ରେନର୍ ମାରିଆ ରିଲକେଙ୍କ ଯୁବକବିଙ୍କୁ ଚିଠି

ଆଜି ମାର୍ଚ୍ଚ ୨୧, ବିଶ୍ଵ କବିତା ଦିବସ ଅବସରରେ ରେନର୍ ମାରିଆ ରିଲକେ ତାଙ୍କ ସମୟର ଜଣେ ଯୁବକବିଙ୍କୁ ଲେଖିଥିବା ଚିଠିର କିୟଦଂଶ ଆମ ସମୟର କବି ଓ କବିତା ଗ୍ରାହକଙ୍କ ପାଇଁ ।

ମୂଳ ଜର୍ମାନ: ରେନର୍ ମାରିଆ ରିଲକେ, ଇଂରାଜୀରୁ ମର୍ମାନୁବାଦ: କେଦାର ମିଶ୍ର
(ଅଷ୍ଟ୍ରିଆର ମହାନ କାବି ରେନର୍ ମାରିଆ ରିଲକେ (୧୮୭୫ - ୧୯୨୬) ତାଙ୍କ ସମୟର ଜଣେ ଯୁବ କବି ଫ୍ରାଞ୍ଜ ଜାଭର କାପୁସଙ୍କ ପାଖକୁ ୧୯୦୨ ରୁ ୧୯୦୮ ମଧ୍ୟରେ କିଛି ଚିଠି ଲେଖିଥିଲେ । ୧୯ ବର୍ଷର କାପୁସ ସେତେବେଳର ପ୍ରସିଦ୍ଧ କବି ରିଲକେଙ୍କୁ କବିତା ବିଷୟରେ ଦିଗଦର୍ଶନ ଦେବାକୁ ଅନୁରୋଧ କରିଥିଲେ । ୬ ବର୍ଷ ବ୍ୟାପୀ ଜଣେ ଯୁବ କବି ଓ ବରିଷ୍ଠ କବିଙ୍କ ଭିତରେ ହୋଇଥିବା ପତ୍ରାଳାପ ପରବର୍ତ୍ତୀ ସମୟରେ ପୃଥିବୀର କବିତା ପାଇଁ ଏକ ଶାଶ୍ଵତ ଦଲିଲ ପାଲଟିଗଲା । ଆଜି ମାର୍ଚ୍ଚ ୨୧, ବିଶ୍ଵ କବିତା ଦିବସ ଅବସରରେ ରିଲକେଙ୍କ ଚିଠିର କିୟଦଂଶ ଆମ ସମୟର କବି ଓ କବିତା ଗ୍ରାହକଙ୍କ ପାଇଁ ।)  
 
ପ୍ରିୟ ବନ୍ଧୁ
 
ତୁମେ ମୋ’ଠାରୁ ଜାଣିବାକୁ ଚାହିଁଛ ତୁମ କବିତା ଭଲ କି ନୁହେଁ । ତୁମେ ହୁଏତ ଏ ପ୍ରଶ୍ନ ଆଗରୁ ଆଉ କାହାକାହାକୁ ବି ପଚାରିଥିବ ତୁମେ ତୁମ କବିତାକୁ ବିଭିନ୍ନ ପତ୍ର ପତ୍ରିକାକୁ ପଠେଇଥିବ । ତୁମେ ଅନ୍ୟର କବିତାକୁ ନିଜ କବିତା ସହ ତୁଳନା କରି ଦେଖିଥିବ । ଯଦି କେହି ନିର୍ଦ୍ଦିଷ୍ଟ ସମ୍ପାଦକ ତୁମ କବିତା ଛାପୁ ନଥିବେ ତୁମେ ହୁଏତ ତାଙ୍କ ଉପରେ ରାଗୁଥିବ । ତୁମେ ଶୁଣ (ତୁମେ ମୋର ଉପଦେଶ ମାଗିଛ, ନଚେତ୍ ମୁଁ ଦେଇ ନଥାନ୍ତି), ତୁମେ ପ୍ରଥମେ ସେସବୁ ବନ୍ଦ କର । ତୁମେ କବିତା କଣ ଜାଣିବାକୁ ବାହାରକୁ ବେଶି ଦେଖୁଛ, ପ୍ରଥମେ ସେହିଟା ବନ୍ଦ ହେବା ଦରକାର । କବିତା ଲେଖିବା ଲାଗି ତୁମକୁ କେହିବି ଉପଦେଶ ଦେଇପାରିବେ ନାହିଁ କି ସାହାଯ୍ୟ କରିପାରିବେ ନାହିଁ ।  ତୁମେ ଗୋଟିଏ ମାତ୍ର କାମ କର, ତୁମେ ନିଜେ ନିଜର କଥା ଶୁଣ । କଣ ସେସବୁ କାରଣ ଯିଏ ତୁମକୁ ଲେଖିବାକୁ ବାଧ୍ୟ କରୁଛି, ତାକୁ ଖୋଜି ବାହାର କର । ସେହି ଲେଖାର କାରଣ ସବୁ ତୁମ ହୃଦୟର କେତେ ଗହୀରରେ ପ୍ରସାରିତ ହୋଇଛି ତାକୁ ଜାଣିବାର ପ୍ରୟାସ କର ।
 
ନିଜକୁ ପଚାର, ଏହା ଲେଖିପାରି ନଥିଲେ ତୁମେ ବଞ୍ଚି ପାରନ୍ତ ନାହିଁ କି ? ରାତିର ନିର୍ଜନତମ ପ୍ରହରରେ ନିଜେ ନିଜକୁ ପଚାର, ମୁଁ କଣ ନିହାତି ଲେଖିବା ଉଚିତ୍ ! ନିଜ ଅନ୍ତରର ଗହୀରରୁ ଏଇ ପ୍ରଶ୍ନର ଉତ୍ତର ଖୋଜ । ଯଦି ତୁମ ଅନ୍ତର ସତ୍ୟନିଷ୍ଠ ଭାବରେ ସ୍ବୀକାର କରେ ଯେ, ହଁ, "ମୁଁ ନିହାତି ଲେଖିବା ଉଚିତ୍", ସେହିଠୁ ତୁମେ ତୁମର ଜୀବନକୁ ସେହି ଅନୁସାରେ ଗଢିବାକୁ ଚେଷ୍ଟା କର । ଏପରିକି ତୁମ ଜୀବନର ସବୁଠୁ ନମ୍ର ଓ ଉଦାସୀନ ମୁହୂର୍ତ୍ତ, ଏହି ଆବେଗର ସଙ୍କେତ ପାଲଟିଯାଉ ।
 
ତାପରେ ତୁମେ ପ୍ରକୃତି ସହ ଘନିଷ୍ଠ ହୁଅ । ତାପରେ ତୁମେ ଯାହା ଦେଖୁଛ, ଅନୁଭବ କରୁଛ, ଭଲ ପାଉଛ ଅବା ହରେଇ ଦେଉଛ - ସେସବୁକୁ ଏମିତି ଲେଖିବାକୁ ଚେଷ୍ଟା କର, ଯେମିତି ତୁମ ପରି ଆଗରୁ କେହି ଲେଖିନାହାନ୍ତି । ଆରମ୍ଭରୁ ପ୍ରେମ କବିତା ଲେଖନାହିଁ । ସହଜ ଓ ସରଳ ଶୈଳୀର କବିତା ଲେଖିବାକୁ ଏତେ ଜଲଦି ଭାବ ନାହିଁ । ସେମିତି କବିତା ପାଇଁ ଗଭୀର ଅନୁଭବ ଓ କଠିନ ପରିଶ୍ରମ ଲୋଡା । ବ୍ୟକ୍ତିଗତ ଅନୁଭବକୁ ନେଇ ସଫଳ କବିତା ଲେଖିବାକୁ ହେଲେ ପରିପକ୍ବ କାବ୍ୟଶକ୍ତିର ଆବଶ୍ୟକତା ରହିଛି । ତେଣୁ ସାଧାରଣ ଭାବବସ୍ତୁକୁ ନେଇ କବିତା ଲେଖନାହିଁ । ତୁମେ ତୁମ ଜୀବନରେ ନିତି ପ୍ରତିଦିନ ଘଟୁଥିବା ଘଟଣାକୁ ନେଇ ଲେଖ । ନିଜର ଦୁଃଖ ଓ ଇଚ୍ଛା ମାନଙ୍କ କଥା ଲେଖ..............
 
......ତୁମେ ନିଜର ଦୁଃଖ ଓ ଇଚ୍ଛାମାନଙ୍କ କଥା ଲେଖ, ନିଜ ମୁଣ୍ଡକୁ ଆସୁଥିବା ଚିନ୍ତା ଓ ସୌନ୍ଦର୍ଯ୍ୟକୁ ନେଇ ତୁମମନରେ ଯେଉଁ ବିଶ୍ବାସ ରହିଛି ତାକୁ ସହୃଦୟତାର ସହ, ନୀରବରେ ଲେଖିଚାଲ ।  ନିଜ ଭାବନାକୁ ଅଭିବ୍ୟକ୍ତ କଲାବେଳେ ତୁମକୁ ଘେରି ରହିଥିବା ପଦାର୍ଥମାନଙ୍କୁ ବ୍ୟବହାର କର । ସ୍ବପ୍ନ ଓ ସ୍ମୃତିର ଚିତ୍ରମାନଙ୍କ କଥା ଲେଖ । ତୁମର ଦୈନନ୍ଦିନ ଜୀବନର ଅନୁଭବ ଯଦି ଦରିଦ୍ର ମନେ ହେଉଛି, ସେଥିଲାଗି ଅନ୍ୟ କାହାକୁ ଦୋଷ ନଦେଇ ନିଜକୁ ଦୋଷ ଦିଅ । ସ୍ବୀକାର କର ଯେ, ଜୀବନର ପ୍ରାଚୁର୍ଯ୍ୟକୁ ଧରି ରଖିପାରିବା ଭଳି କବି ତୁମେ ନୁହଁ ! ସ୍ରଷ୍ଟାର ସୃଷ୍ଟିରେ ଦାରିଦ୍ର୍ୟ ବା ଦରିଦ୍ର ବୋଲି କିଛି ନାହିଁ । ଯଦି ତୁମକୁ ଗୋଟେ ଜେଲର କୋଠରୀରେ ବନ୍ଦୀ କରି ରଖାଯାଏ, ସେଠି ହୁଏତ ବାହାର ପୃଥିବୀର ସ୍ବର ଶୁଣିବାକୁ ମିଳି ନପାରେ ! ସେଠି କିନ୍ତୁ ତୁମେ ତୁମ ସ୍ମୃତିର ଅପୂର୍ବ ପିଲାଦିନକୁ ମନେ ପକେଇପାରିବ । ସେହି ଦୁର୍ମୂଲ୍ୟ ସ୍ମୃତି ଉପରେ ତୁମେ ତୁମର ଚିତ୍ତକୁ କେନ୍ଦ୍ରିତ କର । ତୁମର ବିପୁଳ ସ୍ମୃତିର ସେ ଉବୁଟୁବୁ ଅନୁଭବ ଭିତରୁ ତୁମେ ଉଠିଆସିବାର ପ୍ରୟାସ କର । ସେଥିରେ ତୁମ ବ୍ୟକ୍ତିତ୍ବ ଆହୁରି ଟାଣ ହେବ ।
 
ତୁମର ନିର୍ଜନତା ଆହୁରି ପ୍ରଶସ୍ତ ହୋଇ ଏମିତି ଗୋଟେଗୋଟେ ସ୍ଥାନରେ ପରିଣତ ହେବ ଯେଉଁଠି ତୁମ ଜୀବନ ଗୋଟେ ଗୋଧୂଳିବେଳା ପରି ଲାଗିବ । ସେଠି ଅନ୍ୟମାନଙ୍କର କୋଳାହଳ ତୁମକୁ ଛୁଇଁ ଦୂର ଇଲାକାରେ ମିଳେଇଯିବ । ନିଜ ଭିତରକୁ ଚାହିଁବା ଓ ନିଜ ପୃଥିବୀ ଭିତରେ ମିଳେଇଯିବାର ଏହି ଅନୁଭବରୁ କବିତା ଆସିବ । ସେତେବେଳେ ଯାଇ ତୁମେ ଅନ୍ୟମାନଙ୍କୁ ପଚାରିବାକୁ ଚାହିଁବ ନାହିଁ ଯେ ତୁମ କବିତା ଭଲ କି ନୁହେଁ  !! ଏପରିକି ସେସବୁ କେଉଁ ପତ୍ରିକାରେ ବାହାରୁ ବୋଲି ତୁମର ଆଉ ଆଗ୍ରହ ରହିବ ନାହିଁ । ସେତେବେଳେ ମନେହେବ, କବିତା ତୁମର ସହଜାତ ସମ୍ପତ୍ତି, ତୁମ ଜୀବନର ଅଂଶବିଶେଷ, ଜୀବନରୁ ଆସୁଥିବା ଏକ ସ୍ବର ।
 
ଗୋଟେ କଳାକୃତିକୁ ଆମେ ସେତେବେଳେ ଭଲ ବୋଲି କହିବା ଯେତେବେଳେ ତାହା ଆମର ଆବଶ୍ୟକତାରୁ ଜନ୍ମନେବ । କବିତାକୁ ସେହି ଦୃଷ୍ଟିରୁ ହିଁ ବିଚାର କରାଯାଇ ପାରିବ । ତେଣୁ ପ୍ରିୟବନ୍ଧୁ ! ତୁମକୁ ମୁଁ କୌଣସି ଉପଦେଶ ଦେଇପାରିବି ନାହିଁ, କିନ୍ତୁ ଏତିକି କହିବି ଯେ ତୁମ ନିଜ ଭିତରକୁ ଯିବାକୁ ହେଲେ ଓ ତୁମ ଜୀବନ ସ୍ରୋତ କେଉଁ ଗଭୀରତାରୁ ଆସିଛି ଜାଣିବାକୁ ହେଲେ, ତୁମକୁ ସେହି ଉତ୍ସ ପାଖରେ ପହଞ୍ଚିବାକୁ ହେବ ।  ସେହିଠି ତୁମକୁ ମିଳିବ ସେହି ଉତ୍ତର - ଯାହାକୁ ନେଇ ତୁମେ ପଚାରିଥିଲ ଯେ ତୁମେ ନିହାତି କବିତା ରଚନା କରିବା ଉଚିତ କି !! ତୁମେ ତୁମ ଅନ୍ତରରୁ ପାଇଥିବା ଉତ୍ତରକୁ ସ୍ବାଭାବିକ ଭାବରେ ଗ୍ରହଣ କରିଯାଅ । ତାର ବ୍ୟାଖ୍ୟା କରନି । ତୁମେ ବୋଧେ ତାରି ମାଧ୍ୟମରେ ନିଜ ଭିତରେ କଳାକାର ବା ଶିଳ୍ପୀ ବୋଲାଇବାକୁ ଥିବା ସତ୍ତାର ଆବିଷ୍କାର କରିପାରିବ । ସେହିଠୁ ସେହି ଭାଗ୍ୟକୁ ଆପଣାର କରିନିଅ ଓ ତାକୁ ନିଜ ମୁଣ୍ଡରେ ବୋହି ଚାଲ । ସେହି ଭାଗ୍ୟର ଭାରିପଣ ଓ ମହାନତାକୁ ମୁଣ୍ଡେଇ ଚାଲ । କେବେ ପଚାର ନାହିଁ ଯେ ବାହାରୁ ଏଥିଲାଗି ତୁମକୁ କିଛି ପୁରସ୍କାର ମିଳିବ । ଜଣେ ସ୍ରଷ୍ଟା ଲାଗି ନିଜ ଅନ୍ତରର ପୃଥିବୀ ଜରୁରୀ ଓ ସେ ସବୁକିଛି ନିଜ ଭିତରୁ ତଥା ନିଜର ପ୍ରକୃତି ପାଖରୁ ଖୋଜି ପାଇବା ନିହାତି ଦରକାର । ଜଣେ ସ୍ରଷ୍ଟାର ଜୀବନ ନିଜର ଅନ୍ତଃକରଣ ଓ ପ୍ରକୃତି ପାଇଁ ଉତ୍ସର୍ଗୀକୃତ ।

Leave a comment