ନାର୍ସିସସ, ନିଜକୁ ଭଲପାଇବାର ହିସାବ ନିକାଶ

ନାର୍ସିସସ୍ ମୃତ୍ୟୁ ପରେ ଶେଷକୁ ଫୁଲକୁ ରୂପାନ୍ତରିତ ହେଇଯାଇଛନ୍ତି । ଓଭିଡ୍ ତାଙ୍କ କବିତାରେ ନାର୍ସିସସଙ୍କୁ ଫୁଲରେ ରୂପାନ୍ତରିତ କରିବା ଆଗରୁ ନାର୍ସିସସ୍ ନିଜକୁ ଅଜାଣତରେ ତାଙ୍କ ପ୍ରେମାସ୍ପଦ ଭାବରେ ରୂପାନ୍ତରିତ କରିସାରିଥିଲେ । ନିଜକୁ ରୂପାନ୍ତରିତ କରିବା ତ କବିକର୍ମ ।

ମୁଁ ଖୁବ୍ କମ୍ ଆଇନା ଦେଖେ । ଏମିତିବି କେବେ କେବେ ଏକାଦିକ୍ରମେ ଅନେକ ଦିନ ଧରି ଦେଖେନି ବି । ସେଲ୍ ଫୋନ୍ ରେ ସେଲଫି ବି ପ୍ରାୟ ଉଠାଏନି । କାରଣଟି ହେଲା ମୋତେ ମୋ ମୁହଁ ଦେଖିବାକୁ ଆଦୌ ଭଲ ଲାଗେନି । ଆଇନାରେ ନିଜର ପ୍ରତିବିମ୍ବକୁ ଦେଖିବାକୁ ଭୟ କରୁଥିବା ଅବସ୍ଥାକୁ Eisoptrophobia କୁହାଯାଏ । ମୋର ଅବଶ୍ୟ ଆଇନା ପ୍ରତି ଭୟ ନାହିଁ । ପ୍ରକୃତ କଥା ହେଲା, ମୋ ମୁହଁରେ ଥିବା ଡ୍ରଇଂର ଗଡ଼ବଡ଼ିକୁ ମୁଁ ଭଲରେ ଜାଣିଛି । ମୁହଁଟି ମୋର ପେନସିଲ୍ ରେ ଅଙ୍କା ହେଇଥିଲେ ଡ୍ରଇଂକୁ ସଜାଡ଼ି ନିଶ୍ଚୟ ଠିକ୍ କରିଦେଇଥାନ୍ତି । ଜଣେ ଚିତ୍ରଶିଳ୍ପୀ ଭାବରେ ମୁଁ ମୋ ଜୀବନରେ ମାତ୍ର ଦୁଇ ଚାରିଥର ମୋ ସେଲଫ ପୋଟ୍ରେଟ୍ ଆଙ୍କିଥିବି । ପ୍ରସିଦ୍ଧ ଡଚ୍ ଚିତ୍ରଶିଳ୍ପୀ ରେମ୍ବ୍ରାଁ ତ ତାଙ୍କ ଜୀବନ କାଳରେ ଶହେ ସେଲଫ ପୋଟ୍ରେଟ ଆଙ୍କିଥିଲେ ଓ ପ୍ରାୟତଃ ସେଗୁଡିକୁ ଆଇନାକୁ ଅନେଇ ଅନେଇ ହିଁ ଆଙ୍କିଥିଲେ । ବିନା ଆଇନାର ସହଯୋଗରେ ଜଣେ ନିଜକୁ ଆଙ୍କିବ ବା କେମିତି ?

ମୁଁ ଜାଣିନି ମୋ ପରି ଆଉ କିଏ ଏମିତି ନିଜ ଚେହେରାକୁ ଅସୁନ୍ଦର ଭାବୁଥିବ କି ନାହିଁ ? ତେବେ ନିଜ ଚେହେରାକୁ ଭଲପାଉଥିବା ଅନେକ ମଣିଷଙ୍କୁ ମୁଁ ପାଖରୁ ଦେଖିଛି । ବାର ବାର ଆଇନା ଦେଖିବା ଓ ଅଧ ଘଣ୍ଟାରେ ଥରେ ସୋସିଆଲ୍ ମିଡିଆରେ ସେଲଫି ନେଇ ଷ୍ଟାଟସ ଅପଡେଟ୍ କରୁଥିବା ମଣିଷମାନଙ୍କ ସଂଖ୍ୟା ଆଜିକାଲି ଟିକେ ଅଧିକା ବଢ଼ିଗଲା ପରି ଲାଗୁଛି । ନିଜ ଚେହେରାକୁ ଭଲପାଉଥିବା ମଣିଷମାନଙ୍କୁ ନାରସିସିଷ୍ଟ କୁହାଯାଏ ।

ଗ୍ରିକ୍ ମିଥ୍ ର ନାର୍ସିସସ୍ ଙ୍କୁ ଊଣା ଅଧିକେ ଅନେକ ଜାଣନ୍ତି । ନାର୍ସିସସଙ୍କ କାହାଣୀ ରୋମାନ୍ କବି ଓଭିଡଙ୍କ “ମେଟାମର୍ଫସିସ୍” ବହିରେ ରହିଛି । ନାର୍ସିସସ୍ ଙ୍କ ବଡ଼ ଗୁଣ ବା ଅବଗୁଣ ହେଲା ସେ ନିଜ ରୂପର ପ୍ରେମରେ ପଡ଼ିଯାଇଥିଲେ । ନାର୍ସିସସଙ୍କ ଜନ୍ମ ପରେ ତାଙ୍କ ମା’ ନଦୀ ଦେବୀ ନେମିସିସଙ୍କୁ ଜଣେ କହିଥିଲେ ଯେ, ପୁଅ ତାଙ୍କର ଯଦି ନିଜକୁ ଆବିଷ୍କାର ନକରେ ତେବେ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିବ । ନାର୍ସିସସ୍ ଏତେ ସୁନ୍ଦର ଓ ଆକର୍ଷଣୀୟ ଥିଲେ ଯେ ଉଭୟେ ପୁରୁଷ ଓ ନାରୀ ତାଙ୍କ ପ୍ରତି ଆକର୍ଷିତ ହୋଇଯାଉଥିଲେ । ବଡ଼ ହେଲା ପରେ ଏକଦା ଜଙ୍ଗଲ ଭିତରେ ଯାଉଥିବା ବେଳେ ସୁନ୍ଦରୀ ଇକୋ, ନାର୍ସିସସଙ୍କ ପ୍ରତି ପ୍ରଲୁବ୍ଧ ହୋଇ ତାଙ୍କୁ ଅନୁଧାବନ କଲେ । ତାଙ୍କୁ କେହି ଜଣେ ଅନୁଧାବନ କରୁଛି ଜାଣିପାରି ନାର୍ସିସସ୍ ପ୍ରଶ୍ନ କଲେ - କିଏ ସେଠି ? ନିଜକୁ ଲୁଚାଇ ରଖି ଇକୋ ସମାନ କଥା କହିଲେ – କିଏ ସେଠି ? ତାପରେ ଇକୋ ନିଜକୁ ପ୍ରକଟ କରି ନାର୍ସିସସଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟତ ହେଲେ । ନାର୍ସିସସଙ୍କର କିନ୍ତୁ ସୁନ୍ଦରୀ ଇକୋଙ୍କ ପ୍ରତି କୌଣସି ଅନୁରାଗ ଜାତ ହୋଇନଥିଲା । ପରେ ଦେବୀ ନେମେସିସଙ୍କ କଥା ମାନି ନାର୍ସିସସ୍ ଝରଣା ଜଳରେ ନିଜର ପ୍ରତିବିମ୍ବ ଦେଖିଥିଲେ ଓ ଆପଣା ରୂପର ମାୟାରେ ପଡିଯାଇଥିଲେ । ଜଳରେ ଦୃଶ୍ୟମାନ ଆପଣା ପ୍ରତିବିମ୍ବକୁ ପ୍ରେମାସ୍ପଦ ଭାବି ଧରିବାକୁ ଗଲାବେଳେ ତାହା ଚହଲି ଯାଉଥିଲା ଓ ବାରବାର ନିରାଶ ହେଉଥିଲେ ସେ । ତାପରେ ନାର୍ସିସସଙ୍କ ମୃତ୍ୟୁ ଓ ମୃତ୍ୟୁ ପରେ ସେ କେମିତି ଫୁଲ ହେଲେ ସେ ଫୁଲର ନାମ ନାର୍ସିସସ୍ ଫୁଲ ହେଲା, ସେସବୁ ବୃତ୍ତାନ୍ତ ଗ୍ରୀକ୍ ମିଥ୍ ର ବହୁ ଆଲୋଚିତ ପ୍ରସଙ୍ଗ ହୋଇ ରହିଛି । ନାର୍ସିସସ୍ ଅବଶେଷରେ ଫୁଲ ହେଲା ପରି ଇକୋ ଦେବୀ ମଧ୍ୟ ଶେଷକୁ କେବଳ ପ୍ରତିଧ୍ୱନୀ ହୋଇ ରହିଯାଇଥିଲେ ।

ସେଇ ଦିନରୁ ନିଜକୁ ଅଧିକ ଭଲପାଉଥିବା ମଣିଷମାନଙ୍କୁ ନାର୍ସିସିଷ୍ଟ କୁହାଗଲା । ଏପରି ମନୋଭାବକୁ ମନୋବିଜ୍ଞାନରେ ନାର୍ସିସିଷ୍ଟ ପରସନାଲିଟି ଡିସଅର୍ଡର୍ ବୋଲି କୁହାଯାଏ । ଏପରି ଲୋକମାନଙ୍କର ଅନ୍ୟମାନଙ୍କ ପ୍ରତି ସହାନୁଭୂତି କମ୍ ଥାଏ । ସେମାନେ ଅନ୍ୟମାନଙ୍କ ପାଖରେ ନିଜର ଅସ୍ତିତ୍ୱ ସବୁବେଳେ ଜାହିର କରିବାକୁ ଚାହିଁ ଥାଆନ୍ତି । ଅନ୍ୟ ସାଙ୍ଗରେ ସମ୍ପର୍କ ତିଆରି କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି । କିନ୍ତୁ ସବୁବେଳେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥା’ନ୍ତି । ହାଭେଲକ୍ ଏଲିସ୍ ନାମକ ଜଣେ ବ୍ରିଟିଶ୍ ଯୌନବିଶେଷଜ୍ଞ ମାତ୍ରାଧିକ ହସ୍ତମୈଥୁନକାରୀଙ୍କୁ ‘ନାର୍ସିସସ୍ ଲାଇକ୍’ ବୋଲି କହିଥିଲେ । ୧୯୧୧ ରେ Paul Nacke ପ୍ରଥମ କରି ନାର୍ସିସିଜିମ୍ ଶବ୍ଦଟି ବ୍ୟବହାର କରିଥିଲେ । ନାର୍ସିସିଜିମ୍ କୁ ନେଇ ପ୍ରଥମ ମନୋବୈଜ୍ଞାନିକ ବିଶ୍ଳେଷଣ ଲେଖା ୧୯୧୧ ରେ ଓତୋରାଙ୍କ ଦ୍ୱାରା ପ୍ରକାଶିତ ହେଲା । ୧୯୧୪ରେ ତାଙ୍କର ଏକ ଲେଖାରେ ସିଗମଣ୍ଡ ଫ୍ରଏଡ୍ ଏ ବିଷୟରେ ବିଷଦ ଭାବରେ ଆଲୋଚନା କଲେ ।

ଗଲା ଦୁଇ ହଜାର ବର୍ଷ ଧରି ନାର୍ସିସସ୍ ଚରିତ୍ର ଲେଖକ ଓ ଚିତ୍ରଶିଳ୍ପୀ ମାନଙ୍କୁ ପ୍ରେରଣା ଦେଇ ଆସିଛି । ଏମିତିକି ଓଭିଡଙ୍କ ଆଗରୁ ମଧ୍ୟ ଏହାର ଉଲ୍ଲେଖ ରହିଛି । ନାର୍ସିସିସଙ୍କୁ ନେଇ ସାହିତ୍ୟ ରଚନା କରାଯାଇଛି, ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ସଙ୍ଗୀତ ସୃଷ୍ଟି କରାଯାଇଛି, ପ୍ରଚୁର ଛବି ଅଙ୍କା ଯାଇଛି ଓ ଭାସ୍କର୍ଯ୍ୟ ମଧ୍ୟ ଗଢ଼ା ଯାଇଛି ।

Caravaggio, Poussin,  Turner, Carpioni, Lagrenee, Roos Dubois, Henri-Leon Greber, Benvenuto Cellini, Hubert Netzes ଆଦି ଶିଳ୍ପୀମାନେ ନାର୍ସିସସଙ୍କୁ ନେଇ ସେମାନଙ୍କର କଳାକୃତି ତିଆରି କରିଛନ୍ତି । ବିଶ୍ୱ ବିଖ୍ୟାତ ସ୍ପେନୀୟ ସରରିଆଲିଷ୍ଟ ଚିତ୍ରଶିଳ୍ପୀ ଦାଲି ୧୯୩୭ରେ ‘ମେଟାମୋର୍ଫସିସ୍ ଅଫ୍ ନାର୍ସିସସ୍’ ଛବିଟି ଆଙ୍କିଥିଲେ। ଛବିଟି ସେଇ ୧୯୩୭ ରେ ପ୍ରଦର୍ଶିତ ମଧ୍ୟ ହୋଇଥିଲା । ଛବିର ପାଖରେ ଦାଲି ଗୋଟେ କବିତା ମଧ୍ୟ ଲେଖି ରଖିଥିଲେ । ଛବିଟି ଏବେ ଲଣ୍ଡନର ଟେଟ୍ ମଡର୍ଣ୍ଣ ଗ୍ୟାଲେରୀରେ ଅଛି । ଦାଲି ଏକଦା ଏଇ ଛବିର ଛାପା ଧରି ମନୋବୈଜ୍ଞାନିକ ସିଗମଣ୍ଡ ଫ୍ରଏଡଙ୍କୁ ୧୯୩୮ରେ ଲଣ୍ଡନରେ ଭେଟିଥିଲେ । ଉଦ୍ଦେଶ୍ୟ ଥିଲା ନାର୍ସିସିଜିମ୍ ର ମନୋବୈଜ୍ଞାନିକ ଦିଗ ବିଷୟରେ ଆଲୋଚନା କରିବେ। ସେତିକିବେଳେ ଦାଲି, ସିଗମଣ୍ଡ ଫ୍ରୟଡଙ୍କର ସ୍କେଚ୍ କରିଥିଲେ ।

୧୫୯୭ ରୁ ୧୫୯୯ ଭିତରେ ଇତାଲୀୟ ଚିତ୍ରଶିଳ୍ପୀ କାରାଭାଜିଓ (Caravaggio) ଓଭିଡଙ୍କ କାହାଣୀକୁ ନେଇ ଛବି କରିଛନ୍ତି । ଛବିରେ ଦୁଇ ହାତକୁ ଭରା ଦେଇ ପାଣି ଭିତରକୁ ଝୁଙ୍କି ପଡିଥିବା ଖୋଦ୍ ନାର୍ସିସସ୍ ଅନ୍ଧାର ଭିତରେ ସ୍ପଷ୍ଟ ଦେଖାଯାଉଥିବା ବେଳେ ପାଣିରେ ତାଙ୍କ ପ୍ରତିବିମ୍ବଟି କିନ୍ତୁ ଅଳ୍ପ ଦୃଶ୍ୟମାନ ।

ନିଓ କ୍ଳାସିକାଲ ବ୍ରିଟିଶ୍ ଚିତ୍ରଶିଳ୍ପୀ ଜନ୍ ଉଇଲିୟମ୍ ୱାଟରହାଉସ୍ ୧୯୦୩ ରେ ‘ଇକୋ ଓ ନାର୍ସିସସ୍’ ନାମରେ ଛବି ଗୋଟେ କରିଥିଲେ । ସେ ମଧ୍ୟ ଓଭିଡଙ୍କ ମେଟାମର୍ଫସିସ୍ କବିତାର ଇକୋ ଓ ନାର୍ସିସସ୍ ବିଷୟକୁ ସିଧାସଳଖ ଆଙ୍କିଛନ୍ତି ।

ରେନେସାଁ ସମୟର ଥିଓରିଷ୍ଟ୍ ବା ତାତ୍ତ୍ୱିକ ଲେଓନ ଆଲର୍ବେଟିଙ୍କ (Leon Battista Alberti) ଅନୁସାରେ ନାର୍ସିସସଙ୍କ ପ୍ରଥମ ଚିତ୍ରକର ବୋଲି ଗ୍ରହଣ କରିବାକୁ ହେବ । ତାଙ୍କ ମତରେ ପାଣି ଉପରେ ଏକ ପ୍ରତିବିମ୍ବ ଦେଖିବା ବା ଦେଖାଇବା ଓ ଚିତ୍ରଶିଳ୍ପୀମାନେ କ୍ୟାନଭାସ୍ ର ପୃଷ୍ଠାରେ ଛବି ଆଙ୍କିବା ଏକା ପ୍ରକାର ପ୍ରକ୍ରିୟାର କଥା । ଶିଳ୍ପୀର ଛବି ମଧ୍ୟ ସେଇମିତି କିଛି ବାସ୍ତବତାର ପ୍ରତିବିମ୍ବ। ନାର୍ସିସସ୍ ବିଷୟକୁ ନେଇ ଅଙ୍କିତ ଛବିରେ ଏକ ସମୟରେ ଦୁଇଟି ପ୍ରତିବିମ୍ବ କଥା ଆସୁଛି । ଚିତ୍ରରେ ନାର୍ସିସସ୍ ଖୋଦ୍ ଏକ ପ୍ରତିବିମ୍ବ ଓ ସେ ପୁଣି ଚିତ୍ର ଭିତରେ ତା’ର ଆଉ ଏକ ପ୍ରତିବିମ୍ବକୁ ଦେଖୁଛି । ନିଜର ଅବିକଳ ପ୍ରତିବିମ୍ବକୁ ସତ ମଣି ବୋକା ବନିଛନ୍ତି ନାର୍ସିସସ୍ । ଛବିର ଇତିହାସରେ ଛବି ଅନ୍ୟକୁ ବୋକା ବନାଇବାର ଅନେକ ଉଦାହରଣ ରହିଛି। ଚିତ୍ରଶିଳ୍ପୀ ବାସ୍ତବତାର ଏତେ ମାତ୍ରାର ଅବିକଳ ଅନୁକରଣ କରିଥାଏ ଯେ ସାମ୍ନାରେ ଥିବା ଦର୍ଶକ ବାସ୍ତବ ଓ ଚିତ୍ର ମଧ୍ୟରେ ଫରକ୍ ବାରି ପାରେନି । ଚିତ୍ର ରଚନାର ପ୍ରଥମ ସର୍ତ୍ତ ଭାବରେ ଅନେକ ବାସ୍ତବତାର ଅବିକଳ ଅନୁକରଣକୁ ମାନିଥା’ନ୍ତି । ଅନେକ ସମୟରେ ଏଇ ସର୍ତ୍ତଟକୁ ଏଡାଇଦେବା କିମ୍ବା ଭାଙ୍ଗି ପକାଇବାରେ ସମସାମୟିକ କଳାର ସାର୍ଥକତା ପ୍ରମାଣିତ ହୋଇଥାଏ । କଳା ଇତିହାସରେ ବର୍ଷ ବର୍ଷ ଧରି ବାସ୍ତବତାର ଅନୁକରଣ କରିପାରିବାରେ କଳାକାରର ସାମର୍ଥ୍ୟକୁ ଫଟୋଗ୍ରାଫି ହଠାତ୍ ଚ୍ୟାଲେଞ୍ଜ କରିଛି । ସେଉଠୁ ସନ୍ଧାନ କରାଯାଇଛି ଫଟୋଗ୍ରାଫି ଯାହା କରିପାରିବନି ତା’ର ବାଟ ଖୋଜା । ତାପରେ ଚିତ୍ରକଳାର ମୋଡ଼ ବଦଳିଛି ।

ନାର୍ସିସସ୍ ବାସ୍ତବ ଓ ପ୍ରତିବିମ୍ବର ମାୟା ଭିତରେ ଥିବା ତଫାତ୍ କୁ ବୁଝିପାରିନି । ମାୟାର ଇନ୍ଦ୍ରଜାଲ ରଚନା କରୁଥିବା ପ୍ରତିଟି ଐନ୍ଦ୍ରଜାଲିକ ଅନ୍ୟକୁ ବୋକା ବନାଇବା ସହ ନିଜେ ବୋକା ବନିଯିବାର ସମ୍ଭାବନାଟି ମଧ୍ୟ ରଖିଥା’ନ୍ତି । ଶିଳ୍ପୀ ଯାହା ଆଙ୍କେ ତାହା ତା’ର ନିଜର ପ୍ରତିବିମ୍ବ ବୋଲି ବୁଝିପାରେନି । କଳାକାର ବାର ବାର ନିଜ ତିଆରି ମାୟାରେ ପଡିଯାଏ । ମାୟାବର୍ତ୍ତର ଆବର୍ତ୍ତ ଭିତରେ କିଏ ସତ କିଏ ବା ମାୟା ବୁଝାପଡେନି । ନାର୍ସିସସ୍ କେବଳ ପ୍ରଥମ ଚିତ୍ରଶିଳ୍ପୀ ନୁହଁନ୍ତି, ସେ ଓଭିଡଙ୍କ ପରି ଜଣେ କବି ମଧ୍ୟ । ନାର୍ସିସସ୍ ମୃତ୍ୟୁ ପରେ ଶେଷକୁ ଫୁଲକୁ ରୂପାନ୍ତରିତ ହେଇଯାଇଛନ୍ତି । ଓଭିଡ୍ ତାଙ୍କ କବିତାରେ ନାର୍ସିସସଙ୍କୁ ଫୁଲରେ ରୂପାନ୍ତରିତ କରିବା ଆଗରୁ ନାର୍ସିସସ୍ ନିଜକୁ ଅଜାଣତରେ ତାଙ୍କ ପ୍ରେମାସ୍ପଦ ଭାବରେ ରୂପାନ୍ତରିତ କରିସାରିଥିଲେ । ନିଜକୁ ରୂପାନ୍ତରିତ କରିବା ତ କବିକର୍ମ ।

Leave a comment