ନବଗୁଞ୍ଜର ଓ ଆଜିର ସମୟ

ଏ ଲେଖାଟି ଓଡ଼ିଶାର ପ୍ରଖ୍ୟାତ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକ ଲେଖିଥିଲେ, ୧୯୮୧ ମସିହାରେ । "ସମାବେଶ" ପତ୍ରିକାର ସମ୍ପାଦକ ଭାବରେ ସେ ସାହିତ୍ୟ ବ୍ୟତୀତ କଳା ଓ ସଂସ୍କୃତିର ବିଭିନ୍ନ ବିଭାବ ଉପରେ ସଂପାଦକୀୟ ଲେଖୁଥିଲେ । "ନବଗୁଞ୍ଜର" ସେଇ ସମ୍ପାଦକୀୟର ଅଂଶବିଶେଷ । ଓଡିଶାର ପଟ୍ଟଚିତ୍ର ପରମ୍ପରା ଓ ସାରଳା ମହାଭାରତ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ନବଗୁଞ୍ଜର ସ୍ଵରୂପର ଏକ ସମକାଳୀନ ବିଶ୍ଳେଷଣ ଏଇ ଲେଖାରେ ରହିଛି ।

ଓଡ଼ିଶାର ପଟ୍ଟଚିତ୍ରମାନଙ୍କରେ ଅଙ୍କିତ ବହୁ ପାରମ୍ପରିକ ଚିତ୍ରମାନଙ୍କ ମଧ୍ୟରେ ନବଗୁଞ୍ଜର ଚିତ୍ର ସରୀସୃପ, ହିଂସ୍ର ଓ ତୃଣଭୋଜୀ ପ୍ରଭୃତି ନଅଗୋଟି ଜୀବନର ବିଭିନ୍ନ ଅବୟବକୁ ନେଇ ଅଙ୍କିତ ଏବଂ ସେହି ବିଚିତ୍ର ଜୀବନ ଶୁକ ପକ୍ଷୀର ଚଞ୍ଚୁ ଓ କୁକ୍‌କୂଟର ଚୂଳ ନେଇ ଗୋଟିଏ ମଣିଷ ହାତରେ ଏକ ଚକ୍ର ଧାରଣ କରିଛି । ଏହି ନବଗୁଞ୍ଜର ମୂର୍ତ୍ତି ଓଡ଼ିଶା ଭିନ୍ନ ଭାରତରେ କୁତ୍ରାପି ଦେଖିବାକୁ ମିଳେନାହିଁ । ଏହା ଓଡ଼ିଶାର ଏକ ପ୍ରାଚୀନ ଓ ଜନପ୍ରିୟ ଚିତ୍ର । କାରଣ ପ୍ରାଚୀନ ଅଭିଜାତ ଗୃହମାନଙ୍କର କାନ୍ଥ ବା ଦ୍ଵାର ଫଳକରେ ଏହି ଚିତ୍ର ଦେଖିବାକୁ ମିଳେ ।

ଯେଉଁ ଉପାଖ୍ୟାନକୁ ଅବଲମ୍ବନ କରି ଏହି ବିଚିତ୍ର ଜୀବନର କଳ୍ପନା କରାଯାଇଛି, ତାହା ହେଲା ଥରେ ଅଗ୍ନିଦେବତା ଅଜୀର୍ଣ୍ଣ ବ୍ୟାଧିରେ ପୀଡ଼ିତ ହୋଇ ପଡ଼ିଲେ ଏବଂ ବନ୍ୟଜନ୍ତୁ ମାଂସ ଭକ୍ଷଣ ସେଥିପାଇଁ ପ୍ରତିଷେଧକ ନିଶ୍ଚିତ କରାଗଲା । ଖାଣ୍ଡବ ବନ ଦହନ ବେଳେ ଯେପରି କୌଣସି ବନ୍ୟଜନ୍ତୁ ବାହାରକୁ ଚାଲିଯାଇ ନ ପାରନ୍ତି ସେଥିପାଇଁ ଗାଣ୍ଡିବଧାରୀ ଅର୍ଜୁନଙ୍କୁ ପ୍ରହରୀ ରୂପେ ନିଯୁକ୍ତ କରାଗଲା । ଦଗ୍ଧୀଭୂତ ଜନ୍ତୁମାନଙ୍କର ଆର୍ତ୍ତ ଚିତ୍କାର ଶୁଣି ଅର୍ଜୁନ ଗାଣ୍ଡିବ ପରିହାର କଲେ । ଠିକ୍‌ ଏହିସମୟରେ ଅର୍ଜୁନଙ୍କୁ ସମ୍ମୁଖରେ ଏହି ବିଚିତ୍ର ନବଗୁଞ୍ଜର ଉପସ୍ଥିତ ହୁଏ ଓ ନବଗୁଞ୍ଜର ଧାରଣ କରିଥିବା ଚକ୍ର ଦେଖି ଅର୍ଜୁନ ଜାଣି ପାରନ୍ତି ଯେ, ଏହି ନବଗୁଞ୍ଜର ସ୍ଵୟଂ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ ।


ଶ୍ରୀକୃଷ୍ଣ ସେହିଠାରେ ଅର୍ଜୁନଙ୍କୁ କୁହନ୍ତି ଯେ, ଅଯଥା କରୁଣ ବିଚଳିତ ହୋଇ ଅର୍ଜୁନ ତାଙ୍କର କର୍ତ୍ତବ୍ୟରେ ଅବହେଳା କରିବା ଉଚିତ୍‌ ନୁହେଁ । ପ୍ରୟୋଜନ ହେଲେ ଜନ୍ତୁକୁଳକୁ ସଂହାର କରି ଦେବତା ପାଇଁ ଉପଯୋଗୀ କରିବାକୁ ହେବ । ଏହା ଏକାଧାରରେ ଦେବତା ଓ ଜନ୍ତୁମାନଙ୍କ ପାଇଁ ମଙ୍ଗଳକାରକ ।

ଆଜି ଆମମାନଙ୍କ ପାଇଁ ଯେତେବେଳେ ବନ୍ୟଜନ୍ତୁ ସଂରକ୍ଷଣ ପ୍ରୟୋଜନୀୟ ହୋଇପଡିଛି । ଶ୍ରୀକୃଷ୍ଣଙ୍କର ତଦାନନ୍ତୀନ ଉପଦେଶକୁ ବିଚାରକୁ ନେବା ଉଚିତ୍‌। ବନ୍ୟଜନ୍ତୁ ସଂରକ୍ଷଣ ଅର୍ଥ ପ୍ରକୃତପକ୍ଷେ ବନ୍ୟଜନ୍ତୁ ନିୟନ୍ତ୍ରଣ । ଯଦି ବନ୍ୟଜନ୍ତୁଙ୍କୁ କେବଳ ସଂରକ୍ଷଣ କରାଯାଏ ତାହାହେଲେ ସେମାନଙ୍କର ବଂଶବୃଦ୍ଧି ଦେଶ ପକ୍ଷରେ ଏକ ସମସ୍ୟା ହୋଇପଡିବ । ସେମାନଙ୍କ ପାଇଁ ଖାଦ୍ୟର ଅଭାବ ହବ ଓ ସେମାନେ ବ୍ୟାଧିଗ୍ରସ୍ତ ହେଇ ଅକାଳ ମୃତ୍ୟୁବରଣ କରିବେ। ପ୍ରକୃତିର କୌଣସି ଅଙ୍ଗ ଅନୁପାତ ଅତିକ୍ରମ କରି ବୃଦ୍ଧି ପାଇଲେ ତାକୁ ଅକ୍ତିଆରକୁ ଆଣିବା କୌଶଳ ପ୍ରକୃତିକୁ ଭଲ ଭାବରେ ଜଣାଅଛି ।

ସୌରଶକ୍ତି ବୃକ୍ଷଲତା ଆହରଣ କରନ୍ତି ଓ ବୃକ୍ଷଲତାମାନଙ୍କଠାରୁ ଶକ୍ତି ଗ୍ରହଣ କରି ସୁସ୍ଥ ବନ୍ୟଜନ୍ତୁ ଜୀବନଧାରଣ କରନ୍ତି । ଆମେ ମଣିଷମାନେ ବୃକ୍ଷଲତା  ଓ ପଶୁମାନଙ୍କଠାରୁ ଶକ୍ତି ଗ୍ରହଣ କରି ଜୀବନଧାରଣ କରୁ ।  ତେଣୁ ସଂରକ୍ଷଣ ସମ୍ପର୍କରେ ଅଯଥା ଭାବପ୍ରବଣ ହେବା ଉଚିତ୍‌ ନୁହେଁ । ଠିକ୍ ଯେପରି ଆମେମାନେ ଗୋରୁର ସେବା କରୁଛୁ ଦୁଧ ପାଇଁ ଓ ଛେଳି ମେଣ୍ଢା ରଖିବୁ ମାଂସ ପାଇଁ । ଠିକ୍ ସେହିପରି ଆମେ ବନ୍ୟଜନ୍ତୁ ସଂରକ୍ଷଣ କରିବା ଉଚିତ୍‌ ଆମମାନଙ୍କର ବିନିଯୋଗ ପାଇଁ । ତେଣୁ ବନ୍ୟଜନ୍ତୁ ସଂରକ୍ଷଣ ଅର୍ଥ ବନ୍ୟ ଜନ୍ତୁମାନଙ୍କର ଯଥାଯଥ ନିୟନ୍ତ୍ରଣ ଏହାହିଁ ନବଗୁଞ୍ଜରର ବାର୍ତ୍ତା ।

Leave a comment