ସ୍ତ୍ରୀର ପତ୍ର

ଆଜି କସ୍ତୁରବାଙ୍କ ପୁଣ୍ୟତିଥି । ଆଜି ଦିନରେ ଅର୍ଥାତ୍ ୨୨ ଫେବୃଆରୀ ୧୯୪୪ରେ ତାଙ୍କର ପୁଣେ ସ୍ଥିତ ଆଗା ଖାନ ପ୍ୟାଲେସ୍ ରେ ଗୃହବନ୍ଦୀ ଥିବାବେଳେ ଦେହାବସାନ ଘଟିଥିଲା ।

ଆଜି କସ୍ତୁରବାଙ୍କ ପୁଣ୍ୟତିଥି । ଆଜି ଦିନରେ ଅର୍ଥାତ୍ ୨୨ ଫେବୃଆରୀ ୧୯୪୪ରେ ତାଙ୍କର ପୁଣେ ସ୍ଥିତ ଆଗା ଖାନ ପ୍ୟାଲେସ୍  ରେ ଗୃହବନ୍ଦୀ ଥିବାବେଳେ ଦେହାବସାନ ଘଟିଥିଲା । ପୁଣେର ଆଗା ଖାନ ପ୍ୟାଲେସ୍ ର ପରିସରରେ କସ୍ତୁରବାଙ୍କ ସମାଧି ଅଛି ଆଉ ଠିକ୍ ତାହା ପାଖକୁ ଲାଗି ମହାତ୍ମା ଗାନ୍ଧୀଙ୍କ ସଚୀବ ମହାଦେବ ଦେଶାଇଙ୍କ ସମାଧି । ମହାଦେବ ଦେଶାଇ କସ୍ତୁରବାଙ୍କ ଧର୍ମପୁତ୍ର । ଏଇ ଲେଖାଟି ଆଉଥରେ ରଖୁଛି । ନିଜ ଗୁଣରେ କ୍ଷମା କରିଦେବେ ।

ପୁଣେ ସ୍ଥିତ କସ୍ତୁରବାଙ୍କ ସେଇ ଶୁନଶାନ ସମାଧି ଆଉ ତାହାର ପାଖରେ ମହାଦେବ ଦେଶାଇଙ୍କର ସମାଧି ଦେଖିବା ପରେ ଉପସ୍ଥିତ ଲେଖକ ଭିତରେ ଯେଉଁ ଭାବାନ୍ତର ହୋଇଥିଲା ତାହା ଏଇ ଭଳି ପଦ୍ୟରୂପ ନେଇଥିଲା । ଉପସ୍ଥିତ ଲେଖକ ସେହି ମୁହୂର୍ତ୍ତକୁ ପରେ ଏତେ ପରିମାଣରେ ଆସକ୍ତ ହୋଇ ଏତେ ଜାବୁଡି ଧରିବା ଉଚିତ ନୁହେଁ ମାତ୍ର ଅକ୍ଷମତା ହେଉଛି ଲେଖକର ବଡ଼ ଶତ୍ରୁ ।

ଆପଣ ଜାଣନ୍ତି, ମୁଁ ସେମିତି ଲେଖି ଜାଣେ ନାହିଁ ।

ମୋର ପାଠଘରେ ତ ରାହୁଙ୍କ ଆସ୍ଥାନ ।

ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଆପଣ ସବୁକିଛିକୁ ନିୟନ୍ତ୍ରଣରେ

ରଖିଥିଲେ ସାରାଜୀବନ, ଘର ବାହାର, ସ୍ୱାଧୀନତା ପାଇଁ ଯୁଦ୍ଧ

ଆଉ ଆପଣଙ୍କର ଯେତେକ ଶତ୍ରୁ, ସମସ୍ତଙ୍କୁ,

ମାତ୍ର ଆପଣଙ୍କ ଛାଇ ଆପଣଙ୍କୁ ମାନିଲା ନାହିଁ, ଆପଣଙ୍କଠାରୁ ଅଲଗା ହୋଇ ବ୍ୟାପିଯାଇଛି ଯେମିତି କେଉଁ ବୋତଲ ଭିତରର 

ଆଜ୍ଞାକାରୀ ଦୈତ୍ୟ,

ଏମିତି କହିଲେ ଠିକ୍ ହେବ ତ, ପ୍ରିୟତମ ?

ମୁଁ ତ ଶ୍ରୀଅକ୍ଷର ବିବର୍ଜିତ, ସିଲଟରେ ହାତଧରି ଆପଣ

ଲେଖାଉଥିଲେ ଯେତିକି ଭାରି ଉତ୍ସାହରେ ସେତିକି ଜାଣିଛି,

ପାଠ ଚୁଲିକୁ ଗଲା, ପିଲାଏ ଆସିଗଲେ କୋଳକୁ,

ଜାଣିଗଲି ଆପଣମାନଙ୍କ ଭଳି ଦେଶସେବା ପଛରେ ଆମଭଳି କେତେକଙ୍କୁ ଶରୀରର ଖେଳରେ ମାତିବାକୁ ହୁଏ, ଆଉ

ମାଆଟିଏ ସାଜି ଘରଭିତରେ ହାତରେ ଧରି ଝୁମୁକା

ପିଲାଙ୍କୁ, ସଂସାରକୁ ହସାଇବା ପାଇଁ 

ରଙ୍ଗ ମାଖିବାକୁ ପଡେ,

ଆମର କାମ କହିଲେ ଏତିକି ।

ମୁଁ କାହୁଁ ବୁଝିବି ସେ ଗୁମର,

ଆପଣଙ୍କର ସତ୍ୟର ପ୍ରୟୋଗ ମୋ ପାଇଁ ଖାଲି ଏକ ଛବି ବହି,

ଛବି ଦେଖିଦେଖି ସେଥିରୁ ମନକୁ ପ୍ରବୋଧନା ଦିଏ,

ଖୁସି ହୁଏ। ହଁ, ଖୁସି ହେବା ଛଡା ଆମର ଅନ୍ୟଗତି ନାହିଁ ।

ମହାଦେବ କିନ୍ତୁ ସେଥିରୁ ଅଧ୍ୟାୟେ ଅଧ୍ୟାୟେ ନିତି ପଢେ 

ମୋ ଆଗରେ ଭାଗବତ ଭଳି,

ଆପଣ କୁଆଡେ ଲେଖିଛନ୍ତି, ଶରୀର ଖେଳ ନଥିଲେ

ମୁଁ କୁଆଡେ ଜଜ୍ ମାଜିଷ୍ଟର ଭଳି ହୋଇଯାଇଥାନ୍ତି 

ବିଦୂଷୀ ଜଣେ,

ଆପଣଙ୍କ ରସବୋଧ ବେଶ୍, ମୁଁ ଜାଣେ ।

ଏବେ ଆମେ ଆଉ କୁଆଡ଼କୁ ଯିବୁ ଯେ,

ରହିଛୁ ତାହାରି ଆଶ୍ରିତ,

ଆପଣଙ୍କ ଛବିବହିର ଓ

ଆପଣଙ୍କର ସେ ଅମାନିଆ ଛାଇ ତଳେ ।

ଆମେ ଦିଜଣ ମାଆପୁଅ ଏଇଠି ଭଲ ଅଛୁ

ଏମିତିରେ ପୁଣେର ଜଳବାୟୁ ତ ବେଶ୍,

ଆପଣଙ୍କ ବିଷୟରେ ଭାରି ଚିନ୍ତା ହୁଏ

ମହାଦେବ କହୁଥିଲା ସେଇଠି କୁଆଡେ ପବନରେ ବିଷ,

ଆପଣଙ୍କର ଯେମିତି ପହିଲବାନ ଶରୀରତ

ସମସ୍ତେ ଜାଣନ୍ତି,

କେଉଁଟିକୁ କହିବ ମଥାଯାଏଁ ଉଚ୍ଚ ଠେଙ୍ଗା ଆଉ 

କେଉଁଠି ଆପଣ ସ୍ୱୟଂ ଆପଣ,

ଏତେଦିନ ରହି ପାଖରେ ମୁଁ ଜାଣିପାରିଲିନି ଆଉ 

ସେମିତି କହିଦେଲେ ସାମ୍ନାରେ

ଆପଣ ଯେମିତି ନାକଫୁଲାନ୍ତି, ତାହାକୁ ମୋର ଭାରି ଡର,

ଆପଣଙ୍କ ପଛରେ ଆମେ ଦିଜଣ ମାଆପୁଅ ଏଠି ଖୁବ୍ ହସୁ,

ମହାଦେବ ସବୁଦିନ ଯେମିତିଥିଲା ସେମିତି

ତା'କୁ ଲାଗେ ଆପଣ ଏଇ ଆଖପାଖରେ ଅଛନ୍ତି 

ଶୁଣିପାରିବେ ସବୁ କଥା ଆମର। ମୋତେ ସାବଧାନ କରୁଥାଏ

ବାରମ୍ବାର ସେ ।

ଛେଳି କ୍ଷୀର ଠିକ୍ ରେ ମିଳୁଛିକି ନାହିଁ ସେଇଠେ, କିଏ ଜାଣେ

କେମିତି ସଂଭାଳିବେ ଏସବୁ ବିଷ ? ଚିନ୍ତା ହୁଏ ଆମର ।

ସେଥିରେ ପୁଣି ଆପଣଙ୍କର ଭୁଲା ବେମାରି ଅଛି,

ଅଣ୍ଟାରେ ଖୋସି ଥିବେ ଘଣ୍ଟା ଆଉ ନକଲି ଦାନ୍ତ,

ଖାଇ ବସିଲା ବେଳେ ବି ଆଉ ସବୁବେଳେ କେବଳ 

ଆପଣଙ୍କର ମନେଥିବ ଘଣ୍ଟା ଆଉ ଘଣ୍ଟା ।

ସେହି ଘଣ୍ଟାକୁ ଅହନ୍ତାକରି ବିତିଗଲା ସାରା ଜୀବନ ମୋର,

ପୁରୁଷର ଘଣ୍ଟା ଅବଳାକୁ କେତେ ଦୁର୍ବଳ କରିଦିଏ 

ତାହା ଆପଣ ଜାଣି ନଜାଣିବା ଭଳି ହୁଅନ୍ତି,

ଆମକୁ ସାରାକ୍ଷଣ ସହି ନେବାକୁ ହୁଏ ସେହି ଟିକଟିକ୍ ର

ଅଦୃଶ୍ୟ ଚାବୁକ । ଆପଣଙ୍କ ଚତୁର୍ଥ ମାଙ୍କଡଟି ଭାରି 

ଉତ୍ପାତ କରେ ମୁଣ୍ଡରେ 

ଯାହାପାଇଁ ତିନି ମାଙ୍କଡଙ୍କ ଭଳି 

ସେମିତି କିଛି ବାରଣ ନାହିଁ ।

ଆପଣଙ୍କ ମୁଣ୍ଡସାରା କିଲିବିଲି କରୁଥାଏ ବ୍ରହ୍ମାଣ୍ଡ,

ଏକଥା ତୁଚ୍ଛ ଘରକଥା, ମନେ ନଥିବ, ଯେତେବେଳେ ଘଣ୍ଟାର ଟିକଟିକ ବନ୍ଦ ହୋଇଯାଇଥିଲା,

ଛାତିରେ ଗାର ହୋଇ ରହିଯାଇଛି 

ସେଇ ତେଇଶ୍ ଟି ଦିନ ।

ମୋ ଦେହ ଭଲ ନଥାଏ, ଆଉ କିଛି ଦିନ ପରେ ଗର୍ଭରୁ ପୃଥିବୀର ଆଲୁଅ ଦେଖିବ ରାମଦାସ ଆମର ତୃତୀୟ ସନ୍ତାନ,

ହରିଲାଲ୍ ଆଉ ମଣିଲାଲ୍ ଦିଜଣ ନିଜ ନିଜ ଭିତରେ 

ଝଗଡା କରୁଥାନ୍ତି, ଏଥର ଭାଇ ନା ଭଉଣୀ ହବ କହ,

ଆପଣ କାନ୍ଧରେ ମଣିଲାଲ୍ କୁ ବସାଇ 

କୋଳରେ ଧରିଥାନ୍ତି ହରିଲାଲ୍ କୁ, ବୁଝାଉଥାନ୍ତି, ଦେଖ୍ ସାନଭାଇର କଥା ମାନ୍, ସେ ଛୋଟ, ଭଉଣୀ ଆସୁ ।

ଆପଣଙ୍କ ବୁଝେଇବାରେ ଦକ୍ଷତା ଅଛି । ହରିଲାଲ୍ ବୁଝିଗଲା ।

ଦିଜଣଙ୍କ ସହ ଆପଣଙ୍କର ସେ ଯେଉଁ ହସ

ସେଦିନର ସେ ହସ ଆପଣଙ୍କ ଛବିବହିରେ ନାହିଁ,

ଆମେ ସମସ୍ତେ ଏକାଠି ଥିଲେ 

ରହିବାକୁ ହୋଇଥିଲା ସେତେବେଳେ, ତେଇଶ୍ ଦିନ ।

ନଙ୍ଗରରେ ଥିଲା ଜାହାଜ, ଆମକୁ ମନା ଥିଲା ଛୁଇଁବାକୁ

ଦକ୍ଷିଣ ଆଫ୍ରିକାର ଉପକୂଳ, ଆମର କୁଆଡେ ଅସୁଖ ଅଛି ସେଠିକାର ସରକାର ରଖିଛି କ୍ୱାରେଣ୍ଟାଇନ୍ ରେ 

ଆମକୁ ଜଳବନ୍ଦୀ କରି,

ସେଇ ଅସୁଖକୁ ମୁଁ ଗଣ୍ଠିଧନ କରି ରଖିଛି ଏଯାଏଁ, ପ୍ରିୟତମ,

ଯଦି ଅକ୍ଷର ଶିଖେ ଛବିବହି ନୁହଁ, ଲେଖିବି ବହିଟିଏ ଯାହାର 

ଶୀର୍ଷକ ହେବ, ତେଇଶ ଦିନର ସଂସାର

ଏକ ଅବଳାର ।

ତାହାପରେ ଦକ୍ଷିଣ ଆଫ୍ରିକା ।

ତାହାପରଠାରୁ ସଂସାର ଯଦି କହିବା 

ତାହା ହେବ ସଂସାର ନିଶ୍ଚେ ।

ଆଉ ଲାଲ୍ ମାନେ ହରିଲାଲ୍ କି ମଣିଲାଲ୍ ନୁହଁ 

ଏହା ପରେ ଦାସ, ଆଫ୍ରିକାରେ,

ରାମଦାସ ଦେବଦାସ,

ବଡ ହରିଲାଲ୍ ଜିତିଗଲା ତାହାର ଆସିଗଲେ ତଳ

ମଣିଲାଲ୍ ସହ ଲଢିବାକୁ ଆଉ ଦୁଇଟି ଭାଇ ।

ଗୋଟିଏ ପ୍ରଶସ୍ତ ପଲଙ୍କ 

ମଝିରେ ଗାଢ ନିଦରେ ପିଲାମାନେ

ଦୁଇ ପଟେ ବାପ ଆଉ ମାଆ, ବାପର ବେକକୁ ଜାବୁଡି ଧରିଛି 

ରାମଦାସ ଆଉ ମାଆର ଥନରେ ହାତ ପଡିଛି ଦେବଦାସର,

କାଳେ କିଏ ଚୋରି କରିନେବ ଏ ଅମୃତଭାଣ୍ଡ ହଳକ

ସେ ଶୋଇ ପଡିଲେ ନିଦରେ,

ରାତି ଅଧରେ ପିଲାଟିର ହାତକୁ ଏଡ଼ାଇ ଦେଇ ବାପର ଏପଟକୁ 

ଉଠି ଆସିବାର ଲାଜକୁ ଆପଣ ଚିରି ଦେଲେ ଦିନେ ହଠାତ୍ ।

ବୁଝାଇ ଦେଲେ ସମସ୍ତଙ୍କୁ ଆପଣଙ୍କ ଭାଷାରେ, ଅପରିଗ୍ରହ,

ଆଜିଠୁ ଆମର ଏକାନ୍ତରେ ଶେଜ ନାହିଁ, ପଲଙ୍କ ନାହିଁ,

ବନ୍ଦ କବାଟ ନାହିଁ, ପାଶବୁକ୍ ନାହିଁ, ଆମ ସମସ୍ତଙ୍କୁ ଅର୍ଜନ କରିବାକୁ ହେବ ନିଜ ନିଜର ଖାଦ୍ୟ ନିଜର ଶରୀର ଶ୍ରମରେ ।

ପିଲାମାନଙ୍କର ଅନଭ୍ୟସ୍ତ କଅଁଳ ହାତ ବାପର କଅଁଳ ବେକ ଆଉ ଛୁଇଁଲା ନାହିଁ ତାହା ପରଠାରୁ, ଗହମ ସହ ଆବେଗକୁ ଚୂନାକଲା ଚକିରେ, ଜଣେ କହିଲା ଆରଜଣକୁ,

ଦେଖ୍ ମୋର ଅଟା କେତେ ପାଲିସ୍, ତୁ ନିହାତି ଅନାଡ଼ି,

ଏଇଠି ଏସବୁ ଦୃଶ୍ୟ ଦେଖି ମାଆଟିକୁ ସହିନେବାକୁ ହେଲା,

ତାହାର ଏମିତି କାନ୍ଦିବା ଯେ ବ୍ୟକ୍ତିଗତ ସଂପତ୍ତି 

ତେଣୁ ବନ୍ଦ ।

ମୁଁ କ'ଣ ଏତେ ଲୋଭୀ ଥିଲି ଶରୀରର,

ଘୋଷଣା କରିଦେଲେ ନିଜର ଦେହ ଖେଳର ପୂର୍ଣ୍ଣଚ୍ଛେଦ 

ଆପେ ଆପେ ଏକେଲା, ପ୍ରକାଶ୍ୟରେ 

ବ୍ରହ୍ମଚର୍ଯ୍ୟ ବୋଲି ଶବ୍ଦଟିରେ ?

ନିଜର ଦେହକୁ ଶୁନ୍ କରି ଆପଣ ଶୋଇଗଲେ ଆରାମରେ 

ଲଂଗଳା ହୋଇ ଝିଅଙ୍କ ମେଳରେ, ଦେଖିଛି ଆପଣଙ୍କୁ ଏମିତି ବେଶରେ ଆପଣ ହିଁ ମୋର ସେତେବେଳେ ଆରେକ ସନ୍ତାନ ।

ମୁଁ ମାଆ ଆମ ଜନ୍ମିତ ଅଜନ୍ମିତ ସନ୍ତାନମାନଙ୍କର

କେମିତି ଲଙ୍ଗଳା ହେବି ? କେଉଁଠାରେ ?

ଦେହର ଆପଣ ବିଚକ୍ଷଣ ମ୍ୟାଜିସିଆନ୍, ପ୍ରିୟତମ

ଚାହିଁଲେ ଦେହ, ନଚାହିଁଲେ ଦେହ ଅଦୃଶ୍ୟ ।

ହରିଲାଲ୍ କିଛି କିଛି ବୁଝିଲାଣି ।

ତାହାର ଧାରଣା,

ମୋର ପ୍ରତିବାଦର କାଳ୍ପନିକ ଲାଭାସ୍ରୋତକୁ 

ଆପଣଙ୍କର ଭାରି ଡର

ତାହାକୁ ଖାସ୍ ମୁଦିଦେବା ପାଇଁ କାଳ କାଳକୁ,

ଆର ଗାଲଟିକୁ ବଢାଇ ଦିଅ ବୋଲି ସତ୍ୟାଗ୍ରହର ଯେଉଁ ମଲମଟି ଶାସ୍ତ୍ରରୁ ବାଛି ବାଛି ତିଆରି କଲେ ଆପଣ

ସେଇଟି ଆଗ ସଫଳ ପରୀକ୍ଷା ମୋ ଉପରେ,

ପରେ ଇଂରେଜ ଓ ଅନ୍ୟମାନେ ।

ସବୁ ପିଲା ପରି ତାହାର ଇଚ୍ଛା ଥିଲା ବାପ ଭଳି ହବ

ଇଂଲଣ୍ଡଙ୍କୁ ଯାଇ ବାରିଷ୍ଟର ହୋଇଥାନ୍ତା

ମନା କରିଦେଲେ, କାରଣ ଦେଖିଲି ଯାହା କହି ପାରିବିନି କେବେ

ସ୍ତ୍ରୀର ଅଳଙ୍କାର ବନ୍ଧକରେ ସ୍ୱାମୀର ବାରିଷ୍ଠର ହେବା

ପାଦ ତଳେ ଚୋରା କଂଟାଟିଏ ପୁରୁଷର ।

ଆପଣଙ୍କ ଭଳି ବୟସରେ 

ବାହା କରିଦେଲେ ତା'କୁ, ଝିଅଟିଏ ହେଲା

ଆପଣଙ୍କ ଦେହ ପାପ ବିଚଳିତ କଲା ଆପଣଙ୍କୁ 

ନିଜ ଛାଇ ଦେଖି,

ଅଲଗା କରି ରଖିଦେଲେ ସେ ଦୁଇଜଣଙ୍କୁ ପରସ୍ପରଠାରୁ । ସେଦିନଠୁ ପୁଅ ମୋର 

ଉଚ୍ଛନ୍ନ ହେଲା ଚାଲିଗଲା ଦୂରରୁ ଦୂରକୁ ।

ଘୃଣା କଲା ବ୍ରହ୍ମଚର୍ଯ୍ୟ, ଆପଣଙ୍କୁ ।

ମୁଁ ଅପଦାର୍ଥ ମାଆ ଫେରାଇ ପାରିଲି ନା

ତାହାକୁ କୋଳକୁ ।

ଆଗରୁ କଣ୍ଢେଇ ଥିଲି ମାଆ ହୋଇ ରହିଗଲି ପରା

ଦକ୍ଷିଣ ଆଫ୍ରିକା ପ୍ରବାସ ପରଠାରୁ ଆଉ 

ଏହି ମାଆ କଣ୍ଢେଇଟି ଯତ୍ନରେ ସାଇତା ହୋଇ ରହିଅଛି

ଆପଣଙ୍କର ସତ୍ୟର ପ୍ରୟୋଗର ସାରା ପୃଷ୍ଠା ବ୍ୟାପୀ ।

ଶୁଣିଛି ଆମ ପିଲାଦିନେ କାହାକୁ ମାରିବାକୁ ହେଲେ

କଣ୍ଢେଇଟିଏ ଗଢି ତାହା ଉପରେ କେତେ ଉପଚାର କରୁଥାଏ 

ଜଟାଜୁଟ ଜଣେ ତାନ୍ତ୍ରିକ, ଠିକ୍ ସେମିତି ଆପଣ ସତ୍ୟରେ

ଫୁଙ୍କି ଚାଲିଛନ୍ତି ମୋତେ ସାରାଟି ଜୀବନ,

ମୋର ପ୍ରିୟତମ ।

ଷ୍ଟେସନ୍ ର ନାଆଁ ମନେ ନାହିଁ । ସେଦିନ 

ଆପଣ ଆଉ ମୁଁ ରେଳ କ୍ୟାମେରାରେ, ବାହାରେ ଭାରି ଭିଡ଼

ମହାତ୍ମାଗାନ୍ଧୀ କୀ ଜୟ ବୋଲି ଜୟ ଜୟ କାର ।

ମୁଁ ଶୁଣିଲି ଏକ କ୍ଷୀଣ ସ୍ୱର, ଚିହ୍ନିଗଲି ହଠାତ୍,

ଆପଣ ଭ୍ରୁକୁଂଚିତ କଲେ, ପ୍ରଥମଥର ସେମିତି 

କହିଛି କିଏ ଏକେଲା ସଭିଙ୍କ ଆଗରେ, କସ୍ତୁରବା କୀ ଜୟ । 

ସେ ଭିଡ଼ କାଟି ଉଠି ଆସିଲା ରେଳକ୍ୟାମେରା ଭିତରକୁ

ମୁଣ୍ଡରେ ମୌଲାନାର ଟୋପି, ମୁଁହରୁ ଦେଶୀ ମଦର ଗନ୍ଧ

ହରିଲାଲ୍ ମୋ ପାଦଛୁଇଁ ପ୍ରଣିପାତ କଲା, ଆପଣଙ୍କୁ  ନୁହଁ,

ଆଖିରୁ ବାହାରୁଥିବା ନିଆଁରେ ସେ ଏବେ ପିତୃବଧ 

କରିବାକୁ ପ୍ରସ୍ତୁତ ହୋଇ ଆସିଛି ଯେମିତି । ଆପଣ

ଟିକିଏ ଅପ୍ରସ୍ତୁତ ହେଲେ ଏତେ ଲୋକଗହଳିରେ,

କହିଥିଲେ, କ'ଣ ସେଇଟା ଅଛି ହାତରେ, ଆଗ ଦେଖେ ମୁଁ  !

ସେ ସେତେବେଳେ ନିଶାରେ ବେଶ୍ ବେପରୁଆ

କହିଥିଲା, ମୋ ମାଆକୁ ତମେ ଚିରକାଳ ବ୍ୟବହାର କରିଆସିଛ

ତମେ ଗୋଟେ ସେଲଫିସ୍ ଜିଆଣ୍ଟ ମିଃ ଗାନ୍ଧୀ ।

ମୋ ହାତକୁ ବଢେଇଦେଇଥିଲା କମଳାଟିଏ ସେଦିନ ସେ

କମଳା ସାରା କୋଷାଭର୍ତ୍ତି ଲୁହ ଆଉ ଲୁହ, ଜାଣିଗଲି 

ବିଚାରୀ ମାଆର ଲୁହ ସମୁଦ୍ରକୁ ଅକୁଳାଣ ହୁଏ

ଯେତେବେଳେ ଦେଖିବ ସେ ତରୁଣ ପୁଅର ପାଟିରେ 

ଗୋଟିଏ ବୋଲି ଦାନ୍ତ ନାହିଁ ।

 ଆଗା ଖାନ ପ୍ୟାଲେସ୍ ପୁଣେରେ ସେଦିନ ମହାଦେବ,

ମାତ୍ର କିଛିଦିନ ପୃଥିବୀରେ କଟାଇ ବାହୁଡ଼ି ଯାଇଥିବା ଆମର ପ୍ରଥମ ସନ୍ତାନ ଲେଉଟି ଆସିଥିଲା ଆମପାଖକୁ ଆମ ଭାଗ୍ୟ

ମହାଦେବ ଦେଶାଇ ନାଆଁରେ,

ଆମ ବଡପୁଅ ସେ, ତମର ଭାରି ଅନୁଗତ,

ସଂଭାଳି ନେଇଥିଲା ହରିଲାଲ୍ କୁ, ହରିଲାଲ୍ ସିଧା କହୁଥାଏ ଆପଣଙ୍କୁ, ତମେ ମୋ ମାଆର ହତ୍ୟାକାରୀ,

ହତ୍ୟାକାରୀ ମିଃ ଗାନ୍ଧୀ ।

ମୁଁ ତ ସେତେବେଳେ ଧଳାଶେଜରେ ଯେଉଁଠୁ ଆଉ ଉଠିବାର ନାହିଁ, ଏମିତିରେ ମୋର ଜିଭ ଅଛି ବୋଲି କିଏ ବା ଜାଣିଛି ?

ଆପଣ ଆପଣଙ୍କ ନିୟମରେ ଜଳୁଥାନ୍ତି ତେଜିଆନ୍ ସୂର୍ଯ୍ୟ 

ମନା କରିଦେଲେ ଗୋରା ଡାକ୍ତରକୁ ପେନସିଲିନ୍ ନୁହଁ 

ଦେଶୀ ଚିକିତ୍ସାରେ ଲୋଡା ଅଛି ଆମର ।

ମୁଁ ତ ନଥିଲି

ତାହାପରଠାରୁ ହରିଲାଲ୍ ହଜିଗଲା ପୂରା ହଜିଗଲା

ଆପଣଙ୍କ ଶବ ଶୋଭାଯାତ୍ରା ପଛେ ପଛେ ସେହି ଶେଷ ଦେଖ,

ଚାଲିଚାଲି ଯାଉଥିଲା ଆମର ସେ ଅର୍ଖିତ ସନ୍ତାନ ।

ଏବେ ଏଠିକି ଆସେ ସେ ପୁଣେର ପାଓଭାଜି ଧରି ହାତରେ

ମହାଦେବ ସହ ତାହାର ଭାରି ଭାବ

ଆମେ ତିନିହେଁ ଖୁବ୍ ଗପସପ କରୁ, ନୂଆ ଦାନ୍ତ ହଳେ ଲଗାଇଛି ପାଟିରେ, ଶୁଣି ଖୁସି ହେବେ ତାହାର 

ଏବେ ଚାଲିଛି ନିଶାନିବାରଣ ପକ୍ଷ । କେଜାଣି ଆପଣଙ୍କୁ ନେଇ

ତାହାର ଏବେ ଭାରି ଚିନ୍ତା,

ଆପଣଙ୍କ ଛାଇକୁ ଯେତେବେଳେ ଧାଡିବାନ୍ଧି ଗୁଳି ଚଳାଇବାରେ 

ବସିଛନ୍ତି ଏଠିକାର କିଛି ଲୋକ 

କିଏ ଆପଣଙ୍କ ଚରଖାକୁ ଛଡେଇ ନେଇ କହୁଛି 

ନିଜେ ଗାନ୍ଧୀ ହବ ଇତିହାସରେ,

ଦୁର୍ବଳ ଦେହକୁ ବାଧିବ ସେ ଗୁଳି ଆପଣଙ୍କର ।

ଦେଶକୁ ଘର କରିବାକୁ ହେଲେ ଆଗ ନିଜଘରର 

ଚାରିକାନ୍ଥକୁ ଭାଂଗିବାକୁ ପଡେ ପ୍ରିୟତମ 

ଆମେ ଅହରହ ବଂଚିଛୁ ସେମିତି ବୁଲଡୋଜରର 

ଦେଶପ୍ରେମ ଗୀତ ଶୁଣି ଶୁଣି ।

ଏଡିକି ଚଗଲା ସେ ହରିଲାଲ୍ କହୁଛି କ'ଣନା

ବାପୁଙ୍କ ଛାଇକୁ ଗୁଳି ମାରି ଶେଷ କରିଦେଲେ 

ଭାରି ଭଲ ହୁଅନ୍ତା, ବାଃ ଭାରି ମଜା,

ତାଙ୍କ ଚାରିପଟେ ଆଉ ଏତେ ଭିଡ଼ ହେବନି ରାଜଘାଟରେ 

ଆମେମାନେ ତୁ ମୁଁ ମଣିଲାଲ୍ ରାମଦାସ ଦେବଦାସ ଆଉ

ମହାଦେବକୁ ନେବା ସାଥିରେ, ଆଉ ସାଥିରେ ଥିବେ ଆମର ସବୁ ପିଲାକବିଲା, ଭଡ଼ା କରିବା ପୂରା ଗୋଟେ ଜାହାଜ

ବାପୁ ପିନ୍ଧିଥିବେ କୋର୍ଟ ସୁଟ୍, ବେଶ୍ ସ୍ମାର୍ଟ

ପ୍ଲିଜର୍ ଟ୍ରିପ୍ ରେ ଆମର ଜାହାଜ ଛାଡିବ ସେଇ 

ଦକ୍ଷିଣ ଆଫ୍ରିକାର ଉପକୂଳରୁ ଦିକଶୂନ୍ୟପୁର ।

ଆଜି ସକାଳେ ଆସିଥିଲା ହରିଲାଲ୍ ।

କହିଲା, ତୋର ତ କିଛି କହିବାର ନାହିଁ ବା',

ସତ୍ୟର ପ୍ରୟୋଗ ସାରା ତୁ ତ ମୁଣ୍ଡେ ଉଚ୍ଚ ଠେଙ୍ଗାରେ ପରସ୍ତେ

ଗୁଡା ହୋଇ ରହିଛୁ ଖଣ୍ଡେ ଖଦଡ଼ର ଧଳା ଶାଢୀ ।

ଏଥର କିଛି କହ ମିସ୍ କାପାଡିଆ।କହ !

ଶୁଭ ଜନ୍ମଦିନ, ସେଇ ଠେଙ୍ଗା ସହ ତୋହର ବି ।

ମହାଦେବ କହିଲା, ଲାଗୁଛି ବାପୁ ଆଜି ଆସିବେ ଏଠିକୁ ।

ଜାଣେ, ଏତେ ଗହଳି ଆପଣଂକୁ ଛାଡିଦେବ ନାହିଁ ସହଜରେ ।

ମାତ୍ର ସାତ ବର୍ଷ କାପାଡିଆ ବାକି ଅୟୁତ ଜୀବନ 

ମୁଁ ରହିଥିବି ଗାନ୍ଧୀ ହୋଇ ଯେତେଯାଏଁ ଥିବ ଆପଣଙ୍କ ଛାଇ ।

ଆପଣଙ୍କର ଆଉ ମୋର ବୟସ ସମାନ 

ଅଠରଶହ ଅଣସ୍ତରୀରେ ଜନ୍ମ,

ଅନେକ ଜାଣନ୍ତି ନାହିଁ ।


Leave a comment