ଲୋକାଲ୍ ରେଡ଼ୁଅ

ଅଜୟ ପ୍ରଧାନଙ୍କ କବିତାରେ ସ୍ଥାନୀୟ ଭାଷା ଓ ଚଳଣିର ଗୋଟେ ଅଦ୍ଭୁତ ଖେଳ ରହିଥାଏ । ସେ ଖେଳ ସ୍ଥାନୀୟତାକୁ ନିଜ ସୀମାରୁ ମୁକ୍ତ କରି ମଣିଷ ଓ ପୃଥିବୀର ଭାବନା ସହିତ ଯୋଡିଥାଏ । ପୁରୀ ବୋଲିକୁ ସମକାଳର ଓଡିଆ କବିତାରେ ଏକ ନୂଆ ଦିଶା ସେ ଦେଇଛନ୍ତି । ଏ କବିତା ସେ କ୍ରମରେ ଆଉ ଏକ ନୂଆ ଅଧ୍ୟାୟ ।

ହରଲିକ୍ସ୍ ନାଇଁ କି କମ୍ପ୍ଲାନ୍

ଗୁଲୁକୋଜ୍ ନାଇଁ କି ଡବା ପାଣି

ଜିମ୍ ନାଇଁ କି ମର୍ଣିଂ ଓ୍ଵାକ୍

ହର୍ଦ୍ଦମ୍  କିଂତୁ  ଫିଟ୍

ଯିଏ ଯୁ'ଠି ଥାଉ

ଡାକୁ ଡାକୁ ପ୍ରେଜେଂଟ୍ !


ପ୍ରେମୀ ଆମେ, ବୁଝିଲେ ?

ପଇସା ପ୍ୟାରା ନୁହଁ,

ଯିଏ ଭଲପାଇଲା ତା'ର,

ଭଲ ପାଇବାକୁ ଭଲପାଉ

ଦିଲ୍ ଖୋଲା ଆଜ୍ଞା! ଆଠ ପହର !!


କୋଟି କୋଟିରେ ଖେଳୁଚଂତି କେତେ କିଏ

ଆମର ତ ସା'ରେ! କଣା ପକଟ

ପୂରେଇବାକୁ ନାଇଁ କି କାଢ଼ିବା

ବୁଝିଲେ, ପାଁ'ଶକିଆ ବଂଡିଲି ଥବ ପାଖରେ

ପାନଟେ କି ଚା'ଟେ ଦେଖିପାରୁ ନ ଥିବୁ ବେଳାକେ

ବାଳ ଥାଇ କେତେ ନଥାଇ କେତେ ମୁଂଡରେ ?


ଧରାକୁ ମଣିଲେ ଯେମିତି ବାବୁଏ

ଶଏ ଶଏରେ ଖେଳ କଲା ସେମିତି କାଳିଆ,

କହିଲା ମୁଁ ମୁଁ ହଉଚୁ ଏତେ ପରା 

କଣ ଜାଣିଚୁ ଦେଖା,

ବୋମା ନୁହଁ, କ୍ଷେପଣାସ୍ତ୍ର ନୁହଁ

ପଠେଇଲା ଗୋଟେ ଭୂତାଣୁ: କରୋନା !

ଚାରିଆଡ଼େ କୋକୁଆ,

ଦିନ କେଇଟାରେ କୋଟି କୋଟି ସାଫ୍

କଣନା ଆଖିକୁ ଛୁଁ'ନା, ପାଟିରେ ମାର୍ ନା ହାତ

ହାତ ମିଳାନା, ଯା'ନା କୁଆଡ଼େ-ନା' ନା' 

କିସ୍ ଦବୁ କା'କୁ ମିସ୍ ଡାକିବୁ କା'କୁ ?

ହାତ ଧୋଉଥା' ସାବିନିରେ, ମାକ୍, ଗାଉଥା' ଗୁଣ !

କୁ'ଠି କୁ'ଠି ତ ଲୋକେ

ମାଲ୍ ଫୋପାଡ଼ିଲେ ରାସ୍ତାରେ ବସ୍ତା ବସ୍ତା 

'ଭଲ କରିଦିଅ ଏ ରୋଗ' କିଏ -

ହେଲା କିଛି ?

ଓଲଟ ଯିଏ ମଲେ 

ତା' ଶବ ଛୁଇଁବା ମନା, ସେ ବାପ ହଉ କି ମା'

ଦେଖିଲେଟି ! ବଦଳି ଗଲା ଦୁନିଆ କେମିତି ସାଏଁକିନା !!

ଓ୍ଵାନ୍ ଟୁ ..ଟେନ୍ ସବୁ ଠପ୍,

ଯା' କହଂତୁ,  ପରମା ନମ୍ବର ଏକ୍ ହେଲା ଚାଇନା !!!


ଏତେ ଭିତରେ

ବିନା ରୋଜଗାରରେ ପରିବାର ଚଳେଇଲା କିଏ,

ଭାବିଚଂତି ?

କୋଉଠୁ ଆଇଲା ଡାଲି ଚାଉଳ ଆଳୁ ତେଲ ,

ଖୋଜିଚଂତି ?

ଦବା ଲୋକ ଜଣେ, ଦଉଚି ସେଇ, କାଳିଆ ଠାକୁର:

ମହାବାହୁ! ଶହେ ଦୋଷ କ୍ଷମା କର,ରକ୍ଷା କର

ଏଇଠି, ଘେନ ହେ ଅରକ୍ଷ ରକ୍ଷକ ଆମ୍ଭ ନମସ୍କାର!


ଛଳ କପଟ ଜଣାନାଇଁ ଆମକୁ ଆଜ୍ଞା,

ଦିନ୍ ଆମଦାନୀ ଦିନ୍ ଖର୍ଚ୍ଚ  

ଆଜିକ ଗଲେ ଗଲା,କାଲି ଦେଖିଚି କିଏ ?

କିଏ ଚଲେଇଚି କେତେ ବେପାର ତା' ବାଟରେ

ଅଡିଟ୍ ଚାଲିଚି କିଂତୁ ବଡ ଦେଉଳେ 

ଇଏ ପୋଷାଏନା ଆମକୁ

ମେଳା ମଉଜ ଟିକେ ହେଲେ ମନ ଖୁସ୍,

ଅଛି ନ ଅଛି ,କିଏ ପଚାରେ !

ମଶାଣିରେ ପରା ସବ୍ ପାଉଁଶ !!


ହଉ, ଥାଂତୁ, ଦିଶିଲେଣି ଦି'ଟା ମେଦିନୀପୁରୀଆ, ଯାଏଁ, ବାଜେ

କେଜାଣି, ଆଜି କାଳିଆ ଠାକୁର ହଉଚଂତି ନା ନାଇଁ ବିଜେ ??

Leave a comment