କେମିତି ପାଳନ ହୋଇଥିଲା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ଦିବସ !!

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ ଉତ୍କଳ ଦିବସର ସ୍ମୃତି ଖୋଜିବାକୁ ଆମେ ଚେଷ୍ଟା କରିଛୁ । ବାରିପଦାରୁ ପ୍ରକାଶ ପାଉଥିବା 'ଭଞ୍ଜ ପ୍ରଦୀପ' ପତ୍ରିକାରେ ପ୍ରକାଶିତ ସମ୍ବାଦ ଆଧାରରେ ଆମେ ପ୍ରସ୍ତୁତ କରୁଛୁ ୧୯୩୬, ଏପ୍ରିଲ ୧ ତାରିଖ, ପ୍ରଥମ ଉତ୍କଳ ଦିବସ ପାଳନର ଐତିହାସିକ ଚିତ୍ର ।
ଫଟୋ - ଭଞ୍ଜ ପ୍ରଦୀପ, ଚୈତ୍ର, ୧୯୩୬

୮୫ ବର୍ଷ ତଳେ ଆଜିର ଦିନରେ ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା । ଯଦିଓ ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ଆହୁରି ସମୟ ଲାଗିଲା, ତଥାପି ଅନେକ ଶତାବ୍ଦୀର ରାଜନୈତିକ ଶୋଷଣ ପରେ ଏପ୍ରିଲ ୧, ୧୯୩୬ ଥିଲା ଓଡ଼ିଆ ଜାତି ପାଇଁ ଅସ୍ତିତ୍ଵ ଓ ଅସ୍ମିତାର ଏକ ନୂଆ ମାଇଲଖୁଣ୍ଟ । ୧୯୦୩ରୁ ଗଠିତ ଉତ୍କଳ ସମ୍ମିଳନୀର ନିରବଚ୍ଛିନ୍ନ ଦାବି ଓ ଆନ୍ଦୋଳନ ଏହି ଦିନ ସଫଳ ହୋଇଥିଲା । ତେବେ ୮୫ ବର୍ଷତଳର ସେ ଦିନଟି କେମିତି ଥିଲା ଓଡିଆ ଜାତିର ଜୀବନରେ ? ସେଦିନ ଓଡ଼ିଶା ଓ ଓଡ଼ିଶାବାସୀ କେମିତି ପାଳିଥିଲେ ପ୍ରଥମ ଉତ୍କଳ ଦିବସ ? ଏ ପ୍ରଶ୍ନର ଉତ୍ତର ଆମେ ପାଇବା ସେତେବେଳେ ବାରିପଦାରୁ ପ୍ରକାଶ ପାଉଥିବା “ଭଞ୍ଜ ପ୍ରଦୀପ” ପତ୍ରିକାରେ । ୧୯୩୪ ମସିହାରୁ ଏ ପତ୍ରିକା ପ୍ରକାଶ ପାଉଥିଲା ବାରିପଦାରୁ। ମୟୂରଭଞ୍ଜ ମହାରାଜାଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ଏହି ପତ୍ରିକାର ୧୯୩୬, ଚୈତ୍ର ସଂଖ୍ୟାରେ, ପ୍ରଥମ ଉତ୍କଳଦିବସ ପାଳନର ସବିଶେଷ ସମ୍ବାଦ ବାହାରିଥିଲା । ସେ ସମ୍ବାଦଟି ଇତିହାସ ଦୃଷ୍ଟିରୁ ଆଜୀବ୍ୟ ଗୁରୁତ୍ୱପୂର୍ଣ୍ଣ । ସେତେବେଳେ ଦେଶର ସ୍ଵାଧୀନତା ଆନ୍ଦୋଳନ ଶୀର୍ଷ ସ୍ଥିତିରେ ପହଞ୍ଚିସାରିଥିଲା । ତେବେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଲାଗି ବ୍ରିଟିଶ ସରକାର ପାଖରେ ଦେଶୀୟ ରାଜା ଓ ଉତ୍କଳ ସମ୍ମିଳନୀର କିଛି ନେତା କୃତଜ୍ଞ ରହିଥିଲେ । ସେ କୃତଜ୍ଞତା ସ୍ଵାଭାବିକ । ଓଡ଼ିଶା ଲାଗି ନିଜ ଅସ୍ମିତାର ଲଢେଇ ସ୍ଵାଧୀନତା ଆଂଦୋଳନର ସମାନ୍ତରାଳରେ ଇ ଚାଲିଥିଲା । ତେବେ “ଓଡିଶା ପ୍ରଦେଶର ଅୟମାରମ୍ଭ” ଶୀର୍ଷକରେ ପ୍ରକାଶିତ  ଖବରଟିକୁ ପଢାଯାଉ - 

 “୧୯୩୬ ମସିହା ଏପ୍ରିଲ ପହିଲା ତାରିଖ ଓଡିଶା ଇତିହାସରେ ଏକ ସ୍ମରଣୀୟ ଦିବସ । କାରଣ ଏପ୍ରିଲ ପହିଲାଠାରୁ ଏହା ଭାରତ ସାମ୍ରାଜ୍ୟ ଭିତରେ ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ପରିଗଣିତ ହେଲା । ନୂଆ ପ୍ରଦେଶର ଲାଟ୍ ସର୍ ଜନ୍ ଅଷ୍ଟେନ୍ ହବାକ୍ ତାଙ୍କ ସହଧର୍ମିଣୀଙ୍କ ସହିତ ସ୍ପେଶାଲ ଟ୍ରେନ ଯୋଗେ ପ୍ରତ୍ୟୁଷରେ କଟକ ଷ୍ଟେସନଠାରେ ପହଞ୍ଚିଥିଲେ । ଭାରତୀୟ ସିପାହୀମାନଙ୍କର ଗାର୍ଡ ଅଫ ଅନର ପରିଦର୍ଶନ ଏବଂ ସତର ଗୋଟି ତୋପ ସଲାମୀ ପ୍ରଭୃତି ବିଧିବଦ୍ଧ ଅଭିବାଦନ ପରେ ଗଭର୍ଣ୍ଣର ମହୋଦୟ ରେଭେନ୍ସା କଲେଜ ଅଭିମୁଖରେ ଯାତ୍ରା କରିଥିଲେ । ସେଠାରେ ଓଡ଼ିଶାର ଉଚ୍ଚବଂଶୀୟ ଜମିଦାର, ବିଶିଷ୍ଟ କର୍ମଚାରୀ ଏବଂ ସାଧାରଣଙ୍କ ଉପସ୍ଥିତିରେ ଏକ ଦରବାର ଅନୁଷ୍ଠିତ ହୋଇଥିଲା ଏବଂ ଗଭର୍ଣ୍ଣର ମହୋଦୟ ରାଜଭକ୍ତି ଓ କାର୍ଯ୍ୟଭାର ଗ୍ରହଣ ସୂଚକ ଶପଥ ପ୍ରଧାନ ବିଚାରପତିଙ୍କ କର୍ତ୍ତୃକ ଗ୍ରହଣ କରିଥିଲେ । ମହାମହିମ ଭାରତ ସମ୍ରାଟ ନୂତନ ଓଡ଼ିଶା ପ୍ରଦେଶ ପ୍ରତି ଶୁଭ ଇଚ୍ଛା ଓ ଅଭିନନ୍ଦନ ଜଣାଇ ବଡଲାଟଙ୍କ ନିକଟ ଯେଉଁ ବାର୍ତ୍ତା ପ୍ରେରଣ କରିଥିଲେ, ସର୍ ଜନ୍ ହବାକ୍ ତାହା ଦରବାରରେ ପାଠ କରିଥିଲେ । ମହାମହିମ ସମ୍ରାଟଙ୍କ ବାର୍ତ୍ତାର ମର୍ମ ଏହି ଯେ ତାଙ୍କ ଶାସନକାଳରେ ଏକ ସର୍ବପ୍ରଥମ କାର୍ଯ୍ୟରୂପେ ଗତବର୍ଷର ଭାରତ ସରକାରଙ୍କ ଆଇନ (Government of India Act) ଅନୁଯାୟୀ ଓଡ଼ିଶାକୁ ଏକ ପୃଥକ ପ୍ରଦେଶରୂପେ ସୃଷ୍ଟି କରିବାର ଅନୁମତି ଦେଇ ସେ ଅତ୍ୟନ୍ତ ଆନନ୍ଦିତ ହୋଇଅଛନ୍ତି ।“ ମୋହର ବଡଲାଟ ଏବଂ ଓଡିଶାର ପ୍ରଥମ ଲାଟଙ୍କ ଜରିଆରେ ମୁଁ ଓଡ଼ିଶା ପ୍ରଦେଶକୁ ଏହି ଅଭିନନ୍ଦନ ବାର୍ତ୍ତା ଜଣାଉଅଛି । ଅନ୍ୟାନ୍ୟ ଶାସନ ସହିତ ଶତାବ୍ଦୀବ୍ୟାପୀ ପରାଧୀନତା ପରେ ପୁନର୍ମିଳିତ ହେବାପାଇଁ ଓଡ଼ିଆ ଲୋକଙ୍କର ଯେ ଦୀର୍ଘକାଳ ପୋଷିତ ଏବଂ ସ୍ଵାଭାବିକ ଅଭିଳାଷ ରହିଥିଲା, ତାହା ଆଜି ପରିପୂର୍ଣ୍ଣ ହେଲା । ଏହି ନୂତନ ପ୍ରଦେଶ ସ୍ଵୀୟ ଅତୀତରୁ ଉତ୍ସାହ ଉଦ୍ଦୀପନା ଆହରଣ କରି ପବିତ୍ର ଉତ୍କଳଭୂମିର ଐତିହାସିକ ଖ୍ୟାତିର ଉପଯୁକ୍ତ ବୋଲି ନିଜକୁ ପ୍ରମାଣିତ କରୁ, ଏହାହିଁ ମୋର ଆଶା ଓ ଆକାଂକ୍ଷା । ମୁଁ ଓଡ଼ିଶାବାସୀ ମୋର ସମଗ୍ର ପ୍ରଜାବର୍ଗର ସୁଖ ଏବଂ ସମୃଦ୍ଧି ପାଇଁ ସେମାନଙ୍କୁ ନିଜର ଆନ୍ତରିକ ବାଞ୍ଛା ଜଣାଉଛି ।

ଓଡ଼ିଶାର ପାଞ୍ଚଗୋଟି ସାଧାରଣ ଅନୁଷ୍ଠାନ ନୂତନ ଗଭର୍ଣ୍ଣରଙ୍କୁ ଏକ ଯୁକ୍ତ ଅଭିନନ୍ଦନ ପତ୍ର ଭେଟିଥିଲେ ଏବଂ ଯଥାଯଥ ଭାବରେ ସେ ତାହାର ଉତ୍ତର ପ୍ରଦାନ କରିଥିଲେ ।

ଏପ୍ରିଲ ପହିଲା ତାରିଖର ସମ୍ପାଦକୀୟରେ କଲିକତାର ବିଖ୍ୟାତ ସଂବାଦପତ୍ର “ଷ୍ଟେଟ୍ସମ୍ୟାନ” ନୂତନ ପ୍ରଦେଶକୁ ଆନ୍ତରିକ ଅଭିନନ୍ଦନ ଜଣାଇ ଲେଖିଛନ୍ତି - “ଓଡିଶା ଏକ ବୈଚିତ୍ର୍ୟମାୟା ଦେଶ-ପାହାଡ, ଜଙ୍ଗଲ ଓ ସମଭୂମି, ଅତି ପ୍ରାଚୀନ ଧର୍ମମତ ଉପରେ ପ୍ରତିଷ୍ଠିତ ଏକ ସ୍ଵତନ୍ତ୍ର ସଂସ୍କୃତି ଓ ଆଦର୍ଶ; ଅନେକଗୁଡିଏ ଦେଶୀୟ ରାଜ୍ୟ ।”

ଏହି ଖବରଟି ଆଜିର ତାରିଖରେ ଉପନିବେଶବାଦୀ ମାନସିକତାର ପ୍ରତିଫଳନ ବୋଲି କେହି କେହି କହିପାରନ୍ତି । ତେବେ ତାହା ହିଁ ଥିଲା ସେତେବେଳର ବାସ୍ତବତା । ଦେଶର ସ୍ଵାଧୀନତା ଆନ୍ଦୋଳନ ଯେତିକି ଜରୁରୀ ଥିଲା ତାରି ଭିତରେ ଓଡ଼ିଶାର ରାଜନୈତିକ ପରିଚୟ ତିଆରି ମଧ୍ୟ ସେତିକି ଅପରିହାର୍ଯ୍ୟ ଥିଲା । ବାସ୍ତବରେ ଓଡ଼ିଶାବାସୀଙ୍କ ଲାଗି ତାହା ଥିଲା ପ୍ରଥମ ସ୍ଵାଧୀନତା ଦିବସ । 

Leave a comment