ମୋକ୍ଷକାମୀ

ତାରକ ମହାନ୍ତି, ଚିତ୍ରକାର ଓ କବି । ତାଙ୍କ କବିତାରେ ଚିତ୍ରର ପ୍ରାଚୁର୍ଯ୍ୟ । ସେ କବିତା ଆଙ୍କନ୍ତି ଓ ଦୃଶ୍ୟମାୟାରେ ମୋହିତ କରାନ୍ତି ।

କେଉଁ ତୀର୍ଥରେ ଅର୍ଥ, କାମ, ମୋକ୍ଷ ମିଳେ

ସେଇଠିକୁ ଯିବି ଏଥର

ଯିବା ଆଗରୁ ଭାଙ୍ଗିଦେବି ଚାଳଘର

ବିକିଦେବି ପୈତୃକ ସମ୍ପତ୍ତି

ଗଡ଼ିଆରେ ଏଣ୍ଡ୍ରିନ ଫିଙ୍ଗି

ନିଜେ ଢୋକେ ପିଇଦେବି, ଦେଖିବ

ଶିଵତାଣ୍ଡଵ, ବାନପ୍ରସ୍ତ, ରଙ୍ଗମହଲ

ସବୁ ଦୃଶ୍ୟ ଗୋଟିଏ ପ୍ରକାର

ରାସ୍ତା ବଙ୍କା, ମଣିଷ ଭିନ୍ନ

ଆତ୍ମା ଏକପ୍ରକାର ସଂଚରୁଥାଏ

ଦହନ ଜ୍ବଳନ ଅନୁଭବର ତୀବ୍ରତା

ଭୂମିକମ୍ପ ହିସାବରେ ହିସାବ କଲେ

କିଏ କେଉଁଠି ଅଛି, କିପରି ଅଛି

କାହାର ତାପମାତ୍ରାରେ ଟାଇଫଏଡ଼

କିଏ ଜୁଝୁଛି କରୋନା ସହ

ବୈଧବ୍ୟ ପଛରେ ଅଛି କେଉଁ କାରଣ!


ଅପରିପ୍ରକାଶ ଘଟଣା ସହ

ନିଜକୁ ଯୋଡି କାହିଁକି କଷ୍ଟ ପାଉଛ!


ପାଗଳଟିଏ କିଛି ବି କହିପାରେ

ସେମିତି ଶୁଣିପାରେ ଶୃତିକଟୁ ବାକ୍ୟ

ତୁମେ ପାଗଳ ନହେଲେ କେମିତି ବୁଝିବ

ମୁଠେ ପଖାଳ ପାଇଁ ଚାଉଳ, ପାଣି ଓ ନିଆଁ

ନିଜ ଭିତରେ କେତେ ସମୟ କଥା ହୁଅନ୍ତି

ପେଜ ପତଳା କି ବହଳ ରହିବ 

ସେକଥା ସମୟ କହିବ

କିନ୍ତୁ ସବୁ ପ୍ରଶ୍ନରେ ରହିହୁଏ କି ନିରୁତ୍ତର!


ଯଦା ଯଦାହି ଧର୍ମସ୍ୟ..ହୋଇପାରେ

ସତ୍ୟ, ସନାତନ ଅବା ଚିରନ୍ତନ

ସେଯାଏ ଅପେକ୍ଷାର କଠୋର ମୁହୂର୍ତ୍ତ

ଗଭୀର ତପସ୍ୟା ଗିରିଶୃଙ୍ଗ ଟପିପାରେ

ଲୋହିତ ଗ୍ରହର ସ୍ବପ୍ନମାନେ ବିଳି ବିଳି ହୋଇ

ହୋଇପାରନ୍ତି ଭିନ୍ନ ଜଗତର ଭବିଷ୍ୟତ

କେତେକ୍ଷଣର ଆଣ୍ଟ ଯେ, ଉଦ୍ଧତ ଉଚ୍ଚାରଣ,

ଆଚରଣ ଓ ଆସ୍ପର୍ଦ୍ଧା ସହ ଘମାଘୋଟ ଯୁଦ୍ଧ।


କ୍ଷମାରେ ବଶୀଭୂତ ଜଗତ ନ୍ୟାୟରେ

ପବନକୁ ଦଣ୍ଡବତ କରି କଣ ଭାସିହୁଏ!

ଉଡ଼ିହୁଏ ବିନା ଡେଣାରେ ସାରା ସଂସାର

ନିୟତି ନିର୍ଦ୍ଦେଶ ବିନା ପତ୍ର ହଲିପାରେନା

ଏହା ତୁମେମାନେ ଜାଣିଥିବ ନିଶ୍ଚୟ

ଏବେ କର୍ମଯୋଗର କେଉଁ ପୃଷ୍ଠା ଖୋଲି

ପାଦର ଶିକୁଳି ଖୋଲି ବେଡିକୁ ନା କହି

ଆଗକୁ ଆଗକୁ କେତେ ଆଗକୁ ଯିବ!


ରହସ୍ୟମୟ ଫଳଗଛରେ ଅତୀତ

ଝୁଲିବ କି ଖସିପଡିବ ସେକଥା ଶୁଣ

ରହସ୍ୟମୟ ଫଳଗଛରେ ଝୁଲୁଛି

ପିଲାଦିନର ସିଲଟ, ଖଡ଼ି ଓ ପେଁକାଳି

ନଡ଼ିଆ ବାହୁଙ୍ଗାରେ ହନୁ ହୁ ହୁ

ହଳୁଆପାଞ୍ଚଣ ଖଣ୍ଡି ନାହିଁ ଯେ ଉଞ୍ଚେଇବ

ନା ପାଇପାରିବ ଲେମନଚୁସ ସ୍ୱାଦ

ଯିଏ ଯେଉଁଠି ଥାକିଲା ଥାଉ ଏଥର।

Leave a comment