ଜର୍ଜ ଲୁଇସ ବୋର୍ହେସ୍; ଆଇନା ଓ ମୁଖା

"ହଁ ମହାରାଜ", ଚାରଣ କବି କହିଲେ । "ମୁଁ ଓଲାନ୍ । ବାରଟି ଶୀତଋତୁ ମୁଁ ଅଳଙ୍କାର ଶାସ୍ତ୍ର ଚର୍ଚ୍ଚା କରିଛି । ମୁଖସ୍ଥ କରିଛି ପ୍ରକୃତ କବିତାରେ ଗଢି ଉଠିଥିବା ତିନି ଶହ ଷାଠିଏ ଉପାଖ୍ୟାନ । ବୀଣାର ତାରରେ ବାନ୍ଧିଛି ଉଲଷ୍ଟାର୍ ଆଉ ମୁନଷ୍ଟାର୍ ର ଚକ୍ର ଗୁଡିକୁ । ଆମ ଭାଷାରେ ଥିବା ପ୍ରାଚୀନ ଶବ୍ଦ, ଆଉ ଜଟିଳ ରୂପକର ବ୍ୟବହାର କରି ସୂତ୍ରଗୁଡିକୁ ଭଲ ଭାବରେ ସାଧିଛି ।
ଜର୍ଜ ଲୁଇସ ବୋର୍ହେସ୍

ମୂଳ ରଚନା- ଜର୍ଜ ଲୁଇସ ବୋର୍ହେସ୍

ଅନୁସୃଜନ- ଜ୍ୟୋତି ନନ୍ଦ

କ୍ଲୋଷ୍ଠାର୍ଫ ର ଯୁଦ୍ଧ ଶେଷ, ନରୱେ ହାରିଯାଇଛି । ଆଇରଲ୍ୟାଣ୍ଡର ମହାରାଜ ତାଙ୍କର ସଭାକବି ସହ ଖୁସି ଗପ କରୁଛନ୍ତି । କହିଲେ, "ଏତେ ବଡ ଗୋଟିଏ ବିଜୟ ହେଲା, ଏ କଥା ଯଦି ଭାଷାରେ ଲେଖା ନ ହୁଏ ତେବେ ଏହାର ଯେତିକି ସଫଳତା ଅଛି ସବୁ ହଜି ଯିବ । ଆମର ଏହି ବିଜୟକୁ ନେଇ ମୁଗ୍ଧତାର ସହ ଗୋଟିଏ ସ୍ତ୍ରୋତ୍ର ରଚନା କର । ମୁଁ ଚାହିଁବି ତମେ ମୋ ଜୟ କାହାଣୀର ଗୀତ ବି ଗାଅ । ମୁଁ ହେବି ଈନିସ୍ ଆଉ ତମେ ହେବ ମୋର ଭର୍ଜିଲ୍ । ତୁମ ଭିତରେ କ'ଣ ଏତିକି ସାମର୍ଥ୍ୟ ରହିଛି ଯାହା ଆମ ଦୁଇଜଣଙ୍କୁ ଅମର କରି ଦେଇପାରିବ ?"

"ହଁ ମହାରାଜ", ଚାରଣ କବି କହିଲେ । "ମୁଁ ଓଲାନ୍ । ବାରଟି ଶୀତଋତୁ ମୁଁ ଅଳଙ୍କାର ଶାସ୍ତ୍ର ଚର୍ଚ୍ଚା କରିଛି । ମୁଖସ୍ଥ କରିଛି ପ୍ରକୃତ କବିତାରେ ଗଢି ଉଠିଥିବା ତିନି ଶହ ଷାଠିଏ ଉପାଖ୍ୟାନ। ବୀଣାର ତାରରେ ବାନ୍ଧିଛି ଉଲଷ୍ଟାର୍ ଆଉ ମୁନଷ୍ଟାର୍ ର ଚକ୍ର ଗୁଡିକୁ । ଆମ ଭାଷାରେ ଥିବା ପ୍ରାଚୀନ ଶବ୍ଦ, ଆଉ ଜଟିଳ ରୂପକର ବ୍ୟବହାର କରି ସୂତ୍ରଗୁଡିକୁ ଭଲ ଭାବରେ ସାଧିଛି । ଲେଖାର ଚାବିକାଠି ମୋ ନଖ ଦର୍ପଣରେ । ମୁଁ ବେଶ୍ ଦକ୍ଷ । ଯେଉଁସବୁ ରୀତି ରହସ୍ୟ ଦଳେ ସାଧାରଣଙ୍କ ଠାରୁ ଅଲଗା ଏକ ଅଭିନ୍ନ ଦୃଷ୍ଟି ହୋଇ ଶିଳ୍ପକୁ ରକ୍ଷା କରିଥାଏ, ମୁଁ ଆୟତ୍ତ କରିଛି । ଆପ୍ୟାୟନ କରି ପାରିବି ପ୍ରେମକୁ, ଗାଭୀତସ୍କରକୁ, ଭ୍ରମଣକୁ, ଯୁଦ୍ଧକୁ । ଆଇରଲ୍ୟାଣ୍ଡର ରାଜପ୍ରାସାଦର ସକଳ ପୌରାଣିକ ଭାଷ୍ୟକୁ, ବଂଶ ଇତିହାସକୁ ମୁଁ ଜାଣେ । ମୁଁ ଆୟତ୍ତ କରିଛି ବୈଧ ଫଳିତ ଜ୍ୟୋତିଷୀ ବିଦ୍ୟା, ଗଣିତ, କମାଣନୀତି ଓ ବୃକ୍ଷଶକ୍ତି । ଯେତେକ ସାଧାରଣ ପ୍ରତିଯୋଗିତା ରେ ମୁଁ ପରାସ୍ତ କରିଛି ସବୁ ପ୍ରତିଦ୍ୱନ୍ଦୀଙ୍କୁ । ପ୍ରହସନ ରଚନାରେ ମୁଁ ଦକ୍ଷ, ଏହା ଚମଡାକୁ ଦୁର୍ବଳ କରିଦେଇ ପାରେ, କୁଷ୍ଠରୋଗୀକୁ ବି । ମୁଁ ଜାଣିଛି କେମିତି ତଲବାର୍ ବୁଲାଇବାକୁ ହେବ, ଆପଣଙ୍କ ଯୁଦ୍ଧ ତାହାର ପ୍ରମାଣ। ମୁଁ କେବଳ ଗୋଟିଏ କଥାରେ ଅଜ୍ଞ ରହିଛି ଏଯାଏଁ,  ଯେତେବେଳେ ମୋତେ ପୁରସ୍କୃତ କରନ୍ତି ସେତେବେଳେ କେମିତି ଆପଣଙ୍କୁ ଧନ୍ୟବାଦ ଜଣାଇବା ଉଚିତ ।"

ରାଜା ତ ସହଜେ କ୍ଳାନ୍ତ ହୋଇଯାଆନ୍ତି ଏଇ ମିତି ଦୀର୍ଘ ବକ୍ତୃତାରେ, ବିଶେଷରେ ବାହାରୁ କିଏ ଜଣେ କହିଲେ, ଏବେ ସ୍ୱସ୍ତି ନିଃଶ୍ୱାସ ମାରି କହିଲେ, "ଏସବୁ ମୁଁ ଭଲ ଜାଣେ । କହୁଥିଲି ସଂପ୍ରତି ନାଇଟିଙ୍ଗେଲ୍ ଗୀତ ଗାଉଛି ଇଂଲଣ୍ଡ ରେ । ବର୍ଷା ଆଉ ବରଫ ପଡିବା ଶେଷ ହୋଇଯାଇଛି, ଦକ୍ଷିଣ ଦେଶରୁ ଫେରିଛି ନାଇଟିଙ୍ଗେଲ୍, ଠିକ୍ ଏତିକି ବେଳେ ଦରବାରରେ ସମସ୍ତଙ୍କ ସାମ୍ନାରେ ସବୁ ଚାରଣ କବିଙ୍କ ଉପସ୍ଥିତିରେ ତୁମକୁ ତୁମର ସ୍ତ୍ରୋତ୍ର ଗୁଡିକୁ ପଢିବାକୁ ପଡିବ। ବର୍ଷଟିଏ ସମୟ ତୁମକୁ ଦେଉଛି । ତୁମେ ତୁମର ପ୍ରତିଟି ଶବ୍ଦ ଭାଷା ପରିମାର୍ଜନ କରିବ । ଆଉ ପୁରସ୍କାର, ଏ ଯାଏଁ ଆମ ରାଜପ୍ରଥା ହିସାବରେ ତୁମେ ଯାହା ଜାଣିଛ ତାହା ଠାରୁ କମ୍ ହେବ ନାହିଁ, ଏପରିକି ତାହା ତୁମର ବିନିଦ୍ର ରଜନୀ ସମୂହକୁ ଆଦୌ ନିରୁତ୍ସାହ କରିବ ନାହିଁ ।"

"ମହାରାଜ, ଆପଣଙ୍କର ଶ୍ରୀମୁଖ ଦେଖିବାଠାରୁ ଅଧିକ ବଡ ପୁରସ୍କାର କିଛି ନାହିଁ" । କବି କହିଲେ । ସେ କବି ବି ଜଣେ ସଭାସଦ । ମୁଣ୍ଡ ତଳକୁ କଲେ, ଉପରକୁ ମୁଣ୍ଡ ଉଠାଇଲେ ଆଉ ସେହି ଫାଙ୍କରେ ଝଲସି ଉଠିଥିଲା ଗୋଟିଏ ଦୁଇଟି ସ୍ତବକ କାବ୍ୟର ।

ବର୍ଷ ଟିଏ ଘୁରି ଆସିଲା, ବର୍ଷଟି ଥିଲା ମହାମାରିର ଆଉ ବିପ୍ଳବର, କବି ତାଙ୍କର ରଚିତ ସ୍ତୋତ୍ର ଉପହାର ଦେଲେ । ପାଣ୍ଡୁଲିପି କୁ ନଦେଖି ଧିରେ ଅଥଚ ମଂଦ୍ରିତ କଂଠରେ କାବ୍ୟପାଠ କଲେ କବି । ମୁଣ୍ଡ ହଲାଇ ସମ୍ମତି ଜଣାଉଥିଲେ ରାଜା ନିଜ ସିଂହାସନରୁ । ତାଙ୍କର ଅଭିବ୍ୟକ୍ତିକୁ ଅନୁକରଣ କରୁଥିଲେ ସମସ୍ତ ସଭାସଦ । ଏପରିକି ଝରକା ବାହାରେ ଜମାହୋଇଥିଲେ ସେତେବେଳେ ଯେଉଁମାନେ ଗୋଟିଏ ବର୍ଣ୍ଣ ନବୁଝିପାରିବା ସତ୍ତ୍ୱେ ବି ସେମାନେ ନିଜନିଜର ମୁଣ୍ଡ ହଲାଇ ସମର୍ଥନ ଜଣାଉଥିଲେ । ଶେଷରେ ରାଜା କହିଥିଲେ।

"ମୁଁ  ତୁମର ପରିଶ୍ରମକୁ ସ୍ୱୀକାର କରୁଛି । ଏହା ଆଉ ଏକ ବିଜୟ । ତୁମେ ପ୍ରତିଟି ଶବ୍ଦର ପ୍ରକୃତ ଅର୍ଥ ଦେଇଛ, ପ୍ରତିଟି ବାସ୍ତବ ଅସ୍ତିତ୍ୱର ବିଶେଷଣକୁ ପ୍ରାଚୀନ କବିଙ୍କ ରୀତି ଅନୁସାରେ ପ୍ରୟୋଗ କରିଛ । ତୁମର ସ୍ତ୍ରୋତ୍ରରେ ଏମିତି କିଛି କଳ୍ପନା ନାହିଁ ଯାହା ଧ୍ରୁପଦୀ ଲେଖକଙ୍କ ଲେଖାରେ ନଥିଲା । ଯୁଦ୍ଧ ହେଉଛି ମଣିଷର ସୁନ୍ଦର ବୁଣାକାରୀ ଟିଏ, ଆଉ ରକ୍ତ ହେଉଛି ତରବାରୀର ପାନୀୟ । ସମୁଦ୍ର ତାହାର ଦେବଦେବୀ ଓ ମେଘମାଳା ତାହାର ଭବିଷ୍ୟ କହିବାରେ ସନ୍ତୁଷ୍ଟ । ସୁଦକ୍ଷ ଭାବରେ ବ୍ୟବହାର କରିଛ ଶ୍ଳୋକ, ଅନୁପ୍ରାସ, ଧ୍ୱନୀସାମ୍ୟ ତାହାର ସାଦୃଶ୍ୟ, ପରିମିତି, ସୁଚାରୁଭାବେ ବ୍ୟବହାର କରିଛ ଅଳଙ୍କାର, ନାନାବିଧ ଚାତୁର୍ଯ୍ୟମୟ ବାକମୟତା । ଯଦି ଆୟାରଲାଣ୍ଡର ସମସ୍ତ ସାହିତ୍ୟ ଧ୍ୱଂସ ହୋଇଯାଏ -ଧ୍ୱଂସ ହେଉ-ତେବେ ତୁମର ଧ୍ରୁପଦୀ ଗୀତରୁ ଏହାର ଅବିକଳ ପୁନର୍ନିମାଣ ସମ୍ଭବ । ତିରିଶ ଜଣ ଲେଖକ ପ୍ରତ୍ୟକେ ବାର ଥର ଲେଖାଏଁ ତମର କାବ୍ୟର ଅନୁଲିପି ପ୍ରସ୍ତୁତ କରିବେ ।"

ସମସ୍ତେ ଚୁପ୍ । ରାଜା କହିଚାଲିଥିଲେ, "ସବୁ ଭଲ, ତେବେ ଯେମିତି କିଛି ବି ଘଟିନାହିଁ । ଆମର ଶିରାଧମନୀରେ ରକ୍ତ ଆଉ ଟିକିଏ ଜୋରରେ ବହୁନାହିଁ । ଆମର ହାତ ଧନୁଶର ଖୋଜୁନାହିଁ । ଭୟରେ କାହାର ମୁହଁ ନୀଳ ପଡିନି । କେହି ଗର୍ଜନ କରୁନି ଯୁଦ୍ଧ ପାଇଁ ଅଥବା ଛାତି ପାତି ଦେଉନାହିଁ କେଉଁ ଭାଇକିଂ ସାମ୍ନାରେ । ବର୍ଷଟିଏ ଶେଷ ହେବା ଆଗରୁ, କବି, ଆମେ ଆଉ ଗୋଟିଏ ପ୍ରଶଂସା ଶୁଣିବାକୁ ଚାହିଁବୁ । ଆମ ସମ୍ମତିର ସୂଚକ ହିସାବରେ ଗ୍ରହଣ କର ଏହି ଦର୍ପଣ, ଦର୍ପଣଟି ରୂପାରେ।

"ଧନ୍ୟବାଦ, ମୁଁ ବୁଝିଲି ମହାରାଜ "କହିଲେ ଚାରଣକବି ।

ଆକାଶରେ ନକ୍ଷତ୍ର ମାନେ ସେମାନଙ୍କର ଉଜ୍ଜଳ କକ୍ଷପଥରେ। ଆଉଥରେ ସାକ୍ସୋନ୍ ଅରଣ୍ୟରେ ନାଇଟିଙ୍ଗେଲ୍ ର ଗୀତ, କବି ଫେରିଆସନ୍ତି ହାତରେ ତାଙ୍କର ସଦ୍ୟ ପାଣ୍ଡୁଲିପି, ସଦ୍ୟ ପାଣ୍ଡୁଲିପିଟି ପୂର୍ବ ଅପେକ୍ଷା ଆକାରରେ ଛୋଟ । ସ୍ମୃତିରୁ ଗାଇଯାଉ ନଥିଲେ କବି ଆଗ ଭଳି, ପାଣ୍ଡୁଲିପି ଦେଖିଦେଖି ପଢୁଥିଲେ, ଅନେକ ପରିମାଣରେ ଦ୍ୱିଧାଗ୍ରସ୍ତ ଥିଲେ କବି ଏଥର। କେତୋଟି ଅନୁଚ୍ଛେଦକୁ ସେ ବାଦ୍ ଦେଇଥିଲେ ସେଥିରୁ, ଯେମିତି ସେ ଏଗୁଡିକୁ ବୁଝିପାରି ନାହାଁନ୍ତି ବା ସେଗୁଡିକୁ ଅପବିତ୍ର କରିବାକୁ ଚାହୁଁ ନାହାଁନ୍ତି । କାବ୍ୟଟି ବିସ୍ମୟକର ଥିଲା । ଏଥିରେ ଯୁଦ୍ଧର ବର୍ଣ୍ଣନା ନ ଥିଲା, ଏହାହିଁ ଥିଲା ଏକ ଯୁଦ୍ଧ । ଏଇ ଯୁଦ୍ଧ ଭଳି କୋଳାହଳ ଜଣେ ଭିନ୍ନ ଦେବତାର ସଂଗ୍ରାମ । ଗୋଟିଏ ପଟରେ ତିନିଜଣ, ଆର ପଟରେ ଜଣେ, ଆୟାରଲାଣ୍ଡର ତଳସ୍ତରର ଧର୍ମୀୟ ଦେବତା, ଏଲଡର୍ ଏଡା ଆରମ୍ଭ ହେବା ପରେ ଶହ ଶହ ବର୍ଷ ଧରି ଯେଉଁମାନେ ଯୁଦ୍ଧ ଚଳାଇ ଯାଇଛନ୍ତି । କାବ୍ୟର ଆଙ୍ଗିକଟି ମୋଟେ ଅଦ୍ଭୁତ ନ ଥିଲା । ଏକ ବଚନ ବିଶେଷ୍ୟଟି ବହୁବଚନର କ୍ରିୟାପଦକୁ ପରିଚାଳନା କରୁଥିଲା । ପଦାନ୍ୱୟୀ ଅବ୍ୟୟଟି ସାଧାରଣ ପ୍ରଥା ଠାରୁ ଭିନ୍ନ ଥିଲା, ଯେମିତି ଅଜଣା। ଯାବତୀୟ କର୍କଶତା ବଦଳି ଯାଇଛି ମଧୁରତାରେ । ରୂପକ ଗୁଡିକ ମୁକ୍ତ ବା ମନେ ହେଉଥିଲା ଯେମିତି ସେମାନେ ମୁକ୍ତ ।

ରାଜା ନିଜ ଚାରିପଟରେ ବେଢି ରହିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ କିଛି କଥା ବିନିମୟ କଲେ । ତାହାପରେ ଚାରଣ କବିଙ୍କୁ କହିଥିଲେ, "ତୁମର ପ୍ରଥମ କାବ୍ୟ ସଂପର୍କରେ ଏତିକି କୁହାଯାଇ ପାରିବ ଯେ ଏ ଯାଏଁ ଆୟାରଲାଣ୍ଡରେ ଯାହା ଲେଖାହୋଇ ରହିଛି ଏହା ସେସବୁର ଏକ ସଂକ୍ଷିପ୍ତ ସାର । ଏହା ସେସବୁ ଠାରୁ ଭିନ୍ନ ,ଯେମିତି ଆଗରୁ ଯାହା ଘଟିଯାଇଛି ତାହା ତୁଳନାରେ କିଛି ନୁହେଁ ହୋଇ ବାହାରି ଆସିଛି ଏଇଟି । ସ୍ତଂଭିତ କରୁଛି, ଦୃଷ୍ଟି ଆକର୍ଷଣ କରୁଛି, ବିସ୍ମୟକାରୀ । ଅଜ୍ଞାନୀ ମାନେ ଏହାର ଯଥାଯୋଗ୍ୟ ମୃଲ୍ୟ ଦେବେନାହିଁ, ସମସ୍ତ ବିଜ୍ଞାନୀ ମାନେ ବି ,ସେମାନଙ୍କ ମଧ୍ୟରୁ ମାତ୍ର କେତେ ଜଣଙ୍କୁ ବାଦ୍ ଦେଇ । ଏହାର ଗୋଟିଏ ଅନୁଲିପି ହାତୀଦାନ୍ତର ଗହଣା-ବାକ୍ସ ରେ ରଖାଯିବ । ଆଉ ଯେଉଁ କଲମରୁ ଏହି ମହାନ କର୍ମଟି ବିରଚିତ ସେଥିରୁ ଅଧିକ ଉଚ୍ଚମାନର ମହିମାମଂଡିତ ସୃଜନକର୍ମ ର ଆଶା ଓ ଅପେକ୍ଷା ରଖୁଛୁ।"ସ୍ମିତ ହାସ୍ୟ ଖେଳାଇ ରାଜା ପୁଣି କହିଥିଲେ,"ଆମେମାନେ ହେଲୁ ଉପକଥାର ମଣିଷ।ସ୍ମରଣ କରିବା ଶ୍ରେୟସ୍କର ଯେ ଭଲ ଉପକଥା କୁ ତିନୋଟି ସଂଖ୍ୟା ପ୍ରଭାବିତ କରିଥାଆନ୍ତି।"

"ଡାହାଣୀର ତିନୋଟି ଉପହାର,ତ୍ରୟୀ,ଆଉ ପ୍ରଶ୍ନାତୀତ ଟ୍ରିନିଟି(ପିତା,ପୁତ୍ର ଓ ପବିତ୍ର ଆତ୍ମା,ଖ୍ରୀଷ୍ଟାନ୍ ଙ୍କ ଟ୍ରିନିଟି)",ସାହସ ବାନ୍ଧି କହିଥିଲେ କବି ଜଣକ ଆସ୍ତେ।

ରାଜା କହିଲେ,"ଆମର ସ୍ୱୀକୃତି ସ୍ୱରୂପ ଏହି ସ୍ମାରକୀଟି ପ୍ରଦାନ କରାଯାଉଛି,ନିଅ,ଏହା ସୁନାରେ ତିଆରି ମୁଖାଟିଏ"।

"ଧନ୍ୟବାଦ,ବୁଝିପାରିଲି",କହିଥିଲେ ଚାରଣ କବି।

ବର୍ଷପୂର୍ତ୍ତି ପୁଣି ଲେଉଟି ଆସିଲା।ରାଜପ୍ରାସାଦର ରକ୍ଷୀ ମାନେ ଦେଖିଲେ କବି ସାଥିରେ ଆଣି ନାହାଁନ୍ତି କୌଣସି ପାଣ୍ଡୁଲିପି।ରାଜା ବିସ୍ମିତ।ଚାରଣ କବି ଭିନ୍ନ ମଣିଷ ଟିଏ।ସମୟ ବ୍ୟତୀତ ଅନ୍ୟ କିଛି ତାହାର ଛାପ ଯେମିତି ଛାଡିଯାଇଛି ତାଙ୍କ ଉପରେ,ଢେର୍ ବଦଳି ଯାଇଛି ତାଙ୍କର ବୈଶିଷ୍ଟ୍ୟ।ତାଙ୍କର ଆଖି ଦୁଇଟି ଯେମିତି କେଉଁ ସୁଦୂର ଦିଗବଳୟରେ ନିବଦ୍ଧ ରହିଛି ବା ହୁଏତ ସେ ଅଂଧ।ରାଜାଙ୍କ ସହ କିଛି ଏକାନ୍ତ ବାର୍ତ୍ତାଳାପର ଅନୁମତି ପ୍ରାର୍ଥନା କରିଥିଲେ କବି।କ୍ରୀତଦାସମାନେ କକ୍ଷ ପରିତ୍ୟାଗ କରିଥିଲେ।

"ତମେ କ'ଣ ଗୀତ ଲେଖିନ" ,ପଚାରିଲେ ରାଜା।

"ହଁ"କବିଙ୍କ ଉତ୍ତରଟି ବେଶ୍ କରୁଣ।"ତାହା କରିବାରେ ପ୍ରଭୂ ଯୀଶୁଙ୍କ ନିଷେଧ ଅଛି ଯେ!"

"ଆଉ ଥରେ କହି ପାରିବ ?"

"ମୋର ସାହସ ନାହିଁ"

"ତମକୁ ସାହସ ଦେଉଛି,ଯେତିକି ଲୋଡାଯିବ",ରାଜା କହିଲେ।

ଚାରଣ କବି କବିତାଟିକୁ ଆବୃତ୍ତି କଲେ।କବିତାଟି ମାତ୍ର ଗୋଟିଏ ପଂକ୍ତିରେ ଲିଖିତ।

ଉଚ୍ଚଗଳାରେ ନୁହଁ ଖୁବ୍ ଆସ୍ତେ ଆଉଥରେ ପଢିଲେ କବିତାକୁ କବି।ରାଜା ଆଉ କବି ଦୁଇଜଣ ଏହାକୁ ଆସ୍ୱାଦନ କରିଥିଲେ ଯେମିତି ଏଇଟି ଗୋଟିଏ ଗୋପନ ପ୍ରାର୍ଥନା ଅବା ଗୋଟିଏ ଈଶ୍ୱର-ଦ୍ରୋହ।ରାଜା ଯେମିତି କବିଙ୍କ ଭଳି ନିଜର ସଂତ୍ରାସକୁ ଅତିକ୍ରମ କରି ବାହାରି ଆସିଛନ୍ତି।ଉଭୟେ ପରସ୍ପରକୁ ଦେଖିଲେ,ଖୁବ୍ ବିଷନ୍ନ।

ରାଜା କହିଲେ,"ଯୌବନରେ ନୌକାରେ ପାଲଟାଣି ଯାତ୍ରା ଆରମ୍ଭ କରିଥିଲି ସୂର୍ଯ୍ୟାସ୍ତକୁ।ଗୋଟିଏ ଦ୍ୱୀପରେ ଦେଖିଲି ରୂପେଲି ଡାହାଳ କୁକୁର ଦଳ ଦଳ ଯେଉଁମାନେ ଝାଂପି ପଡୁଥିଲେ ସୁନେଲି ଭାଲୁ ମାନଙ୍କ ଉପରକୁ ମରଣ ଭଳି।ଆଉ ଏକ ଦ୍ୱୀପରେ ଆମେ ନିଜକୁ ଭୁଂଜାଉଥିଲୁ ଜାଦୁ ଆପେଲ୍ ର ସୁବାସ।ତୃତୀୟଟିରେ ଦେଖିଲୁ କାନ୍ଥ ନିଆଁର।ସବୁଠାରୁ ଦୂରବର୍ତ୍ତି ଦ୍ୱୀପରେ ଦେଖିଲୁ ଗୋଟିଏ ଅର୍ଦ୍ଧ ବୃତ୍ତାକାର ଝୁଲନ୍ତ ନଈଟିଏ ଆକାଶକୁ ଚିରି ଏପାରି ସେପାରି ଯାହାର ଜଳଧାରାରେ ଚାଲିଛନ୍ତି ମାଛ ଓ ବୋଇତ।ଏଗୁଡିକ ବିସ୍ମୟକର ,ତମ କବିତା ସହ ଏହାର ତୁଳନା ନାହିଁ,ଏହି ସମସ୍ତ ତମର କବିତାରେ ସମାହିତ।କେଉଁ ସମ୍ମୋହନୀ ତମକୁ ଅଯାଚିତ ଅର୍ପଣ କରି ବସିଛି ଏ ସମସ୍ତ ?"

"ଉଷାକାଳରେ ଶବ୍ଦର କିଚିରିମିଚିରିରେ ଉଠି ପଡିବା ପରେ କିଛିହେଲେ ବୁଝିପାରିଲିନାହିଁ"କହିଲେ ଚାରଣ କବି।"ସେଇ ଶବ୍ଦ ସବୁ ଗୋଟିଏ କବିତା।ମନେହେଲା ପାପ କରିଛି,ଏଇ ଗୋଟିକ ପାପ,ସଂଭବତଃ ହୋଲି ଘୋଷ୍ଟ ଏହାକୁ କ୍ଷମା କରିବ ନାହିଁ।"

"ସେହି ଗୋଟିକୁ ଆସ ଆମେ ଦୁଇଜଣ ଭାଗବାଣ୍ଟି ନେବା"ଫିସଫିସ୍ କରି କହିଥିଲେ ରାଜା।"ସୌନ୍ଦର୍ଯ୍ୟକୁ ଜାଣିବା ପାପ।ଏହି ଉପହାରଟି ମଣିଷ ପାଇଁ ନିଷିଦ୍ଧ।ଆମକୁ ଏହାର ଉପଯୁକ୍ତ ପ୍ରାୟଶ୍ଚିତ୍ତ କରିବାକୁ ହେବ।ଆଗରୁ ମୁଁ ତମକୁ ଦେଇଛି ରୂପାର ଦର୍ପଣ ଆଉ ସୁନାର ମୁଖାଟିଏ।ଏଇ ନିଅ ମୋର ତୃତୀୟ ଉପହାର ।ଏଇଟି ମୋର ଶେଷ"।

କବିଙ୍କ ଡାହାଣ ହାତରେ ରାଜା ରଖିଦେଇଥିଲେ ନିଜ ଶାଣରେ ଚକଚକ ଛୁରୀଟିଏ।ତାହାପରେ।

କବିଙ୍କ ବିଷୟରେ ଆମର ସବା ଶେଷ ସଂବାଦ,ରାଜପ୍ରାସାଦ ଛାଡିଲା ପରେ କବି ଆତ୍ମଘାତୀ ହେଲେ ଆଉ ସେଇ ରାଜା ଜଣକ ଯାହାର ସମଗ୍ର ଆୟାରଲାଣ୍ଡ ଥିଲା ଏକଦା ରାଜ୍ୟକ୍ଷେତ୍ର,ତାହା ଚାରିପଟେ ଘୁରିବୁଲୁଥିଲେ ଭିକାରି ଟିଏ ହୋଇ ଆଉ କହିବା ବାହୁଲ୍ୟ କେବେହେଲେ ସେ ଆଉଥରେ ପାଠ କରି ନାହାଁନ୍ତି ସେହି କବିତାଟିକୁ।


Leave a comment