ପଳାତକ

ରାତି ପାହିଲେ ଏକ ନୂଆ ଜୀବନ, ଉନ୍ନତ ଭବିଷ୍ୟତ ତାକୁ ସ୍ୱାଗତ ଜଣେଇବ । ତଥାପି ତା ମନରେ ଏତେ ଅଶାନ୍ତି କାହିଁକି ? ବୀଣା ଆସି ଯେତେବେଳେ ତା ବାପା ମାଆଙ୍କୁ ମୁଣ୍ଡିଆ ମାରିଲା, ବ୍ରଜ ଆଗତ ଭବିଷ୍ୟତକୁ ଦେଖି ଖୁସି ହେବ କଣ, ତା ଭିତରର ସ୍ୱାଭିମାନ କାଚଘର ପରି ଖଣ୍ଡବିଖଣ୍ଡିତ ହେବାର ଶବ୍ଦ ସେ ଭଲଭାବରେ ଶୁଣିପାରୁଥିଲା । ଦ୍ଵନ୍ଦର ଚକ୍ରବ୍ୟୁହ ଭିତରେ ଏକା ଏକା ଲଢୁଥିଲା ସେ |

ଗାଁ ମୁଣ୍ଡ ଠାକୁରାଣୀ ମଣ୍ଡପରେ ପଞ୍ଜାଏ ପିଲାଙ୍କ ଗହଣରେ ବସି ଗପପେଡ଼ି ଖୋଲିଥିଲା ବ୍ରଜ । କାହାଣୀ, ବଡ଼ ଲୋକଙ୍କ ଜୀବନୀ, ଜ୍ଞାନ, ବିଜ୍ଞାନ ସବୁ ବିଷୟର ଭଣ୍ଡାର ତା ପାଖରେ । କେଉଁଠୁ ତାର ଏତେ ଜ୍ଞାନ କେଜାଣି ? ପାଠ ଦୁଇ ଅକ୍ଷର ପଢ଼ିଛି ବୋଲି ଖବରକାଗଜ, ଠୁଙ୍ଗା ଯାହା ପାଏ ତାକୁ ପଢ଼ି ମନେରଖିବାର ଅଦ୍ଭୁତ ଧୀ ଶକ୍ତି ଠାକୁର ତାକୁ ଦେଇଛନ୍ତି । ରାସ୍ତାରେ ଉଡ଼ିଯାଉଥିବା କାଗଜ ଖଣ୍ଡେ ବି ତା ଦୃଷ୍ଟିରୁ ଅନ୍ତର ହୁଏ ନାହିଁ । କାଳେ ସେଥିରେ କିଛି ଜ୍ଞାନବର୍ଦ୍ଧକ ତଥ୍ୟ ରହିଥିବ ! ବୟସ୍କ ଲୋକମାନେ ତାକୁ ଥଟ୍ଟାରେ କହନ୍ତି 'ବାୟା ଟା', ହେଲେ ବହୁତ ସ୍ନେହ କରନ୍ତି । ଗାଁରେ ଯେତେବେଳେ ଯାହାର କିଛି ସୁବିଧା ଅସୁବିଧା ସବୁଠି ବ୍ରଜ ଆଗରେ ଛିଡ଼ା ହୁଏ । ହେଲେ ତାର ଗୋଟିଏ ଖରାପ ଗୁଣ ରହିଛି, ଯାହା ପାଇଁ ବେଳେବେଳେ ସମସ୍ତଙ୍କ ଅସନ୍ତୋଷର ଶିକାର ହୁଏ ସେ । ନିଜ ବାପା, ମାଆ, ଭାଇ, ଭଉଣୀଙ୍କ ତା ପାଇଁ ଭାରି ଚିନ୍ତା । ମଝିରେ ମଝିରେ ହଠାତ୍ କାହାକୁ କିଛି ନ ଜଣେଇ କୁଆଡେ ସେ ଚାଲିଯାଏ କେହି ପତ୍ତା ଲଗେଇ ପାରନ୍ତି ନାହିଁ । ଏମିତି ଥରେ ନୁହେଁ ଅନେକ ଥର ହେଲାଣି । ଆଜି ଗାଁରେ ଥିବ, ସମସ୍ତଙ୍କ ସହିତ ହସୁଥିବ, ମିଶୁଥିବ ତା ପରଦିନକୁ ମାଆ ସକାଳେ ଦେଖିଲା ବେଳକୁ ଦାଣ୍ଡ କବାଟ ଠିଆ ମେଲା କରି କିଛି ନ ଜଣେଇ କୁଆଡେ ଚାଲିଯାଇଥିବ ।

ତା ଚିନ୍ତାରେ କେତେ ରାତି ମାଆ ତାର ପଖାଳ କଂସା ସଜାଡ଼ି ଅନିଦ୍ରା ହୋଇ କଟେଇଛି । ଯାହା ହେଲେ ବି ମାଆ ମନ ବୁଝିବ କେମତି ? କେତେବେଳେ ଘରେ ପହଞ୍ଚି ତା ପୁଅ ଖାଇବାକୁ ଗଣ୍ଡେ ମାଗିଦେବ ବୋଲି ନିତି ପଖାଳ କଂସାଏ ରଖି ସକାଳେ ଗୋରୁହାଣ୍ଡିରେ ଢ଼ାଳିବା ଗାଁ ଲୋକ ଦେଖିଛନ୍ତି । ବେଳେବେଳେ ତ ଘରଲୋକ ଭାବନ୍ତି, ସେ ଆଉ ଫେରିବ କି ନାହିଁ, କିନ୍ତୁ ସମସ୍ତଙ୍କୁ ଚମକେଇ ଦେଇ ଭୁସ୍ ଭାସ୍ ପଶିଆସି ରୋଷେଇ ଘରେ ଚୁଲି ମୁଣ୍ଡରେ ବସି ମାଆକୁ ଖାଇବାକୁ ମାଗିଥାଏ ବ୍ରଜ ।

'ବ୍ରଜ ସୁନ୍ଦର' କେତେ ସରାଗରେ ମାଆ ଜନ୍ମବେଳେ ତାର ଶ୍ୟାମଳ ମୁହଁକୁ ଦେଖି ନାଁଟିଏ ଦେଇଥିଲା । ଅଭାବୀ ଚାଷୀ ଘରେ ଜନ୍ମ ନେଇଥିଲେ ସୁଦ୍ଧା ପ୍ରବଳ ଇଚ୍ଛାଶକ୍ତି ଏବଂ ପ୍ରଖର ସ୍ମୃତିଶକ୍ତିରେ ତାର କେବେ ଅଭାବ ନ ଥିଲା । ଯାହା ଥରେ ଦେଖିଦେବ ମନେ ରଖିଦେବ । ଏମତି ଜିନିଷ ସବୁ ନିରେଖି ଦେଖୁଥିବ ଯାହା ଖୁବ ସାଧାରଣ; ଯାହା ପ୍ରତି ପ୍ରାୟ ଲୋକଙ୍କ ଧ୍ୟାନ ଯାଏନାହିଁ । କେବେ ପିମ୍ପୁଡି ମାନଙ୍କ ଧାଡ଼ି ବାନ୍ଧି ଖାଦ୍ୟ ବୋହିନେବା ଦୃଶ୍ୟକୁ ଅପଲକ ନୟନରେ ଚାହିଁ ବସିଥିବ, ତ କେବେ ଶୁଖିଲା କାଠି, ବାଡ଼ି, ପତ୍ରରେ ତିଆରି କରିଦେବ ପିଲାଙ୍କ ପାଇଁ ଛୋଟ ଛୋଟ ଡ଼ଙ୍ଗା । କ୍ଷେତରେ ହଳ କରିବାଠାରୁ ଆରମ୍ଭ କରି, ମଞ୍ଜି ବୁଣିବା, ପାଣି ମଡ଼େଇବା, ଛୋଟ ପିଲାଙ୍କୁ ପାଠ ପଢେଇବା, ସନ୍ଧ୍ୟାହେଲେ ଭାଗବତ ପଢ଼ି ବୟସ୍କମାନଙ୍କୁ ଶୁଣେଇବା, ଆଦି ସବୁ କାମରେ ସେ ଆଗଭର । ପିଲାଠାରୁ ବୁଢା ସମସ୍ତେ ତାକୁ ଭଲ ପାଆନ୍ତି । ହେଲେ ସମସ୍ତଙ୍କ ମନରେ ସେଇ ଗୋଟିଏ କଥାକୁ ନେଇ ଆଶଙ୍କା ଓ ଭୟ, ଯେ ବ୍ରଜ ମଝି ମଝିରେ ଯାଏ କୁଆଡେ ?

ବ୍ରଜ କିନ୍ତୁ ଏ ସବୁ କଥାକୁ କାନ ଦିଏନି । ତା ପାଖରେ ଯେମିତି ନିନ୍ଦା, ପ୍ରଶଂସା ସବୁ ସମାନ । କାହାଠାରୁ କିଛି ଅପେକ୍ଷା ନ ରଖି ନିରାସକ୍ତ ଭାବେ ସବୁ କରିଯାଏ । ତା ମୁଖମଣ୍ଡଳରେ ଶୋଭାପାଏ ଏକ ଅଦ୍ଭୁତ ଆତ୍ମବିଶ୍ୱାସ ! ଧୈର୍ଯ୍ୟ ଓ ସ୍ମିତହସ ବ୍ରଜର ଦୁଇଟି ଶକ୍ତିଶାଳୀ ଅସ୍ତ୍ର । ବ୍ରଜ ହଠାତ୍ କୁଆଡେ ଚାଲିଯିବା ପଛରେ ଗୂଢ଼ ରହସ୍ୟ ହେଉଛି, ତା ଜିଜ୍ଞାସୁ ମନୋଭାବ । ସେ ଯୋଗୀବାବାଙ୍କ ମଠରେ ରହି ବୈରାଗ୍ୟ, ସହନଶୀଳତା, ଭଗବତ ଜ୍ଞାନ ଆହରଣ କରିଛି । କେନ୍ଦରା ଯୋଗୀ ସହିତ ଗୋଟିଏ ବେଳା ଅନ୍ନ ଗ୍ରହଣ କରି ଜୀବନ ଦର୍ଶନର ଗାଥା ଶୁଣିଛି । ବଢ଼େଇ ଘରେ କାଠକାମ, ମୁଲିଆ ସହ ମୁଲ ଲାଗିବା, ଜଗୁଆଳି, ଚିତ୍ରାଙ୍କନ, ମୂର୍ତ୍ତି ତିଆରି, ଯେତେବେଳେ ଯାହା ତାର ଦୃଷ୍ଟି ଆକର୍ଷଣ କରିଛି; ଥରେ ବି ଆଗପଛ ବିଚାର ନ କରି ସେମାନଙ୍କୁ ଅନୁସରଣ କରିଛି ଏବଂ ସେମାନଙ୍କଠାରୁ ସେ ଜ୍ଞାନ ଆହରଣ ନ କଲା ଯାଏ ଫେରି ଆସିନାହିଁ । ଶୋଇବା ପାଇଁ ଚେନାଏ ଭୂଇଁ ଏବଂ ଆକାଶ ପରି ଛାତ ଥିବା ଯାଏଁ ତା ରହିବା ଶୋଇବାରେ କେବେ କିଛି ଅସୁବିଧା ହୋଇନି । ଆଉ ରହିଲା ପେଟକୁ ଦାନା ଗଣ୍ଡେ ଏବଂ ଦେହକୁ କନା ଖଣ୍ଡେ କଥା, ତାର ଭଲ ସ୍ଵଭାବ ଯୋଗୁଁ ସେଥିପାଇଁ କେବେ କାହା ଆଗରେ ହାତ ପତେଇବାକୁ ପଡିନି ତାକୁ । ଲୋକେ ଖୁସିରେ ତାକୁ ଯାଚି ଦେଇଯାଆନ୍ତି ସେତକ । ବ୍ରଜ ବି ପ୍ରତିବଦଳରେ ସମସ୍ତଙ୍କୁ କିଛି ନା କିଛି ସାହାଯ୍ୟ କରିଯାଏ । କିଛି ନ ହେଲେ ତା 'ଜ୍ଞାନ ଭଣ୍ଡାର’ରୁ ଏମିତି କଥା ସବୁ ଗପେ, ଯାହାକୁ ଶୁଣି ବଡ଼ ଲୋକମାନେ ମଧ୍ୟ ପ୍ରଶଂସା ନ କରି ରହିପାରନ୍ତି ନାହିଁ ।

ଥରେ ଗାଁ ନଈକୂଳରେ ବସି ମାଛ ମାରିବା ଦେଖୁଥାଏ ବ୍ରଜ । ମାଛ ମାରିବା ପରେ ସେଇ ଲୋକ ପଛେ ପଛେ ଚାଲି ଚାଲି ଯିବା କଥା, ଶେଷ ଥର ପାଇଁ ତା ଗାଁ ଲୋକ ଦେଖି ପରେ ତା ମାଆକୁ ଜଣେଇଦେଲେ ବୋଲି କଥା ଅଛି । ଲୋକଟିକୁ ଅନୁସରଣ କରି ବଜାରରେ ପହଞ୍ଚିଗଲା ସେ । ସେଠି ଏତେ ଲୋକ ! ଏତେ କିଛି ଦେଖିବା ପାଇଁ ଶିଖିବା ପାଇଁ ରହିଛି । ଜଣେ ବେପାରୀଙ୍କ ପାଖରେ ଯାଇ ବସିପଡ଼ିଲା ବ୍ରଜ । ତାଙ୍କ ହାତରେ ଥିବା ଇଂରାଜୀ ବହି ଖଣ୍ଡକ ତାର ଦୃଷ୍ଟି ଆକର୍ଷଣ କରିଥିଲା । ବ୍ରଜକୁ ଅତି ନିକଟରେ ଛିଡ଼ା ହେବା ଦେଖି ବେପାରୀ ଜଣକ ସେ କଣ କିଣିବାକୁ ଚାହୁଁଛି ବୋଲି ପ୍ରଶ୍ନ କଲେ । ହସିଦେଇ ସେ କିଛି ଦରକାର ନାହିଁ ବୋଲି ଉତ୍ତର ଫେରେଇ ତାଙ୍କ ହାତରେ ଥିବା ବହିକୁ ପୁଣିଥରେ ଦେଖିବାକୁ ଲାଗିଲା । ପୁସ୍ତକ ପ୍ରେମ, ସେ ପୁଣି ଇଂରାଜୀ ପୁସ୍ତକ ପ୍ରତି ତାର ଆକର୍ଷଣ ବେପାରୀଙ୍କୁ ସମଭାବରେ ଆଶ୍ଚର୍ଯ୍ୟ ଏବଂ ପ୍ରଭାବିତ କଲା । ସେ ତାକୁ ପ୍ରଶ୍ନ କଲେ, 'ଇଂରାଜୀ ପଢିପାର ?' ବେପାରୀଙ୍କ ପ୍ରଶ୍ନ ପଚାରିବା ମଧ୍ୟ ସ୍ୱାଭାବିକ । କାରଣ, ବ୍ରଜର ବେଶଭୂଷା ଦେଖିଲେ କେହି ବି ବିଶ୍ୱାସ କରିବେ ନାହିଁ ଯେ ଇଂରାଜୀ ଭାଷାରେ ତାର କିଛି ଜ୍ଞାନ ଥିବ । ମୁଚୁକୁନ୍ଦି ହସଟିଏ ମାରି ଦେଇ ବ୍ରଜ କହିଲା, 'ଇଂରାଜୀ ଜାଣିନି, ହେଲେ ଏ ଭାଷା ଜାଣିବାକୁ ମୋର ପ୍ରବଳ ଇଚ୍ଛା ।'

ବେପାରୀ ଜଣକ ତାର ଜିଜ୍ଞାସୁ ସ୍ଵଭାବ ଏବଂ ଖୋଲାକଥା ଶୁଣି ଖୁସି ହେଲେ । ବ୍ରଜ ସେଇଠି ସେମିତି ବସିରହିଲା । ଦିନ ଗଡି ସଞ୍ଜ ହେଲା । ହାଟ ଭାଙ୍ଗିବାର ବେଳ । ବେପାରୀ ନିଜ ଭୃତ୍ୟମାନଙ୍କୁ ସବୁ ଜିନିଷ ବନ୍ଧାବନ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇ ବ୍ରଜ ଆଡ଼କୁ ପ୍ରଶ୍ନିଳ ଦୃଷ୍ଟିରେ ଅନେଇଲେ । 'ଆଜିର ହାଟ ସରିଗଲା, ଯାଅ ଏଥର । ଆର ପାଳିକି ପୁଣି ଆସିବ ।' ବ୍ରଜ କିନ୍ତୁ ନିଶ୍ଚଳ ପ୍ରତିମାଟିଏ ଭଳି ବସିଥାଏ । ଇଂରାଜୀ ପ୍ରତି ଥିବା ତାର ଅହେତୁକ ଦୁର୍ବଳତା ଏବଂ ମୋହ ସହିତ ଇଂରାଜୀ ଭାଷା ଶିଖିବାର ଲାଳସାକୁ ବେପାରୀ ଜଣକ ଠଉରେଇ ପାରିଥିଲେ । 'ମୋ ସହିତ ମୋ ସହରକୁ ଯିବ ? ମୋ ପାଖରେ ରହିଲେ, ମୁଁ ଇଂରାଜୀ ପଢ଼ିବା, କହିବା ସବୁ ଶିଖାଇଦେବି ।'

ବ୍ରଜ ମୁଖମଣ୍ଡଳରେ ହସ ଖେଳିଗଲା । ସେ ହସରେ ସମର୍ଥନ ଥିଲା, କୃତାର୍ଥ ହେବାର ମାନସିକତା ଥିଲା । ସ୍ମିତହସ ହସି ମନ ଜିଣିବାର କଳା ବ୍ରଜକୁ ଭଲ ଭାବରେ ଜଣା । ଧୀରେ ଧୀରେ ଜନଶୂନ୍ୟ ହୋଇ ଆସୁଥିଲା ହାଟ । ବେପାରୀଙ୍କ ମାଲ୍ ବୁହା ଗାଡ଼ି ପଛରେ ବେପାରୀ ଓ ତାଙ୍କର କିଛି ଭୃତ୍ୟଙ୍କୁ ଅନୁସରଣ କରି ବ୍ରଜ ବି ଚାଲିଲା ଏକ ନୂଆ ଭବିଷ୍ୟତ ଦିଗରେ, କେବଳ ନିଜର ଅନୁସନ୍ଧିସ୍ନାକୁ ସମ୍ବଳ କରି ।

ସହରରେ ପହଞ୍ଚି ତାଙ୍କ ଘରେ ଖୁବ କମ୍ ଦିନ ଭିତରେ ସଦସ୍ୟଟିଏ ପାଲଟିଗଲା ସେ । ଯେ ଯାହା କାମ କରିବାକୁ କହିଲେ ତାର ବାରଣ ନ ଥାଏ । ସବୁକାମ ମନ ଲଗେଇ ଖୁସିରେ କରେ ସେ । ପରିବାକଟା, ଘରଓଳା, ବାସନମଜା, ସଜାସଜି ସହିତ ଅତିଥି ଅଭ୍ୟାଗତଙ୍କୁ ସ୍ୱାଗତ ଏବଂ ଆପ୍ୟାୟିତ କରିବାରେ ମଧ୍ୟ ସେ ସିଦ୍ଧହସ୍ତ । ଯିଏ ତାକୁ ଦେଖିଲା, ତା କାମକୁ ପ୍ରଶଂସା କଲା । ବ୍ରଜ ଜାଣେ, ତିଷ୍ଠି ରହିବାକୁ ହେଲେ ସବୁକିଛି କରଣୀୟ । ତା ପରେ ସେ ତ ସବୁପ୍ରକାର କାମ କରିବାକୁ ଭଲ ପାଏ, ପ୍ରତି କାମରୁ କିଛି କିଛି ଶିଖେ । ସାରାଦିନର କ୍ଳାନ୍ତି ତାର ଲାଘବ ହୁଏ, ଯେତେବେଳେ ସନ୍ଧ୍ୟାରେ କିଛି ସମୟ ଇଂରାଜୀ ପଢ଼ିବାକୁ ଏବଂ ଲେଖିବାକୁ ସୁଯୋଗ ପାଏ । ବ୍ରଜର ଉତ୍ସାହ ଏବଂ ଆଗ୍ରହ ଦେଖି ବେପାରୀ ବି ତାକୁ ପଢେଇବାରେ କିଛି ହେଳା କରନ୍ତି ନାହିଁ ।

ବ୍ରଜ ଆସିଲା ଦିନଠାରୁ, ବେପାରୀଙ୍କ ଝିଅ ବୀଣା ଆଖିରେ ନିଜ ପ୍ରତି ବହୁତ ରାଗ ଓ ଈର୍ଷା ଦେଖିବାକୁ ପାଇଛି ସେ । କାରଣ ବି ସେମିତି ! ବୀଣାର ବାପା ସବୁବେଳେ ତାକୁ ବ୍ରଜ ସହିତ ତୁଳନା କରୁଛନ୍ତି । ବ୍ରଜର ପାଠପଢ଼ା ପ୍ରତି ଇଚ୍ଛା, ପ୍ରଖର ସ୍ମୃତିଶକ୍ତିର ଉଦାହରଣ ଦେଇ ତାକୁ ଗାଳି ଦିଅନ୍ତି । ବୀଣାକୁ ବହୁତ ରାଗ ଲାଗେ, ଈର୍ଷା ବି ହୁଏ । କେମିତି ବ୍ରଜ ଥରେ ମାତ୍ର ପଢ଼ି ଏତେ ଶୀଘ୍ର ସବୁ ମନେ ରଖିଦିଏ, ତାକୁ ପଚାରିବାକୁ ଚାହିଁ ବି ସେ ପଚାରିପାରେନି । ବୀଣା ଜାଣିଶୁଣି ବ୍ରଜର ବହି, ଖାତା ଲୁଚେଇଦିଏ । ତା କଲମର କାଳି ବାହାରେ ଫୋପାଡ଼ି ଦିଏ, ଯେମିତି ପଢିଲାବେଳେ ବ୍ରଜ ବାପାଙ୍କ ଠାରୁ ଗାଳି ଶୁଣିବ, କିନ୍ତୁ ପ୍ରତିଥର ବ୍ରଜ ତାର ସବୁ କାରସାଦି କୁ ଭଣ୍ଡୁର କରିଦିଏ । ବ୍ରଜର ଏସବୁ ବିଷୟରେ ଧାରଣା ଥାଏ କିନ୍ତୁ ମାଲିକଙ୍କ ଝିଅ ବିରୁଦ୍ଧରେ କିଛି କହିବାକୁ ତାର ସାହସ ପାଏନାହିଁ । ଏହାର ସମାଧାନ ପନ୍ଥା ଖୋଜିବାକୁ ଯାଇ ଥରେ ବ୍ରଜ, ବୀଣାକୁ ତା ସହିତ ଏକାଠି ମିଶି ପଢ଼ିବା ପାଇଁ ପ୍ରସ୍ତାବ ଦେଲା । ଦୁହେଁ ମିଶି ପଢ଼ିଲେ ବୀଣାର ପାଠ ପଢ଼ିବାକୁ ଇଚ୍ଛା ହେବା ସହିତ ବୁଝିବାରେ କିଛି ଅସୁବିଧା ହେଲେ ବ୍ରଜ ତାର ସମାଧାନ କରିଦେଇ ପାରିବ ବୋଲି ଜଣେଇଲା । ବାପାଙ୍କ ପାଖରେ ଭଲ ପ୍ରଦର୍ଶନ କରିବା ଲୋଭରେ ବୀଣା ତା କଥାରେ 'ହଁ' ଭରିଲା । ତା ପରଠୁ ଦୁହେଁ ଏକାଠି ବସି ପଢ଼ନ୍ତି । ଧୀରେ ଧୀରେ ବୀଣାର ଈର୍ଷା, ବନ୍ଧୁତାରେ ପରିଣତ ହେବାକୁ ଲାଗିଲା । ଦୁହେଁ ଅଧିକାଂଶ ସମୟ ଏକାଠି ବିତାନ୍ତି । ଦୁହେଁ ବୀଣା ବାପାଙ୍କ ସହ ବିଭିନ୍ନ ବିଷୟ ଉପରେ ତର୍କ ଓ ଆଲୋଚନା କରନ୍ତି ଏବଂ ଏହା ସହିତ ସେମାନଙ୍କ ଇଂରାଜୀ ଶିକ୍ଷା ବି ଜାରି ରହିଥାଏ । ଦୁହିଁଙ୍କର ବନ୍ଧୁତା ଦେଖି ବୀଣାର ବାପା ମାଆ ବହୁତ ଖୁସି ହେଉଥାନ୍ତି । ତାଙ୍କ ଝିଅ, ଯିଏ କାହା ସହିତ ଜମା ମିଶିବାକୁ ପସନ୍ଦ କରେନାହିଁ, ବ୍ରଜ ସହିତ ମିଳାମିଶା କଲା ପରେ ତାର ବ୍ୟବହାର, ସ୍ଵଭାବରେ ପରିବର୍ତ୍ତନ ସେମାନଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି ।

ଥରେ କଥା ଛଳରେ ବୀଣା ମାଆ, ସ୍ୱାମୀଙ୍କୁ ବୀଣା ଓ ବ୍ରଜର ବାହାଘର କଥା କହିଦେଲେ । ବ୍ରଜର ଜାତି, ଗୋତ୍ର ବିଷୟରେ ଧାରଣା ନ ଥିବାରୁ ପ୍ରଥମେ ସେ ଟିକେ ସଙ୍କୋଚ କଲେ, ମାତ୍ର ବ୍ରଜର ଭଲଗୁଣଗୁଡ଼ିକ ଆଗରେ ସେ ସବୁକୁ ଅଣଦେଖା କରିବା ତାଙ୍କ ପକ୍ଷେ ଅସମ୍ଭବ ନ ଥିଲା । ବୀଣା ମାଆ ବୁଝେଇଲେ, ବୀଣା ବାହାଘର ଯଦି ବ୍ରଜ ସହିତ ହୋଇଯାଏ, ବୀଣାକୁ ଜଣେ ଭଲ ଜୀବନସାଥୀ ମିଳିବା ସହିତ, ବୀଣାକୁ ଆଉ କେଉଁ ଅନ୍ୟ ଜାଗାକୁ ଯିବାକୁ ପଡ଼ିବ ନାହିଁ । ବ୍ରଜ ଏବେ ଭଳି ସବୁଦିନ ତାଙ୍କ ପାଖରେ ରହିବ । ବୀଣାକୁ ସବୁଦିନ ନିଜ ପାଖରେ ରଖିବା ପାଇଁ, ବ୍ରଜ ସହିତ ବିବାହ ପ୍ରସ୍ତାବଟି ବେପାରୀଙ୍କୁ ମନକୁ ପାଇଲା । ଉଭୟେ ସ୍ୱାମୀ ସ୍ତ୍ରୀ ବ୍ରଜକୁ କିଛି ନ ଜଣେଇ ତା ପରିବାର ଓ ଘର ବିଷୟରେ ଖବର ଜାଣିବା ପାଇଁ ଜଣେ ଲୋକକୁ ତା' ଗାଁ କୁ ପଠେଇବାର ଯୋଜନା କଲେ ।

ବୀଣା ଏ ବିଷୟରେ ସବୁ ଜାଣିଥିଲା, ହେଲେ ବୀଣା ଏ ବିଷୟରେ ବ୍ରଜକୁ ଯେମିତି କିଛି ନ କହେ, ତାହା ବିଶେଷ ଭାବରେ ତା ମାଆ ତାକୁ କହି ରଖିଥିଲେ । ଯେଉଁ ଲୋକକୁ ବ୍ରଜର ଘର ପରିବାର ବିଷୟରେ ଖବର ବୁଝିବାକୁ ପଠାଯାଇଥିଲା, ସେ ଆସି ବ୍ରଜର ପରିବାର ଆର୍ଥିକ ଭାବରେ ସ୍ୱଚ୍ଛଳ ନ ହେଲେ ମଧ୍ୟ ଆଚରଣ ଏବଂ ହୃଦୟରେ ବହୁତ ଭଲ ବୋଲି ନିଶ୍ଚିତ କଲେ । ଝିଅକୁ ତ ସେ ଘରକୁ ପଠେଇବାର ନାହିଁ, ତେଣୁ ବୀଣାର ବାପା ମାଆ ଆଉ ବିଶେଷ ଅନୁସନ୍ଧାନ ନ କରି ଆସନ୍ତା ସପ୍ତାହରେ ତାର ବାହାଘର ଦିନ ଧାର୍ଯ୍ୟ କରିଦେଲେ ।

ହଠାତ୍ ବେପାରୀଙ୍କ ପରିବାର ଚଳଚଞ୍ଚଳ ହୋଇ ଉଠିଲେ । ପିଠା, ମିଠା ତିଆରି, ଲୁଗା, ଅଳଙ୍କାର କିଣା ଏବଂ ଆତ୍ମୀୟ ଅତିଥିଙ୍କ ଯିବାଆସିବାର ଧାରାବାହିକତା କୋଠାରେ ଆରମ୍ଭ ହୋଇଯାଇଥିଲା । ବ୍ରଜକୁ ପ୍ରଥମେ ଲାଗିଲା, ନିଶ୍ଚୟ କିଛି ବିଶେଷ କାର୍ଯ୍ୟକ୍ରମ ଅଥବା ପର୍ବପର୍ବାଣୀ ଆସୁଛି, ତା ଯୋଗୁଁ ଏ ବିଶେଷ ଆୟୋଜନ । ସେ ମଧ୍ୟ ମନ ଲଗେଇ ସବୁକାମରେ ସହଯୋଗ କରିବାକୁ ଆଗେଇ ଆସିଲା । ମାତ୍ର ଏବେ ସେ ଯାହା କରିବାକୁ ଯାଏ, ସମସ୍ତେ ତାକୁ ବାରଣ କରନ୍ତି । ତାକୁ ବହୁତ ଖରାପ ଲାଗେ । ମନରେ କେତେ ପ୍ରଶ୍ନ ଆସେ କଣ କିଛି ଭୁଲ କରିଦେଲା କି ଆଉ ସେ ? ସେଥିପାଇଁ ତାକୁ ସମସ୍ତେ କିଛି କରିବାକୁ ସୁଯୋଗ ଦେଉନାହାନ୍ତି । ତାର ତେଣେ ଭାରି ଭୟ, ଯଦି ମାଲିକଙ୍କ କାନକୁ ଏ କଥା ଗଲା, ସେ ତାକୁ ଘରୁ ବାହାର କରିଦେବେ । ତାର ଇଂରାଜୀ ଶିକ୍ଷା ସେଇଠି ହିଁ ଶେଷ ହୋଇଯିବ । କେଉଁ କାରଣରୁ ସେ ଅଲୋଡ଼ା ହୋଇଗଲା ଏ ଘର ପାଇଁ ସେହି ପ୍ରଶ୍ନ ତାକୁ ବାରମ୍ବାର ଆନ୍ଦୋଳିତ କରୁଥାଏ ।

ପରଦିନ ତାର ବାହାଘର ବୋଲି ସେ ପର୍ଯ୍ୟନ୍ତ ତାକୁ କେହି ଜଣେଇ ନ ଥିଲେ । ମନମାରି ବସିଥାଏ ସେ, ସହସା ଜଣେ ଆସି ତାକୁ ଖବର ଦେଲେ ଯେ ତାର ବାପା, ମାଆ, ଭାଇ, ଭଉଣୀ ସମସ୍ତେ ଆସି ପହଞ୍ଚି ଯାଇଛନ୍ତି । ପ୍ରଥମେ ବ୍ରଜ କିଛି ବୁଝିପାରିଲା ନାହିଁ । ସେ ଏଇଠି ଅଛି ବୋଲି ତାର ଠିକଣା କିଏ ଦେଲା ତା ଘର ଲୋକଙ୍କୁ, ଏହା ଭାବି ସେ ଚିନ୍ତିତ ହେଉଥାଏ । ତାକୁ ଡାକିବାକୁ ଆସିଥିବା ଲୋକଟି କହିଲା, 'ତୁ ବହୁତ ଭାଗ୍ୟବାନ ବ୍ରଜ ! ଭାଗ୍ୟରେ ଥିଲେ ଏତେ ସୁଖ, ଐଶ୍ଵର୍ଯ୍ୟ, ଧନ ଏବଂ ମାଲିକଙ୍କ ଝିଅ ସହିତ ବାହାଘର ସମ୍ଭବ ହୁଏ । କାଲି ତୋର ବାହାଘର ବୀଣା ଦେଇଙ୍କ ସହିତ ହୋଇଗଲା ପରେ, ତୁ ଏ ସବୁ ସମ୍ପତ୍ତିର ଏକମାତ୍ର ମାଲିକ ହୋଇଯିବୁ । ସତରେ ଏମିତି ଭାଗ୍ୟ କଣ ସମସ୍ତଙ୍କର ଥାଏ !'

ନିଜ ଉପରେ ବଜ୍ର ପଡ଼ିଲା ଭଳି ଅନୁଭବ କଲା ବ୍ରଜ । କିଛି ସମୟ ପାଇଁ ନିର୍ବାକ ହୋଇ ଛିଡ଼ା ହେଲା । କଣ କରିବ ? କୌଣସି ନିଷ୍ପତ୍ତି ନେବାକୁ ସେ ଅକ୍ଷମ । କେଉଁ ଏକ ଅବ୍ୟକ୍ତ ସଙ୍କୋଚ ତାର ପାଦଦୁଇଟିକୁ ଜାବୁଡ଼ି ଧରି ବସିଥାନ୍ତି । ପ୍ରଥମ ଥର ପାଇଁ ତାକୁ ତା ପରିବାର ସହ ଦେଖାକରି ଖୁସି ଅନୁଭୂତ ହେଲା ନାହିଁ । ରାତି ପାହିଲେ ଏକ ନୂଆ ଜୀବନ, ଉନ୍ନତ ଭବିଷ୍ୟତ ତାକୁ ସ୍ୱାଗତ ଜଣେଇବ । ତଥାପି ତା ମନରେ ଏତେ ଅଶାନ୍ତି କାହିଁକି ? ବୀଣା ଆସି ଯେତେବେଳେ ତା ବାପା ମାଆଙ୍କୁ ମୁଣ୍ଡିଆ ମାରିଲା, ବ୍ରଜ ଆଗତ ଭବିଷ୍ୟତକୁ ଦେଖି ଖୁସି ହେବ କଣ, ତା ଭିତରର ସ୍ୱାଭିମାନ କାଚଘର ପରି ଖଣ୍ଡବିଖଣ୍ଡିତ ହେବାର ଶବ୍ଦ ସେ ଭଲଭାବରେ ଶୁଣି ପାରୁଥିଲା । ଦ୍ଵନ୍ଦ୍ବର ଚକ୍ରବ୍ୟୁହ ଭିତରେ ଏକା ଏକା ଲଢୁଥିଲା ସେ । ସବୁ ରାତି ଭଳି ସେ ରାତି ବି ପାହିଲା, ମାତ୍ର ବ୍ରଜ ପାଇଁ ଆଉ ଏକ ସୂର୍ଯ୍ୟ ଅପେକ୍ଷାରତ ଥିଲା ।

 ନିଜ ପରିବାର, ବୀଣାର ପରିବାର ଏବଂ ସେଇ କୋଠାଘର ସହିତ ସମ୍ପର୍କ ରଖୁଥିବା ସମସ୍ତ ସଦସ୍ୟଙ୍କ ପାଇଁ "ପଳାତକ" ସାଜି ବ୍ରଜ ବଡ଼ି ଭୋର୍ ରୁ ସେହି ଗାଁ ଛାଡ଼ି କେଉଁ ଏକ ଅଜଣା ପଥରେ ଯାତ୍ରାରମ୍ଭ କରିସାରିଥିଲା ।


Leave a comment