ନୀରଜ ପଟେଲ; ସ୍ଥାପତ୍ୟ ଓ ଚିତ୍ରକଳାର ସମନ୍ଵୟରେ ସହରକୁ ନୂଆ କରି ଚିହ୍ନିବାର ଅଭୀପ୍ସା

ବିଭିନ୍ନ ଜାଗା ବୁଲିବା, ସେଠିକାର ସ୍ୱତନ୍ତ୍ରତାକୁ ଜାଣିବା ଓ ସାଂସ୍କୃତିକ ବିବିଧତାକୁ ବୁଝି ସେସବୁକୁ ନିଜ କଳାରେ ପରିପ୍ରକାଶ କରିବାରେ ନୀରଜ ସବୁବେଳେ ଆଗ୍ରହୀ । ଜୟପୁର ପରି ସ୍ଥାପତ୍ୟ ଓ ହସ୍ତଶିଳ୍ପରେ ରୁଦ୍ଧିମନ୍ତ ଗୋଟେ ସଂସ୍କୃତିସମ୍ପନ୍ନ ସହରରେ ବଢିଥିବାରୁ ସେସବୁର ପ୍ରଭାବ ମଧ୍ୟ ତାଙ୍କ ଉପରେ ପଡିଛି । ସେଥିଲାଗି ଶିଳ୍ପୀ ଜୀବନ ତାଙ୍କର ସ୍ୱତନ୍ତ୍ର ହୋଇଛି ।

ଯେଉଁ ମଣିଷମାନଙ୍କୁ ନିଜ ପସନ୍ଦର କାମ କରିବାକୁ ପରିବାରର ସହଯୋଗ ମିଳେ, ସେମାନେ ଭାଗ୍ୟବାନ୍ ନିଶ୍ଚୟ । ରାଜସ୍ଥାନର ଯୋଧପୁରରୁ ଆସି ଏବେ ଭୁବନେଶ୍ୱରରେ ଉତ୍ସ ଫାଉଣ୍ଡେସନ୍’ର ରେସିଡେନ୍ସିରେ ମାସେ ପାଇଁ ଯୋଗ ଦେଇଥିବା ଚିତ୍ରଶିଳ୍ପୀ ନୀରଜ ପଟେଲ୍ ସେଇ ଦୃଷ୍ଟିରୁ ସୌଭାଗ୍ୟବାନ କହିଲେ ଚଳିବ । ବୋର୍ଡ ପରୀକ୍ଷା ସରିବା ପରେ ନୀରଜ କ’ଣ ପଢିବେ କିଛି ସ୍ଥିର କରିପାରୁ ନଥିଲେ । ତେଣୁ ଚିନ୍ତାରେ ରହୁଥିଲେ । ବାପା ମାଆ ଥରେ ନୀରଜଙ୍କୁ ପାଖକୁ ଡାକି କହିଲେ; “ସ୍ୱାଭାବିକ୍ ଭାବେ ତୋର ଚିତ୍ର ଭଲ ହେଉଛି ଯେତେବେଳେ ତୁ ସେଇଟା ହିଁ କର, ତାହାରି ଉପରେ ନିଜକୁ କେନ୍ଦ୍ରିତ କର । ଚିତ୍ର ଭଲରେ ଶିଖିବା ପାଇଁ ଯାହା ଯାହା ଆବଶ୍ୟକ ସବୁ ଜାଣ ।” ତେଣୁ ଚାରୁକଳାରେ ସ୍ନାତକ ସହ ଦୁଇ ଦୁଇଟା ସ୍ନାତକୋତ୍ତର ବି କରିପାରିଥିଲେ ନୀରଜ ।


ବାପା ମାଆ ହିଁ ପିଲାର ଭଲ ହେଉଥିବା ବା ପିଲା ଭଲ କରୁଥିବା କାମଟିକୁ ପ୍ରାୟତଃ କରିବାକୁ ଦିଅନ୍ତିନି । ସେମାନେ ସବୁବେଳେ ଦେଖନ୍ତି କ’ଣ କଲେ ପିଲାର ଭବିଷ୍ୟତ ସୁରକ୍ଷିତ ହେବ । ନୀରଜ’ଙ୍କ ବାପା-ମା କିନ୍ତୁ ଥିଲେ ବ୍ୟତିକ୍ରମ । ତେଣୁ ପ୍ରତି ପଦକ୍ଷେପରେ ତାଙ୍କୁ ପ୍ରୋତ୍ସାହିତ କରୁଥିଲେ । ଆର୍ଟ କଲେଜରେ ପଢିବାକୁ ପ୍ରେରିତ କରିଥିଲେ । ଏବେବି ନୀରଜ ଜଣେ ଫ୍ରିଲାନ୍ସର୍ ଚିତ୍ରଶିଳ୍ପୀ ଭାବେ ଚିତ୍ର ଅଭ୍ୟାସ ଜାରି ରଖିଥିବା ବେଳେ କେବେ କେମିତି ଆର୍ଥିକ ସମସ୍ୟା ଆସିଲେ ସେମାନେ ହିଁ ସହଯୋଗର ହାତ ବଢେଇ ଦିଅନ୍ତି ଅନାୟାସରେ । ଉଦ୍ଦେଶ୍ୟ ଥାଏ, ନୀରଜକୁ କାମ କରିବାରେ ଅସୁବିଧା ଯେମିତି ନହେଉ ।

୨୧ ମାର୍ଚ୍ଚ ୧୯୮୭ ରେ ରାଜସ୍ଥାନର ଯୋଧପୁରରେ ନୀରଜଙ୍କ ଜନ୍ମ । ୨୦୦୮ ରେ ଯୋଧପୁରରେ ଚାରୁକଳାରେ ସ୍ନାତକ ସାରି ମୋହନଲାଲ୍ ସୁଖୋଦିୟା ୟୁନିଭର୍ସିଟିରେ ସ୍ନାତକୋତ୍ତର କଲେ ସେ । ବିଭାଗ ଥିଲା ମାଷ୍ଟର ଅଫ୍ ଆର୍ଟସ । ତେଣୁ ଯେକୌଣସି ବିଷୟର ଏମ୍. ଏ ପରି ଏଥିରେ ମଧ୍ୟ ତାଙ୍କୁ ଚିତ୍ରକଳା ସହ ଇଂରାଜୀ, ରାଜନୀତି ବିଜ୍ଞାନ ପରି ଆହୁରି ଅନେକ ବିଷୟ ପଢିବାକୁ ହୋଇଥିଲା । ୨୦୧୦ ରେ ପଢା ସାରିବା ପରେ ୬ ବର୍ଷ ଧରି ଚାଲିଲା କଳାଭ୍ୟାସ ବରୋଦାରେ । ମଝିରେ ମଝିରେ ଦିଲ୍ଲୀ ଯିବା ଆସିବା ବି ଲାଗି ରହିଥାଏ । ଏମ୍.ଏ ରେ ଯେହେତୁ ଅନେକ ବିଷୟ ରହିଥିଲା ତେଣୁ ଅଧୁରା ଲାଗୁଥିଲା ଚିତ୍ରଶିକ୍ଷା । କାମ କରିବା ଭିତରେ ଏ ଧାରଣା ଆହୁରି ଦୃଢ ହେଲା । ମନେହେଲା ଆହୁରି କିଛି ଶିଖିବା ବାକି ରହିଯାଇଛି, ଅନେକ କିଛି ଜାଣିବାର ଅଛି । ତେଣୁ ୨୦୧୮ ରେ ପୁଣି ଥରେ ସେ ସ୍ନାତକୋତ୍ତର କଲେ ଶିବ ନାଦାର ୟୁନିଭର୍ସିଟି, ଦିଲ୍ଲୀରୁ । ନିଜର କାର୍ଯ୍ୟ ପାଇଁ ସଂସ୍କୃତି ବିଭାଗ, ଭାରତ ସରକାରଙ୍କ ଠାରୁ ଯୁବଶିଳ୍ପୀ ବୃତ୍ତି ଓ ଲଳିତ କଳା ଏକାଡେମୀ, ଜୟପୁରରୁ ଯୁବଶିଳ୍ପୀ ପୁରସ୍କାର ବି ପାଇଛନ୍ତି ନୀରଜ । ଦିଲ୍ଲୀ, ଦକ୍ଷିଣ କୋରିଆ, ମେକ୍ସିକୋ ଆଦି ବିଭିନ୍ନ ସ୍ଥାନରେ ତାଙ୍କର ସୋଲୋ ସୋ ଓ ଗ୍ରୁପ୍ ସୋ ହୋଇଛି । 


ପିଲାବେଳଠୁ ପାଠ ସହ ଚିତ୍ର ଆଙ୍କିବା ଅଭ୍ୟାସ ତ ଥିଲା । କିନ୍ତୁ ଅଧିକାଂଶ ସମୟ ତାଙ୍କର ବିଭିନ୍ନ ଖେଳ ଶିଖିବାରେ ଯାଏ । ଏଇ ଯେମିତି ସେ ବିଧିବଦ୍ଧ ଭାବରେ ୪ ବର୍ଷ ଧରି କ୍ରିକେଟ୍ ରେ ଟ୍ରେନିଂ ନେଇଛନ୍ତି । ନବମ ଶ୍ରେଣୀରେ ଗଣିତରେ ଖରାପ ଫଳାଫଳ ଆସିବା ପରେ ଅବଶ୍ୟ ଖେଳ ଶିକ୍ଷା କମି ଯାଇଥିଲା । ଚିତ୍ର କରିବା କିନ୍ତୁ ବନ୍ଦ ହୋଇନଥିଲା । ବହି ଗଣିତକୁ ପଢି, ଘୋଷି ପରୀକ୍ଷାରେ ଲେଖି ଆମ ଚିରାଚରିତ ଶିକ୍ଷା ବ୍ୟବସ୍ଥାରେ ସିନା ସେ ଅସଫଳ ହୋଇଥିଲେ କିନ୍ତୁ ଜ୍ୟାମିତିକ ଆକାର ପ୍ରକାରରେ ଥିଲା ତାଙ୍କର ଅସୀମ ଆଗ୍ରହ । ତାଙ୍କ କାମକୁ ଦେଖିଲେ ଯେ କେହି ଏ କଥାକୁ ସ୍ପଷ୍ଟ ବାରି ପାରିବ । 

ବିଭିନ୍ନ ଜାଗା ବୁଲିବା, ସେଠିକାର ସ୍ୱତନ୍ତ୍ରତାକୁ ଜାଣିବା ଓ ସାଂସ୍କୃତିକ ବିବିଧତାକୁ ବୁଝି ସେସବୁକୁ ନିଜ କଳାରେ ପରିପ୍ରକାଶ କରିବାରେ ନୀରଜ ସବୁବେଳେ ଆଗ୍ରହୀ । ଜୟପୁର ପରି ସ୍ଥାପତ୍ୟ ଓ ହସ୍ତଶିଳ୍ପରେ ରୁଦ୍ଧିମନ୍ତ ଗୋଟେ ସଂସ୍କୃତିସମ୍ପନ୍ନ ସହରରେ ବଢିଥିବାରୁ ସେସବୁର ପ୍ରଭାବ ମଧ୍ୟ ତାଙ୍କ ଉପରେ ପଡିଛି । ସେଥିଲାଗି ଶିଳ୍ପୀ ଜୀବନ ତାଙ୍କର ସ୍ୱତନ୍ତ୍ର ହୋଇଛି । ପରେ ସହର ଓ ତା’ର ସ୍ଥାପତ୍ୟକୁ ବିଭିନ୍ନ ଦୃଷ୍ଟିକୋଣରୁ ନିଜ ଚିତ୍ରକଳାରେ ଦର୍ଶାଇବାର ଚେଷ୍ଟା କରିଛନ୍ତି ନୀରଜ । କିଛି ଗୋଟିଏ କଳାକୃତିକୁ ସମ୍ପୂର୍ଣ୍ଣ କରିବା ଲାଗି ସେ ଅନେକ ଆଲୋଚନା, ପର୍ଯ୍ୟାଲୋଚନା କରନ୍ତି ସମ୍ପୃକ୍ତ ଲୋକଙ୍କ ସହ । ଏବଂ ସ୍ଥାପତ୍ୟ ମାଧ୍ୟମରେ ନିଜ କଥା ରଖିବାକୁ ପସନ୍ଦ କରନ୍ତି । ତାଙ୍କ ସ୍ଥାପତ୍ୟ ଗୁଡିକ ପ୍ରାୟତଃ ସାଇଟ୍ ସ୍ପେସିଫିକ୍ । 


ଆର୍କିଟେକଚର୍ ଓ ଇଣ୍ଟେରିୟର ଡିଜାଇନିଂରେ ବେଶି ଆଗ୍ରହ ତାଙ୍କର । ତେଣୁ ଭୁବନେଶ୍ୱରରେ ଆସି ପହଞ୍ଚୁ ପହଞ୍ଚୁ ଖଣ୍ଡଗିରି, ଉଦୟଗିରି ଠୁ ଆରମ୍ଭ କରି ଲିଙ୍ଗରାଜ, ପୁରୀ ଓ କୋଣାର୍କ ମନ୍ଦିରର ସ୍ଥାପତ୍ୟ ଶୈଳୀ ବୁଲି ଦେଖିଲେ । ଦେଖିଲେ ବି ଚିଲିକାର ମତ୍ସ୍ୟଜୀବି ମାନଙ୍କର ଜୀବନ ବଞ୍ଚିବା ଶୈଳୀ । ଦେଖିଲେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ନିତି ଚାଲିଥିବା ଭଙ୍ଗା ଗଢାର ଦୃଶ୍ୟ । ଉତ୍ସ ପରିବେଶକୁ ବି ନିଠେଇ ଦେଖିଲେ । ସବୁକିଛିକୁ ଦେଖି ବୁଝିବାରେ ବିତିଗଲା ୧୫ ଦିନ । ତାପରେ ଆରମ୍ଭ ହେଲା କାମ । ଉତ୍ସ ପରିସରରେ ବର୍ଷା ପରି ନିତି ଝରି ପଡୁଥିବା ଶୁଖିଲା ପତ୍ର ସମ୍ମୋହିତ କରୁଥିଲା ନୀରଜକୁ । ତେଣୁ ଉତ୍ସରେ ଦେଖାରଖା କରୁଥିବା ପିଲା କିରଣକୁ ମନା କରୁଥିଲେ ସେସବୁ ସଫା କରିବାକୁ । କହୁଥିଲେ, ‘ଆମର ସେଠି ଏମତି ବିଛେଇ ପଡିଥିବା ଶୁଖିଲା ପତ୍ର ଦେଖିବାକୁ ମିଳେନି ।’ ତାକୁଇ ଆଧାର କରି ନୀରଜ ଆଙ୍କିଥିଲେ ଅନେକ ଗୁଡିଏ ଚିତ୍ର । ଚିତ୍ର ସହ ଯୋଡି ହୋଇ ହୋଇ ଯାଉଥାଏ ବାଉଁଶର ଏକ ବିଶାଳ ଷ୍ଟ୍ରକଚର୍, ତା’ ସାଙ୍ଗକୁ ପ୍ରୋଜେକ୍ଟର ରେ ଚାଲିଥିବା ଦୃଶ୍ୟ ଓ ହାଲକା ଆଲୁଅ । ସବୁ ମିଶି ଏକ ସୁନ୍ଦର ଇନଷ୍ଟଲେସନ୍ ର ରୂପ ନେଉଥାଆନ୍ତି ଧୀରେ ଧୀରେ ।ଏକ କଳାକୃତି ପ୍ରସ୍ତୁତ ହେବାର ପ୍ରକ୍ରିୟାକୁ ଦେଖୁଥାଆନ୍ତି ସମସ୍ତେ । ଯୋଧପୁରର ଏଇ ଚିତ୍ରକର ଓ ସ୍ଥପତି ଜଣକ କିନ୍ତୁ ଓଡିଶା ଆସି ମଗ୍ନ ଥାଆନ୍ତି ନୂଆ କିଛି ଜାଣିବାରେ ।


Leave a comment