ମୂଲ୍ୟ

ମୋ ଆର୍ତ୍ତନାଦରେ ଥରିଗଲା ସମଗ୍ର ବିଶ୍ୱ । ମୁଁ ଅଗ୍ନିରୁ ବାହାରି ଆସି ଆହୁରି ଉଜ୍ଜଳ ଦିଶିଲି । ଇତିହାସ ଏ ସବୁର ମୂକସାକ୍ଷୀ ! ବାସ୍ ଏବେ ଖାଲି ମୁଁ ହସିଦେଲି ସେଇ ଓଢଣା ତଳୁ । ଅନେକବେଳେ ନିଜକୁ ନିଜ ଭିତରେ ତ ମାରିବାକୁ ହୁଏ, ଆହୁରି ଶକ୍ତ ହୋଇ ଜନ୍ମ ନେବାକୁ । ଏତକ ମୁଁ ଏବେ ବୁଝି ଯାଇଥିଲି ।

ସେ ପଚାରିଲା ମୋ ଜାତି, ଧର୍ମ, ଶିକ୍ଷା ପରିବାର, ବାପା ଭାଇଙ୍କ ରୋଜଗାର, ପ୍ରତିପତ୍ତି ଓ ପ୍ରତିଷ୍ଠାର କଥା । ସେଇ ଅନୁଯାୟୀ ମୋର ମୂଲ୍ୟ କରାଗଲା । ମାର୍କସିଟ ଧରି ବସିଥିଲେ ସେମାନେ । କେତେ ପର୍ସେନ୍ଟେଜ ରହିଛି ? ରୋଷେଇ ସାରି, ଛୁଆ ପାଇଁ ରାତି ଅନିଦ୍ରା ରହି ବି ସକାଳୁ ଅଫିସ ଯାଇ ପାରିବି କି ନାହିଁ  ? ମାସ ଶେଷରେ ବିନା ପ୍ରତିବାଦରେ ବେକାର ସ୍ୱାମୀ ହାତକୁ ବଢ଼ାଇପାରୁଥିବ କି ନାହିଁ ନିଜ ଦରମା । ବୋଉ ଶେଷରେ ମୋ କାନେ କାନେ ଶିଖାଇଲା ସଣ୍ଠଣା । ପ୍ରଶ୍ନ କଲେ ଉତ୍ତର ଫେରାଇବୁନି । ମୁଣ୍ଡ ପାତି ଦେବୁ । ପଥର ପରି ନିଥର ରହିବୁ । ସହିଯିବୁ ସବୁକଥା ଛାତି ପାତି । ନାଆ ହଲିବ ଚହଲିବ କିନ୍ତୁ ତୁ ଧୈର୍ଯ୍ୟ ଧରିବୁ । ମନେ ରଖ, ମଙ୍ଗ କେବେ ବି ଛାଡ଼ିବୁନି । ତେବେ ଯାଇ ସଂସାର ତୋର ସଫଳ ହେବ । 

ମଧୁଶଯ୍ୟାରେ ସେ ପଚାରିଲେ - କିଏ ଥିଲା କି ତୁମ ଜୀବନରେ ? ତୁମେ ଅକ୍ଷତ ତ ? ମୁଁ ନୀରବ ରହିଲି । କେବେଠୁ ପ୍ରେମିକ ତା ହୃଦୟ ଫେରାଇ ନେଇଥିଲା । କେଉଁଦିନ କଥାରେ କଥାରେ ଗୋଟିଏ ପୁଅର ନାଁ ଅନ୍ୟମନସ୍କତାରେ ମୋ ଓଠରୁ ବାହାରି ଯାଇଥିଲା । ମୋତେ ବିବାକ କରି ସେଦିନ ମଧୁଶଯ୍ୟାରୁ ସ୍ୱାମୀ ନାକ ଟେକି ଚାଲିଗଲେ, ବିବାହ ପୂର୍ବରୁ ମୁଁ କାଳେ ଭୋଗ୍ୟା ! ନିଜକୁ ଲୁଚାଇ ଦେଇ ଓଢଣା ତଳେ ଖୋଜିଲି ନିଜକୁ….. 

ଗାଁର ପାଞ୍ଚମାଣ ଜମିରୁ କିଛି ଖର୍ଚ୍ଚ ହେଲା ପଢ଼ାରେ, କିଛି ଚାକିରୀ ପାଇଁ,  କିଛି ବିବାହରେ । ଏବେ ନିଜ ଜମିରେ ବାପା ନିଜେ ଖଟନ୍ତି ଦିନ ମଜୁରିଆ ହୋଇ । ଚାକିରୀରେ ଦିନେ ବସ୍ ଙ୍କର ଶିକାର ହେଉ ହେଉ ବଂଚିଗଲି ସିନା, ହେଲେ ରାସ୍ତାରେ ଆସୁଥିବାବେଳେ ସ୍କୁଟିକୁ ପଙ୍କଚର କରି ଟେକିନେଲେ ଦଳେ ମାତାଲ ଭୁଲିଗଲେ ସବୁ ମଣିଷପଣିଆ । ମୁଁ ନିଜକୁ ଖୋଜିଲି ହାଟରେ ବାଟରେ, ରାସ୍ତାରେ, ଘାଟରେ, ମନ୍ଦିରରେ, ପୁରାଣ ଗ୍ରନ୍ଥର ପ୍ରତିଟି ପୃଷ୍ଠାରେ । ଭୋଗିଲି ଅନେକ ଦୃଶ୍ୟ ! ଛାତିରେ କୋହ ମନରେ ଅଭିମାନ ଧରି ମାଟିକୁ ଫାଟି ଯା’ କହିଲି । ଭରା ସଭାରେ ଉର୍ଦ୍ଧ୍ଵକୁ ହାତ ଟେକି ମାଗୁଥିଲି ଶରଣ । ମୃତ୍ୟୁଶଯ୍ୟାରେ ଦେଇଥିବା ବିଶ୍ୱାସର ପ୍ରତିଶ୍ରୁତି ଉପରେ ଠିଆ ହୋଇଥିଲା ନିର୍ମମ ଅବିଶ୍ୱାସର ଅମର ପ୍ରେମ ସ୍ମାରକୀ । 

ଜୋଆନ ମାତ୍ର ଚଉଦ ବର୍ଷର ଝିଅ, ପୋଡ଼ି ଯାଉଥିଲି ଡାହାଣୀର ଅପବାଦରେ । ମୋ ଆର୍ତ୍ତନାଦରେ ଥରିଗଲା ସମଗ୍ର ବିଶ୍ୱ । ମୁଁ ଅଗ୍ନିରୁ ବାହାରି ଆସି ଆହୁରି ଉଜ୍ଜ୍ୱଳ ଦିଶିଲି । ଇତିହାସ ଏ ସବୁର ମୂକସାକ୍ଷୀ ! ବାସ୍ ଏବେ ଖାଲି ମୁଁ ହସିଦେଲି ସେଇ ଓଢଣା ତଳୁ । ଅନେକବେଳେ ନିଜକୁ ନିଜ ଭିତରେ ତ ମାରିବାକୁ ହୁଏ, ଆହୁରି ଶକ୍ତ ହୋଇ ଜନ୍ମ ନେବାକୁ । ଏତକ ମୁଁ ଏବେ ବୁଝି ଯାଇଥିଲି ।


Leave a comment