନେ ପ୍ରଶଂସା କରନ୍ତି ଏମିତି

- ତୁ ସ୍ବର୍ଗ - ମର୍ତ୍ୟ - ପାତାଳର ସବୁଠୁ ସୁନ୍ଦରୀ ।

- ତୁ ଯେମିତିକା ଟୋକା ନା, କୋଟିକରେ ଜଣେ ତୋ ପରି କିଏ ଥିବ। ରାଗିଗଲାବେଳେ ସେମାନଙ୍କ ସ୍ବର ବଦଳିଯାଏ, ଦିନର ଆଲୋକ ରାତିର ଅନ୍ଧାରରେ ବଦଳିଯିବା ପରି ।

- ତୁ ଜେଲସ, ମାଙ୍କଡି,ଖାଲି ନିଜକଥା ଭାବୁ ।

- ତୁ ଡାହାମିଛୁଆ, ଏ ପୃଥିବୀର ସବୁଠାରୁ ବଡ଼ କମିନା ।

ଏସବୁ ଚାଲିଥିଲା ତ ଠିକ୍ ଠାକ୍ ଥିଲା । ମାତ୍ର ହଠାତ୍ ଦୁଇଜଣ ଆବିଷ୍କାର କଲେ, ସେମାନଙ୍କ ଭିତରେ କିଛି ଅଛି । ସହଜରେ ବିଶ୍ଵାସ ହୋଇନଥିଲା କଥାଟା । ବହୁ ପରୀକ୍ଷାରେ ସମ୍ପର୍କକୁ ମାଜି ସାରିବାପରେ ସେମାନେ ନିଶ୍ଚିତ ହେଲେ : ହଁ,  ଆମ ଭିତରେ କିଛି ଅଛି ।

ଅନ୍ୟର ନଜରରୁ ଲୁଚେଇବା ପାଇଁ ସେମାନେ ମିଳିତ ଉଦ୍ୟମ କଲେ । କେହି ନ ଜାଣନ୍ତୁ ଓ 'କିଛି ଅଛି '  ସୁରକ୍ଷିତ ହୋଇରହୁ । ଅନ୍ତତଃ କାହାର କଳାଛାଇ ନ ପଡୁ । 'କିଛି ଅଛି 'ର ପ୍ରାପ୍ତିମୋହରେ ଏ ଜୀବନଟି ସୁଖ ଆଉ ଖୁସିରେ କଟିଯାଉ । 

ଋତୁ ବଦଳିବା ସହ ବଦଳିବା ଆରମ୍ଭ କଲା ସମ୍ପର୍କର ରଙ୍ଗ, 'କିଛି ଅଛି 'ର ପରିଭାଷା । 'କିଛି ଅଛି 'କୁ ବଂଚାଉ ବଂଚାଉ ସେମାନେ ଧରାପଡ଼ିଯାଇଥିଲେ ଅନ୍ୟମାନଙ୍କ ଆଗରେ ।

- 'କିଛି ଅଛି' କଣ ବହୁତ କିଛି ଅଛି ତୁମ ଭିତରେ, ଦୁଇଜଣଙ୍କର ପରିଚିତ ଜଣେ ଏମାନଙ୍କୁ ଏକାଠି ଦେଖି ,ଜୋର୍ କରି କହିଲା ।

ଆଉଜଣେ ସୋସିଆଲ୍ ମିଡିଆରେ କିଛି ପୂର୍ବାପର ପ୍ରସଙ୍ଗ ନଥାଇ, ଦୁଇଜଣଙ୍କୁ ଗୋଟିଏ ପୋଷ୍ଟିଙ୍ଗ୍ ରେ ସଂଯୋଗିତ କରି ଲେଖିଲା --- ଆଜିକାଲି ସମ୍ପର୍କକୁ କଣ କହିବ, ଯେକୌଣସି ଲୋକକୁ ବି ରୋଗପରି ଆକ୍ରାନ୍ତ କରିପାରେ ।

ଏସବୁକୁ ନେଇ ଦୁଇଜଣଯାକ ଚିନ୍ତିତ ଦିଶିଲେ ତାଠୁ ଅଧିକ ବ୍ୟସ୍ତ ହେଲେ, ଆରଜଣକୁ ଚିନ୍ତାରେ ଥିବାର ଦେଖି ।

କିଏ ? 

କିଏ ଏସବୁ କରିଛି ?  ସେମାନଙ୍କ ଭିତରେ ଥିବା ଅଧିକାଂଶ କଥାକୁ ନିଜ ଭିତରେ ସାଇତି ରଖିବାର କଷ୍ଟକୁ ସମ୍ଭାଳି ନପାରି ଅନ୍ୟମାନଙ୍କ ପାଖରେ ସମର୍ପି ଦେଇଛି, ଫଳାଫଳକୁ ଖାତିର୍ ନ କରି ।

'କିଛି ଅଛି ' ଅପେକ୍ଷା ଏ ସମୟରେ ଉଭୟଙ୍କ ପାଇଁ ଅଧିକ ପ୍ରାଥମିକତା ଥିଲା ନିଜକୁ ଠିକ୍ ପ୍ରମାଣ କରିବା ।

 'କିଛି ଅଛି 'କୁ ଅକ୍ଷତ ରଖିବା ପାଇଁ ସେମାନେ ଗୋଟିଏ ସଂଧ୍ୟାରେ ଦେଖାହେବା ଜରୁରୀ ଭାବୁଥିଲେ ଯଦିଓ ସେମାନଙ୍କ ମନରେ ଶଙ୍କା ଥିଲା, ଏଇଦେଖା ହେବ ଶେଷଦେଖା । ମନ ଥରେ ଭାଙ୍ଗିଗଲେ କଣ ଯୋଡ଼ିହୁଏ ?

ସେମାନେ ଦେଖାହେବା ମାତ୍ରେ ପରସ୍ପରକୁ ଦୋଷଦେବା ଆରମ୍ଭ କଲେ ।

- ତୁମେ ଗୋଟିଏ ତୁଚ୍ଛ ମାଛି । କଥାକୁ ହଜମ କରିପାରନା ।

ପ୍ରତ୍ୟୁତ୍ତର ଥିଲା ଆହୁରି ଭୟାନକ 

- ମୋର ତୁମ ଛଡ଼ା ଆଉ କାହାସହ ସମ୍ପର୍କ ନାହିଁ । ତେଣୁ ତୁମେ ହିଁ କହିବୁଲିଛ ।

କେବେ 'ଆପଣ'ରୁ 'ତୁମେ' ହୋଇଗଲାବେଳକୁ ସେମାନଙ୍କୁ ଯୋଡି ଦେଇଥିଲା ସମ୍ପର୍କ  ଆଉ ଏବେ ସେଇ ଶବ୍ଦ 'ତୁମେ' ଉଭୟଙ୍କୁ ବଦଳେଇ ଦେଉଛି ଶତ୍ରୁରେ, ପ୍ରତିଦ୍ୱନ୍ଦ୍ଵୀ ରୂପରେ ।

ସେମାନେ ସ୍ଥିର ନିଶ୍ଚିତ ହେଲେ: ଆମେ ଯାହା ଭାବୁଥିଲୁ, ସବୁ ଭୁଲ୍ । ପ୍ରକୃତରେ ଆମ ଭିତରେ 'କିଛି ଅଛି' ଜମାରୁ ହିଁ ନାହିଁ କି ନ ଥିଲା ।

ସେମାନେ ପରସ୍ପରକୁ ପଛକରି ଫେରିଲେ ଓ ନିଜେ ନିଜକୁ ସାନ୍ତ୍ବନା ଦେବାରେ ଲାଗିପଡିଲେ - ମଣିଷ ମାତ୍ରକେ ଇ ଭୁଲ୍ । କିଏ ଭୁଲ୍ କରୁନି ଯେ

Leave a comment